Unknown

 

 

 

 

 

 

 

 

 

 

 

ମଣିଷ

ଶ୍ରୀ କମଳଲୋଚନ ମହାନ୍ତି

 

 

 

 

 

 

 

 

 

 

ସାହିତ୍ୟ କଳା ପ୍ରେମୀ ଓଡ଼ିଶା ରଙ୍ଗମଞ୍ଚର

ଅନ୍ୟତମ ପୃଷ୍ଠ ପୋଷାକ

ଶ୍ରୀଯୁକ୍ତ ହୃଦାନନ୍ଦ ନାୟକଙ୍କ

କର କମଳରେ

କମଳ

✽✽✽

 

 

 

 

 

 

 

 

 

 

ବହୁ ରଜନୀ ଜନତା ରଙ୍ଗମଞ୍ଚଦ୍ୱାରା ପ୍ରଶଂସିତ ଭାବେ

ଅଭିନୀତ

 

କବି ଗଡ଼ନାୟକଙ୍କ ପୌରହତ୍ୟରେ ଉଦ୍‍ଘାଟଣ ଉତ୍ସବ

୬ । ୧ । ୬୩

✽✽✽

 

ପଦେ

 

“ମଣିଷ’’ ମୋର ନବମ ନାଟକ ।

 

ଏକ ବସନ୍ତ ସନ୍ଧ୍ୟାରେ ଓଡ଼ିଶାର ପ୍ରଖ୍ୟାତନାମା ଶିଳ୍ପୀ, ନିର୍ଦ୍ଦେଶକ ବଂଧୁ ଶ୍ରୀ ନିରଞ୍ଜନ ଶତପଥୀଙ୍କ ସାଙ୍ଗରେ ଭୁବନେଶ୍ଵର ଯାଉଥିଲି । ସେ କହିଲେ, ‘‘କମଳ ଭାଇ ! ଆମ ଓଡ଼ିଆ ସାହିତ୍ୟରେ ସମାଲୋଚକଙ୍କ ସଂଖ୍ୟା ବହୁତ କିନ୍ତୁ ଲେଖକଙ୍କ ସଂଖ୍ୟା ପ୍ରାୟ ସେ ଅନୁପାତରେ ନୁହେଁ । ଆଉ ଆମ ପୋଖତ ଲୋକମାନେ ଗତ ଦଶ ବରଷର ଓଡ଼ିଆ ସାହିତ୍ୟର ଅଗ୍ରଗତିର କୌଣସି ହିସାବ ରଖିନାହାନ୍ତି । ସେମାନେ ଭାବନ୍ତି ସେମାନେ ଯେତିକି ଲେଖି ଯାଇଛନ୍ତି ସେଗୁଡିକ ପ୍ରାୟ ଓଡ଼ିଆ ସାହିତ୍ୟର ଶେଷ ପର୍ଯ୍ୟାୟ ।

 

ତାଙ୍କ କଥା ଶୁଣି ହସିଲି । ବାସ୍ତବିକ ଆମ ସମାଜର ସମାଲୋଚକ ହୁଅନ୍ତୁ ବା ଲବ୍‍ଧ ପ୍ରତିଷ୍ଠିତ ଲେଖକ ହୁଅନ୍ତୁ, ସେମାନେ କ୍ୱଚିତ ଓଡ଼ିଆ ସାହିତ୍ୟର ଅଭିବୃଦ୍ଧି ସହିତ ଖୁବ୍ କମ ସମ୍ପର୍କ ରଖିଛନ୍ତି ।

 

ଏମାନେ ପଢ଼ିଲେ ପଢ଼ୁଥିବେ ହ୍ୟୁଲର କମ୍ପାନୀର ଉପନ୍ୟାସ, ବଙ୍ଗଳା ମାସିକ ପତ୍ରିକା ବା ହିନ୍ଦୀ ସାହିତ୍ୟର କ୍ରମବିକାଶର ଇତିହାସ । ସମୟ କାହିଁ ନବୀନ ଲେଖକଙ୍କର ପ୍ରତିଭା ସହିତ ସେମାନେ ପରିଚୟ ହେବେ ।

 

ଫକୀରମୋହନଙ୍କ ଠାରେ ଓଡ଼ିଆ ସାହିତ୍ୟ ଗତି ବନ୍ଦ ହୋଇଯାଇନି ବା ଗଡ଼ନାୟକ ବା ମାନସିଂହଙ୍କ କବିତା ଓଡ଼ିଆ ଭାଷାର ଶେଷ କବିତା ନୁହେଁ । କାଲନ୍ଦୀବାବୁଙ୍କ ‘ମାଟିର ମଣିଷ’, କାହ୍ନୁବାବୁଙ୍କ ‘କା’ ଆମ ଭାଷାର ଶ୍ରେଷ୍ଠ ଉପନ୍ୟାସ ହୋଇଥାଇ ପାରେ, ହେଲେ ଏହାର ଶ୍ରେଷ୍ଠତ୍ୱ ଚିରନ୍ତନ ନୁହେଁ । ଅନେକ ନୂଆ କବିତା, ଉପନ୍ୟାସ, କ୍ଷୁଦ୍ରଗଳ୍ପ ସୃଷ୍ଟି ହେଉଛି, ହେବ–ଦୁନିଆର ନୂଆ ତରଙ୍ଗ ନେଇ ନୂଆ ସମସ୍ୟା ନେଇ ।

 

ହଁ ମୋର କହିବାର ଗତିରେ ବ୍ୟତିକ୍ରମ ଘଟିଛି । ନାଟକ କଥା କହିଛି । ଓଡ଼ିଆ ଭାଷାରେ ଗତ ଦଶ ବରଷ ହେଲା ଯେଉଁସବୁ ନାଟକ ରଙ୍ଗମଞ୍ଚ କରାଯାଉଛି, ସେଗୁଡ଼ିକ କେଉଁଆଡ଼େ ଅତି ଗତାନୁଗତିକ । ସ୍ୱର୍ଗୀୟ ଅଶ୍ୱିନୀବାବୁ, କବିଚନ୍ଦ୍ରଙ୍କ ପରେ ଯେଉଁ ନବୀନ ଲେଖକମାନେ ଆସିଛନ୍ତି, ବେଶି କିଛି ଆଗେଇ ନାହାନ୍ତି ବୋଲି ଅନେକ ସାହିତ୍ୟିକ ବିଭିନ୍ନ କ୍ଷେତ୍ରରେ କହିଛନ୍ତି ବୋଲି ଏଣୁତେଣୁ କେତେ କଥା ଶୁଣିଚି ।

 

ହୁଏତ ସେମାନେ କୁହନ୍ତୁ ‘‘ମଣିଷ” ବ୍ୟତିକ୍ରମ କି ନା ।

 

ଜନତା ରଙ୍ଗମଞ୍ଚ ପାଇଁ ମଣିଷ ଲେଖିଲି ନିରଞ୍ଜନକୁ ପାଥେୟ କରି । ଭାଗ୍ୟ ବିପର୍ଯ୍ୟୟ-। ପୁରା ସମୟ ଦେଇ ପରିବେଷଣର ଭାର ସେ ନେଇ ପାରିଲେ ନାହିଁ । ଶିଳ୍ପୀ ଉପବାସ ରହି କଳାସାଧନା ସବୁବେଳେ କରିବା ସମ୍ଭବ ନୁହେଁ । ଲକ୍ଷ୍ମୀଙ୍କ ଶତ୍ରୁତା ଶିଳ୍ପୀକୁ ବହୁ କ୍ଷେତ୍ରରେ ଧର୍ମ୍ମଛଡ଼ା କରିବା ଦୃଷ୍ଟାନ୍ତ ଆମଦେଶରେ ବିରଳ ନୁହେଁ । ତେଣୁ ଜନତା ରଙ୍ଗମଞ୍ଚର ଅନ୍ୟତମ ଶିଳ୍ପୀ ଓ ସଂଗଠନର ସମ୍ପାଦକ ଶ୍ରୀ ନଟବର ସେନ ନିଜର ଅକ୍ଲାନ୍ତ ପରିଶ୍ରମରେ ନାଟକଟି ମଞ୍ଚସ୍ଥ କରିବାପାଇଁ ସାହାଯ୍ୟ କଲେ । ଠିକ୍ ଏ ବହିଟି ଆରମ୍ଭ ହେବାବେଳକୁ ଆର୍ଥିକ ଦୂରାବସ୍ଥା ପାଇଁ କୃଷ୍ଣମଣି, ବାସନ୍ତୀ, ବ୍ୟଙ୍ଗ, ଚକ୍ରଧର ପ୍ରଭୁତି ଅନେକ କଳାକାର ମୋତେ ହତାଶକରି ଚାଲିଗଲେ-। ତେଣୁ 'ମଣିଷ' ମଞ୍ଚସ୍ଥ ହେଲା ନୂଆଁ ନୂଆଁ ଶିଳ୍ପୀଙ୍କ ସାହଚର୍ଯ୍ୟରେ । ପ୍ରଧାନ ନାୟିକା ଭୂମିକାରେ ପ୍ରଥମଥରପାଇଁ ସର ଅଭିନୟ କରି ମୋତେ ଆତ୍ମ ବିସ୍ମୃତ କରିଛି । ଲୋକପ୍ରିୟ କମେଡିଆନ ଶରତଙ୍କ ନିପୁଣ ଅଭିନୟ, ଖତୁ ପ୍ରଫୁଲ, ନଟବର, କୃଷ୍ଣାଙ୍କ ଅଭିନୟ ନାଟକଟିକୁ ସଫଳ କରିବା ଦିଗରେ ମୋର ଯଥେଷ୍ଟ ପାଥେୟ ।

 

ନବାଗତ କଳାକାର ବଳରାମ, ସୁବୋଧ, ଘନଶ୍ୟାମ, ମୀରାଙ୍କ ସର୍ବୋପରି ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ଅଚାରୀଙ୍କର ରଂଗମଚ ପରିଚାଳନା, ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଦାସଙ୍କ ସଙ୍ଗୀତ ରଚନା ଶ୍ରୀ ବଟକୃଷ୍ଣ ସେନ ନୃତ୍ୟ ପରିଚାଳନା ଶ୍ରୀ ଖତୁ ସିଂହଙ୍କ ସଙ୍ଗୀତ ପରିଚାଳନା ନାଟକଟିକୁ ଉପଭୋଗ୍ୟ କରିଛି ।

 

ମୋର କଳାକାର ଭାଇଭଉଣୀମାନଙ୍କୁ ଅଭିନନ୍ଦନ ।

 

ପ୍ରାଚୀନ ମାନଙ୍କର ଭ୍ରୁକୁଞ୍ଚନ ଅସହିଷ୍ଣୁତା ସତ୍ୱେ ଆମକୁ ଆଗେଇଯିବାକୁ ହେବ । ଆମେ କାମ କରୁଛେ । ଆମ ପୂର୍ବ ପୁରୁଷଙ୍କ ହାତରେ ବିଚାର ଛାଡ଼ି ନଦେଇ ଭବିଷ୍ୟତ ବଂଶଧରଙ୍କର ବିଚାର ଉପରେ ଛାଡ଼ିଦେବା ଉଚିତ ।

 

ନିରଞ୍ଜନଙ୍କ ଅନୁରୋଧରେ ମଣିଷ ଲେଖା ହୋଇଛି । ନିର୍ଦ୍ଦେଶନା ଭାର ତାଙ୍କୁ ଦେଇ ନିଶ୍ଚିନ୍ତ ଥିଲି । ସେ କୁହନ୍ତୁ ମଣିଷ ମଣିଷ ରୂପ ନେଇଛି ତ ?

 

ଲେଖକ

✽✽✽

 

ମଣିଷ

 

ଲେଖକ—

ଶ୍ରୀ କମଳଲୋଚନ ମହାନ୍ତି

ନିର୍ଦ୍ଦେଶକ—

ଶ୍ରୀ ନିରଞ୍ଜନ ଶତପଥି

ସହକାରୀ ନିର୍ଦ୍ଦେଶକ,

ଶ୍ରୀ ସତ୍ୟନାରାୟଣ ସିଂ

ଉପଦେଷ୍ଟା—

ଶ୍ରୀ ନଟବର ସେଣ

ଗୀତ ରଚନା ଓ ସ୍ୱର—

କିଶୋର କବି ଶ୍ୟାମସୁନ୍ଦର ଦାସ

ସଙ୍ଗୀତ ପରିଚାଳନା—

ସତ୍ୟନାରାୟଣ ସିଂ (ଖତୁନା)

ନୃତ୍ୟ ପରିଚାଳନା—

ବଟକୃଷ୍ଣ ସେଣ

ମଞ୍ଚ ପରିଚାଳନା—

ମଞ୍ଚ ଶ୍ରୀ ଲକ୍ଷ୍ମୀନାରାୟଣ ଆଚାରୀ

ମଞ୍ଚ ପରିଚାଳନା—

ବୃନ୍ଦାବନ ବେହେରା

ରୂପ ସଜ୍ଜା—

ଅନିରୁଦ୍ଧ ରାଉତରା

ଆଲୋକ ପରିଚାଳନା—

ଶ୍ରୀ ବ୍ରଜକିଶୋର ଦାସ

ଆବହ ସଙ୍ଗୀତ—

ଶ୍ରୀ ସୁକୁମାର ସେଣ, କାଶୀନାଥ ମଜୁମଦାର,

ଶ୍ରୀ ବଳରାମ ତ୍ରିପାଠୀ—

ଘନଶ୍ୟାମ ପାଢ଼ୀ ।

 

 

ରୂପାୟନେ—

 

 

 

ମି. ରାୟ—

ଶ୍ରୀ ନଟବର ସେଣ

ମି. ଦାସ—

ଖତୁନା

ଦକ୍ଷିଣ କବାଟ—

ଶ୍ରୀ ଶରତକୁମାର ମହାନ୍ତି

ରମେଶ—

ଶ୍ରୀ ପ୍ରଫୁଲକୁମାର ମିଶ୍ର

ଧନଞ୍ଜୟ—

ଶ୍ରୀ ରବିନାରାୟଣ ସ୍ୱାଇଁ

ରସାନନ୍ଦ–

ଶ୍ରୀ ଘନଶ୍ୟାମ ପାଢ଼ୀ

ବିଶ୍ଵନାଥ—

ଶ୍ରୀ ସୁବଳଚନ୍ଦ୍ର ହାତୀ

ଗ୍ରାମବାସୀ—

ବୃନ୍ଦାବନ, ମଙ୍ଗୁଳି, ଭାସ୍କର

ତୃପ୍ତି—

ଶ୍ରୀ ମତୀ ସରସ୍ୱତୀ

ଚିନ୍ମୟୀ—

ନବକୁମାରୀ (ମୀରା)

ରଞ୍ଜନା—

ସୁଦଶା

ନନ୍ଦିତା—

କୃଷ୍ଣାକୁମାରୀ

ନୃତ୍ୟ—

ସର, ଚନ୍ଦ୍ରା

✽✽✽

 

Unknown

ପ୍ରଥମ ଅଙ୍କ

ପ୍ରଥମ ଦୃଶ୍ୟ

 

ସିନ୍ ଉଠିଲାବେଳକୁ ଜାତୀୟ ସଙ୍ଗୀତ ସାଙ୍ଗୀତିକ ଯନ୍ତ୍ର ମାଧ୍ୟମରେ ଖୁବ୍ ଜୋରରେ ବାଜିଉଥିଲା । ଗୋଟାଏ ପାଖରେ ପୁରୁଣାକାଳିଆ ଦୋତାଲା କୋଠାକୁ ସିଡ଼ି ଉଠିଯାଇଚି । ଘରଟି ସାମନ୍ତବାଦର ପ୍ରତୀକ । ଏକ ପାର୍ଶ୍ୱରେ ଥିବା ଉଦ୍ୟାନର ପୂର୍ବଶ୍ରୀ ନାହିଁ ଏବଂ ଉଦ୍ୟାନଟିର ହତଶ୍ରୀ ବକ୍ଷ ଉପରେ ଯୁଗମାନବ ମହାତ୍ମାଙ୍କ ପ୍ରତିମୂର୍ତ୍ତି । ଘନ ଅନ୍ଧକାର, ଖୁବ୍ ଦୂରରୁ ଶୁଣାଯାଉଥିଲା ଯନ୍ତ୍ରସଂଗୀତରେ ଜାତୀୟ ସଙ୍ଗୀତ । ଧୀରେ ଫସର ଫାଟିଆସିଲା, ଦିଗ୍‍ବଳୟରେ ଧୀରେ ବାଳରବିର ରକ୍ତିମ ଆଭା ଉକୁଟି ଉଠିଲା । ବିଭିନ୍ନ ପକ୍ଷୀଙ୍କ କାକଳି ଆଉ କୁକ୍କୁଟାଦିଙ୍କ ଶୁଭ ସଙ୍କେତ ଭିତରେ ସୂର୍ଯ୍ୟ ଦେବତା ଧୀରେ ଧୀରେ ଉଠିଆସିଲେ । କ୍ରମେ ପାଦପ, ଲତାଦି ଫାଙ୍କରେ ବାଳରଶ୍ମି ଫିଟିପଡ଼ିଲା । ଦେଖାଗଲା ମି. ରାୟ ଭଙ୍ଗା ମଣ୍ଡପସ୍ଥ ଗାନ୍ଧି ମୂର୍ତ୍ତିଙ୍କ ସାମନାରେ ଦଣ୍ଡାୟମାନ ଚିନ୍ତାମଗ୍ନ ଭାବେ । ଯତ୍ନସଙ୍ଗୀତର ଝଙ୍କାର ଧୀରେ ଦିଗ୍‍ବଳୟରେ ମିଶିଯାଇଚି । ମି. ରାୟ ନିଜେ ଭାବଗଦ୍‍ଗଦ ପ୍ରାଣରେ ଗାଇଛନ୍ତି—” ରଘୁପତି ରାଘବ ରାଜାରାମ’’...ଗୀତ ଶେଷରେ ଦୀର୍ଘ ନିଶ୍ଵାସ ନେଇ କହିଛନ୍ତି–]

 

ମି. ରାୟ—ବିଶ୍ଵ ମଣିଷର କଲ୍ୟାଣ ପାଇଁ, ନିଜର ଅସରନ୍ତି ରକ୍ତ ଆତତାୟୀର ଗୁଳି ମାଡ଼ରେ ଢାଳିଦେଇ, ହସି ହସି ହା ରାମ, ହା ରାମ କହି ଢଳିପଡ଼ିଲେ । ହେ ବାପୁଜୀ ! ଅମର ଆତ୍ମା ତୁମର, ମଣିଷକଳ୍ପିତ ସରଗରେ ରହି କଣ ଦେଖୁଚି ?

 

(ବଗିଚାରେ ପଡ଼ିଥିବା ମେହଗାନି ଚୌକିରେ ରଙ୍ଗ ନାହିଁ । ଟୁଲ୍ ଉପରେ ଥୁଆ ହେଇଚି ଅଗଷ୍ଟ ପନ୍ଦର ସଂଖ୍ୟା ମୋଟା ମୋଟା ଦୈନିକ କାଗଜ । ଗୋଟା, ଦିଟା ଓଲଟାଇ ଥୋଇଦେଲେ । ଆଉ ଗୋଟିଏ ଉଠେଇ କ’ଣ ଦେଖି ଧୀରେ ଧୀରେ ହସୁଥିଲେ । ଏତିକିବେଳେ ମି. ରାୟଙ୍କ ଭଉଣୀ ଉଚ୍ଚଶିକ୍ଷିତ ସୁଶ୍ରୀ ଚିନ୍ନୟୀ ଦାସ କାରକୁ ଫାଟକ ପାଖରେ ରଖି ପଶିଆସିଲେ ।)

 

ଚିନ୍ମୟୀ—ଭାଇ ! ଏ ତମର ଭାରି ଅନ୍ୟାୟ । ଅଗଷ୍ଟ ପନ୍ଦର ଭଳି ଏତେ ବଡ଼ ଶୁଭଦିନରେ ପ୍ରଭାତଫେରିରେ ବି ଯୋଗ ଦେବାକୁ ଯାଇନ ?

 

ମି. ରାୟ—ମୋର ତ ମଟର କାର ନାହିଁ ଚିନୁ !

 

ଚିନ୍ମୟୀ—ମୋତେ କହିଦେଇଥିଲେ ତ କାରଟା ପଠେଇ ଦେଇଥାନ୍ତି । ପାଗଟା ବଡ଼ ଚମତ୍କାର ହେଇଚି । ହଁ, ମୋର ସମୟ ନାହିଁ । ଆଜି ଆମର ଗୋଟାଏ Dinner Partyର ଆୟୋଜନ ହେଇଚି । ତୁମେ ସନ୍ଧ୍ୟାକୁ ନିଶ୍ଚୟ ଯିବ । ତାଙ୍କର ବାରଆଡ଼େ ବାର ଧନ୍ଦା, ପୁଣି ମିଲ୍ ରେ ଭୟଙ୍କର ଗଣ୍ଡଗୋଳ । ଏଣେ ସାହିତ୍ୟ ସମ୍ମିଳନୀ ଉଦଘାଟନ କରିବାକୁ ଆମକୁ ଚାରିଟାବେଳେ ଯିବାକୁ ପଡ଼ିବ । ମୁଁ ଆସୁଚି । ହଁ ସେ କହିଛନ୍ତି, ମିଲ୍‍ରୁ ଫେରିଲାବେଳେ ତାଙ୍କ କାରରେ ତୁମକୁ ନେଇଯିବେ । ମୋ ସାଙ୍ଗରେ ବର୍ତ୍ତମାନ ଚାଲିଗଲେ ଭଲ ହୁଅନ୍ତା । ହେଲେ ମୋର ଅନେକ ଲୋକଙ୍କୁ ନିମନ୍ତ୍ରଣ କରିବାର ଅଛି । ଆଚ୍ଛା, ତୁମେ ପ୍ରସ୍ତୁତ ହେଇଯାଅ । (ପ୍ରସ୍ଥାନ)

 

ମି. ରାୟ—ଗୋଟାଏ ନିଶ୍ୱାସରେ ଅନେକ କଥା କହିଗଲୁ ଚିନୁ ! ଏଇ ଘରେ, ଏଇ ବଗିଚାରେ ବୁଲ୍‍ବୁଲ୍‍ ପକ୍ଷୀର ସାଙ୍ଗରେ ଖେଳୁଥିଲୁ । ହେଲେ ଏଠି ଆମର ଗୋଲାପ ଫୁଟେନା, ବୁଲବୁଲ ଗୀତ ଗାଏନା । ଗୋଲାପ ଫୁଟେ ମିଲ୍ ମାଲିକ ଘରେ, ବୁଲବୁଲ ଗାଏ ତାଙ୍କ ଅଗଣାରେ । ୟେସ୍‍ ୟେସ୍‍ ଟାଇମ୍ ୟୁ ଓଲ୍ଡ଼ ଜିପ୍‍ସି ମେନ୍, ଲଣ୍ଡନ, ରୋମ ଭାଗ୍ୟଲକ୍ଷ୍ମୀକି ଅଟକେଇ ପାରିନି, ଆଉ ଜମିଦାର, ରାଜାମାନେ ପାରିବେ କିମିତି ? ଭାଗ୍ୟଲକ୍ଷ୍ମୀ ମିଲ୍ ମାଲିକଙ୍କୁ ପ୍ରସନ୍ନ । (ଉପର ମହଲାରୁ ଚାକର ପାଟିକରି ଡାକିଚି ‘ବାବୁ, ଚା ଥଣ୍ଡା ହେଇଯିବ’) ନା ନା, ଚା ଥଣ୍ଡା ହବାକୁ ଦେନା ମୁକୁନ୍ଦ ! ଶୀତଳ ରକ୍ତପ୍ରବାହୀ ଶିରାପ୍ରଶିରାଗୁଡ଼ାକୁ ସତେଜ ରଖିବା ପାଇଁ ଆଜି ଏ ଅଗଷ୍ଟ ପନ୍ଦର ସକାଳେ ପାଞ୍ଚ ସାତ କପ ଗରମ ଚା ଦରକାର । (କହୁ କହୁ ସିଡ଼ି ଉପରକୁ ଉଠିଗଲେ । ପରେ ପରେ ଛାତ୍ର ଫେଡେରେସନ୍ କର୍ମୀ ଧନଞ୍ଜୟ ପ୍ରବେଶ କରିଛନ୍ତି—ଦ୍ରୁତ ଭାବରେ ପୁଣି ଫେରିଯାଇ)

 

ଧନଞ୍ଜୟ—ଏ କ’ଣ ସବୁ ଶୂନ୍‍ଶାନ୍‍ । ସାର୍ ଅଛନ୍ତି ସାର୍ !

 

ମି. ରାୟ—ଅଗଷ୍ଟ ପନ୍ଦର ଭଳି ଶୁଭ ଦିନରେ ସକାଳୁ ସକାଳୁ କିଏ ତମେ ବନ୍ଧୁ ମୋ ଶୂନ୍‍ଶାନ୍‍ ଘରେ ! ସହରଟାଯାକ ବିଜି ପ୍ରୋଗ୍ରାମ । ବଜାରରେ କୁକୁଡ଼ା ଦର ବଢ଼ିଯିବ । ଆଉ ଦେଶୀ ବିଦେଶୀ ଭିତରେ ତମେ କିଏ ସ୍ୱଦେଶୀ ବନ୍ଧୁ ମୋ ଭଳି ପରଦେଶୀକୁ ଅଭିନନ୍ଦନ ଜଣଉଚ ?

 

ଧନଞ୍ଜୟ—ମୁଁ ଜଣେ କମ୍ରେଡ଼ ସାର୍ !

 

ମି. ରାୟ—ଏତେ ସକାଳୁ ରେଡ଼୍‍ କରିବାକୁ ତମେ କମ୍ରେଡ଼ କାହିଁକି ? ତମ ନାଁ କଣ ?

 

ଧନଞ୍ଜୟ—ମୁଁ ଧନଞ୍ଜୟ ସାର୍ !

 

ମି. ରାୟ—ଧନକୁ ଜୟ କରି ଆସିଲ । ଆଉ ମୋ ପରି ଗୋଟାଏ ଚା କପ୍‍ଠୁ କଣ ଚାହଁ ?

 

ଧନଞ୍ଜୟ—ଆମ ଅନୁଷ୍ଠାନ ଏକମାତ୍ର ଏ ଦେଶର ଛାତ୍ର ଅନୁଷ୍ଠାନ । ପାଣ୍ଠି ସଂଗ୍ରହ ପାଇଁ ଏ ଅଗଷ୍ଟ ପୁଣ୍ୟ ଦିବସରେ ଆମେ ଅଭିଯାନ ଆରମ୍ଭ କରୁଚୁ ।

 

ମି. ରାୟ—[ଚମକି ପଡ଼ିବାର ଛଳନା କରି] ଅଭିଯାନ ! କାହିଁ କ'ଣ ଆଣିଚ ? —ଗୁଳି, ବନ୍ଧୁକ, ତୋପ, [ହସି] ଆଟମ୍‍ବମ୍ ନା ହାଇଡ଼୍ରୋଜେନ୍ ବମ୍ ଆଣିଚ ?

 

ଧନଞ୍ଜୟ—[ଶଙ୍କିତ ଭାବରେ ଖାତା ମୋଡ଼ୁ ମୋଡ଼ୁ] ସାର୍, ପ୍ରଥମ ଛାତ୍ର ଅନୁଷ୍ଠାନ ସାର୍ ! [ଛାତ୍ର କଂଗ୍ରେସ ପ୍ରତିନିଧି ବିଶ୍ଵନାଥ ଚାନ୍ଦା ଖାତା ହାତରେ ଧରି ପ୍ରବେଶ କରିଛନ୍ତି]

 

ବିଶ୍ଵନାଥ—ସାର୍ ଅଛନ୍ତି ସାର୍ !

 

ମି. ରାୟ—ତମେ କିଏ ମିଷ୍ଟର ସାର୍ !

 

ବିଶ୍ଵନାଥ—ମୁଁ ଛାତ୍ର ୟୁନିୟନ୍ ପ୍ରତିନିଧି ସାର୍ !

 

ମି ରାୟ—ତମ ଅନୁଷ୍ଠାନ ତାହାହେଲେ ଦ୍ଵିତୀୟ ?

 

ବିଶ୍ଵନାଥ—ଏ ବର୍ଷ ଆମ ସଭ୍ୟସଂଖ୍ୟା ଦଶ ହଜାର, ତାଙ୍କର ଆଠ ଶହ ଏଗାର ।

 

ଧନଞ୍ଜୟ—୮୧୧ ? ସଭ୍ୟଚାନ୍ଦା ଆଦାୟ ନ କରି ତମେ ସଭ୍ୟ ସଂଗ୍ରହ କରିଚ ।

ମି. ରାୟ—ତମେ ତାହାହେଲେ ନିରାଶ ହେଇ ଫେରିଯିବ ଧନଞ୍ଜୟ !

ଧନଞ୍ଜୟ—ସାର୍ !

ମି. ରାୟ—ମୁଁ ନିର୍ବୋଧ ନୁହେଁ । ଚାନ୍ଦା ନ ଦେଇ ସଭ୍ୟ ହବାର ସୁବିଧା ଥିଲାବେଳେ ଚାନ୍ଦା ଦେଇ–

ଧନଞ୍ଜୟ—ନେତା ଆଉ ପୁଞ୍ଜିପତିଙ୍କଠାରୁ ପଇସା ଆଣି ଅନ୍ୟ ନାମରେ ପ୍ରବେଶିକା ଫିସ୍ ଦେଖେଇ–

(ସାମ୍ୟବାଦୀ ଛାତ୍ର-ନେତା ରସାନନ୍ଦ ପ୍ରବେଶ)

ରସାନନ୍ଦ—ସାମ୍ୟବାଦୀ ଛାତ୍ରସମାଜ ଆଗ ଚାନ୍ଦା ଧଇଲେ ଯାଇ ରସିଦ୍‍ କାଟୁ ।

ମି . ରାୟ—ଏତିକି ନା ଆଉ ବାହାରେ କିଏ ଅଛି ?

ଧନଞ୍ଜୟ—ଅନେକ ଅନେକ ଅଛନ୍ତି ସାର୍ ! ବୃହତ୍ତର ଉତ୍କଳ ଛାତ୍ର-ସମାଜ, ଜନସଂଘ ଛାତ୍ରସମାଜ, ସମାଜବାଦୀ ଛାତ୍ରସମାଜ, ସାମ୍ୟବାଦୀ ଛାତ୍ରସମାଜ....

ମି. ରାୟ—ବନ୍ଦ କର, ବନ୍ଦ କର ଧନଞ୍ଜୟ !

ବିଶ୍ଵନାଥ—ରାଜନୀତିକି ବାଦ ଦେଇ ଛାତ୍ର କ’ଣ ବଞ୍ଚିପାରିବ ? ଛାତ୍ର ଦେଶର ଭବିଷ୍ୟତ । କାଲିକି ହୁଏତ ଶାସନ ଏଇ ଛାତ୍ରମାନଙ୍କୁ ପରିଚାଳନା କରିବାକୁ ହେବ । ତେଣୁ ଏ ବିଭିନ୍ନ ଅନୁଷ୍ଠାନ ଭବିଷ୍ୟତ ନେତାମାନଙ୍କର ଟ୍ରେନିଂ କ୍ଷେତ୍ର ।

 

ମି. ରାୟ—ତମେ ସବୁ ନେତା ହେବା ପୂର୍ବରୁ ସମ୍ପାଦକ, ପ୍ରେସିଡେଣ୍ଟ ବା କୋଷାଧ୍ୟକ୍ଷ ଟ୍ରେନିଂ ପାଉଚ ନା ?

 

ରସାନନ୍ଦ—ଗୋଟିଏ ଅନୁଷ୍ଠାନ ହେଲେ ଗୋଟିଏ ସମ୍ପାଦକ ବା ଗୋଟିଏ ପ୍ରେସିଡ଼େଣ୍ଟ ହେବେ । ତେଣୁ ଟ୍ରେନିଂ ନେଇ ଅଭିଜ୍ଞତା ହାସଲ ପାଇଁ ସୁବିଧାଜନକ ନୁହେଁ । ସମ୍ପାଦକ, ପ୍ରେସିଡେଣ୍ଟ ସଂଖ୍ୟା ବଢ଼ିଯିବ ଅନୁଷ୍ଠାନର ସଂଖ୍ୟା ବଢ଼ିଲେ ।

 

ମି. ରାୟ—ସାବାସ୍‍ ବନ୍ଧୁ ସାବାସ୍‍ ! ଆଚ୍ଛା ନେତା ହବା ପାଇଁ ପାଠ ଦରକାର କି ?

 

ବିଶ୍ୱନାଥ—ଆମେ କ'ଣ ପାଠ ପଢ଼ିନୁ ସାର୍ ?

 

ମି. ରାୟ—ଏକା ପାଠ କାହିଁକି ? ପାଠ ଓ ବ୍ୟବସାୟ ଏକା ସାଙ୍ଗରେ ଚାଲିଚି ।

 

ସମସ୍ତେ—ସାର୍ !

 

ବିଶ୍ୱନାଥ—ଛାତ୍ର ଅନୁଷ୍ଠାନ ପବିତ୍ର ଅନୁଷ୍ଠାନ ।

 

ମି. ରାୟ—ସେ ପବିତ୍ର ଅନୁଷ୍ଠାନ ଆଜି ଆଉ ନାହିଁ । କ୍ଷମତାଲୋଭୀ ସର୍ବଗ୍ରାସୀ ବିଭିନ୍ନ ଦଳର ନେତାମାନଙ୍କର ନିର୍ବାଚନର ଶିକାର ହେଇଉଠିଚି ଛାତ୍ର ସମାଜ ବନ୍ୟାପାଣ୍ଠିକି ଚାନ୍ଦା ଆଦାୟ ନାଁରେ...ଛି ଛି, କଲେଜ ୟୁନିୟନ ପାଇଁ ରାଜନୀତି ଭିତରେ ହାଣ୍ଡବିଲ୍‍ ବଣ୍ଟାଯାଉଚି, ଅଶ୍ଳୀଳ ଶ୍ଳୀଳ ପୋଷ୍ଟର ମରାଯାଉଛି, କାନଭାସର ମୁତୟନ କରାଯାଉଚି ।

 

ଧନଞ୍ଜୟ—ଆପଣ ଚାନ୍ଦା ଦେଇପାରନ୍ତି, ହେଲେ ଆମକୁ ସବୁ ଆପଣ ଏମିତି ଅପମାନ ଦେଇପାରିବେ ନାହିଁ । ନା କଣ କହୁଚ ?

 

ବିଶ୍ୱନାଥ—ଆମେ ସମସ୍ତେ ଏହାର ତୀବ୍ର ପ୍ରତିବାଦ କରିବୁ ।

 

ରସାନନ୍ଦ—ଛାତ୍ରସମାଜ ପ୍ରତି ୟେ ଘୋର ଅପମାନ ।

 

ମି. ରାୟ—ସେଥିପାଇଁ ମୁଁ ବେଶି ଲଜ୍ଜିତ My Boys ! ଏଇ ଛାତ୍ର ଭିତରେ ନିହିତ ଅଛି ମୋ ଦେଶର ଭବିଷ୍ୟତ । ସେମାନଙ୍କ ଭିତରେ ଅଛନ୍ତି ମୋ ଦେଶର ଅସଂଖ୍ୟ ଗୋପବନ୍ଧୁ, ମଧୁସୂଦନ, ଗାନ୍ଧୀ, ମହମ୍ମଦ, ଯିଶୁ, ବୁଦ୍ଧ । ହେଲେ ଚଳନ୍ତି ରାଜନୀତିକ ନେତାମାନଙ୍କର କ୍ଷମତା-ପିପାସା ତୁମ୍ଭମାନଙ୍କୁ କବର କରିଦେଇଚି । ପାଠପଢ଼ୁଆଁ ପିଲା ତମେ । କାହିଁ ତମର ସେ ଅଧ୍ୟୟନ, ଅଧ୍ୟାପନା; କାହିଁ ତମର ସେ ଲୋକସେବା ? ନାହିଁ ଉଦାରତା, ନାହିଁ ନମ୍ରତା, ନାହିଁ ଶିଷ୍ଟାଚାର; ଖାଲି ନାହିଁ ନାହିଁ ଭିତରେ ତମର ଗଢ଼ିଉଠିଛି ନେତା ହବା ପାଇଁ ପ୍ରଖର ବାସନା; ଭେଦଭାବ, ଘୃଣା, ଗର୍ବ, ଅହଂକାର । ନେହେରୁ କହ, ଗାନ୍ଧି କହ, କେହି କ’ଣ ଜ୍ଞାନ ଅର୍ଜ୍ଜନ ନ କରି, ଜନସେବା ନ କରି ନେତା ହେଇଚନ୍ତି ?

 

ଧନଞ୍ଜୟ—ଭୂତପୂର୍ବ ଜମିଦାର ମି. ରାୟଙ୍କର ଆଉ କିଛି କରିବାର ଅଛି ?

 

ମି. ରାୟ—ନା ।

 

ବିଶ୍ୱନାଥ—ଆମ ଅନୁଷ୍ଠାନକୁ ଭୂତପୂର୍ବ ଜମିଦାରଙ୍କଠାରୁ କିଛି ମିଳିବ ?

ମି. ରାୟ—ଭୂତପର ମିଲ୍ ମାଲିକ, ମନ୍ତୀଙ୍କଠାରୁ ଯାହା ମିଳିନି ତା ଠାରୁ ବେଶୀ ଆଶା କରିପାରିବ କମ୍ରେଡ଼ ! ହେଲେ ଛାତ୍ର ସମାଜ ନୂଆ ଆଦର୍ଶ, ନୂଆ ଉତ୍ସାହ ନେଇ ଏକତ୍ରିତ ଭାବରେ ଗୋଟାଏ କାର୍ଯ୍ୟନିର୍ଘଣ୍ଟ ସ୍ଥିର କରୁ । ନିର୍ବାଚନ ଜିତିବା ପାଇଁ ଲୋକଙ୍କୁ ଭୁଲାଇ ବିଭିନ୍ନ ଦଳର ସ୍ଵାର୍ଥ ପୂରଣ କରିବା ପାଇଁ ଛାତ୍ର ଯନ୍ତ୍ର ରୂପେ ବ୍ୟବହୃତ ହେଇ ନ ପାରେ । ସଭ୍ୟଚାନ୍ଦା ଆଦାୟ କରିବା, ବକୃତା ଦେବା ପାଇଁ ଏ ଦେଶରେ ଲୋକଙ୍କର ଅଭାବ ନାହିଁ । ସର୍ବ ବାଦବିବାଦ ଦୁନିଆରେ ମଣିଷବାଦ ନୂଆ ଗଢ଼ିବ ଏ ଛାତ୍ର । ଦୁନିଆର ନିରାଶ କିଳାପୋତେଇ ଘନ ଅନ୍ଧକାର ଭିତରେ ତମେମାନେ ହିଁ ଏକମାତ୍ର ଅଶାର ପ୍ରଦୀପ । ତମେ ସବୁ କୁହ ।

ଧନଞ୍ଜୟ—କହିବୁ କଣ ? ପହିଲୁ ସକାଳୁ ଆସିଥିଲୁ, ଆପଣ ମନା କଲେ, ଅପମାନ ଦେଲେ । ହଉ ତମେମାନେ ସବୁ ଶୁଣିଲ । ଚାନ୍ଦା ସଂଗ୍ରହ ଆଜି ବନ୍ଦ କର । ସମସ୍ତେ ଏକଜୁଟ୍ ହୁଅ । ଆଜି ଏହାର ଗୋଟାଏ ପ୍ରତିବାଦ ସଭା ଟାଉନ୍ ହଲରେ କରିବାକୁ ହବ ।

ବିଶ୍ଵନାଥ—ହଁ ହଁ, ପ୍ରତିବାଦ ନିଶ୍ଚୟ କରିବୁ । ହରତାଳ କରି ଏଇଠି ଅନଶନ କରିବୁ । ଆପଣଙ୍କୁ ଛାତ୍ରସମାଜ ପାଖରେ କ୍ଷମାଭିକ୍ଷା କରିବାକୁ ହବ ।

ମି. ରାୟ—ଥରେ କାହିଁକି, ଶହେଥର ମୁଁ କ୍ଷମାଭିକ୍ଷା କରିବି । ହେଲେ ତମେ ସମସ୍ତେ ଏକଜୁଟ୍ ହୁଅ ।

ଧନଞ୍ଜୟ—ମୁହଁରେ ଏଠି ଯୋତା ମାରି କ୍ଷମାଭିକ୍ଷା କଲେ ଚଳିବନି ମି. ରାୟ ! ଆପଣଙ୍କୁ ଆମେ ଟାଉନ୍ ହଲ୍‍କୁ ଟାଣିବୁ । ଏକ ସ୍ୱରରେ ସମସ୍ତେ କୁହ—ଛାତ୍ର ଏକଜୁଟ୍ ହୁଅ, ଅପମାନର ପ୍ରତିଶୋଧ ନିଅ, ଛାତ୍ର ଏକଜୁଟ୍ ହୁଅ ।

(ସ୍ଲୋଗାନ୍ ଦେଇ ଚାଲିଗଲେ)

ମି. ରାୟ—ଛାତ୍ର ଏକଜୁଟ୍ ହୁଅ । ହଁ ହଁ, ମୋ ଉପରେ ପ୍ରତିଶୋଧ ନବା ପାଇଁ ଛାତ୍ର ଏକଜୁଟ୍ ହୁଅ-

 

ଦ୍ଵିତୀୟ ଦୃଶ୍ୟ

 

[ମିଲ୍ ଭିତରେ ମ୍ୟାନେଜରଙ୍କ ଘର ସାମନା ବଗିଚା । ଗୋଟାଏ ପାଖକୁ ଦୁଇଟି ରାକିଂ ଚୌକି ପଡ଼ିଛି । ତା ସାମନାରେ ଟି ପୟ । ଚୌକି ପାଖରେ ଘାସ ଉପରେ ଟେଲିଫୋନ ଥୁଆ ହେଇଚି । ଭୂତପୂର୍ବ କମ୍ୟୁନିଷ୍ଟ ସଭ୍ୟ ରମେଶଚନ୍ଦ୍ର ଆଗେ ଆଗେ ଆସୁଛନ୍ତି, ପଛରେ ଆସୁଛନ୍ତି ମିସ୍ ତୃପ୍ତି ଦାସ ।]

 

ତୃପ୍ତି—ଏ ନୂଆ ପରିସ୍ଥିତି ଆପଣଙ୍କୁ ଭଲ ଲାଗୁ ନ ଥିବା ନିଶ୍ଚୟ ।

 

ରମେଶ—ମଣିଷ ପରିସ୍ଥିତିର ଦାସ ।

 

ତୃପ୍ତି—ତା ହେଲେ ଲାଲ ଝଣ୍ଡା, ଲାଲ ଅଭିବାଦନ, ଲାଲ ସଂକେତ ସବୁ କଣ ମନରୁ ପୋଛିଦେଲେଣି ?

 

ରମେଶ—ମିସ୍ ଦାସ !

 

ତୃପ୍ତି—ଆପଣଙ୍କ ପ୍ରତିଭା ଉପରେ ମୋର ଆସ୍ଥା ଅଛି । ନନ୍ଦିତା ମୋର ବଂଧୁ, ନନ୍ଦିତାର ଭାଇ ଆପଣ ।

 

ରମେଶ—ଧନପତିର ଭଉଣୀ ଆପଣ, ମୁଁ ଜଣେ ମିଲ୍ ର କର୍ମ୍ମଚାରୀ ମାତ୍ର ।

 

ତୃପ୍ତି—ସେଇ ଯଥେଷ୍ଟ । ମିଲ୍‍ର କର୍ମ୍ମଚାରୀ ହିସାବରେ ମୋର ପରାମର୍ଶ, ଆପଣ ଏସବୁ ଧର୍ମଘଟ, ହରତାଳରୁ ଅଲଗା ହେଇଯାଆନ୍ତୁ । ଦେଖିବେ ଆପଣଙ୍କ ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ହେଇଯିବ । ମୋର ଅନୁରୋଧ, ନନ୍ଦିତା ମେଧାବୀ ଛାତ୍ରୀ ହିସାବରେ ପାଠ ପ୍ରତି ଆଗ୍ରହୀ ହେଉ । ଆଉ…..

 

ତୃପ୍ତି—ଶ୍ରେଣୀସଂଘର୍ଷରେ ବିପରୀତ ଫଳ ଫଳିବ ରମେଶ ବାବୁ ! କବିର ଭାବପ୍ରବଣତା ଶାସନର କଠୋର ନିୟମକୁ ଫାଙ୍କିଦେଇ ପାରିବନି । ପୁଞ୍ଜି ପତିର ଯନ୍ତାରେ ଥରେ ଧରାଦେଲେ ଆଉ ମୁକ୍ତି ନାହିଁ ରମେଶ ବାବୁ ! ହାଃ ହାଃ ହାଃ । (ରମେଶ ପ୍ରସ୍ଥାନ କରିଚି । ଏତିକିବେଳେ ପ୍ରବେଶ କରିଛନ୍ତି ମି. ଦାସ । ପଛରେ ଆସିଛି ଟ୍ରେଡ଼ ୟୁନିୟନ କଂଗ୍ରେସ ସଂପାଦିକା ନନ୍ଦିତା । ତାଙ୍କ ପଛରେ ଅଛନ୍ତି ରାଜନୈତିକ ଟାଉଟର ରାଧାକାନ୍ତ ଦକ୍ଷିଣ କବାଟ ।)

 

ମି. ଦାସ—ହଁ ହଁ, କହିବାର ସ୍ୱାଧୀନତା ଭାରତ ସଂବିଧାନ ଅନୁସାରେ ସମସ୍ତଙ୍କର ଅଛି ନନ୍ଦିତା ଦେବୀ ! ମୋର କହିବାର କଥା, ନନ୍ଦିତା ଦେବୀ, ଆପଣଙ୍କ ଭାଇ ମିଲ୍ ରେ ଷ୍ଟ୍ରାଇକ୍ କରିବା ପାଇଁ ପରୋକ୍ଷ ଭାବରେ ସାହାଯ୍ୟ କରୁଛନ୍ତି ।

 

ନନ୍ଦିତା—କ୍ଷମା କରିବେ । ସେ ବ୍ୟକ୍ତିଗତ କଥା ଉଠେଇ ସମସ୍ୟାଟାକୁ ଉଡ଼େଇ ହବ ନାହିଁ । ସେ ମିଲ୍‍ର କର୍ମ୍ମଚାରୀ । ଆଉ ସେ ମଧ୍ୟ ମିଲ୍‍ର ଅଗଣିତ ସମସ୍ୟା ସହିତ ଜଡ଼ିତ ।

 

ମି. ଦାସ—ମୁଁ ତୁମକୁ ପ୍ରସ୍ତାବ ଦଉଚି, ଶ୍ରମିକ, ମିଲ୍ ମାଲିକ ଓ ସରକାରଙ୍କ ପ୍ରତିନିଧିଙ୍କୁ ନେଇ ତ୍ରିଦଳୀୟ କମିଟି ଗଠନ କରାଯାଉ । ଶ୍ରମିକ ଓ ମାଲମାଲିକମାନେ ମାନି ଚଳିବା ପାଇଁ ଯେଉଁ ଶାସନବିଧି ଓ ଆଚରଣବିଧି ପ୍ରଣୀତ ହେଇଚି, ତାକୁ ମାନି ଚଳିବା ଉଚିତ । ତ୍ରିଦଳୀୟ କମିଟିର ନିଷ୍ପତ୍ତିକୁ ଆମେ ମାନିଯିବା ଉଚିତ ।

 

ଦ. କବାଟ—ହଁ ହଁ ଆଜ୍ଞା ! ଧର୍ମଘଟ କରିବା ପୂର୍ବରୁ ମାଲିକ ପକ୍ଷକୁ ଯଥେଷ୍ଟ ଆଗରୁ ଜଣାଇ ଦିଆଯିବା ଉଚିତ । ସମାଧାନ ବାଟ ତ ଖୋଲା ଅଛି । ଖାଲି ଶସ୍ତା ନେତାଗିରି ପାଇଁ ଏ ଯେଉଁସବୁ ଧର୍ମ୍ମଘଟ ନା.....

 

ନନ୍ଦିତା—ଆପଣଙ୍କ ବ୍ୟବସାୟ ହେଲା ରାଜନୀତି ।

 

ଦ. କବାଟ—ଆଉ ଆପଣଙ୍କ ବ୍ୟବସାୟ କଣ ଶୁଣେ ?

 

ନନ୍ଦିତା—ଶିଷ୍ଟାଚାର ଭୁଲିଯାଉଚ ମି. ଦକ୍ଷିଣ କବାଟ !

 

ଦ. କବାଟ—ଅନ୍ନଦାତା ସାମନାରେ......

 

ମି. ଦାସ—ନା ନା ରାଧାକାନ୍ତ, କାହାକୁ ଉତ୍ତ୍ୟକ୍ତ କରିବା ମୋର ଉଦ୍ଦେଶ୍ୟ ନୁହେଁ । ମୁଁ ଅନେକ କଥା ଶୁଣିଚି ।

 

ଦ. କବାଟ—ହଁ ଆଜ୍ଞା, ଧୀର ପାଣି ପଥର କାଟେ । ଦେଖନ୍ତୁ କେଉଁ ପାଣି କେଉଁଆଡ଼େ ଯାଉଚି ।

 

ମି. ଦାସ—ଏସବୁ ବାଜେ କଥା ଏ ରାସ୍ତା ଉପରେ ଆଲୋଚନା କରି କିଛି ଲାଭ ନାହିଁ । ନନ୍ଦିତା ଦେବୀ ! ଆପଣଙ୍କ ଏଥର ନିର୍ବାଚନର—

 

ଦ. କବାଟ—ଟିକଟ୍ ପାଇଁ ଆବେଦନ କରିଥିଲେ, ହେଲେ ଟିକଟ୍ ମିଳିଲା ନାହିଁ ।

 

ମି. ଦାସ—ଆପଣ ଜାଣନ୍ତି ନନ୍ଦିତା ଦେବୀ, ଆପଣ ଯେତେ ମୋତେ ଉତ୍ତ୍ୟକ୍ତ କରିବାକୁ ଚାହିଁବେ, ମୁଁ ଉତ୍ତ୍ୟକ୍ତ ହେବି ନାହିଁ । ଡାକ୍ତରଖାନା ଗୋଟାଏ କାହିକିଁ, ଦରକାର ହେଲେ ଦୁଇଟା ଡାକ୍ତରଖାନା ଖୋଲାଯିବ । ହେଲେ ମିଲ୍ ରେ ଏ ରାଜନୀତିକୁ ପ୍ରଶ୍ରୟ ଦେଇପାରିବି ନାହିଁ । ଆଉ ଭାଇଙ୍କି ତମର ଅର୍ଡ଼ର ଦିଆଯାଇଛି—ତାଙ୍କର ଆଉ ମିଲ୍ ରେ କିଛି କହିବାର ନାହିଁ । ମୋ ଲାଇବ୍ରେରୀରେ ଯୋଗ ଦେଇ ମୋର ବ୍ୟକ୍ତିଗତ କାମ ସେ ଦେଖାଚାହାଁ କରିବେ । ମୋତେ ଭୁଲ୍‍ ବୁଝନି । ତମ ଭାଇ ଭଉଣୀଙ୍କୁ ମୁଁ ସାହାଯ୍ୟ କରିବାକୁ ଚାହେଁ ।

 

ଦ. କବାଟ—ଅପାତ୍ରରେ ଏ ଦାନ କାହିଁକି କରୁଛନ୍ତି ଆଜ୍ଞା ! ମୁଁ ସବୁ ଦଳରେ ଟିକଟ୍ ପାଇଁ ଦରଖାସ୍ତ କରିଥିଲି । ହେଲେ କେଉଁଠି ହେଲେ ଟିକଟ୍ ମିଳିଲା ନାହିଁ । ହେଲେ ଆପଣ ଦୟା କଲେ ମୁଁ ସ୍ୱାଧୀନ ଭାବରେ ଥରେ ଭାଗ୍ୟ ଲଢ଼େଇ କରି ଦେଖନ୍ତି ।

 

ମି. ଦାସ—ହଁ, ସେ କଥା ବିଚାର କରାଯିବ ।

 

ଦ. କବାଟ—ସବୁ ଦଳକୁ ଆପଣ ନିର୍ବାଚନ ପାଇଁ ଅର୍ଥ ସାହାଯ୍ୟ କରୁଛନ୍ତି ?

 

ମି. ଦାସ—ମୁଁ କେଉଁ ଦଳର ନୁହେ ମି, ଦକ୍ଷିଣ କବାଟ ! ସବୁ ରାଜନୈତିକ ଦଳର ନିର୍ବାଚନ ଇସ୍ତାହାର ମୋ ପାଖେ ସମାନ । ସମସ୍ତେ ଚାହାନ୍ତି ସମାଜବାଦ ପ୍ରତିଷ୍ଠା ।

 

ଦ. କବାଟ—ହଁ ଆଜ୍ଞା, ସର୍ବେ ହୋଇବେ ଏକାକାର, ନ ଥିବ ବେଦର ବିଚାର । ହେଇତ ଗଲାଣି ଆଜ୍ଞା, ରାଜା ରହିଲେ ନାହିଁ, ଜମିଦାର ରହିଲେ ନାହିଁ, ପନ୍ଦର ଏକର ଜମିରୁ ଅଧିକ ଜମି ଚାଷୀଙ୍କ ପାଖରେ ରହିବ ନାହିଁ ।

 

ନନ୍ଦିତା—ହେଲେ ମିଲ୍ ମାଲିକ ରହିବେ, ପୁଞ୍ଜିପତି ରହିବେ ।

 

ଦ . କବାଟ—ମିଲ୍ ମାଲିକ ନ ରହିଲେ ଚାନ୍ଦା ମିଳିବ କେଉଁଠୁ ? ନିର୍ବାଚନ ଚଳାଇବା ପାଇଁ ପୁଞ୍ଜି କେଉଁଠୁ ମିଳିବ ?

 

ନନ୍ଦିତା—ଦକ୍ଷିଣ କବାଟ !

 

ଦ. କବାଟ—ଦେଖନ୍ତୁ ନନ୍ଦିତା ଦେବୀ, ନିଲ୍ଲର୍ଜ ଭାବରେ ଚାନ୍ଦା ଖାତା ଧରି ପାର୍ଟି ପାଇଁ କିମିତି ଯେ, ତମେମାନେ ଆମ ପାଖରୁ ସବୁ ଭିକ ମାଗ ଗଣତନ୍ତ୍ର ନାଁରେ ! ହେ ଭଗବାନ !

 

ନନ୍ଦିତା—ଭଗବାନ, ଦେଖ, ଗଣତନ୍ତ୍ର ନାଁରେ ମଣିଷ ରକ୍ତ ପିଏ । ପୁଞ୍ଜିପତିଠାରୁ ଯାହା ଶୁଣାଯାଏ, ସେସବୁ ନ ଶୁଣାଇଲେ ଭଲ ହୁଅନ୍ତା ତୃପ୍ତି ! ଈଶ୍ୱର ଦ୍ଵାହି ଦେଇ ସେମାନେ ବହୁ ଯୁଗ ଠକିଗଲେ । ଏବେ ଗଣତନ୍ତ୍ର ଦ୍ଵାହି ଦେଇ ତମେମାନେ... (ପ୍ରସ୍ଥାନ କଲାବେଳେ)

 

ଦ. କବାଟ—ଶୁଣୁଛନ୍ତି ଆଜ୍ଞା ! ଏମାନଙ୍କୁ ଦେଶରୁ ଧକ୍‍କା ଦେଇ ନିକାଲିଦେବା ଉଚିତ । ହଇଓ, ତମର ତ ଏ ଦେଶର ସଂବିଧାନକୁ ବିଶ୍ଵାସ ନାହିଁ, ସଂବିଧାନକୁ ସମ୍ମାନ ନାହିଁ, ତେବେ ତମେ କାହିଁକି ଏ ଦେଶରେ ନାଗରିକ ହେଇ ରହିବ ନାହିଁ ଆଜ୍ଞା, ଆପଣ ଯେଉଁମାନଙ୍କୁ ଅର୍ଥ ସାହାଯ୍ୟ କରୁଛନ୍ତି ତାଙ୍କଠୁ ଲେଖିନିଅନ୍ତୁ ।

 

ମି. ଦାସ—ମାନେ ?

 

ଦ. କବାଟ—ସେମାନେ ଶପଥ ନିଅନ୍ତୁ—ଏଥର ନିର୍ବାଚନରେ ଜୟଯୁକ୍ତ ହେଲେ ସମ୍ମିଳିତ ଭାବରେ ସଂବିଧାନକୁ ସଂଶୋଧନ କରିବେ ।

 

ମି. ଦାସ—ଆରେ, ସନ୍ଧ୍ୟା ଛ' ଟାକୁ ସାହିତ୍ୟସଭାକୁ ଯିବାକୁ ହେବ । ରମେଶ କାହିଁ ଗଲେ ? ଦକ୍ଷିଣକବାଟ ! ତମେ ରମେଶକୁ ସାଙ୍ଗରେ ନେଇ ଆସ ।

 

ଦ. କବାଟ—ଆପଣ ନିଶ୍ଚିନ୍ତ ରହନ୍ତୁ ଆଜ୍ଞା ! ମୁଁ ଏ ନିର୍ବାଚନ-ମଣ୍ଡଳୀରୁ ଜୟଯୁକ୍ତ ହବା ପାଇଁ ସାହାଯ୍ୟ କରନ୍ତୁ । ଦେଖିବେ—

 

ମି. ଦାସ—ସେ କଥା ବିଚାର କରାଯିବ । ଭୋଜିରେ ଆଜି ତମେ ଯୋଗ ଦିଅ । ମୁଁ ଲେବର କମିଶନର ସାଙ୍ଗରେ କଥା ହେଉଛି ।

 

ଦ. କବାଟ—ଶ୍ରମିକ ମଙ୍ଗଳ ଅନୁଷ୍ଠାନ ତିଆରି ହେଇଯାଉ । ଦେଖିବେ–

 

ମି. ଦାସ—ଡେରିକଲେ ହେବ ନାହିଁ; ତମେ ଆଗେଇଯାଅ । ଦେଖ ତ ରମେଶ କେଉଁଠିକି ଗଲେ-?

 

ଦ. କବାଟ—ଦେଖୁଛି ଆଜ୍ଞା !

 

ରମେଶ—ଲେଖାଟା ନିଅନ୍ତୁ ଆଜ୍ଞା !

 

ମି. ଦାସ—ଧନ୍ୟବାଦ । ହଁ ରମେଶ, ମୋର ସାହିତ୍ୟକ କାମ ବହୁତ ବାକି ପଡ଼ିଯାଇଛି । ମୋର ସମୟର ବଡ଼ ଅଭାବ । ତେଣୁ ଆଉ ଶହେ ଟଙ୍କା ଅଧିକା ଦେବି । ତମେ କାଲିଠୁ ଲାଇବ୍ରେରୀରେ କାମ କରିବ । ମିଲ୍ କଲୋନି ଘର ଛାଡ଼ିଦେଇ କଟକରେ ଘର ଦେଖନ୍ତୁ । କାଲି ସକାଳ ୮ ଟାରୁ ଲାଇବ୍ରେରୀରେ ଯେପରି କାମ କର । (ଚାଲିଯାଉଥିଲେ) ତମେ ଆଜି ସନ୍ଧ୍ୟା ଉଦ୍ୟାନ ଭୋଜିକି ଆସୁଛ ପରା ! (ପ୍ରସ୍ଥାନ ପରେ)

 

ରମେଶ—ମିଷ୍ଟର ଦାସ ! (କହି କହି ଯିବାବେଳେ ପରଦା)

✽✽✽

 

ତୃତୀୟ ଦୃଶ୍ୟ

 

[ଛାତ୍ର ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକ ଉତ୍ସବ-ମଣ୍ଡପ । ମି. ଦାସ ସଭାପତି ଆସନ ଅଳଂକୃତ କରିଥିଲେ । ଦେଖାଗଲା ଚତୁର୍ଦ୍ଦଶ ବୟସ୍କା ବାଳିକା ବେଶରେ ନନ୍ଦିତା ସହିତ । ବସନ୍ତ ଆସିଚି, ବାଳିକାର ଓଷ୍ଟଯୁଗଳରେ ରକ୍ତିମାର ଆଭା ଭରିଦେଇଚି । ଦେହରେ ବସନ୍ତ ପରଶ ଛାଇଦେଇଛି ଉନ୍ମାଦନା । ରତି, କାମ ଆକର୍ଷଣ ହୋଇ ଭରି ଦେଇଛନ୍ତି ବାଳିକାର ଅବୟବରେ । ଯୌବନର ସ୍ତ୍ରୀ ବାଳିକା ଉଠି ଦେଖିଛି ପରିବର୍ତ୍ତନ । ଲଜ୍ଜିତ ହେଇଚି ନିଜେ ନିଜେ ନିଜର ଅଙ୍ଗବିଭବର ପ୍ରତିଛବି ଦର୍ପଣରେ ଦେଖି । ନିଖୁଣ ଚନ୍ଦ୍ରଲୋକ ଗବାକ୍ଷ ବାଟେ ପଡ଼ୁଚି ବାଳିକାର ମୁହଁରେ । ପଦାରେ ଝଡ଼ବର୍ଷା । କଦମ୍ବଗଛ ଆଢ଼ୁଆଳରେ ବାରମ୍ବାର ଶୁଣାଯାଉଚି ବଂଶୀନିଃସ୍ଵନ । ବଂଶୀଧାରୀ ରଙ୍ଗମଞ୍ଚରେ ପ୍ରବେଶ କରି ନନ୍ଦିତା ସଙ୍ଗରେ ନୃତ୍ୟ କରୁ କରୁ ରଙ୍ଗମଞ୍ଚ ଅନ୍ଧକାର ହେଲା ।]

 

ସମସ୍ତେ—ଚମତ୍କାର ।

 

ବସନ୍ତ ଡାକେ…….

ଫାଲ୍‍ଗୁନି ବନାନୀର ମରମେ ମର୍ମରି

ନବଯଉବନୀରେ... ନୀରଜନୟନୀରେ

ଜାଗ ନୀରଜନେ ସଖି ଚୁମିଲା ଚନ୍ଦ୍ର ଚିବୁକେ । ୦।

ଲାବଣ୍ୟ ଭରିଗଲାଣି ନହୁଲି ଶିରୀ ସୀମାରେ

ଗୋଲାପି ଝାଇଁମାରେ ନିଟୋଳ ସୁଷମାରେ

ତୁହାଇ ତନ୍ଦ୍ରା ଚମକେ ।।

ଛନଛନ ଅପଘନେ ଚପଳା ଲହରୀ ଯାଏ

ଝନନ ଝନନ ନୂପୁର ଶିହରି ଯାଏ

ଚଟୁଳଚରଣେ ପକ୍ଷୀରାଜ ପର ଝଲକେ ।।

ବିରହ ବଇଁଶୀର ଉତ୍ତଳା ସୁର ଥରି

ସରଜିଲା ମରମେ ଫଗୁଣ ଫୁଲଦୋଳି

ଚକିତେ ବନହରିଣୀ କାନନେ କାନ ପାରିଲା

ବଇଁଶୀ ବାଇଲାବାଲା ତା’ ଗୁମର ଠଉରିଲା

ଛପି ଛପି ଛଇଳ ଛଇରେ ଆଖି ଠାରିଲା ।।

 

ଆଖିରେ ଆଖିମିଶା ଭେଳିକି, ସଜାଇଦେଲା ନବ ବାଳୀକି

କବରୀ ଖଞ୍ଜା କଢ଼ ମଲ୍ଲୀକି, ଫିଙ୍ଗେ ନାଗର ପାଦତଳିକି

ଚତୁର ଆତୁରେ ତୋଳି ବୁକୁରେ ଭିଡ଼ି ଧଇଲା

ବଇଁଶୀ ବାଇଲାବାଲା...... ।।

 

[ଗୀତାନ୍ତେ ମଞ୍ଚ ଅନ୍ଧକାର ହୋଇଗଲା । ଘନଘନ କରତାଳି ପରେ ରଙ୍ଗମଞ୍ଚ ଆଲୋକିତ ହେଲା ।]

 

ମି. ଦାସ—ବାସ୍ତବିକ ଚମତ୍କାର ପରିକଳ୍ପନା । (ଠିଆହୋଇ) “ଯଉବନ ଡାକେ’’ ନୃତ୍ୟନାଟିକାଟି ଜୀବନ୍ତ ହୋଇଉଠିଚି । ଆହୁରି ସୁଖର କଥା, ଆଜିର ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ତୃପ୍ତି ଦେବୀ ଏ ନୃତ୍ୟନାଟିକାର ଶିଳ୍ପୀ ଓ ନିର୍ଦ୍ଧେଶିକା । ନୃତ୍ୟନାଟିକାଟି ପରିକଳ୍ପନା କରିଛନ୍ତି କବି ରମେଶଚନ୍ଦ୍ର ମହାନ୍ତି । ଏମାନଙ୍କୁ ମୁଁ ଅଭିନନ୍ଦନ ଜଣଉଚି । ମୋର କଳାପ୍ରିୟ ଭାଇ ଓ ଭଉଣୀମାନେ ! ମୋର ଗୋଟିଏ କଥା ଆପଣମାନଙ୍କୁ କହିବାର ଅଛି । ଉତ୍କଳ-! ଉତ୍କୃଷ୍ଟ ଅଟେ କଳା ସଂସ୍କୃତି ଯାହାର; ସେଇ ଦେଶର ଦାୟାଦ ହୋଇ ମାତୃଭୂମିର ଟେକ ରଖିବା ପାଇଁ, କଳା ସଂସ୍କୃତିର ବହୁମୁଖୀ ଉନ୍ନତି ପାଇଁ ଛାତ୍ରସମାଜର ଏ ଉଦ୍ୟମ, ଏ ପ୍ରଚେଷ୍ଟା ମୋର ବନ୍ଦନୀୟ । କଥାରେ ଅଛି—ମନ ଥିଲେ ଉପାୟ ବଳେ ଆସେ । ଟଙ୍କା ଅଭାବରୁ କୌଣସି କାମ ଅଟକି ଯାଏ ନାହିଁ । ସଙ୍ଗୀତ ଏକାଡ଼େମୀ ଆପଣଙ୍କର ଏ ଅନୁଷ୍ଠାନକୁ ସାହାଯ୍ୟ କରି ନ ଥିବା ବଡ଼ ଅନୁତାପର ବିଷୟ । ଏ ବିଷୟରେ ମୁଁ ଅବଶ୍ୟ ବିଭାଗୀୟ ମନ୍ତୀଙ୍କ ଦୃଷ୍ଟି ଆକର୍ଷଣ କରିବି-। ନୃତ୍ୟକଳାକୁ ବିଶେଷଭାବେ ଉତ୍ସାହିତ କରିବା ପାଇଁ ସଙ୍ଗୀତ ଏକାଡ଼େମୀର ସେକ୍ରେଟେରୀଙ୍କୁ ମୁଁ କହିଛି । କେବଳ ସହରରେ ନୁହେଁ, ଓଡ଼ିଶାର ପୁରପଲ୍ଲୀରେ, କାନନ କନ୍ଦରରେ ଚଇତି ନାଚର ସମ୍ମିଳିତ ସଙ୍ଗୀତ, ନୃତ୍ୟରତା ନରନାରୀଙ୍କର କ୍ଷିପ୍ର ପଦଚାଳନ ମୋ ଚିତ୍ତପଟଟାରେ ଆଙ୍କି ହୋଇ ରହିଚି । ପ୍ରାଚୀନ ନୃତ୍ୟକଳା ଯେ ଦିନେ ଉତ୍କର୍ଷତା ଲାଭ କରିଥିଲା, ଭୁବନେଶ୍ୱର, ପୁରୀ, ବିଶେଷତଃ କୋଣାର୍କ-ଗାତ୍ରରେ ଖୋଦିତ ହୋଇଥିବା ନୃତ୍ୟରତା ପାଷାଣମୂର୍ତ୍ତିଗୁଡ଼ିକ ତାର ଜୀବନ୍ତ ପ୍ରମାଣ । କିନ୍ତୁ ବିଦେଶୀ ଶାସନ ଅମଳରେ କଳାକାର, ଶିଳ୍ପୀ ସମ୍ମାନ ହରାଇବସିଲେ । ସରକାରୀ ଦପ୍ତରର କିରାନୀ, ଚପରାସୀଙ୍କ ସମ୍ମାନ କଳାକାରଙ୍କ ସମ୍ମାନଠାରୁ ବଳିପଡ଼ିଲା । ସେଥି ସଙ୍ଗେ ସଙ୍ଗେ ନୃତ୍ୟକଳାର ଅଧୋଗତି ଘଟିଲା । ଲୋକମୁଖରେ ଶୁଣାଗଲା-ନିର୍ଲଜ୍ଜ ଗାଏ, ସଲ୍ଲଜ ବାଏ, ଅତି ଅଲାଜୁକ ନାଚିଆ ଯାଏ । ଆଜି ସେଦିନର ଅବସାନ ଘଟିଚି । ଦେଶ ପକ୍ଷରେ ଏହା ଅତି ଶୁଭ ସୂଚନା । ଅନୁଷ୍ଠାନର ସ୍ଥାୟୀ ବସବାସ ପାଇଁ ନିକଟରେ ଗୋଟିଏ ଘର ତୋଳିଦେବି; ଆଉ ପାଞ୍ଚ ହଜାର ଏକ ଟଙ୍କା ଦେବା ପାଇଁ ମୁଁ ପ୍ରତିଶ୍ରୁତି ଦେଲି । ଜୟହିନ୍ଦ୍‍ ।

 

(ମୁହଁରୁ ପାଉଡ଼ର ପୋଛୁ ପୋଛୁ ତୃପ୍ତି ପଶିଆସିଲେ ହାତରେ ଭେନିଟ୍‍ ବ୍ୟାଗ ଧରି)

 

ରସାନନ୍ଦ—ସଭାପତି ! ଆଉ ମୋର ଭାଇ ଓ ଭଉଣୀମାନେ ଅଗଷ୍ଟ ପନ୍ଦର ଶୁଭ ଲଗନରେ ଛାତ୍ରସମାଜର ଏ କାର୍ଯ୍ୟକ୍ରମକୁ ଜୟଯୁକ୍ତ କରିବା ପାଇଁ ଉତ୍କଳର କୃତିସନ୍ତାନ, ଶିଳ୍ପପତି, ସୁସାହିତ୍ୟିକ, କଳାକାର ମିଃ. ଦାସଙ୍କୁ ଆମର ପ୍ରଧାନ ଅତିଥି ରୂପେ ପାଇ ଆମ ଛାତ୍ରସମାଜ ଗର୍ବ କରୁଛି । (ଘନ ଘନ କରତାଳି ହେଲା) ଦଳଗତ, ବ୍ୟକ୍ତିଗତ ନାନା ମତାନ୍ତର, ମନାନ୍ତର ସତ୍ୱେ ଛାତ୍ର ସାଂସ୍କୃତିକ ଅନୁଷ୍ଠାନ ଅଗଷ୍ଟ ପନ୍ଦର ଓ ସାଧାରଣ-ତନ୍ତ୍ର ଦିବସରେ ନାନା ବାଧାବିଘ୍ନ ମଧ୍ୟରେ ବିଭିନ୍ନ ଉପାୟରେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଆସିଛି । ଅସଲ ହେଲା, ଆଲୋ ମଉସା, ଜଡ଼ ପଇସା । ଆଗେ ରଜା, ଜମିଦାରମାନେ ଥିଲେ—ସେମାନେ କଳାର ପୃଷ୍ଠପୋଷକ ହେଉଥିଲେ । ଏବେ ଅବଶ୍ୟ ସରକାର ସଙ୍ଗୀତ ନାଟକ ଏକାଡେମୀ ଜରିଆରେ ସାଂସ୍କୃତିକ ବିକାଶ ପାଇଁ ସାହାଯ୍ୟ କରୁଛନ୍ତି । କିନ୍ତୁ ଏହା ସମୁଦ୍ରକୁ ଶଞ୍ଜପାଣି । ପୁଣି ନାଲି ଫିତା ଡୋରିରେ ଏ ବିଭାଗକୁ ଏମିତି ବନ୍ଧାଯାଇଛି ଯେ, ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ପଇସା ପାଇବା ଆଶାରେ ଅପେକ୍ଷା କରିକରି ଅଧାପ୍ରାଣ ହେଇଗଲେଣି । ଯେଉଁଠି ଅବସରପ୍ରାପ୍ତ ପୁଲିସ ସାହେବ, ଜଜ ସାହେବ ଇତ୍ୟାଦି ନାହାନ୍ତି, ସେ ସାଂସ୍କୃତିକ ଅନୁଷ୍ଠାନ ସାହାଯ୍ୟ ପାଇବା କଷ୍ଟକର । ହୁଏତ ମନ୍ତୀଙ୍କ ପୁଅ, ଏମ. ଏଲ. ଏଙ୍କ ନାତି ଥିଲେ, ଅବସ୍ଥାକୁଚକ୍ରରେ କଣ ଘଟନ୍ତା କହିହେବ ନାହିଁ । (ଛାତ୍ରମାନେ ଘନ ଘନ ତାଳି ଦେଲେ) ଆମର ଏ ଛାତ୍ର ସାଂସ୍କୃତିକ ଅନୁଷ୍ଠାନକୁ କ୍ରମାଗତ ପାଞ୍ଚବର୍ଷ ଚେଷ୍ଠା ସତ୍ୱେ କୌଣସି ଆର୍ଥିକ ସାହାଯ୍ୟ ମିଳିନି । ସର୍ବସାଧାରଣଙ୍କ ଚାନ୍ଦା ଉପରେ ଅନୁଷ୍ଠାନ ଚଳୁଛି । ଅନୁଷ୍ଠାନର ଘର ଖଣ୍ଡେ ନାହିଁ ଇତ୍ୟାଦି ଅନେକ ଅସୁବିଧା । ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ମୁଖ୍ୟ ଅତିଥିଙ୍କ ସଂଗେ କଲା ପରେ ମହାନୁଭବ ଉଦାରମନା କର୍ମବୀର ମୁଖ୍ୟ ଅତିଥି ଘର କରିଦେବାକୁ ପ୍ରତିଶ୍ରୁତି ଦେବା ସଂଗେସଂଗେ ନଗଦ ପାଞ୍ଚହଜାର ଏକ ଟଙ୍କା ଦେବାକୁ ବିନୀତ ପ୍ରଣତି ଜଣାଉଛୁ ।

 

ଜୟହିନ୍ଦ ।

(ଘନ ଘନ କରତାଳି)

 

ତୃପ୍ତି—ଭାଇ, ତେଣେ ଭାଉଜ ଛବିକି ନେଇ ଚିଲଡ୍ରେନ ସୋରେ ଅପେକ୍ଷା କରିଥିବେ । ଆପଣ ଗଲେ ପ୍ରାଇଜ ଦେବେ ।

 

ମି. ଦାସ—ଆପଣମାନେ ମୋତେ କ୍ଷମା କରିବେ । ଅଗଷ୍ଟ ପନ୍ଦର । ଆପଣମାନେ ଜାଣନ୍ତି ସହରଯାକ ବିଜି ପ୍ରୋଗ୍ରାମ । ତେଣୁ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଆପଣଙ୍କର ଯୋଗ ଦେଇପାରୁନି ।

 

(ତୃପ୍ତି ଓ ମି. ଦାସଙ୍କ ପ୍ରସ୍ଥାନ ପରେ ଗୋଟିଏ ବଡ଼ କପ ଧରି ରସାନନ୍ଦ ପ୍ରବେଶ-ବିଶ୍ଵନାଥ କପଟି ଛଡ଼ାଇନେଲା ।)

 

ବିଶ୍ଵନାଥ—ଆରେ, ଠାପୁଆଙ୍କ ପରି ହଉଚ କଣ ? କାର ଛାଡ଼ି ଦେଲା ଯେ !

 

(ବିଶ୍ଵନାଥଠାରୁ ଧନଞ୍ଜୟ କପଟି ଛଡ଼ାଇ ନେଲାବେଳେ କିଏ ମେନ ସୁଇଚ ଅଫ୍‍ କରିଦେଲା ।)

✽✽✽

 

ଚତୁର୍ଥ ଦୃଶ୍ୟ

[ମି. ଦାସଙ୍କ ଅଳିନ୍ଦ]

 

ମି. ରାୟ—ଆପଣ ?

 

ଦ. କବାଟ—ମୁଁ ଯେବେ ପଚାରେ ଆପଣ ?

 

ମି. ରାୟ—ମୁଁ ରାୟ !

 

ଦ. କବାଟ—ମୁଁ ମଧ୍ୟ ଦକ୍ଷିଣ କବାଟ । ନିମନ୍ତ୍ରଣ ଅଛି । ହେଲେ ଅଧଘଣ୍ଟାଏ ହେଲା ଅପେକ୍ଷା କରି ରହିଚି ।

 

ମି. ରାୟ—ଆପଣ ତାହାହେଲେ ଏ ଘରର ମାନ୍ୟଗଣ୍ୟ ଅତିଥି । ଦାସ ବାବୁ ସପରିବାରରେ ପଦାକୁ ଯାଇଛନ୍ତି । ନିମନ୍ତ୍ରଣ ସାଢ଼େ ନ’ ଟାକୁ ଅଛି । ଆପଣ ଆସିଯାଇଛନ୍ତି ଯେତେବେଳେ, ଆସନ୍ତୁ ।’

 

ଦ. କବାଟ—କ୍ଷମା କରିବେ ଆଜ୍ଞା ! ଉପକ୍ରମ ବହୁତ ହେଇଗଲା । ହେଲେ ଆପଣଙ୍କ ପରିଚୟଟା-?

 

ମି. ରାୟ—ମୁଁ, ମୁଁ ତ ମୋର ପରିଚୟ ।

 

ଦ. କବାଟ—ପରିଚୟ ପାଇଗଲି ଆଜ୍ଞା ! ଆପଣ ତାହାହେଲେ ମତ୍ତଗଜପୁରର ଭୁତପୂର୍ବ ଜମିଦାର କୁମାର ପ୍ରଶାନ୍ତକୁମାର ରାୟ । ନମସ୍କାର ଆଜ୍ଞା ! ଲୋକଙ୍କ ମୁଖରୁ ଆପଣଙ୍କ ବିଷୟରେ ବହୁତ ଶୁଣିଛି । ମୋର ଆଶା ଥିଲା ଏଇଠି ଆପଣଙ୍କ ସାଙ୍ଗରେ ଦେଖା ହେଇଯିବ । ଦେଖା ହେଇଗଲା ।

 

ମି. ରାୟ—ଆଛା, କହନ୍ତୁ ।

 

ଦ. କବାଟ—କହିବି କଣ ଆଜ୍ଞା, ମୁଁ ଜଣେ ଦୁଃସ୍ଥ ରାଜନୈତିକ କର୍ମୀ ।

 

ମି. ରାୟ—ଦୁଃସ୍ଥ ରାଜନୈତିକ କର୍ମୀ ତ ! ତେବେ ସରକାରୀ ସାହାଯ୍ୟ ପାଇବା ପାଇଁ ଆବେଦନ କରନ୍ତୁ ।

 

ଦ. କବାଟ—ଚେଷ୍ଟା କରିଥିଲି । ହେଲେ ମୋତେ ସେ ସାହାଯ୍ୟ ମିଳିବ ନାହିଁ ।

 

ମି. ରାୟ—କାହିଁକି ?

 

ଦ. କବାଟ—ପଥଭ୍ରଷ୍ଟ ହେଇଯାଇଚି ଆଜ୍ଞା ! ଘଟ ପରିବର୍ତ୍ତନ ହେଇଛି, ହେଲେ ପୋଷାକ ପୂର୍ବପରି ଅଛି । ବର୍ତ୍ତମାନ ସବୁ ଦଳ ମୋତେ ଅବିଶ୍ୱାସ କରୁଛନ୍ତି ।

 

ମି. ରାୟ—କାହିଁକି ? କଣ ହେଇଚି ?

 

ଦ. କବାଟ—ମହତ ଲୋକଙ୍କୁ ପାଇଚି । କହିବି ଆଜ୍ଞା ! ହଁ କହୁଛି । ମୋର ରାଜନୈତିକ ଜୀବନ ବିଷୟ କହିଲେ ଆପଣ ବୁଝିପାରିବେ ନାହିଁ । ହେଲେ ଅର୍ଥନୈତିକ ଦୃଷ୍ଟିରୁ ବିଚାର କଲେ ଦେଖିବେ ଖୁବ୍ ସହଜ ।

 

ମି. ରାୟ—ଆପଣ ତେବେ କଣ କହୁଛନ୍ତି ?

 

ଦ. କବାଟ—ସଂକ୍ଷେପରେ ମୋ କଥା କହିବାକୁ ଗଲେ ଏତିକି କୁହାଯାଇପାରେ, ମୁଁ ନବମ୍ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛି । ବାପା ମରିଗଲେ, ଆଉ ପଢ଼ିପାରିଲି ନାହିଁ । ପଢ଼ା ଛାଡ଼ିଦେଇ ଇନଫରମେଣ୍ଟ ହିସାବରେ ଚାକିରିରେ ଯୋଗ ଦେଲି । ଏ ହେଲା ୧୯୩୫ ସାଲର ଖବର । ଦରମା ଅଠର । ସେତେବେଳେ ମୋ ଘରେ ମା, ସ୍ତ୍ରୀ । ଚଳି ପାରିଲିନି ଆଜ୍ଞା–

 

ମି. ରାୟ—ତା ପରେ ?

 

ଦ. କବାଟ—ପୁଣି ବାର୍ଷିକ ଉତ୍ପାଦନ ଯୋଜନା ଅନୁସାରେ ୧୯୩୯ ମସିହା ବେଳକୁ ପରିବାର ସଂଖ୍ୟା ବଢ଼ି ହେଲେ ନଅ । କୋଡ଼ିଏ ବାଇଶି ଟଙ୍କାରେ କ'ଣ ଚଳିହୁଏ ଆଜ୍ଞା ?

 

ମି. ରାୟ—ଚାକିରି ଛାଡିଦେଲ ନା କଣ ?

 

ଦ. କବାଟ—ଚାକିରି ମୁଁ ଛାଡ଼ିନି, ଚାକିରି ମୋତେ ଛାଡ଼ିଦେଲେ । ଅର୍ଥାତ ସରକାରଙ୍କ ବିରୁଦ୍ଧରେ କେତେକ ଘଟଣାରେ ସଂପୃକ୍ତ ଥାଇ କିଛି ଟଙ୍କା ପାଉଥିଲି । ହେଲେ chora ଘର ସବୁବେଳେ ଅନ୍ଧାର ନୁହେଁ ଆଜ୍ଞା ! ଧରା ପଡ଼ିଗଲି । ଡିସ୍ ମିସ୍ ହେବା ସଂଗେ ସଂଗେ ସମ୍ରାଟଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ଅପରାଧରେ ଧରାହେଲି । ପରେ ଆପୃଭର ହିସାବରେ ସରକାରଙ୍କୁ ସାହାଯ୍ୟ କଲି । ଅନେକ ପ୍ରତିଶ୍ରୁତି ପାଇଲି-ହେଲେ ଚାକିରି ହେଇପାରିଲାନି ଆଜ୍ଞା !

 

ମି. ରାୟ—ମହା ବିପଦ ! ଘରେ ନଅ ପ୍ରାଣୀ କୁଟୁମ୍ବ । ଚଳିଲେ କିମିତି ?

 

ଦ. କବାଟ—ଭଗବାନ ବଡ଼ଲୋକ । ବ୍ୟକ୍ତିଗତ ସତ୍ୟାଗ୍ରହ ତା ପରେ ଭାରତଛାଡ଼ ଆନ୍ଦୋଳନ । ଦେଶପ୍ରେମୀ କର୍ମୀମାନେ ଜେଲ ଗଲେ । ମୁଁ ନ୍ୟାସନାଲ ଓୟାର ଫ୍ରଣ୍ଟରେ ଯୋଗ ଦେଲି । ମାସିକ ଦରମା ଶହେ । ବେଶ ଚଳିଗଳି । ହେଲେ ୧୯୪୭ ପରେ ବିପଦ ଘନେଇଆସିଲା । ବାମପନ୍ଥୀ ଓ ଦକ୍ଷିଣପନ୍ଥୀଙ୍କ କ୍ଷମତା ପାଇଁ ଯେଉଁ ଟଣାଓଟରା ଲାଗିଲା, ସେ ସୁବିଧାଟା ମାରିନେଲି । ଜମିଦାରୀ ଉଛେଦ, ମଠ ଧନ କୋଠ ହଉ ଆନ୍ଦୋଳନରେ ବେଶ ଚଳି ଯାଉଥିଲି ଆଜ୍ଞା ! ହେଲେ ଚିହ୍ନା ପଡ଼ିଗଲି । ବର୍ତ୍ତମାନ ଆଉ ଉପାୟ ନାହିଁ । ଗାଁ ପଞ୍ଚାୟତରେ ଜିତି ପାରିଲିନି । ଏ ନିର୍ବାଚନରେ ସବୁ ଦଳରେ ମୁହଁ ମାରିଥିଲି, କେଉଁଠି ହେଲେ ଆଶା ଦେଖୁନି ।

 

ମି. ରାୟ—ମୁଁ କି ସାହାଯ୍ୟ ଦେବୀ ବୋଲି ଆଶା କରୁଛ ?

 

ଡ଼. କବାଟ—ବଚନେ କି ଦରିଦ୍ରତା ? ଆପଣ ଖାଲି ଦାସ ସାହେବଙ୍କ ସୁପାରିଶ କରିଦିଅନ୍ତୁ ନା ଦେଖିବେ ।

 

ମି. କବାଟ—ଆଶା କରିଚି, ସ୍ୱାଧୀନ ଭାବରେ ମିଲ୍ ଅଞ୍ଚଳରୁ ଠିଆହେବି ।

 

ମି. ରାୟ—ବେଶ ବେଶ । ଭାଗ୍ୟ ପରୀକ୍ଷା କରି ଦେଖ ।

 

ଦ. କବାଟ—ହେଲେ ସମ୍ବଳ ନାହିଁ ଆଜ୍ଞା ! ଦାସ ସାହେବ ଅଜସ୍ର ଭାବରେ ସବୁ ଦଳକୁ ଅର୍ଥ ସାହାଯ୍ୟ କରୁଛନ୍ତି । ଏମାନେ ସ୍ୱାଧୀନତା ସଂଗ୍ରାମରେ ଜମିଦାର, ରାଜା, ମଠମହନ୍ତଙ୍କଠାରୁ ସାହାଯ୍ୟ ପାଇ ତାଙ୍କ ତଣ୍ଟି କାଟିଲେ । ଦାସ ସାହେବ ପରି ମିଲ୍ ମାଲିକମାନେ ଏମାନଙ୍କୁ ସାହାଯ୍ୟ କରୁଛନ୍ତି, କାଲି ସେମାନେ ଏମାନଙ୍କ ତଣ୍ଟି ନ କାଟି ଛାଡ଼ିଦେବେ ?

 

ମି. ରାୟ—ଦକ୍ଷିଣ କବାଟ !

 

ଦ. କବାଟ—ସମସ୍ତେ ସମାନ ଆଜ୍ଞା ! ମିଲ୍ ରେ ଧର୍ମଘଟ କରିବା ପାଇଁ ସବୁ ଦଳ ଲାଗିଛନ୍ତି ।

 

ମି. ରାୟ—ଆଚ୍ଛା ! ଆଚ୍ଛା ! ତୁମେ ତ ବହୁତ କଥା ଜାଣିଛ ।

 

(ବିଶ୍ଵନାଥ ମୁଣ୍ଡରୁ ରକ୍ତ ସରସର ବୋହୁଚି । କପଟି ହାତରେ ଧରି ପଶିଆସିଚି । ପଛେ ପଛେ ଧନଞ୍ଜୟ, ରସାନନ୍ଦ ପ୍ରବେଶ କରିଛନ୍ତି ।)

 

ବିଶ୍ଵନାଥ—ସାର୍ ଆସି ନାହାନ୍ତି ଆଜ୍ଞା ! ତୃପ୍ତି ଦେଇ ଆସି ନାହାନ୍ତି ?

 

ଧନଞ୍ଜୟ—ସବୁ ମାଟି କରିଦେବ ରସାନନ୍ଦ ! ତା' ଠାରୁ କପଟା ଛଡ଼େଇ ଆଣ ।

 

ବିଶ୍ଵନାଥ—ଛଡ଼େଇନବୁ ! ରକ୍ତନଈ ବହି ଯାଉ ପଛେ, ମୁଁ ନିଜ ହାତରେ ପ୍ରେଜେଣ୍ଟ କରିବି ।

 

ରସାନନ୍ଦ—ମି. ରାୟ, ଆପଣ ଏଠି ?

 

ଦ. କବାଟ—ଦକ୍ଷିଣ କବାଟ ମଧ୍ୟ ଉପସ୍ଥିତ ଅଛି

 

ମି. ରାୟ—ଗୁଣ୍ଡାମି ଟ୍ରେନିଂ ମଧ୍ୟ ଦରକାର ମିଷ୍ଟର ଉଡ଼୍‍ବି ନେତା !

 

ଦ. କବାଟ—କ’ଣଟା ଦରକାର ନାହିଁ ଆଜ୍ଞା କୁହନ୍ତୁ ।

 

ମି. ରାୟ—(ବିଶ୍ଵନାଥଙ୍କ ମୁଣ୍ଡରୁ ରକ୍ତ ପୋଛିନେଇ) ଏ ତମର କଣ ହେଇଚି ?

 

ବିଶ୍ଵନାଥ—ମୁଁ ରକ୍ତ ଦେଇ ମୋ ସଂଗଠନର ନାମ ବଜାଏ ରଖିବି ସାର୍ !

 

ରସାନନ୍ଦ—ଧାରକରି ମୁଁ ସେ କପ୍‍ କିଣିଛି ମି. ରାୟ ! ତେଣୁ ମୁଁ ପ୍ରେଜେଣ୍ଟ କରିବି ।

 

ବିଶ୍ଵନାଥ—ମୁଁ ଦାସ ସାହେବଙ୍କ ସାଙ୍ଗରେ ଦେଖାକରି ଏନଗେଜମେଣ୍ଟ ସ୍ଥିର କରିଥିଲି ।

 

ଧନଞ୍ଜୟ—ତମେସବୁ ଯାହା କର ଭାଇ ! ଏ ପ୍ରୋଗ୍ରାମ ଠିକ୍ କରି ତୃପ୍ତି ଦେଈଙ୍କୁ କପ୍‍ ଦେବା ପ୍ରସ୍ତାବ ମୁଁ ଦେଇଥିଲି । ଚେକ୍‍ଟା ମିଳିଗଲେ ଏ ଟଙ୍କା ମୁଁ ଦେଇଦେବି ।

 

ମି. ରାୟ—ଚେକ୍ ?

 

ବିଶ୍ଵନାଥ—ଦାସ ସାହେବ ପାଞ୍ଚ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

 

ମି. ରାୟ—ଓଃ ସେଥିପାଇଁ ଏ କପ୍‍ଟି ତାଙ୍କ ଭଉଣୀଙ୍କୁ ଉପହାର ଦିଆଯାଉଛି ! (କପ୍‍ଟି ଛଡ଼େଇନେଇ) ଆପଣମାନେ ନିଶ୍ଚିନ୍ତ ହେଇଯାଆନ୍ତୁ । ଆଉ ତ୍ରିଦଳୀୟ ମତରେ କାହା ନାମରେ ଚେକ୍‍ କଟାଯିବ ଲେଖିଦେଇ ଯାଆନ୍ତୁ । (ପ୍ରସ୍ଥାନ)

 

ସମସ୍ତେ—ଆରେ, ଆରେ, କେଡ଼େ ଅଭଦ୍ର ଏ ଲୋକ ?

 

ଦ. କବାଟ—ତମେ ତିନିଜଣ କଜିଆ କରି ଚତୁର୍ଥ ଦଳକୁ ସୁବିଧା ଦେଇଦେଲ ବାବୁମାନେ ! ଆଚ୍ଛା, ମୁଁ ଦେଖୁଛି । (କହୁ କହୁ ଭିତରକୁ ଚାଲିଗଲେ)

 

ରସାନନ୍ଦ—କେଡ଼େ ଭୟଙ୍କର ଏ ଲୋକଗୁଡ଼ାକ ! (ଏତିକିବେଳେ ମଟର ହର୍ଣ୍ଣ ଶୁଭିଲା)

 

ବିଶ୍ଵନାଥ—ସରିଗଲା ଅବସ୍ଥା । ବୁଝିଲ ରସାନନ୍ଦ, ଆମେ ସମସ୍ତେ ଏକଜୁଟ୍ ନ ହେଲେ ଟଙ୍କା ଆଉ ମିଳିବ ନାହିଁ । ମି. ଦାସଙ୍କୁ କହିବି, ଆମେ ସମସ୍ତେ ସମ୍ମିଳିତ ଭାବରେ ଅଭିନନ୍ଦନ ଦେବାକୁ ଆସିଥିଲୁ । ବିଳମ୍ବ ହେବାରୁ କପଟି ଦେଇଯାଉଛୁ । ଏ ଘଡ଼ିସନ୍ଧିବେଳେ ମୋର ଅନୁରୋଧ, ସବୁ ଭୁଲି କୁହ—ଛାତ୍ର, ଏକଜୁଟ୍ ହୁଅ ।

 

ସମସ୍ତେ—ଛାତ୍ର ଏକଜୁଟ୍ ହୁଅ, ଛାତ୍ର ଏକଜୁଟ୍ ହୁଅ ।

 

(କହି କହି ଗଲାବେଳେ ମଞ୍ଚ ଅନ୍ଧକାର ହେଲା ।)

✽✽✽

 

ପଞ୍ଚମ ଦୃଶ୍ୟ

 

[ମି. ଦାସଙ୍କ ବୈଠକଖାନା-ତୃପ୍ତି ଦେବୀ ଗୀତ ବୋଲୁଥିଲେ । ମୀନାକ୍ଷୀ ତାଳେ ତାଳେ ନାଚି ଯାଉଥିଲେ । ଟେବୁଲ ଉପରେ ତୃପ୍ତିଦେବୀ ପାଇଥିବା ସିଲ୍‍ଡ଼୍‍ ଥୁଆହୋଇଛି । ଗୀତ ଶେଷ ନ ହେଉଣୁ ପ୍ରବେଶ କରିଛନ୍ତି ମି. ଦାସ । ହାତରେ ଇଂରେଜ ଓ ଓଡ଼ିଆ କାଗଜ ।]

 

ରୁମ୍ଝୁମ୍—ରୁମ୍‍ଝୁମ୍—ନୂପୁର ବୋଲେରେ—(ଝୁମ୍ ଝୁମ୍ ଝୁମ୍)

ମନତଳେ ମହୁଆ ସପନ ଚହଲେ । ୦।

 

ନରମ ହଂସୁଲୀ ଶେଯେ, କୁଆଁରୀ ଆଶାଟି ଲାଜେ

ଝାଲେରୀ ପଣତେ ମୁହଁ ଲୁଚାଇ ଝୁଲେ ଝୁଲେ ।୧।

 

ଝିରୀଝିରୀ ବାଆ ଥିରି ଛୁଇଁଯାଏ ଗୁମର

ଡ଼ରିଡ଼ରି ଆଖିକୋଣେ ଖେଳେ କଳା ଭ୍ରମର

ଅଳସୀ କଳସୀକାଖେ ଚାଲେ ଗେଲେ ଗେଲେ ।୨।

 

ଦରଦର ଦରଦ ଖେଳେ ଅଜଣା ବେଦନା କୁହୁଳେ

ଆପଣାର ବେସୁରା ଛନ୍ଦେ, ମୁଁ ଯେ ଆପଣା ହାରେ

କି ହୁଏ କହି ନ ହୁଏ ଝିମି ଝିମି ଛାତିତଳେ….. ।୩।

 

ମି. ଦାସ—ଦେଖୁଚୁ ଦେଖୁଚୁ ତୃପ୍ତି, ମୀନାର ଛବିଟା କେଡ଼େ ଚମତ୍କାର ହେଇଚି । ଆରେ ଏ ସିଲ୍‍ଡ଼୍‍, କପ୍‍ ସବୁ ଏଠି ଗଦା ହେଇଚି କାହିଁକି ? ମ୍ୟୁଜିୟମରେ ଏସବୁ ରଖିଦିଅ ।

 

ତୃପ୍ତି—(କାଗଜଟା ନେଇ) ଦେଖୁଚ ଭାଇ, ଏ ଓଡ଼ିଆ କାଗଜରେ ମୀନା କିମିତି ମାଙ୍କଡ଼ପରି ଦିଶୁଛି-?

 

ମି. ଦାସ—ଇଂରେଜୀ କାଗଜଟା ଦେଖେ ।

 

ମୀନାକ୍ଷୀ—ମୋତେ ଦେଖାଅ ଦେଇ !

 

ତୃପ୍ତି—ଦେଖ, ଦେଖ କିମିତି ମାଙ୍କଡ଼ ପରି ଦିଶୁଚୁ ।

 

ମୀନାକ୍ଷୀ—ଶୁଣୁଚ ମା, ଦେଈ କଣ କହୁଛନ୍ତି ?

 

ଚିନ୍ମୟୀ—(ପ୍ରବେଶି) ସକାଳୁ ଆଉ କଣ କିଛି କାମ ଅଛି ? କାଗଜରେ ଝିଅ ଛବି, ଭଉଣୀର ଛବି, ନିଜ ଛବି ଦେଖି ଆତ୍ମପ୍ରସାଦ ପାଅ ।

 

ମି. ଦାସ—ସହି ହେଉନି ନା କଣ ?

 

ତୃପ୍ତି—ଏ କିନ୍ତୁ ତୁମର ବଡ଼ ଅନ୍ୟାୟ ଭାଉଜ ! ଦେଖୁନା ଏ କାଗଜଗୁଡ଼ିକରେ ଖାଲି ଆମ ପରିବାରର ଚିତ୍ର ଓ ଆମର ଜୟଗାନ କରାଯାଇଛି । ଆମେ ମନ୍ତ୍ରୀତ୍ୱ ନେଇନୁ ନା ଗଭର୍ଣ୍ଣର ନୋହୁ-। ତଥାପି ଆମର ଜୟଗାନ କରିବାରେ ସାରା ଦେଶଟା ବ୍ୟସ୍ତ ।

 

ଚିନ୍ମୟୀ—ଥାଉ ତମର ବାଜେ କଥା । ଅଗଷ୍ଟ ପନ୍ଦର ପାଇଁ ତମର ସପ୍ତାହେ ହେଲା ପାଠ ପଢ଼ା ବନ୍ଦ । ମୀନା, ଆଜି ତୋର ସ୍କୁଲକୁ ଯିବା ହଉନି ପ୍ରାୟ ! ଏଇଛୁଣା ଗାଡ଼ି ଯିବ ନାହିଁ । କାରରେ ମୁଁ ଛାଡ଼ିଦେଇ ଆସିବି ।

 

ଚିନ୍ମୟୀ—ହଁ; ଆଉ ତମର କାମ କଣ ? ତମେ ଶୁଣୁଛ ? ତୃପ୍ତିର ଦାୟିତ୍ୱ ମୁଁ ନେଇପାରିବିନି ।

ମି. ଦାସ—କଣ ହେଲା ?

 

ଚିନ୍ମୟୀ—କ’ଣ ହେବ ? ପଦାକୁ ଗଲେ ବାରଆଡ଼େ ଖାଲି ସାଂସ୍କୃତିକ ଉତ୍ସବ । ଘରକୁ ଆସିଲେ ଏ ଟୋକିକି ଧରି ନାଚିବ । ଆଉ ପାଠ କାହିଁ ?

 

ମି. ଦାସ—ନା ମା, ମୁଣ୍ଡ ଉପରେ ପରୀକ୍ଷା । ତୋ ବାହାର ପ୍ରୋଗ୍ରାମ ଟିକିଏ ବନ୍ଦ କରିଦେ । ମୀନୁ, ଦେଈଙ୍କୁ ପଢ଼ିବାକୁ ଦେ ।

 

ମୀନାକ୍ଷୀ—ନା; ମିଛ କହୁଛନ୍ତି ମା ! ଆମ ମ୍ୟାଡ଼ାମ କହୁଥିଲେ, ଗୀତ ନାଚ ଆମ ଝିଅ ପିଲାଙ୍କର ଭାରି ଦରକାର ।

 

ଚିନ୍ମୟୀ—ଚୁପ । ଦେଈର ଗୁଣ ସବୁ ଆଣିଛି ଫାଜିଲ !

 

ତୃପ୍ତି—(ମୀନାକୁ କୋଳରେ ଧରି)ହଉ ହେଲା । ତମ ଭାଇ ପରି ତ ହେଇନୁ ?ଡ୍ରାଇଭର ! ଡ୍ରାଇଭର ! ଗାଡ଼ି ବାହାର କର । ମୀନା ଆମର କନଭେଣ୍ଟ ଯିବା । (ପ୍ରସ୍ଥାନ)

 

ଚିନ୍ମୟୀ—କନଭେଣ୍ଟ ଫନଭେଣ୍ଟ ହବନି । ମୀନାକୁ ଗାର୍ଲ ସ୍କୁଲ ପଠାଅ ।

 

ମି. ଦାସ—କଣ କହିଲା ଚିନୁ ? ମିନୁ ଗାର୍ଲ ସ୍କୁଲରେ ପଢ଼ିବ ! ଆଉ ଏ କନଭେଣ୍ଟ, ନର୍ସରୀ ସ୍କୁଲ କାହା ପାଇଁ ?

 

ମି. ରାୟ—(ପ୍ରବେଶି) ଯେଉଁମାନେ ବେସିକ୍‍ ଶିକ୍ଷା ଉପରେ ଘଣ୍ଟା ଘଣ୍ଟା ଧରି ବକ୍ତୃତା ଦିଅନ୍ତି, ସେଇମାନଙ୍କ ସନ୍ତାନସନ୍ତତି ପାଇଁ ।

 

ଚିନ୍ମୟୀ—ଭାଇ !

 

ମି. ରାୟ—ହଁ ଚିନୁ ! ଆମର ପାହାଚକୁ ପାହାଚ ହେଇ ଯେମିତି ଶିକ୍ଷା ବ୍ୟବସ୍ଥା କରାଯାଇଛି, ତାରି ଭିତରେ ସାମ୍ୟବାଦ ରାଷ୍ଟ୍ର ଗଠନ ପାଇଁ ମଧ୍ୟ ମସୁଧା କରାଯାଉଛି । ତୁ ଦେଖୁନୁ ସୈନିକ ସ୍କୁଲ, କନଭେଣ୍ଟ ସ୍କୁଲ, ପ୍ରାଇମେରୀ ସ୍କୁଲ-କେତେ ଢାଞ୍ଚରେ ଶିକ୍ଷାନୀତି ଚାଲିଛି । ଅବଶ୍ୟ ସମସ୍ତଙ୍କୁ ସମାନ ସୁବିଧା ଦିଆଯାଉଚି ବୋଲି ଆସେମ୍ବ୍ଲିଠାରୁ ଆରମ୍ଭ କରି ଇସ୍ତାହାରରେ କୁହାଯାଉଚି । ଛାଡ଼, ବାପା ଯାହାର କୋଟିପତି ତାର ଛୁଆକୁ ଏ କନଭେଣ୍ଟରେ ନ ପଢ଼େଇ ଅକସଫୋର୍ଡ଼ ବା ସ୍କୁଲ ଅପହାରୋ ବା କେମ୍ବ୍ରିଜକୁ ପଠାଇଦେବା ଉଚିତ ।

 

ଚିନ୍ମୟୀ—ତମେ ବାସ୍ତବତା ପ୍ରତି ଦୃଷ୍ଟି ନ ଦେଇ ୟାଡୁ ସାଡୁ କ'ଣ ଯେ ଗପ ? ହଉ, ତମେ ଅପେକ୍ଷା କର । ପୂଝାରୀ, ପୂଝାରୀ !

 

ମି. ରାୟ—ନା ନା, ପେଟ ଖରାପ ଅଛି । ଜଳଖିଆ କଥା ନୁହେଁ ।

 

ଚିନ୍ମୟୀ—କଫି କି ଚା କପେ ?

 

ମି. ରାୟ—ଆଚ୍ଛା କପେ କି ଦି' କପ୍‍ କଫି ଦେ ।

 

ଚିନ୍ମୟୀ—ପୂଝାରୀ ! କଫି ଚାରି ପାଞ୍ଚ କପ୍ । (ପ୍ରସ୍ଥାନ)

 

ମି. ଦାସ—ଆପଣ ଆଜି ଖୁବ୍ ସହଳ ବିଛଣା ଛାଡ଼ିଛନ୍ତି ପ୍ରାୟ ?

 

ମି. ରାୟ—ସେ ଲୋକଟା ମୋତେ ବସେଇଉଠେଇ ଦଉନି ।

 

ମି. ଦାସ—କାହା କଥା କହୁଛନ୍ତି ?

 

ମି. ରାୟ—ତୁମେ ସବୁ ଦଳକୁ ନିର୍ବାଚନ ଲଢ଼ିବା ପାଇଁ ଅଜସ୍ର ଟଙ୍କା ଦଉଚ । ତେଣୁ ଦାବିକର, ତୁମକୁ ତାର ସମସ୍ତ ନିର୍ବାଚନ ଖର୍ଚ୍ଚ ତୁଲେଇବାକୁ ହବ ।

 

ମି. ଦାସ—ମୋ ଟଙ୍କାର ମୂଲ୍ୟ ଏତେ କାମ ନୁହେ ଭାଇ ! ତା ପରି ଗୋଟାଏ ସ୍ୱାଧୀନ ପ୍ରାର୍ଥୀକୁ ଟଙ୍କା ସାହାଯ୍ୟ ଦେବା ଅପେକ୍ଷା ଦିଆସିଲି ଲଗେଇ ସେ ନୋଟସବୁ ପୋଡ଼ିଦେବା ଶ୍ରେୟସ୍କର ।

 

ମି. ରାୟ—ଅଳ୍ପବହୁତେ ସମସ୍ତେ ତୁମଠାରୁ ଆର୍ଥିକ ସାହାଯ୍ୟ ପାଉଛନ୍ତି ।

 

(ଚିନ୍ମୟୀ ଟ୍ରେସରେ କପି ନେଇ ପ୍ରବେଶ କଲେ)

 

ମି. ଦାସ—ଦେଖନ୍ତୁ ଆପଣ, ଚିନୁ କେବେ ତ ଆମ ପାଇଁ ଆନନ୍ଦରେ କପେ ଚା କଫି ଆଣିବାର ମୋର ମନେ ହେଉନି । ହେଲେ ଆପଣ ଆସିଛନ୍ତି ବୋଲି ତାଙ୍କ ଗୋଡ଼ ତଳେ ଲାଗୁନି ।

 

ଚିନ୍ମୟୀ—ତମେ ଯିମିତି ମୋ କଥା ବୁଝ !

 

ମି. ଦାସ—ଚାକର, ପୂଝାରୀ, ଡୋମେଷ୍ଟିକ ମେନେଜର ଏତେ ଲୋକ ତମ କଥା ବୁଝିବାକୁ ଅଛନ୍ତି-

 

ଚିନ୍ମୟୀ—ମୁଁ ଯଦି ସେୟା କହେ !

 

ମି. ରାୟ—(କଫି ପିଉ ପିଉ) ଚିନୁ, ତୋ ସ୍ୱାମୀ ସବୁ ରାଜନୈତିକ ଦଳକୁ ସାହାଯ୍ୟ କରୁଛନ୍ତି । ମୁଁ ଆସିଚି ଜଣେ ସ୍ୱାଧୀନ ପ୍ରାର୍ଥୀକୁ–

 

ଚିନ୍ମୟୀ—ସେଇ କଥା ତାଙ୍କୁ ପଚାର ତ ଭାଇ ! ପାଣି ସୁଅ ପରି ଟଙ୍କା ନିର୍ବାଚନ ପାଇଁ ଖର୍ଚ୍ଚ କରୁଛନ୍ତି। ସେଇ ଟଙ୍କାରେ ନିଜେ ଠିଆହେଲେ ହୁଅନ୍ତା ନାହିଁ ?

 

ମି.ଦାସ—ତମେ ଜମିଦାରଙ୍କ ଝିଅ । ହେଲେ ମୁଁ ଶିଳ୍ପପତି ଆସେମ୍ବ୍ଲି, ପାର୍ଲାମେଣ୍ଟରେ ସମୟ ନଷ୍ଟ କରିବାକୁ ଚାହାନ୍ତି ନାହିଁ । ଆଚ୍ଛା ଭାଇ, ମନ୍ତ୍ରୀ, ସଦସ୍ୟ ହେବା ଅପେକ୍ଷା ସେମାନଙ୍କୁ ନିୟନ୍ତ୍ରଣ କରିବାରେ ଶିଳ୍ପପତିର ସମ୍ମାନ ଓ ସ୍ୱାର୍ଥ କଣ ନିରାପଦ ରହିବ ନାହିଁ ?

 

ଚିନ୍ମୟୀ—ତା ବୋଲି ତୁମକୁ ଯେଉଁମାନେ ଷ୍ଟ୍ରାଇକ୍‍ର ଧମକ ଦେଇଛନ୍ତି, ତାଙ୍କୁ ବି ଅର୍ଥ ସାହାଯ୍ୟ କରିବ ! ନା—ଭାଇ, ତାଙ୍କୁ ସେ ବଦଭ୍ୟାସ ଛାଡ଼ିବାକୁ କୁହ । (ପ୍ରସ୍ଥାନ)

 

ମି. ଦାସ—ଶୁଣିଯାଅ ଚିନୁ ! ବୁଝିଲ ଭାଇ, ଅର୍ଥ ହେଉଚି ଏକମାତ୍ର ଅମୋଘ ଅସ୍ତ୍ର । ଯାହା ଆଟମ୍‍ ବମ୍, ମେଗାଟନ୍‍ ପାରିବ ନାହିଁ, ଟଙ୍କା ତାଠାରୁ ଆହୁରି କାମ ଦେବ ।

 

ମି. ରାୟ—ମିଲ୍‍କୁ ଜାତୀୟକରଣ କରିବା ପାଇଁ ସେମାନେ ସମସ୍ତେ କହୁଛନ୍ତି ।

 

ମି. ଦାସ—ସମସ୍ତଙ୍କ ନିର୍ବାଚନ ଇସ୍ତାହାର ମୋ ପାଖେ ସମାନ । ଜମିଦାରୀ ଗଲା, ରାଜାମାନେ ଗଲେ, ପନ୍ଦର ଏକର ଜମି ଥିବା ଚାଷୀର ସ୍ୱତ୍ୱ ମଧ୍ୟ ଲୋପ ହୋଇଯିବ । ହୁଏତ ମିଲ୍‍ର ମାଲିକାନା ସ୍ୱତ୍ୱ ଏତେ ଚଞ୍ଚଳ ଯାଉନି । ଆଉ ଯେଉଁମାନେ ଏ ଦିଗରେ କାମ କରିବାକୁ ଚାହିଁବେ, ହୁଏତ ସେ ଦଳର ସତ୍ତା ଲୋପ କରିବା ପାଇଁ ଉଦ୍ୟମର ଅଭାବ ରହିବ ନାହିଁ ।

 

ମି. ରାୟ—ବିଧବାର ସାତ ମାଣ ଜମି ଉପରେ ଭାଗଚାଷ ଆଇନ ଲାଗୁ ହେବ । କୁଷ୍ଠରୋଗୀର ଜମିରେ ଉପନ୍ନ ଦ୍ରବ୍ୟ ଭାଗ ବଣ୍ଟାରେ ସାମ୍ୟବାଦ ନୀତି ଧାର୍ଯ୍ୟ ହେବ । ରାଜା ମହାରାଜାମାନେ କ୍ଷତି ପୂରଣ ପାଇଁ ଲକ୍ଷ ଟଙ୍କା ବାର୍ଷିକ ଭତ୍ତା ନେବେ । ଆଉ ମିଲ୍ ମାଲିକମାନଙ୍କୁ ସାମ୍ୟବାଦ ନୀତି ଚାଲୁ ହୋଇ ପାରିବ ନାହିଁ !

 

ମି. ଦାସ—ଆମର ପାରିବାରିକ ଆଲୋଚନାରେ ଏସବୁ ଅର୍ଥନୀତି ଆଲୋଚନା କରି ଲାଭ ନାହିଁ । ସେ ଲୋକଟା ସ୍ୱାଧୀନ ଭାବରେ ମିଲ୍ ଅଞ୍ଚଳରୁ ଠିଆହେବ ବୋଲି ଅନେକ ବାର କହିଚି । ଗ୍ରାମପଞ୍ଚାଏତ ନିର୍ବାଚନରେ ପରୀକ୍ଷାମୂଳକ ଭାବରେ ଠିଆ ହେବାକୁ କହିଲି । ସେ ଏତେ ନୀତିହୀନ ଯେ–

 

(ଦକ୍ଷିଣ କବାଟ ପ୍ରବେଶ କରିଚି)

 

ଦ. କବାଟ—ଭୋଟ ଲଢ଼େଇରେ ନୀତି ଅନୀତି କଥା ରହିଲା କେଉଁଠି ଆଜ୍ଞା ? ଯେ କୌଣସିମତେ ଅଧିକା ଭୋଟ ପାଇଁ ଜିତିବାକୁ ହେବ । ଖାଲି ଟଙ୍କା ଅକୁଳାନ ହେଇଗଲା । ପୁଣି ସେ ଅଞ୍ଚଳରେ ଆମ ଜାତିର ଲୋକ କମ୍‍ ଅଛନ୍ତି ।

 

ମି. ଦାସ—ତୁମର ବାଜେ କଥା ଶୁଣିବାକୁ ମୋର ସମୟ ନାହିଁ । କହିଲ ପାଞ୍ଚ ଶହ ଟଙ୍କା ହେଲେ ନିର୍ବାଚନ ଜିତିଯିବ ?

 

ଦ. କବାଟ—ତାଙ୍କର ସେଇଟା ପ୍ରେସ୍‍ଟିଜ ସିଟ୍‍ ଥିଲା । ପୁଣି ସବୁ ଦଳ ପ୍ରାର୍ଥୀ ଠିଆକଲେ । ଆକାଶରେ ଟଙ୍କା ଉଡ଼ିଲା ଆଜ୍ଞା !

 

ମି. ଦାସ—ମିଥ୍ୟାବାଦୀ । ଯେ ଫେଲ ମାରିଲା ସେ କହିଲା ନୀତି କଥା ।

 

ଦ. କବାଟ—ହଁ ଆଜ୍ଞା, ବହୁତ ଟଙ୍କା ସେମାନେ ଖର୍ଚ୍ଚ କଲେ ।

 

ମି. ରାୟ—ତୁମେ କେତେ ଖର୍ଚ୍ଚ କଲ ?

 

ମି. ଦାସ—ମୁଁ ତୁମକୁ କହିଛି ମି. ଦକ୍ଷିଣ କବାଟ ! ତୁମକୁ ମିଲ୍ ତରଫରୁ ଦୁଇ ଶହ ଟଙ୍କା ମାସିକ ଦରମା ଦିଆଯିବ । ତୁମେ ସମାନ୍ତରାଳ ଶ୍ରମିକ ଅନୁଷ୍ଠାନ ଗଢ଼ ।

 

ଦ. କବାଟ—ମୁଁ ଆପଣଙ୍କ ଆଦେଶ ଅମାନ୍ୟ କରିନି ଆଜ୍ଞା ! ହେଲେ ରମେଶ ଓ ତା ଭଉଣୀ ଶ୍ରମିକଙ୍କ ଭିତରେ ପୂରାଇ ଦେଉ ନାହାନ୍ତି ଆଜ୍ଞା ! ଏ ନିର୍ବାଚନରେ ମୁଁ ଯେବେ ଠିଆ ହୁଅନ୍ତି, ଦେଖନ୍ତେ–

 

ମି. ଦାସ—ତୁମେ ସେ ଅଞ୍ଚଳରେ ବିଶ୍ୱାସ ହରେଇଚ । ସାମାନ୍ୟ ଗ୍ରାମପଞ୍ଚାଏତ ନିର୍ବାଚନ ଜିଣିପାରିଲ ନାହିଁ, ଆଉ ଏତେ ବଡ଼ ଅଞ୍ଚଳରେ ତୁମେ ସଂଗଠନ କରିପାରିବ କିମିତି ?

 

ଦ. କବାଟ—ଆପଣ ହଁ ଭରିଲେ ଦେଖିବେ ଆଜ୍ଞା, ମୋ ପୁଅ, ଝିଅ, ସ୍ତ୍ରୀ, ମା, ଶଳା, ଶାଳୀ, ଶଶୁର ସମସ୍ତେ ପ୍ରଚାର କାମରେ ଲାଗିଯିବେ ।

 

ମି. ଦାସ—ନା ନା, ମୁଁ ସାହାଯ୍ୟ କରିପାରିବି ନାହିଁ । ତୁମେ ଅନ୍ୟତ୍ର ସାହାଯ୍ୟ ଲୋଡ଼ିପାର । (ପ୍ରସ୍ଥାନ)

 

ମି. ରାୟ—ତୁମର ରାଜନୈତିକ ଜୀବନ ବଡ଼ କଳୁଷିତ । ଲୋକେ ଚାହୁ ନାହାନ୍ତି, ତମେ ଠିଆହୋଇ ଅପଦସ୍ତ ହବ କାହିଁକି ?

 

ଦ. କବାଟ—ଆପଣଙ୍କୁ ଅନୁରୋଧ କରୁଚି ବର୍ତ୍ତମାନ ମୋ ସାଙ୍ଗରେ ଆସନ୍ତୁ । ମୋ ଅଞ୍ଚଳର ଲୋକଙ୍କୁ ପଚାରି ବୁଝିବି । ଲୋକେ ଯେବେ ଚାହିଁବେ, ମୁଁ ତୁମକୁ ସାହାଯ୍ୟ କରିବି ।

 

ଦ. କବାଟ—ନମସ୍କାର ଆଜ୍ଞା, ଏତିକି ଯଦି ଭରସା ପାଇଥାନ୍ତି ଆଜ୍ଞା, ଏଠିକି ଆସିବାର ଆବଶ୍ୟକତା ମୋଟେ ନ ଥିଲା । ଶେଷରେ ଦାସ ସାହେବ ବୁଝିବେ ମୁଁ ତାଙ୍କର ହିତରେ ଅଛି କି ?

 

ମି. ରାୟ—ହଉ, ତୁମେ ଆସ ।

 

ଦ. କବାଟ—ଚାଲନ୍ତୁ ସାର୍ !

✽✽✽

 

ଷଷ୍ଠ ଦୃଶ୍ୟ

 

[କଥା ହେଉହେଉ ଗ୍ରାମବାସୀ ବିବେକ, ବାସୁଦେବ ଓ ପୀତାମ୍ବର ସହିତ ଦକ୍ଷିଣ କବାଟ ପ୍ରବେଶ କଲେ]

 

ଦ. କବାଟ—ତମ ପୁଅ ରାଣ ବାସୁ ! ମୋତେ ଟିକିଏ ସାହାଯ୍ୟ କର । ରାୟ ବାବୁଙ୍କୁ ମୋ ସପକ୍ଷରେ ଦି' ଚାରି କଥା କହ । ତମକୁ ନେହୁରା ହଉଚି ପୀତାମ୍ବର ! ସେ ପଛକଥା ପୋଛିପକାଅ-

 

ବିବେକ—ପଛ କଥା ପୋଛି ପକେଇବୁ କଣ ? ଠାକୁରଘର ଟଙ୍କା ଚଳୁ କରିଦେଲ । ସନିଆ ଓ ଘେନିଆ କଜିଆ ହେଇ ତମକୁ ପଞ୍ଚାଏତ ମାନି ପଚିଶ ପଚିଶ ଟଙ୍କା ଡିପୋଜିଟ ଦେଲେ, ସେ ଟଙ୍କା ଚଳୁ କରିଦେଲ । ଗାଁ ଲୋକଙ୍କୁ ଠକି କଟକରେ ରହୁଚ ।

 

ଦ. କବାଟ—ଗାଁ ପଞ୍ଚାଏତ ଭୋତ ଲଢ଼େଇରେ ଏ ଗାଁକୁ ଦୁଇ ଶହ ତାଙ୍କ ଦେଲି । ମୋଠାରୁ ଟଙ୍କା ନେଲ, ହେଲେ ତଣ୍ଟିରେ ଖୁର ଦେଇ ତାଙ୍କୁ ଭୋଟ ଦେଲ ।

 

ବିବେକ—ଶଠଂ ଶାଠ୍ୟଂ ସମାଚରେତ୍ । ତା ନ କରିଥିଲେ ଠାକୁରଙ୍କ ଟଙ୍କା ମିଳି ନ ଥାନ୍ତା । ତମେ ଦେଲ ଦୁଇ ଶହ । ସେମାନେ ଦେଲେ ତିନି ଶହ । ଏମିତି ପାଞ୍ଚ ଶହ ଟଙ୍କା ପକେଟରେ ପକେଇ ଧରମ ଯୁଆଡ଼େ ନେଲା, ଭୋଟ ଲୋକେ ସେଆଡେ଼ ଦେଲେ ।

 

ଦ. କବାଟ—ଧରମ ସାହିବ ନାହିଁ ବିବେକାନନ୍ଦ !

 

ବାସୁ—ଆଉ ଧରମ ଅଛିଟି ରାଧୁ ଭାଇ ! ଏଇ ଆଖିରେ ଦେଖିଚୁ । ଏଇ ହାତରେ ଦେଇଚୁ । ପେଟ କାଟିକରି ଟଙ୍କା ଦେଇଥିଲୁ ।

 

ଗୋରା ସରକାର ଡ଼ରକୁ ଖାତିର ନ କରି ବଳେବଳେ ଭୋଟ ଦେଉଥିଲୁ । ହେଲେ ନୋଟ ଦେଖେଇ କେବେ ତ କିଏ ଭୋଟ ମାଗୁ ନ ଥିଲେ ?

 

ପୀତାମ୍ବର—ବଡ଼ଲୋକଙ୍କୁ ଭୋଟ ଲଢ଼େଇରେ ଟାଣିଲେ ବି ଆସୁ ନ ଥିଲେ । ଏବେ ଗୋଡ଼ ଯାହାର ଅଛି, ସେ ଛିଡ଼ା ହଉଚି । ଗୋଡ଼ ଯାହାର ନାହିଁ, ସେ ବି ଛିଡ଼ା ହଉଚି । ନାଁବାଳେକି ଯାହାର ଫିଟିଚି, ସେ କହୁଚି ଛିଡ଼ା ହେବି ।

 

ଦ. କବାଟ—ନିଜ ଲୋକ ତମେମାନେ । ହାତ ଯୋଡ଼ୁଛି, ଏ ବିପଦ-ବେଳେ ସେକଥା ଉଠାଅ ନାହିଁ । ମୋ ଟଙ୍କା ଖାଇଲ । ଭୋଟ ନ ଦେବ ପଛକେ ନ ଦିଅ । ଖାଲି ହେମତ କରି କଥା କହ । ଏଇଛୁଣା ସେ ପହଞ୍ଚିଯିବେ । ମୋତେ ମନାକରିଥିଲେ ଏ ଗାଁକୁ ଆସିବାକୁ । ଛୁରୀ ତମକୁ ଦେଇଚି, ତଣ୍ଟି ଦେଖେଇଦଉଚି । ଏଣିକି ତମେ ରଖ ବା ନ ରଖ । ବୁଝିଲ ବାସୁଭାଇ ! ମୋତେ ସାହାଯ୍ୟ କର, ତମ ପୁଅକୁ ଆଉ ପୀତାମ୍ବର ନାତିକି ଚାକିରି ଏଥର ନିଶ୍ଚୟ କରିଦେବି ।

 

(ଏତିକିବେଳେ ଜିପ୍‍ ଶବ୍ଦ ଶୁଭିଲା) ଏଇ ଆସିଗଲେ । ତମେ ମୋ ପାଇଁ ନିଶ୍ଚୟ କହିବ ବାସୁଭାଇ, ତମ ପୁଅ ରାଣଟି, ଜ୍ୱାଇଁ ମୁଣ୍ଡ ଖାଅଟି । (ପ୍ରସ୍ଥାନ)

 

ବିବେକ—ଦେଖୁଚ ବାସୁଭାଇ ! ଭୋଟ ପାଇଁ କିମିତି ଜୀବନ ଛାଡ଼ୁଚି !

 

ପୀତାମ୍ବର—ଯେଉଁ ବିକଳ ହେଉଛନ୍ତି ଏଗୁଡ଼ାକ !

 

(ମି. ରାୟ ପ୍ରବେଶ କଲେ ଓ ସେମାନେ ଚାଲିଯାଉଥିଲେ)

 

ମି. ରାୟ—ଆପଣମାନେ ଟିକିଏ ଶୁଣିବେ କି ?

 

ସମସ୍ତେ—ନମସ୍କାର ଆଜ୍ଞା ! ଆମକୁ ଡାକୁଥିଲେ ?

 

ମି. ରେ—ହଁ, ମୋର କେତେକ କଥା ବୁଝିବାର ଅଛି ।

 

ବିବେକ—ଭୋଟ କଥା ନୁହେଁ ତ ?

 

ମି. ରାୟ—ଭୋଟକଥା ଆପଣଙ୍କୁ ଶୁଣିବାକୁ ହେବ । କାରଣ ଆପଣ ଆପଣଙ୍କର ଭାଗ୍ୟନିୟନ୍ତ୍ରଣ କରିବେ ଆପଣଙ୍କ ଭୋଟ ଦେଇ ।

 

ବାସୁ—କାହା କଥା ଶୁଣିବୁ, ବାପା କଂଗ୍ରେସ ବାଲା ହୋଇ କହିଲାବେଳକୁ ପୁଅ ସୁସିଆଲିଷ୍ଟ ହେଇ କହୁଚି । ମା ପାଅରଦିନ ଗଣତନ୍ତ୍ରୀହେଇ ବକ୍ତୃତା ଦଉଚି । ଆଉ ଯେ ରହିଲେ, ସେ କେଉଁ କୁଳ ନ ହୋଇ କହିଲେ ସୁଆଦଧୀନ ।

 

ମି. ରାୟ—ସୁଆଦଧୀନ !

 

ବାସୁ—ହଁ ଆଜ୍ଞା ! ସୁଆଦ ଯେଉଁଠି ପାଇଲେ ସେଇଆଡ଼େ ଗଲେ ।

 

ପୀତାମ୍ବର—ଗାଁରେ ପଞ୍ଚୁଆତି ସଭା ଗଢ଼ାହେଇଚି । ସବୁ ଦଳର ନୋକ ଅଛନ୍ତି । ବୁଝିଲେ ଆଜ୍ଞା, କୌଣସି କାମ କରେଇ ଦଉ ନାହାନ୍ତି ।

 

ବିବେକ—ଆମ ଗାଁ ଆଉ ଗାଁ ହେଇ ନାହିଁ । ସହରରୁ ସେମାନେ ଆସି ଗାଁକୁ ଫଟେଇ ଆଠ ଦଶ ଫାଙ୍କ କରିଦେଲେଣି ।

 

ମି. ରାୟ—ସେଇଥିପାଇଁ ତୁମେମାନେ ଦାୟୀ । ତୁମେ ସବୁ କେବେ ତାଙ୍କୁ ପଚାରିଚ ? କେବେ ତାଙ୍କଠାରୁ ଜାଣିବାକୁ ଚାହିଁଛ ? ଏ ଭେଦଭାବ ସୃଷ୍ଟି କରିବାରେ ତାଙ୍କ ମତଲବ କଣ ଜାଣ ? ନିଜେ ନିଜର ଶାସନ ଚଳାଇବ, ଭଲ ଲୋକ ଆମ ଭିତରୁ ବାଛି ବାହାରକରି ଶାସନଡୋରି ତାଙ୍କ ହାତରେ ଦେଇ ଆଇନ ଯାହା କହୁଚି ତାରି ଅନୁସାରେ କାମ କରାଯିବ । ତାଙ୍କ ଦଳ ହେଉ ବା ୟାଙ୍କ ଦଳ ହେଉ, ତମ ଦଳ ହେଉ ବା ଆମ ଦଳ ହେଉ, କେହି ଗାନ୍ଧୀ ମହାତ୍ମା ନୁହନ୍ତି । ସୁବିଧା ପାଇଲେ ସମସ୍ତେ ଶୋଷିବେ ।

 

ପୀତାମ୍ବର—ହଁ ବାବୁ, ସେଥର ଦଳ ଦଳ ହେଇ ଆସିଲେ । ହାତୀ ଦବୁ, ଘୋଡ଼ା ଦବୁ କେତେ ଭୁଲେଇଭାଲେଇ କହିଲେ । ଏଘର ପିଉସୀ ସେଘର ମାଉସୀ ହେଇ ମନ ଭୁଲେଇଲେ । କାନ୍ଧରେ ହାତ ପକେଇଲେ । ମା ପେଟରେ ଭାଇ ପରି କେତେ ସୁଆଦ କଥା କହିଲେ, ସତେ ଅବା ଗୋଟାଏ ନାହି ଦୁଇଖଣ୍ଡ ହେଇଚି ।

 

ବିବେକ—ସେ ବାବୁ ଏଥର କଣ କଲେ ଜାଣନ୍ତି ? କଟକରେ ଯାଉଥିଲେ । ଆମେ ସବୁ ହାତଟେକି ନମସ୍କାର କଲୁ । କାକୁତି ସ୍ୱରରେ ବାବୁ, ବାବୁ ଡ଼ାକିଲୁ । ସତେ ଅବା ନବାବଙ୍କ ନାତି ! ହାତ ଉଠିଲା ନାହିଁ । ବକ ବକ ହେଇ ଚାହିଁରହିଲୁ ।

 

ବାସୁ—ଏକା ମାଘକେ ଶୀତ ଯାଉନି ମ ! ରହ ଏଥର ଗଡ଼ିଲେଣି । ଏମିତି ପାନେ ଦବା ଯେ ପୁଅ ଆଉ ଏ ଗାଁ ନାଁ ଧରିବେ ନାହିଁ ।

 

ପୀତାମ୍ବର—ନା ବାସୁଭାଇ ! ସହିସମ୍ଭାଳି ଯାଆ । ପଞ୍ଚାୟତ ଭୋଟରେ ଦେଉଳ ଆରମ୍ଭ ହେଇଚି । ଏଇ ଭୋଟରେ ମୋ କଥା ରଖିଲେ ଦେଖିବ, ଦେଉଳ ମୁଣ୍ଡି ମରିବ ।

 

ମି. ରାୟ—ଛି, ଛି, ଏ ବୁଦ୍ଧି ତୁମକୁ କିଏ ଦେଲା ? ଏ ଯେଉଁ ଟଙ୍କା ସେମାନେ ଦଉଛନ୍ତି, କେଉଁଠୁ ଆଣୁଛନ୍ତି ଜାଣିଛ ?

 

ପୀତାମ୍ବର—ସମସ୍ତେ ଜାଣିଲେ ଆପଣଙ୍କ ପରି ବାବୁ ଜିପ ଛୁଟେଇ ଭୋଟ ପାଇଁ ଏ ଗାଁକୁ ଆଉ ଆସିବେ ନାହିଁ ।

 

ମି. ରାୟ—ମୁଁ ଆସିଛି ଭୋଟ ପାଇଁ ?

 

ବାସୁ—ଭୋଟ ପାଇଁ ଆସି ନ ଥିବ, ହେଲେ ଦକ୍ଷିଣ କବାଟକୁ ଭୋଟ ଦବା ପାଇଁ ଆମକୁ ଫୁସୁଲେଇବାକୁ ଆସିଛ ତ ?

 

ମି. ରାୟ—ଏ ଧାରଣା ତୁମକୁ ସବୁ କିଏ ଦେଲା ?

 

ପୀତାମ୍ବର—ଭୋଟ ଯାଇ ମାଘ ଫଗୁଣରେ ହବ । ହେଲେ ଦି’ ଓଳି ଏତେ ଲୋକ ମଟରଗାଡ଼ିନେଇ ଏ ଗାଁକୁ ଦଉଡ଼ୁଛନ୍ତି ଯେ, ଆମେ ବି ଆଳି, ମାଣ୍ଡିଆ କାଟିବାକୁ ସମୟ ପାଉନୁ ।

 

ମି. ରାୟ—ସେମାନଙ୍କୁ ଏ ଗାଁକୁ ଆସିବାକୁ ମନା କରିଦିଅ । କୁହ, ଆମ ବିବେକ ଯାହା କହିବ, ଆମେ ଯାହା ବିଚାର କରିବୁ, ତା ଅନୁସାରେ ଆମେ ଭୋଟ ଦବୁ ।

 

ବାସୁ—ସହରରେ ବାଡ଼ିଆବାଡ଼ି ହେଲେ ହୁଅନ୍ତେ ! ଏ ଗାଁକୁ ଆସି ସାରିଦେଲେଣି ।

 

ମି. ରାୟ—ଯେଉଁମାନେ ନିଜର ସ୍ୱାର୍ଥ ପାଇଁ ତୁମ ମନକୁ ଫଟେଇ ଦଉଛନ୍ତି, ସୁନାଶିରୀ ଗାଁକୁ ଫଟେଇ ହତଶିରୀ କରିଛନ୍ତି, ସେମାନଙ୍କୁ କୁହ—ଆମେ ସମସ୍ତେ ଗୋଟିଏ ମା ପେଟର ଭାଇ, ଆମ ମନରେ ବିଷମଞ୍ଜି ପୋତୁଛ କାହିଁକି ?

 

ବାସୁ—ଏଇଛୁଣା ଆପଣଙ୍କ ଆଗେ ଆଗେ ସେ ଆସିଥିଲା । ବାଡ଼ି ଗୋବରେ ଗୋବେ ଜମି ନାହିଁ-। ବରଷକେ ଥରେ ଗାଁ ମାଟି ମାଡ଼େ ନାହିଁ । ଦୁନିଆ ଲୋକଙ୍କୁ ଧପେଇ ଧପେଇ ଗାଁରୁ ତଡ଼ା ଖାଇଥିଲା । ସେ ଆଜି କହୁଚି ଆମେ ସଫେଇ ଦବୁ ସେ ଭଲଲୋକ ।

 

ମି. ରାୟ—ତୁମେ କାହା କଥା କହୁଚ ?

 

ପୀତାମ୍ବର—ନା, ସେ କିଛି ନୁହେଁ । ଭୋଟ ଦେବା ପାଇଁ ଯେଉଁମାନେ ଆମକୁ ଫୁସୁଲଉଛନ୍ତି, ସମସ୍ତେ ସମାନ ।

 

ମି. ରାୟ—ତାହେଲେ ରାଧାକାନ୍ତ ଦକ୍ଷିଣ କବାଟ ଆସିଚି !

 

ବାସୁ—ସେ କୁଆଡ଼େ ଆସିଲା ଆଜ୍ଞା ? ତୁ ଦେଖିଚୁ ପୀତାମ୍ବର ?

 

ବିବେକ—ଦେଖିବ କଣ ବାସୁଭାଇ ! ତୋ ପୁଅ ଆଉ ତା ନାତିକି ଚାକିରି କରିଦେବ ବୋଲି କେତେ ମିଛ କହୁଛୁ ?

 

ମି. ରାୟ—ସ୍ୱାର୍ଥପରତା ହିଁ ହେଲା ଏ ଯୁଗର ଧର୍ମ । ତୁମେ କେହି କିଛି କରିପାରିବ ନାହିଁ । ସେମାନଙ୍କର ଦୋଷ ନୁହେଁ କି ମୋର ଦୋଷ ନୁହେଁ ।

 

ବିବେକ—ଆଉ ତେବେ କିଏ ଦାୟୀ ବାବୁ ?

 

ମି. ରାୟ—ନିର୍ବାଚନ ବ୍ୟବସାୟ ହେଇଉଠିଚି ।

 

ବିବେକ—ତା ନୁହେଁ କଣ ? ଟଙ୍କା ନ ଥିଲେ କିଏ ଭୋଟ ଲଢ଼େଇ କରିପାରିବ ? ମୁଠା ମୁଠା ଟଙ୍କା ଦରକାର । ସେଇ ଟଙ୍କା ନାହିଁ ବୋଲି ସିନା ଦକ୍ଷିଣ କବାଟ ମୁଣ୍ଡ ଚକର ଦଉଚି ।

 

ମି. ରାୟ—ତା ହେଲେ ତୁମେମାନେ ଚାହୁଁଛ ସେ ଛିଡ଼ା ହୁଅନ୍ତୁ ।

 

ବିବେକ—ଯେତେ ବେଶୀ ଠିଆ ହେବେ ସେତେ ମଙ୍ଗଳ । କାରଣ ଯେତେ ଲୋକ ବେଶୀ ଠିଆ ହେବେ ଭୋଟ ଲଢ଼େଇ ପାଇଁ ସେତେ ଲୋକ ବେଶୀ ଦରକାର ହେବେ । କିଛି ପଇସା ଗରିବ ଲୋକଙ୍କ ଭିତରେ ବାଣ୍ଟି ହୋଇଯିବ । ଦେଉଳ, ପୋଖରୀ, ରାସ୍ତା ଯେଉଁସବୁ ଅଧା ଅଛି, ସେ କାମଗୁଡ଼ାକ ହେଇଯିବ । ଠାକୁରେ ବରଷକେ ଦୁଇଟା ଭୋଟ ଲଢ଼େଇ କରନ୍ତେ କି ?

 

ମି. ରାୟ—ସର୍ବନାଶ । ଗଣତନ୍ତ୍ର ବିପଦଗ୍ରସ୍ତ ।

 

ବିବେକ—ଯେ ହାରୁ ବା ଜିତୁ, ସେଥିରେ ଆମର ଯାଏ ଆସେ ନାହିଁ । କଥାରେ ଅଛି, ଆଲୋ ମଉସା ଜଡ଼ ପଇସା । ତୁମକୁ ମୋ ରାଣ ବାବୁ, ହଜାରେ ନ ହେଲେ ଏ ଗାଁ ବାଲା ଭୋଟ୍‍ କେନ୍ଦ୍ରକୁ ଯିବେ ନାହିଁ ।

 

ମି. ରାୟ—(ବ୍ୟଥିତ ଭାବେ) ହେ ଭଗବାନ ! ଏ ହେଉଚି ଗଣତନ୍ତ୍ର । ଆଚ୍ଛା, ପରେ ଦେଖାହେବ । ଦକ୍ଷିଣ କବାଟକୁ ମୁଁ ସାହାଯ୍ୟ କରିବି । ତୁମେମାନେ ଭୋଟ ଦିଅ କି ନ ଦିଅ, ମୁଁ ସାହାଯ୍ୟ କରିବି ।

 

ବିବେକ—ଟଙ୍କା ପାଣିରେ ପଡ଼ିଯିବ ଆଜ୍ଞା ! ଟଙ୍କା ସିନା ଆପଣ ଦେବେ, ହେଲେ ସେ ଖରଚ କରିବ ନାହିଁ । କେଉଁଦିନ ଆପଣଙ୍କୁ ନ ଜଣେଇ ବ୍ୟବସାୟ କରି ଆଉ କିଛି ଟଙ୍କା ସେମାନଙ୍କଠୁ ଝଡ଼େଇ ଠିଆ ନ ହୋଇ ବସିପଡ଼ିବ ।

 

ମି. ରାୟ—ବଡ଼ଲୋକ ତା ଏମିତି କରୁଛନ୍ତି । ସେ ଯେ ଗରିବ….. ।

 

ପୀତାମ୍ବର—ବାବୁଙ୍କର ସଉକ ହେଇଚି ତାଙ୍କୁ ସାହାଯ୍ୟ କରିବେ, ସାହାଯ୍ୟ କରନ୍ତୁ ।

 

ମି. ରାୟ—ସେ ତେବେ କେଉଁଆଡ଼େ ଗଲା ?

 

ବାସୁ—ଯିବ କୁଆଡ଼େ ଆଜ୍ଞା, ଆଗରେ ଦେଖନ୍ତୁ ।

 

ମି. ରାୟ—ଆଚ୍ଛା, ନମସ୍କାର । (ପ୍ରସ୍ଥାନ)

 

ବିବେକ—ଏ ସମସ୍ତେ ଏଜନ ବାସୁଭାଇ ! ହେଲେ ସମୁଦାୟ ହ’ଟେ ମନ୍ଦିର ପାଇଁ ଦରକାର ।

 

ପୀତାମ୍ବର—ଭୋଟ ଟଙ୍କା ନ ହେଲେ କିଛି ତ ଏ ଯୁଗରେ ହଉନି । ଠାକୁରେ କାହିଁକି ସେଥିରୁ ବାହାରିଯିବେ ? ଠାକୁରେ ପରା ବଡ଼ ନାଞ୍ଚୁଆ ।

 

(ସମସ୍ତେ ହସିଲାବେଳେ ମଞ୍ଚ ଅନ୍ଧକାର)

✽✽✽

 

ସପ୍ତମ ଦୃଶ୍ୟ

 

[ମି. ଦାସଙ୍କ ଡ୍ରଇଂରୁମ ସଂଲଗ୍ନ ଲାଇବ୍ରେରୀ । ମି. ଦାସ ଲାଇବ୍ରେରୀରେ ପଢ଼ୁଥିଲେ ଗଙ୍ଗାଧର ଗ୍ରନ୍ଥାବଳୀ । ଚିନ୍ମୟୀ ଅସ୍ତବ୍ୟସ୍ତ ହୋଇ ପଶିଆସିଲେ]

 

ଚିନ୍ମୟୀ—ହେ କୁଆଡ଼େ ଗଲ ମ ?

 

ମି. ଦାସ—ମଣିଷକୁ ଟିକିଏ ପଢ଼ାପଢ଼ି କରିବାକୁ ଦିଅ । (ହାତରେ ଗଙ୍ଗାଧର ଗ୍ରନ୍ଥାବଳୀ ଧରି ଉଠିଆସିଲେ) ମିଲ୍ କି ଗଲେ ବାର ଝାମେଲା । ଏଣେ ଏ ଲୋକଗୁଡ଼ାକ ବସେଇ ଉଠେଇ ଦଉ ନାହାନ୍ତି । କବି ଗଙ୍ଗାଧର ଜୟନ୍ତୀକୁ ଅଭିଭାଷଣ ଲେଖା ହେଲେ ପ୍ରେସ୍‍କୁ ଯିବ ।

 

ଚିନ୍ମୟୀ—କବି ଗଙ୍ଗାଧର ଜୟନ୍ତୀକୁ ଅଭିଭାଷଣ ଲେଖିବା ପାଇଁ ଏତେ ବ୍ୟସ୍ତ ! ହେଲେ ଭାଇଙ୍କର ସେ ସର୍ବନାଶ କରିଦେବ । ଭାଇଙ୍କି ଟିକିଏ ଖବର ଦିଅ ।

 

ମି. ଦାସ—ସେ ପିଲାଲୋକ ନୁହନ୍ତି । ମୁଁ ମନା କରିଦେଲି । ତା’ ପରି ଗୋଟାଏ ଟାଉଟରକୁ ନିର୍ବାଚନ ଲଢ଼େଇ କରିବାକୁ ଟଙ୍କା କାହିଁକି ସେ ଦେଉଛନ୍ତି ସେ ଜାଣନ୍ତି ।

 

ଚିନ୍ମୟୀ—ତାଙ୍କର ଟଙ୍କା କେଉଁଠି ଅଛି ? ଘର କେଇଖଣ୍ଡ ଅଛି । ସେଥିରୁ ଖଣ୍ଡେ ବିକୁଥିବେ ବା ମାରୱାଡ଼ି ପାଖରେ ବନ୍ଧା ଦେଉଥିବେ ।

 

ମି. ଦାସ—ମୋର ସମସ୍ୟା ବହୁତ । ଶ୍ରମିକମାନେ ମେଳି ବାନ୍ଧୁଛନ୍ତି । ତାଙ୍କର ଦାବି ଗତ ତିନି ବର୍ଷ ହେଲା ସେମାନେ ବୋନସ୍ ପାଇଁ ନାହାନ୍ତି । ଛଅ ମାସ ବୋନସ୍ ଦେବାକୁ ସୀକୃତି ନ ଦେଲେ ମିଲ୍ ବନ୍ଦ କରିଦେବେ । ପୁଣି ତମ ଭାଇ ଶ୍ରମିକମାନଙ୍କୁ ପରାମର୍ଶ ଦେଉଛନ୍ତି ।

 

ଚିନ୍ମୟୀ—ମିଛ କଥା । ତୁମେ ବାର ଆଳ ଦେଖେଇ ତାଙ୍କ ପାଖକୁ ଯିବାକୁ ଚାହୁନ ।

 

ମି. ଦାସ—ମୋର ସମୟ ନାହିଁ କି ମୁଁ ଯାଇପାରିବି ନାହିଁ । (ଲାଇବ୍ରେରୀକୁ ପଶିଗଲେ)

 

ଚିନ୍ମୟୀ—ତମେ ନ ଯାଅ । ମୁଁ ଯିବି । ମୁଁ ତାଙ୍କୁ ପଚାରିବି । (ଗଲାବେଳେ ତୃପ୍ତି ଆସିଛି)

 

ତୃପ୍ତି—ତୁମେ ଭାଇଙ୍କି ପଚାରିଲ ନାହିଁ ଭାଉଜ?

 

ଚିନ୍ମୟୀ—ମୁଁ କଣ ପଚାରିବି ? ଭାଇଙ୍କି ତୁମେ ପଚାର । ମୋର ସମୟ ନାହିଁ । ମୋ ଭାଇ ବିପଦଗ୍ରସ୍ତ । (ପ୍ରସ୍ଥାନ)

 

ତୃପ୍ତି—ଭାଇ ! ଭାଇ !

 

ମି. ଦାସ—ତୋର ପୁଣି କ’ଣ ହେଲା ?

 

ତୃପ୍ତି—ସେ କାଗଜରେ କଣସବୁ ମୋ ନାମରେ ଲେଖା ବାହାରିଛି ପଢ଼ିଛ ?

 

ମି. ଦାସ—ସେଥିରେ ତୁ ଏତେ ଗୁରୁତ୍ୱ ଦେଉଚୁ କାହିଁକି ?

 

ତୃପ୍ତି—ଆମଠୁ ଚାନ୍ଦା ନେବେ-ଆମରି ପଇସାରେ କାଗଜ ବାହାରିବ, ଅଥଚ ଆମରି ନାମରେ ଦୁର୍ନାମ ଦେଇ–

 

ମି. ଦାସ—ସେମାନେ ତ ଭୁଲ ଖବର ଦେଇ ନାହାନ୍ତି ! କଲ୍ୟାଣ ସଂସ୍କୃତିକ ଅନୁଷ୍ଠାନକୁ ଯେଉଁ ଆର୍ଥିକ ସାହାଯ୍ୟ ମିଳିଥିଲା, ସେଥିରେ ନାରୀ ପ୍ରତିନିଧି ନ ଯାଇ ଅନେକ ପୁରୁଷ ପ୍ରତିନିଧି ଯାଇଥିଲେ । ଏ କଣ ମିଛ ?

 

ତୃପ୍ତି—ମୀରା କହୁଥିଲା, ଭାଉଜଙ୍କ ଭାଇ ସେମାନଙ୍କ ସାଙ୍ଗରେ ପରାମର୍ଶ କରୁଥିଲେ । ସେମାନେ ଆଜି ସାଧାରଣ ସଭା କରିବେ ।

 

ମି. ଦାସ—କାହା ସାଙ୍ଗରେ ପରାମର୍ଶ କରୁଥିଲେ ?

 

ତୃପ୍ତି—ନାରୀ ନେତ୍ରୀ ହେଇଚି !!! ତା ଭାଇ ଆମର ନିମକ ଖାଇବ । ମୋ ନାମରେ ସେ ବ୍ୟଙ୍ଗ କବିତା ଲେଖିବ । ଆଉ ନନ୍ଦିତା ମୋତେ ସାଧାରଣ ସଭାରେ ଅପଦସ୍ତ କରିବ ?

 

ମି. ଦାସ—ଆଚ୍ଛା, ତା ଭାଇକୁ ମିଲ୍‍ରୁ ହଟାଇଦେଇଚି । ସେ ଆଜିଠୁ ମୋ ଲାଇବ୍ରେରୀରେ କାମ କରିବାକୁ ଆସିବା କଥା । ସେ ଆସିଲେ ପଚାରିବୁ ।

 

ତୃପ୍ତି—ପଚାରିବି କଣ ? ଆଜି ସନ୍ଧ୍ୟାରେ ସେମାନେ ସଭା ଡାକୁଛନ୍ତି ।

 

ମି. ଦାସ—ତୁ ଏଥିରେ ବିବ୍ରତ ହେଉଛୁ କାହିଁକି ? ସଭା ଡାକିଲେ–

 

ତୃପ୍ତି—ନା ନା, ଏ ସଭା ମୁଁ କରେଇ ଦେବିନି । ଉପଦେଷ୍ଟା ଭାବରେ କେତେ ଜଣ ପୁରୁଷ ବନ୍ଧୁ ଆମ ଡେଲିଗେସନରେ କଲିକତା ଗଲେ ଯେବେ ପାପ ହେଲା, ତେବେ ପ୍ରଶାନ୍ତ ଭାଇ ତ ପୁରୁଷ ଲୋକ । ସେମାନଙ୍କ ଉପଦେଷ୍ଟା ହେଇଛନ୍ତି କେମିତି ?

 

ମି. ଦାସ—ଆଚ୍ଛା, ସେ ଆସିଲେ ତାଙ୍କୁ ପଚାରିବୁ ।

 

ତୃପ୍ତି—ଆପଣ ନିଶ୍ଚିନ୍ତ ହେଇପାରନ୍ତି । ମୁଁ ପାରିବିନାହିଁ । ନନ୍ଦିତା ମିଲ୍ ରେ ତା ଭାଇ ସାହାଯ୍ୟରେ ବାର ଗୋଳମାଳ ସୃଷ୍ଟି କରୁଛି । ତା ଭାଇକୁ ବରଖାସ୍ତ କର । ନନ୍ଦିତାକୁ ମୁଁ ଠିକ କରିଦେବି । ଏ ସଭା ହେବାକୁ ଦେବିନାହିଁ । (ରାଗ ତମତମ ହେଇ ଚାଲିଗଲା)

 

ମି. ଦାସ—ତୃପ୍ତି ! ତୃପ୍ତି ! ଆରେ ଭାଉଜ ଚାଲିଗଲା । ତୁ ଚାଲିଗଲୁ । ହେଲେ ଗାଡ଼ି ନେଇ ଯାଇଥାନ୍ତ । ଡ୍ରାଇଭର ! ଡ୍ରାଇଭର ! (ଭିତରକୁ ଗଲେ- ଗ୍ରନ୍ଥାବଳୀ ହାତରେ । ମୀନାକ୍ଷୀ କାନ୍ଧରେ ବ୍ୟାଗ ନେଇ ପ୍ରବେଶ କରିଛି)

 

ମୀନାକ୍ଷୀ—ବାବା ଦେଇ କାହିଁ ଗଲେ ? ମୁଁ ସ୍କୁଲକୁ ଯିବି ବାବା !

 

ମି. ଦାସ—(ପ୍ରବେଶି) ତୋର ପୁଣି କଣ ଅଭିଯୋଗ ?

 

ମୀନାକ୍ଷୀ—ଦେଇ କାହାନ୍ତି ? ମା କାହାନ୍ତି ? ଚାଲ ତୁମେ ମୋତେ ସ୍କୁଲରେ ଛାଡ଼ି ଦେଇ ଆସିବ ।

 

ମି. ଦାସ—ୟେସ୍, ୟେସ୍, ଆଚ୍ଛା ଡ୍ରାଇଭର ! ଗାଡ଼ିରେ ମୋ ମାକୁ ନେଇ ସ୍କୁଲରେ ଛାଡ଼ିଦେଇ ଆସ ।

 

ମୀନାକ୍ଷୀ—ନୋ ନୋ, ଇଉ ଉଇଲ୍ ଗୋ ।

 

ମି. ଦାସ—ଡୁ ନଟ୍ ବି ଅବଷ୍ଟିନେଟ୍ ଲାଇକ୍ ୟୋର ମଦର୍ । ମିଲ୍ କୁ ଗଲାବେଳେ ତୋତେ ସାଙ୍ଗରେ ନେଇ ଯିବି ।

 

ମୀନାକ୍ଷୀ—ସିଓର୍ !

 

ମି. ଦାସ—ଡାଟସ୍ ଲାଇକ୍ ମାଇଁ ଗୁଡ଼ ମଦର୍ । ଡ୍ରାଇଭର !

 

ମୀନାକ୍ଷୀ—ଡ୍ରାଇଭର ! (ପ୍ରସ୍ଥାନ)

 

ମି. ଦାସ—ଖାଲି ପ୍ରୋବ୍ଲେମ । ଘରେ ବାହାରେ ଖାଲି ସମସ୍ୟାର ଉତ୍ପୀଡ଼ନ ! ଲୋକଟା ଯେବେ ନ ଆସେ ! ଆଉ ଅଭିଭାଷଣ ଲେଖା ଯେବେ ଶେଷ ନ ହୁଏ ବଡ଼ ଅପଦସ୍ତ ହେବା କଥା । (ଲାଇବ୍ରେରୀକୁ ପଶିଲାବେଳେ ଆସିଛନ୍ତି ପାଣ୍ଡୁଲିପି ଧରି ରମେଶଚନ୍ଦ୍ର)

 

ରମେଶ—ସାର୍ !

 

ମି. ଦାସ—ଆରେ ଆପଣ ଆସିଛନ୍ତି ! ଧନ୍ୟବାଦ ବସନ୍ତୁ, ବସନ୍ତୁ ।

 

ରମେଶ—(ଈଷତ ହସିଲେ)

 

ମି. ଦାସ—ଶ୍ରମିକ ସମସ୍ୟା ସାଙ୍ଗରେ ନିଜେ ଜଡ଼ିତ ହୋଇ ନିଜର ସର୍ବନାଶ କରନ୍ତୁ ନାହିଁ । ଆପଣଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଅଛି, ହେଲେ ସେ ସବୁକୁ ମୁଁ ବିଶ୍ୱାସ କରେ ନାହିଁ । ନନ୍ଦିତା ତୃପ୍ତିର ବନ୍ଧୁ ହେଲେ ବି ସବୁ ସମୟରେ ତୃପ୍ତି ବିରୁଦ୍ଧରେ ସେ ଯେ କାହିଁକି କୁତ୍ସାରଟନା କରିବ ! ! !

 

ରମେଶ—ମିଛ କଥା । ନନ୍ଦିତା ଦରିଦ୍ର ହୋଇପାରେ, ହେଲେ ଏତେ ନୀଚମନା ସେ ନୁହେ । ଜଣେ ଭଦ୍ର ଲୋକ ଝିଅ ସମ୍ପର୍କରେ ସେ କୁତ୍ସାରଟନା କରିବ !!!

 

ମି. ଦାସ—ଅତି ଉତ୍ତମ । ଆଚ୍ଛା ପ୍ରଶାନ୍ତ ଭାଇ ଆପଣଙ୍କ ପାଖକୁ ବେଳେ ବେଳେ ଯାଆନ୍ତି କି ?

 

ରମେଶ—ସମୟେ ସମୟେ ଯାଆନ୍ତି ।

 

ମି. ଦାସ—ପରେ ସେ ବିଷୟରେ ଆଲୋଚନା କରିବା । ସେଦିନ ଛାତ୍ର ସମାଜ ପାଇଁ ମୋ ଅଭିଭାଷଣଟି ଲେଖି ଦେଇଥିଲା ବୋଲି ଧନ୍ୟବାଦ । ଗଙ୍ଗାଧର ଜୟନ୍ତୀ ପାଇଁ ମୋର ଗୋଟିଏ ଅଭିଭାଷଣ ଦରକାର । ଅଭିଭାଷଣଟି ପ୍ରସ୍ତୁତ ହୋଇଗଲେ ପ୍ରେସ୍‍କୁ ଯିବ ।

 

ରମେଶ—ମୋର ମାନସିକ ଅବସ୍ଥା ଭଲ ନାହିଁ । ମୁଁ ଆସିଥିଲି-

 

ମି. ଦାସ—ମୁଁ ଆପଣଙ୍କୁ ସୁଖୀ କରିବି । ମୋର ଗୋଟିଏ ଦୈନିକ କାଗଜ ବାହାରିବ । ତାର ସମ୍ପାଦନା ଭାର ଆପଣଙ୍କ ଉପରେ ନ୍ୟସ୍ତ ହେବ । ଆଉ ଆପଣଙ୍କ ଦଳର ଦୁସ୍ଥ କର୍ମୀମାନଙ୍କୁ ସାହାଯ୍ୟଦେବା ପାଇଁ ଗୋଟାଏ ବିରାଟ ଯୋଜନା ପ୍ରସ୍ତୁତ କରୁଛି । ଦେଶର ଏ ଭୟାବହ ପରିସ୍ଥିତିକି ସଜାଡ଼ିବା ପାଇଁ ଆବଶ୍ୟକ ହେଲେ ମୋତେ ସକ୍ରିୟ ରାଜନୀତିରେ ଭାଗନେବାକୁ ହେବ । ଆପଣ ନିଶ୍ଚିନ୍ତରେ ଡ୍ରଇଂ ରୁମ୍ ରେ ବସି ଅଭିଭାଷଣଟି ଲେଖନ୍ତୁ । ମୁଁ ଦୁଇ ଘଣ୍ଟା ଭିତରେ ଆସୁଛି । (ପ୍ରସ୍ଥାନ)

 

ରମେଶ—ଦଳୀୟ ରାଜନୀତି ପାଇଁ କାଗଜ ଅମୋଘ ଅସ୍ତ୍ର । ହାଃ ହାଃ ହାଃ । ଦାତା କର୍ଣ୍ଣ ଶ୍ରମିକର ଶ୍ରମ ମୂଲ୍ୟ ଦେବାକୁ କୁଣ୍ଠିତ କାହିଁକି ?

 

(ଲାଇବ୍ରେରୀକୁ ପଶିଗଲାବେଳେ ରଙ୍ଗମଞ୍ଚ କିଛି ସମୟ ପାଇଁ ଅନ୍ଧକାର ହୋଇଗଲା । ପୁନଶ୍ଚ ଦେଖାଗଲା ଡ୍ରଇଂ ରୁମ୍ ରେ ରମେଶ ମି. ଦାସଙ୍କ ପାଇଁ ଅଭିଭାଷଣଟି ଲେଖୁଛନ୍ତି ।)

 

ରମେଶ—ପ୍ରକୃତିର ବରପୁତ୍ର ଓଡ଼ିଶୀ କବି ମେହେରଙ୍କ ଜନ୍ମତିଥିରେ ସାହିତ୍ୟ ସମାଜ ମେହେର ଜୟନ୍ତୀ ଉତ୍ସବ ପାଳନ କରିବା ଜାତି ପକ୍ଷରେ ମହା ଗୌରବର କଥା । ଗୁଣୀର ଗୁଣ କୀର୍ତ୍ତନ କରିବା ଜାତିର ଧର୍ମ ।

 

କବି ମେହେର ଗାଉଁଲୀ ପାଠଶାଳାରୁ ପାଠ ଶେଷ କରି ଜୀବନଧାରଣ ନିମନ୍ତେ ପୈତୃକ ବ୍ୟବସାୟରେ ଆତ୍ମନିୟୋଗ କଲେ । ଚିର ହାହାକାରମୟ ଦରିଦ୍ରତା ଭିତରେ ହିଁ ତାଙ୍କର ସୁଧାସ୍ରବୀ କବିତଧାରାର ନିଃସ୍ୱଳନ ।

 

କବିଙ୍କ ରଚନାର ଗୋଟିଏ ପ୍ରଧାନ ଗୁଣ ହେଉଚି ସେ ଯେତେବେଳେ ଯାହା ଚିତ୍ର ଦେବାକୁ ଯାଇଛନ୍ତି, ଅତି ନିଖୁଣ ଭାବରେ ଓଡ଼ିଶୀ ଦୃଷ୍ଟିକୋଣ ନେଇ ନାୟକ ନାୟିକାଙ୍କ ଅନ୍ତରରେ ଓଡ଼ିଶୀ ପ୍ରକୃତିର ଚାରୁଚିତ୍ରକଳାର ମାଧୁରୀ ନିପୁଣ ଭାବରେ ଫୁଟାଇ ପାରିଥିଲେ । କବି ନଜି କାବ୍ୟ- କବିତାରେ ଚିତ୍ରିତ ନାୟକ-ନାୟିକାଙ୍କର ଅନ୍ତରରେ ନିଜର ଅନ୍ତର ଥୋଇ ଦେଇଛନ୍ତି । ତେଣୁ ତାଙ୍କ ରଚନା ପାଠକଲେ ଆତ୍ମ ବିହ୍ୱଳ ହୋଇ ଉଠେ । ଦୃଷ୍ଟାନ୍ତ ସ୍ୱରୂପ—

 

(ତୃପ୍ତି ରାଗ ତମତମ ହୋଇ ପ୍ରବେଶ କରିଚି)

 

‘‘ଥାଉ ଅନ୍ୟ କଥା ହୁଏ ଯଦି ତାର ପ୍ରୀତି ପାଇଁ ପ୍ରୟୋଜନ

କୁଣ୍ଠିତ ନ ହେବି କଦାପି ଜୀବନ କରିବାକୁ ବାସର୍ଜନ ।’’

 

ପ୍ରଣାୟମଦିରାମତ୍ତ କୀଚକର ଦ୍ରୌପଦୀଙ୍କ ଉଦ୍ଦେଶ୍ୟରେ ଏପରି ଚିନ୍ତା କରିବା କେତେ ସ୍ଵାଭାବିକ।-

 

ତୃପ୍ତି—ଅଭଦ୍ର !

 

ରମେଶ—ଅଭଦ୍ର !!

 

ତୃପ୍ତି—ତମେ ଏଠି କାହିଁକି ?

 

ରମେଶ—ଅନ୍ନଦାତାଙ୍କ ହୁକୁମ ।

 

ତୃପ୍ତି—ଅନ୍ନଦାତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରିବାକୁ ବେଳ ନ ଥାଏ । ହେଲେ ପ୍ରଭୁଭକ୍ତ କୁକୁରଙ୍କ ଭଳି......

 

ରମେଶ—ତୃପ୍ତି ! ମଣିଷ ଅବସ୍ଥାରେ ରହି କଥା କହୁଚ ?

 

ତୃପ୍ତି—ନିମକହାରାମୀ ଯେଉଁମାନଙ୍କର ବୃତ୍ତି—

 

ରମେଶ—ମାନେ ?

 

ତୃପ୍ତି—ମୋ ନାମରେ ବ୍ୟଙ୍ଗ କବିତା ଲେଖିଛି କିଏ ?

 

ରମେଶ—ମୁ କିମିତି କହିପାରିବି ?

 

ତୃପ୍ତି—ତମ ଭଉଣୀ ସାଧାରଣ ସଭା କରି ମୋତେ କୈଫିୟତ୍ ତଲବ କରିବା ପାଇଁ ଗାର୍ଲସ୍ କମନ୍ ରୁମ୍ ରେ ପରାମର୍ଶ କରୁଥିଲା ।

 

ରମେଶ—ତାର ଉତ୍ତର ମୁଁ କିମିତି ଦେବି ?

 

ତୃପ୍ତି—ତମ ପରି ସ୍କାଉଣ୍ଡ୍ରେଲ୍‍କୁ ଚପଲ କାଢ଼ି ପଚାରିବା କଥା । (ମି. ରାୟ ପ୍ରବେଶ କରିଛନ୍ତି)

 

ମି. ରାୟ—ଏ ସବୁ କଣ ହେଉଚି ତୃପ୍ତି ?

 

ତୃପ୍ତି—କୌମାର୍ଯ୍ୟ ବ୍ରତ ପାଳନ କରିବ ଯାଅ ପ୍ରଶାନ୍ତ ଭାଇ ! ନନ୍ଦିତା ଦେବୀ ପାର୍ଟି ଅଫିସରେ ତମରି ବାଟ ଚାହିଁ ଅପେକ୍ଷା କରି ରହିଥିବେ ।

 

ରମେଶ—ଯଥେଷ୍ଟ ଚାକିରି ହେଇଗଲା ତୃପ୍ତି ଦେବୀ ! ଏ ଚପଲ ମାଡ଼ ନାଲ ହୋଇ ରହିଗଲା ଗାଲରେ । (ପ୍ରସ୍ଥାନ କଲାବେଳେ)

 

ମି. ରାୟ—ରମେଶ ବାବୁ ! ତୃପ୍ତି ତୁ ଏ କଣ କଲୁ ?

 

ତୃପ୍ତି—ଚପଲଟା ଗୋଡ଼େଇ ରହିଗଲା । ନୋହିଲେ ସେ ବୁଝିଥାନ୍ତା ଆଉ ତମେ ବୁଝିଥାଆନ୍ତ ।

 

ମି. ରାୟ—ମୋତେ ନ ବୁଝେଇ ତୋ ଭାଇ ଭାଉଜଂକୁ ବୁଝେଇଦେବୁ । ଯେଉଁମାନେ ସାଧାରଣ ଲୋକଙ୍କ ସାଙ୍ଗରେ କାମ କରି ନାଁ କମେଇବା ପାଇଁ ପାଗଳ ହୋଇ ଉଠନ୍ତି ସେମାନଙ୍କୁ ସବୁ ଶୁଣିବାକୁ ହେବ । ଗଣତନ୍ତ୍ରର ମୂଳମନ୍ତ୍ର ହେଲା ସହନଶୀଳତା । ଟଲରେନ୍‍ସ ଇଜ୍‍ ଦି ଫାଷ୍ଟ ଫଣ୍ଡାମେଣ୍ଟାଲସ୍‍ ଅଫ୍‍ ଡିମୋକ୍ରେସି ।

 

ତୃପ୍ତି—ବହୁତ ସରମନ୍‍ସ ତମେ ଶୁଣେଇଛ । ଅନୁରୋଧ କରୁଛି ତୁମେ ଏଠୁ ଚାଲିଯାଅ । (ପ୍ରସ୍ଥାନ)

 

ମି. ରାୟ—ଧନମତ୍ତ ହୋଇ ନନ୍ଦିତାର ମୋ ସାଙ୍ଗରେ ଖରାପ ସମ୍ପର୍କ ଅଛି ବୋଲି କହିଲୁ ତୃପ୍ତି ! କହ, ହେଲେ ସେ ଲୋକଟା ଚାକିରି ଛାଡ଼ିଦେଇ ଗଲା । ତା ଅବସ୍ଥା କ'ଣ ହବ ?

 

ତୃପ୍ତି—(ପ୍ରବେଶି) ସେ ଚାକିରି ଛାଡ଼ିଯିବ କଣ ? ମୁଁ ତାକୁ ବରଖାସ୍ତ କରିଛି । ମିଲ୍ ଖାଲି ଭାଇଙ୍କର ନୁହେଁ; ମୋର ମଧ୍ୟ ସେୟାର ଅଛି । ହଁ ମୁଁ ତାକୁ ମିଲ୍ ରୁ ବରଖାସ୍ତ କରିଛି ।

 

ମି. ରାୟ—ଧନ୍ୟବାଦ (ପ୍ରସ୍ଥାନ)

 

ତୃପ୍ତି—ତୁମେ ତୁମର ଆତ୍ମ ସମ୍ମାନ ରକ୍ଷାକରିବାକୁ ନ ଚାହିଁଲେ ମୁଁ କ'ଣ କରିବି ? (ପ୍ରସ୍ଥାନ)

 

(ଖାତା ନୋଟ ବହି ଟେବୁଲ ଉପରେ ଥୁଆ ହେଇଥିଲା । ଉଠାଇନେଇ)

 

ରବିସ୍‍ ! ନାଷ୍ଟି ଉପନ୍ୟାସ ! ‘ଶ୍ରମିକ କଲୋନି’ ! ନନସେନ୍‍ସ ! ଭାଇ ଆସନ୍ତୁ, ଆଇ ଉଇଲ୍‍ ସି ୟୁ ଅଲ୍‍ ।

 

(ମଞ୍ଚ ଅନ୍ଧକାର ହୋଇଗଲା)

✽✽✽

 

Unknown

ଦ୍ଵିତୀୟ ଅଙ୍କ

ପ୍ରଥମ ଦୃଶ୍ୟ

 

[ମି. ଦାସଙ୍କ ବୈଠକଖାନା ସଂଲଗ୍ନ ଅଫିସ ରୁମ୍‍ । ମି. ଦାସ ଭୟଙ୍କର ରାଗରେ ଥରୁଥିଲେ । ହାତରେ ଶ୍ରମିକମାନଙ୍କର ଚରମ ପତ୍ର । ମନୋନିବେଶ ସହକାରେ ପଢ଼ିବାକୁ ଚେଷ୍ଟା କରୁଥିଲେ । ହେଲେ ତାଙ୍କର ଅସହିଷ୍ଣୁତା ସ୍ଵଭାବ ସକାଶେ ଦାବି ପତ୍ରକୁ ଦୂରକୁ ଫିଙ୍ଗିଦେଲେ]

 

ମି. ଦାସ—ନନସେନ୍‍ସ । ଖାଲି ଦାବି । ଦରମା ବଢ଼ାଅ । ଲାଭାଂଶ ଦିଅ । ଖାଲି ଦିଅ ଓ କର । କର୍ମକୋଢ଼ି ବେକାର ଦଳ ଦେଶଟାକୁ ଉଜାଡ଼ି ଦେବେ । ଆଉ ଏ ଯଦୁନାଥ ନେତା ସାଜିଛି । (ଏତିକିବେଳେ ଇଲେକଟ୍ରିକ କଲିଙ୍ଗ୍‍ ବେଲ୍‍ ବଜାଇଦେଲେ । ଯଦୁନାଥ ଆଗଭର ହେଇ ଆସିଲା)

 

ଯଦୁନାଥ—ପ୍ରଣାମ ଆଜ୍ଞା !

 

ମି. ଦାସ—ଯଦୁନାଥ ! ତମର ଦାବି ପତ୍ର ପଢ଼ିଲି । ଦେଖିଲି ଏ ତ ଦାବି ପତ୍ର ନୁହେଁ, ଏକବାର ଚରମ ପତ୍ର । ଅବାନ୍ତର ଦାବିଗୁଡ଼ିକ ପୂରଣ ନ ହେଲେ ଧର୍ମଘଟ ହେବ । ଅବାନ୍ତର ଦାବି ପୂରଣ କରିବା ମୋ ପକ୍ଷରେ ଏକବାର ଅସମ୍ଭବ । ତମକୁ ବୁଝେଇ ଦଉଚି ତମେ ଶ୍ରମିକମାନଙ୍କୁ ବୁଝେଇଦିଅ । ଏ ମିଲ୍ ରାଜନୀତିର ସ୍ଥାନ ନୁହେଁ । ଦେଶର ସମୂହ ଉତ୍ପାଦନ ବଢ଼ିଲେ ଦେଶ ସମୃଦ୍ଧ ହେବ । ଦେଶ ସମୃଦ୍ଧ ହେଲେ ଅଗଣିତ ନାଗରିକଙ୍କର ଜୀବନର ମାନ ବଢ଼ିବ । ଶ୍ରମିକ ଦାବିର ମର୍ଯ୍ୟାଦା ବଢ଼ିବ । ଶ୍ରମିକ ନିଶ୍ଚୟ ସୁଖରେ ରହିବେ । ଉତ୍ପାଦନ ହ୍ରାସ କରିବା ପାଇଁ ସେମାନଙ୍କର ପ୍ରରୋଚନାକୁ ସହ୍ୟ କରାଯାଇ ପାରିବ ନାହିଁ । ଏ ଶ୍ରମିକ ଟ୍ରେଡ଼ ୟୁନିୟନ ସଂସ୍ଥା ଭାଙ୍ଗି ଶ୍ରମିକ କଲ୍ୟାଣ ସମିତି ଗଢ଼ିବା ପାଇଁ ପ୍ରସ୍ତାବ ମୁଁ ଦେଉଛି । ବାହାର ରାଜନୈତିକ ଦଳ ବା କର୍ମୀଙ୍କ ସ୍ଥାନ ଏଠି ସହ୍ୟ କରାଯିବ ନାହିଁ । ନୂଆ ଶ୍ରମିକ ସଂସ୍ଥା ଗଢ଼ିଲେ ମୁଁ ଜବାବ ଦଉଚି, ତମ ଦାବିର ପୁନର୍ବିଚାର କରିବି । ନୋହିଲେ ଏ ରାଜନୈତିକ ଚାଲ...

 

ଯଦୁନାଥ—ରାଜନୀତିର ପ୍ରଶ୍ନ କେଉଁଠି ଅଛି ମାଲିକ ! ଶ୍ରମିକର ଅଭାବ ଅସୁବିଧା ଅନେକ ଅଛି । ସେହି କଥା ମିଳିତ ଭାବରେ ଆପଣଙ୍କ ପାଖରେ ଉପସ୍ଥାପିତ କଲେ ଆପଣ ଯେବେ ରାଜନୀତି କହି–

 

ମି. ଦାସ—ମୁଁ କହୁଛି ଶ୍ରମିକ ସମ୍ମିଳିତ ଭାବରେ ମିଲ୍‍ର ଉତ୍ପାଦନ ବଢ଼ାଇବାକୁ ଆଗ ଚେଷ୍ଟା କରୁ ।

 

ଯଦୁନାଥ—ବଜାରରେ ଚାଉଳ ଟଙ୍କାକୁ ପାଞ୍ଚ ପା ଆଜ୍ଞା !

 

ମି. ଦାସ—କେବଳ ମିଲ୍‍ର ଶ୍ରମିକ ପାଇଁ ଚାଉଳ ଦର ପାଞ୍ଚ ପା ନୁହେ । ମିଲ୍ ମାଲିକ ପାଇଁ ଚାଉଳ ଦର ଯାହା ମନ୍ତ୍ରୀ ଆଇ ଏ ଏସ ଅଫିସର କିରାଣୀ, ଚପରାଶି ସମସ୍ତଙ୍କ ପାଇଁ ଚାଉଳ ଦର ସମାନ ।

 

ଯଦୁନାଥ—ସମାଜବାଦୀ ସରକାରଙ୍କର ଏ ଦିଗରେ ତୀକ୍ଷଣ ଦୃଷ୍ଟି ଅଛି ।

 

ମି. ଦାସ—ଧନ୍ୟବାଦ ଯଦୁନାଥ ! ବହୁତ କଥା ଶୁଣାଇଲା । ମୋର ଯାହା କରିବାର କଥା ତା ମଧ୍ୟ ଶୁଣିଲ ।

 

ଯଦୁନାଥ—ତିନି ବରଷ ହେବ ମିଲ୍ ରେ ବୋନସ୍ ଦିଆ ଯାଇନି । ଅନ୍ତତଃ ଶୀଘ୍ର ବୋନସ୍‍ଟା–

 

ମି. ଦାସ—ମିଲ୍ ଲାଭ କଲେ ଶ୍ରମିକ ବୋନସ୍ ପାଇବାରେ ହକ୍‍ଦାର ହୁଏ । ଗତ ତିନି ବର୍ଷ ହେଲା ମିଲ୍‍ର ଉତ୍ପାଦନ କମି କମି ଆସିଛି । ଖାଲି କ୍ଷତି । ହୁଏତ ମୋର ପ୍ରସ୍ତାବ ଶ୍ରମିକମାନଙ୍କୁ ଶୁଣାଇଦିଅ । ମିଲ୍ ଲାଭ କରିବାବେଳେ ସେମାନେ ଲାଭାଂଶରୁ ବୋନସ୍ ରୂପେ ତାଙ୍କର ପାଉଣା ପାଉଥିଲେ । ଆଜି ମିଲ୍‍ର ଦୁର୍ଦ୍ଦିନବେଳେ କ୍ଷତିଟା ସହିବା ପାଇଁ ସେମାନଙ୍କ ପ୍ରାପ୍ୟରୁ କିଛି ଛାଡ଼ିଯାଆନ୍ତୁ ।

 

ଯଦୁନାଥ—ମାଲିକ ! ମିଲ୍ ଲସ୍‍ରେ ଚାଲୁଛି ?

 

ମି. ଦାସ—ସଂବିଧାନସମର୍ଥିତ ଚାର୍ଟେଡ଼ ଏକାଉଣ୍ଟ ଫାର୍ମରୁ ପ୍ରସ୍ତୁତ ହୋଇଥିବା ହିସାବଫର୍ଦ୍ଦ ଶ୍ରମିକମାନେ ଦେଖିପାରନ୍ତି ।

 

ଯଦୁନାଥ—ସେଥିପାଇଁ ଶ୍ରମିକ ଦାୟୀ ନୁହନ୍ତି ।

 

ମି. ଦାସ—ମିଲ୍ ସମ୍ଭାଳିବା ମୋ ପକ୍ଷରେ ଅସମ୍ଭବ । ତେଣୁ ଶତକଡ଼ା ଦଶ ଜଣ ଶ୍ରମିକ ଛଟେଇ ହେବା ପାଇଁ ଆଦେଶ ଦିଆଯିବ ।

 

ଯଦୁନାଥ—ଏ ବଡ଼ ଅନ୍ୟାୟ ମାଲିକ !

 

ମି.ଦାସ—ଅନ୍ୟାୟ ! ମାଲିକର ମୁହଁ ଉପରେ ମାଲିକର ନ୍ୟାୟ ଅନ୍ୟାୟ ସମାଲୋଚନା କରିବାର ଦୁଃସାହସ ବେଶ୍‍ କରିଛ ଯଦୁନାଥ ! ଆଉ ସେ ଦୁଃସାହସ ପାଇଁ ତମକୁ ଜବାବ ଦେବାକୁ ପଡ଼ିବ ।

 

ଯଦୁନାଥ—ମଣିଷର ହକ କହିବାର ଦାବି କ’ଣ ଆପଣଙ୍କ ମିଲ୍ ରେ କାମ କରୁଛୁ ବୋଲି ହଜାଇ ବସିଛୁ ?

 

ମି. ଦାସ—ମୋରି ମିଲ୍ ରେ ମୋ ପଇସାରେ ବଞ୍ଚି, ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବା କ'ଣ ମଣିଷର ଅଧିକାର ବୋଲି କୁହ ?

 

ଯଦୁନାଥ—ଷଡ଼ଯନ୍ତ୍ର !!

 

ମି. ଦାସ—ନୁହେଁ ? ନିରୀହ ଶ୍ରମିକର ମାସିକ ସ୍ୱଳ୍ପାର୍ଜିତ ଧାନରୁ ଚାନ୍ଦା ନେଇ ଯେଉଁମାନେ ପାର୍ଟି ସଂଗଠନ କରି ଶ୍ରମିକର 'କଲ୍ୟାଣ', 'ଶୋଷଣ', 'ଅତ୍ୟାଚାର', 'କମ୍ରେଡ଼୍‍' ଇତ୍ୟାଦି କେତେକ ଶବ୍ଦ ଉଚ୍ଚାରଣ କରି ବଂଚିବା ପାଇଁ ପାଥେୟ ସଂଗ୍ରହ କରନ୍ତି ସେମାନଙ୍କ ପ୍ରରୋଚନାରେ—ଛି ! ଛି ! ଦେଶଦ୍ରୋହୀମାନଙ୍କୁ…..

 

ଯଦୁନାଥ—ଶ୍ରମିକ ଦେଶଦ୍ରୋହୀ ! ସଂଗଠନ ଦେଶର ପ୍ରଗତିପଥର ଅନ୍ତରାୟ ! ଧର୍ମଘଟ ଅସଂଗତ ! ଦେଶ ପକ୍ଷରେ ଅହେତୁକର ଧୂମକେତୁ ! ଆଚ୍ଛା ଆପଣ ମିଲ୍‍କି ପୁତ୍ରପୌତ୍ରାଦିକ୍ରମେ ପୈତୃକ ସମ୍ପତ୍ତି କରି ଯେଉଁ ପାଣ୍ଠି ଜମା କରିଛନ୍ତି ସେଥିରେ ଶ୍ରମିକର ଭାଗ ଅଛି କି ? ଯେବେ ନାହିଁ ଆଜି ମିଲ୍‍ର ଲସ୍ ପାଇଁ ଶ୍ରମିକ ଦାୟୀ ହବ କିମିତି ? କ୍ଷତି ପାଇଁ ଦାୟୀ ହେଲେ ଲାଭାଂଶ ପାଇଁ ହକ୍‍ଦାର ହେବା ଉଚିତ । ତେଣୁ ଆମର ଶେଷ ପ୍ରସ୍ତାବ-ଶ୍ରମିକ ମଧ୍ୟ ମିଲ୍‍ର ପରିଚାଳନାରେ ସକ୍ରିୟ ଭାଗ ପାଇବା ଉଚିତ ।

 

ମି. ଦାସ—ଅର୍ଦ୍ଧଶିକ୍ଷିତ ମିଷ୍ଟର ଯଦୁନାଥ ! ବହୁତ କଥା ଶୁଣାଇଲା । ଦରୱାନ ! ଯଦୁନାଥକୁ ଫାଟକ ସେପାଖରେ ଛାଡ଼ିଦେଇ ଆସ !

 

ଯଦୁନାଥ—ଧନ୍ୟବାଦ । ଦରୱାନ ଆସିବା ଦରକାର ନାହିଁ । (ପ୍ରସ୍ଥାନ)

 

ମି. ଦାସ—ଶୁଣିଯାଅ ଶ୍ରମିକନେତା ! ହାଃ, ହାଃ ହାଃ ଅନନ୍ତକାଳ ମିଲ୍ ବନ୍ଦ ରହିଲେ ମି. ଦାସ ଉପବାସ ରହିବ ନାହିଁ । ଆଉ ଧର୍ମଘଟ ଧମକରେ ଡ଼ରିଯାଇ ମୁଁ ତମ ହାତରେ ମିଲ୍ ଟେକିଦେଇ ପାରିବି ନାହିଁ…(ବେଲ୍‍ ବାଜି ଉଠିଛି)

 

(ଛାତ୍ର କଂଗ୍ରସନେତା ବିଶ୍ୱନାଥ ପ୍ରବେଶ କରିଛି)

 

ବିଶ୍ଵନାଥ—ନମସ୍କାର । ମୁଁ ଆସିଛି ସାର୍ ! ବାହାରେ ରାଧାକାନ୍ତ ଦକ୍ଷିଣକବାଟ ମଧ୍ୟ ଅପେକ୍ଷା କରିଛି ।

 

ମି. ଦାସ—ମୋର ବର୍ତ୍ତମାନ ସମୟ ନାହିଁ ।

 

ବିଶ୍ୱନାଥ—ଆପଣ କହିଥିଲେ ଭାଷଣଟି ନେଇ ପ୍ରେସରେ ଛାପି ଆଣିବା ଭାର ମୋ ଉପରେ ।

 

ମି. ଦାସ—ଶ୍ରମିକମାନେ ଧର୍ମଘଟ ଧମକ ଦେଇ ଯାଇଛନ୍ତି । ମୋର ସମୟ ଭାରି ଅଭାବ । ମୁଁ ଭାଷଣ ଲେଖିବାକୁ ସମୟ କେଉଁଠୁ ପାଉଛି ।

ବିଶ୍ୱନାଥ—ଧର୍ମଘଟ ତ ଲାଗିବ । ହେଲେ ସେ କେଇ ଦିନ ? ଧନ ଦଉଲତଠାରୁ ସାହିତ୍ୟିକ ଜୀବନ ଆପଣଙ୍କୁ ସବୁ ଯୁଗରେ ବଞ୍ଚେଇ ରଖିବ । କେତେ ରାଜା, ମହାରାଜା ଧନୀ ସମାଜରେ ନ ଥିଲେ ? ହେଲେ ଆଜି ଆମେ ରବୀନ୍ଦ୍ର, ଉପେନ୍ଦ୍ରଭଞ୍ଜ, ଗଙ୍ଗାଧରଙ୍କ ପାଇଁ ପାଗଳ ହେଉଛୁ କାହିଁକି-? ଟଙ୍କାପଇସା, କ୍ଷମତା, ସମ୍ମାନ କ୍ଷଣିକ ହେଲେ କଳା ସାହିତ୍ୟର ପ୍ରତିଭା ଚିରନ୍ତନ ।

ମି. ଦାସ—ମୁଁ ସବୁ ବୁଝେ ବିଶ୍ଵନାଥ ! ମୋର ମାନସିକ ଅବସ୍ଥା ଭଲ ନାହିଁ । ବିଶ୍ଵନାଥ ! ତମେ ଆଉ ଟିକିଏ ସାହାଯ୍ୟ କରିପାରିବ ?

ବିଶ୍ଵନାଥ—ନିଶ୍ଚୟ ସାର୍ !

ମି. ଦାସ—(ପୁନଶ୍ଚ ଘଣ୍ଟି ବଜାଇଲେ) ଦକ୍ଷିଣ କବାଟ ବ୍ୟତୀତ ଆଉ କିଏ ଅଛି ?

ବିଶ୍ଵନାଥ—ଦରୱାନ ଅଛି ।

ଦ. କବାଟ—(ପ୍ରବେଶ କରି) ଜୁହାର ଆଜ୍ଞା ! ମୁ ସବୁ ଶୁଣିଛି । ମି. ରାୟଙ୍କୁ ଆଗରୁ କହିଥିଲି । ଦାସ ସାହେବ ସବୁ ପାର୍ଟିକୁ ନିର୍ବାଚନ ଲଢ଼ିବା ପାଇଁ ଟଙ୍କା ଦେଉଛନ୍ତି । ହେଲେ ସେମାନେ କାହାର ନୁହନ୍ତି । ଏ ଦଳୀୟ ରାଜନିତୀରେ ମୋର ବିଶ୍ଵାସ ନାହିଁ । ବାସ୍ତବିକ ରାଜନୀତି ବିପନ୍ନ । ତେଣୁ ନିର୍ବାଚନରୁ ମୁଁ ଓହରି ଆସିଛି । ଲୋକେ କହୁଛନ୍ତି ପାଞ୍ଚ ହଜାର ତାଙ୍କ ବିପକ୍ଷ ଦଳରୁ ପାଇଁ ମନୋନୟନ ପତ୍ର ପ୍ରତ୍ୟାହାର କରି ନେଇଛି । କୁହନ୍ତୁ । ଭଗବାନ ଜାଣନ୍ତି । ଦିନରାତି ଯିଏ କରୁଛି ସେ ଜାଣନ୍ତି । ଦେବ ପ୍ରତିମ ରାୟବାବୁ ମଧ୍ୟ ବିଶ୍ଵାସ କରୁଛନ୍ତି । ହେଲେ ତାଙ୍କ ପାଖରେ ମୁହଁ ଲଗେଇ ପାରୁନି । ନିର୍ବାଚନ ଲଢ଼ିବା ପାଇଁ ଦୁଇ ତିନି ହଜାର ଟଙ୍କା ଦେଇଥିଲେ । ଅବଶ୍ୟ ମୋର ଭୁଲ ହେଇଚି । ତାଙ୍କୁ ପଚାରି ମନୋନୟନ ପତ୍ର....

ମି. ଦାସ—ଏ ସବୁ ଶୁଣିବାକୁ ମୋର ସମୟ ନାହିଁ ।

ଦ. କବାଟ—ମୁଁ ସେକଥା ବି ଜାଣେ । ସେଇଥିପାଇଁ ସକାଳୁ ଆସି ଅପେକ୍ଷା କରି ରହିଛି । ଆପଣ ଯାହା ଚାହୁଁଛନ୍ତି ମୁଁ ପାରିବି ଆଜ୍ଞା ! ଆଗରୁ ସିନା ରାଜି ହେଉ ନ ଥିଲି । ଏବେ ଜୀବନଟା ମିଲ୍‍ର ମଙ୍ଗଳ ପାଇଁ ଉତ୍ସର୍ଗ କରିଦେବି । ଛାଡ଼ିଲି ସକଳ ଆଶା, ଧଇଲି ଗୋବିନ୍ଦ ଭରସା ।

ମି. ଦାସ—ମୁଁ ମଧ୍ୟ ବିଶ୍ୱନାଥକୁ ତୁମକୁ ସାହାଯ୍ୟ କରିବାକୁ କହୁଛି । ସାମନ୍ତର ଶ୍ରମିକ ସଂଗଠନ ଶୀଘ୍ର ଗଢ଼ିବାକୁ ହେବ । ତୁମକୁ ଶ୍ରମିକ ମଙ୍ଗଳ ଅଫିସର ରୂପେ ନିଯୁକ୍ତ କରାଗଲା । ରମେଶ ଇସ୍ତଫା ଦେଇଛି । ତମେ କଣ କହୁଛ ବିଶ୍ଵନାଥ ?

ବିଶ୍ୱନାଥ—ମୋର ପରମ ସୌଭାଗ୍ୟ ଆଜ୍ଞା ! ରମେଶର ପ୍ରତିଭା ଅଛି । ହେଲେ, କେଇ ଦିନ ହେଲା ସେ ତୃପ୍ତି ଦେବୀଙ୍କ ନାମରେ ଯେପରି ବ୍ୟଙ୍ଗ କବିତା ଲେଖି ବିଭିନ୍ନ ପତ୍ରପତ୍ରିକାରେ ଛପାଉଛନ୍ତି ଆଜ୍ଞା ! କଲେଜ କମନ ରୁମରେ ଖାଲି ତୃପ୍ତି ଦେବୀଙ୍କ ନାମରେ ଦୁର୍ନାମ ।

ମି. ଦାସ—ବନ୍ଧୁତାର ଆଳ ନେଇ ନନ୍ଦିତାର ଅନୁରୋଧରେ ତୃପ୍ତି ରମେଶକୁ ମିଲ୍ ରେ ପବ୍ଲିସିଟି ଅଫିସର ନୁଯୁକ୍ତି ପାଇଁ ସୁପାରିଶ କରିଥିଲା । ସେହିମାନଙ୍କୁ ତୃପ୍ତି ସାହାଯ୍ୟ କରୁଛି । ସେମାନେ ସର୍ବନାଶ କରିବା ହେଉଛି ଏ ଯୁଗର ଧର୍ମ ।

 

ଦ କବାଟ—ମୋତେ ପନ୍ଦରଟା ଦିନ ସମୟ ଦିଅନ୍ତୁ ଆଜ୍ଞା ! ମିଲ୍ କାମଦାମ ଟିକିଏ ଦେଖିନିଏ । ଲକ୍ଷେ ଦି’ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ହେଲେ ଆପଣଙ୍କ ମାନ ରହିବା ଉଚିତ । ମିଲ୍ ଚାଲୁ ରଖିବାକୁ ଲୋକ ଅଭାବ ହେବନି । କଲିକତା ମାନ୍ଦ୍ରାଜରେ ଆମର ଓଡ଼ିଆ ଶ୍ରମିକ ବହୁତ ଅଛନ୍ତି ।

 

ମି. ଦାସ—ଓଡ଼ିଆ ଶ୍ରମିକ କାହିଁକି ? ଏ ନୀଚ ପ୍ରାଦେଶିକତାକୁ ମୁଁ ଘୃଣା କରେ । ମିଲ୍ ଚାଲୁ ରହିବ-। ତେଣୁ ଆନ୍ଧ୍ରରୁ ହେଉ ବା ବିହାରରୁ ହେଉ ଯେଉଁଠୁ ଶ୍ରମିକ ଶସ୍ତା ଓ ସୁବିଧାରେ ମିଳିବେ ସେମାନଙ୍କୁ ଉତୟନ କରାଯିବ ।

 

ଦ. କବାଟ—ସେତିକି ଆଦେଶ ଦରକାର ଥିଲା । ବିଶ୍ଵନାଥ ବାବୁ ! ଆଉ ସମୟ ଆପଣଙ୍କର ଅପବ୍ୟୟ କରିବା ଉଚିତ ନୁହେଁ । ଆପଣ ଶ୍ରମିକ କଲ୍ୟାଣ ୟୁନିୟନର ସମ୍ପାଦକ ।

 

ବିଶ୍ୱନାଥ—ଆପଣ ସଭାପତି ।

 

ଦ. କବାଟ—ସଭ୍ୟ ଗ୍ରହଣ କାମ ଆଜିଠୁ ଆରମ୍ଭ କରିଦେଉଛି ଆଜ୍ଞା । ହେଲେ ଆପଣ ସ୍ୱୀକୃତି ପାଇଁ ଚେଷ୍ଟା କରିବେ ।

 

ମି. ଦାସ—ହଁ, ଆପଣ ସେମାନଙ୍କ ନିୟମାବଳୀ ସବୁ ନେଇ ଆଜି ଆପଣଙ୍କ ଅନୁଷ୍ଠାନର ସମ୍ବିଧାନ ତିଆରି କରି ଛପାଇ ନିଅନ୍ତୁ । ଆନୁସଙ୍ଗିକ ପ୍ରାରମ୍ଭିକ କାମ ଶେଷ କରି ଆସନ୍ତୁ । ମୁଁ ଲେବର କମିଶନରଙ୍କୁ ଫୋନ ଯୋଗେ କହିଦେବି ।

 

ଦ କବାଟ—ପ୍ରାରମ୍ଭିକ କାମ ପାଇଁ ହଜାରେ ଦି’ ହଜାର ପାଣ୍ଠି ଦରକାର ।

 

ମି. ଦାସ—(ଚେକ୍ ବହି ବାହାର କରି) ଦୁଇ ହଜାର ? (ଦସ୍ତଖତ କରି ବଢ଼ାଇଦେଲେ)

 

ଦ କବାଟ—ବିଅରର ଚେକ୍‍ ନା ? (ଚେକ୍‍ଟି ପକେଟରେ ପକାଇ) ବିଶ୍ଵନାଥ ବାବୁ ଆପାତତଃ ସଭାପତି ଟ୍ରେଜର୍‍ର ହୋଇ ରୁହନ୍ତୁ । ଏ ଭୟଙ୍କର ଦାୟିତ୍ୱ । ଆସ ବିଶ୍ଵନାଥ ବାବୁ ! (ଦ. କବାଟ ଚାଲିଗଲେ)

 

ବିଶ୍ଵନାଥ—ସାର୍, ଅଭିଭାଷଣଟା ?

 

ତୃପ୍ତି—(ପ୍ରବେଶି) ଅଭିଭାଷଣଟା ଅଧା ରହିଗଲା ଭାଇ ! ଏ ଯେ ବିଶ୍ଵନାଥ ବାବୁ !

 

ବିଶ୍ଵନାଥ—ନମସ୍କାର ତୃପ୍ତି ଦେବୀ !

 

ତୃପ୍ତି—ଆପଣ ମିଲ୍‍ର ପବ୍ଲିସିଟି ଭାର ନେଲେ ବୋଲି ଶୁଣିଲି । ନିଅନ୍ତୁ ଅଧା ଅଭିଭାଷଣଟା ପୂରା କରି ଆଣନ୍ତୁ ।

 

ମି. ଦାସ—ପାଞ୍ଚ ଶହ ଟଙ୍କା ଦେବି । ସମୟ ନାହିଁ । ତମେ ତମ ନାଁ କହି ରମେଶଠାରୁ ଲେଖାଟା ପୂରାକରି ଆଣିପାରିବ ?

 

ତୃପ୍ତି—ରମେଶ ବ୍ୟତୀତ ଆଉ କଣ କେହି ନାହାନ୍ତି ଏ ଦେଶରେ ?

 

ବିଶ୍ଵନାଥ—ଲେଖାଟା ଆରମ୍ଭ କରିଛି ଯେତେବେଳେ, ଲେଖାଟା ସେ ଶେଷ କରିବା ଉଚିତ ।

 

ମି. ଦାସ—ଟଙ୍କା ନେଇ ତମେ ଯାଇ ଚେଷ୍ଟା କର । ତାର ପଇସାର ବଡ଼ ଅଭାବ । ସେ ଲେଖିବାକୁ ମନ କରିବ ନାହିଁ । କହିବ ଏ ହେଉଛି ପାରିଶ୍ରମିକ । ଅଚ୍ଛା, ଆସ । ଦକ୍ଷିଣ କବାଟକୁ ପୁରାମାତ୍ରାରେ ବିଶ୍ଵାସ କରିବ ନାହିଁ । ତେଣୁ ସଂଗଠନ ପାଇଁ ତମକୁ ବହୁତ ସାବଧାନତା ସହକାରେ କାମ କରିବାକୁ ପଡ଼ିବ ।

 

ତୃପ୍ତି—(ଯାଉ ଯାଉ) ବିଶ୍ଵନାଥ ବାବୁ ! ଆପଣ ଅପେକ୍ଷା କରନ୍ତୁ ।

 

ମି. ଦାସ—ତମକୁ ବର୍ତ୍ତମାନ ରମେଶ ପାଖରୁ ଆସି ମିଲ୍‍କୁ ଯିବାକୁ ପଡ଼ିବ । ପ୍ରେସରେ ମୁଁ କହିଯାଉଛି । ରାତିଦିନ କାମ କରି ସେ କାଗଜପତ୍ରଗୁଡ଼ିକ ଛପେଇ ଦେବାକୁ ହେବ । ତମକୁ ପ୍ରେସରେ ଛାଡ଼ି ଲେବର କମିଶନରଙ୍କ କୋଠିକୁ ଯିବାକୁ ହେବ । ତମେ ଆସ । (ବିଶ୍ଵନାଥ ପଛେ ପଛେ, ମି. ଦାସ ଆଗେ ଆଗେ ପ୍ରସ୍ଥାନ କରିବା ପରେ ତୃପ୍ତି ଫେରିଆସିଛି । ହାତରେ ଦୁଇଖଣ୍ଡ ପାଣ୍ଡୁଲିପି)

 

ତୃପ୍ତି—ବିଶ୍ଵନାଥ ବାବୁ ! ଭାଇ ! ଏମାନେ ଚାଲିଗଲେ ନା କଣ ! ରମେଶର ଦୁଇ ଖଣ୍ଡ ପାଣ୍ଡୁଲିପି ରହିଗଲା ଯେ ! ବିଶ୍ୱନାଥ ବାବୁ ! ଭାଇ !

 

[ଡାକି ଡାକି ଗଲାବେଳେ ମଞ୍ଚ ଅନ୍ଧାର ହୋଇଗଲା]

 

ଦ୍ଵିତୀୟ ଦୃଶ୍ୟ

 

[ମିଲ୍ ନିକଟସ୍ଥ ଧାବମାନ ରାସ୍ତା । ହାତରେ ପ୍ଲାକାର୍ଡ଼ ଧରି ଶୋଭାଯାତ୍ରୀ ଦଳ ଗୀତ କଣ୍ଠରେ ଯାଉଥିଲେ । ନନ୍ଦିତା ଯଦୁନାଥ ସେମାନଙ୍କ ସାଙ୍ଗରେ ସ୍ଲୋଗାନ ଡାକି ଡାକି ରାଜପଥ ଅତିକ୍ରମ କରି ଯାଉଥିଲେ]

 

[ଶୋଭାଯାତ୍ରୀଦଳ ଅତିକ୍ରମ କରିବାପରେ ଦକ୍ଷିଣ କବାଟ ଆଗେ ଆଗେ, ତାଙ୍କ ପଛେ ବାସୁଦେବ । ପିତାମ୍ବର ଓ ବିବେକ ପ୍ରବେଶ କଲେ]

 

ଦ କବାଟ—ତୁମେ ଦେଖୁଛ ! ଏ ଲୋକଗୁଡ଼ାକର ସାହସ ଦେଖୁଛ ?

 

ବିବେକ—ବାଇସିକୋପ ଦେଖାଇଲା ପରି ବହୁତ ଦେଖାଇଲା । ଛିଡ଼ିଆଖାନା ଦେଖ । ହାବୁଡ଼ା ପୋଲ ଦେଖ । ଦିଲ୍ଲୀ ସହର ଦେଖ । ବହୁତ ଦେଖେଇଲ ।

 

ଦ. କବାଟ—ମୋତେ ବିଶ୍ଵାସ କର ବାସୁଭାଇ !

 

ଵାସୁଦେବ—ବିଶ୍ଵାସ କରି ନ ଥିଲେ ଛୁଆଙ୍କୁ ତିନି ମାସ ହେଲା ତମ ପାଖରେ ଛାଡ଼ିଥାନ୍ତୁ । କହିଲା ଚାକିରି ଠିକ ହୋଇଛି, ଛୁଆଙ୍କୁ ପଠେଇଦିଅ ।

 

ଦ କବାଟ—ପୂରାପୂରି ଚାକିରି ଡିପାର୍ଟମେଣ୍ଟ ମୋ ହାତରେ । ଦେଖୁଛ, ଗଳାଫଟେଇ କିମିତି ଉଦ୍‍ବାର୍ଯ୍ୟ ହେଉଛନ୍ତି । ଦୁଧ ଉତୁରିଲେ ଚୁଲିରେ ପଶେ, ମଣିଷ ଉତୁରିଲେ ଗାତରେ ପଶେ । ୟାଙ୍କୁ ସବୁ ନିକାଲି ମୋ ଲୋକ ଭରିଦେବି । ତମେ ଖାଲି ଠାକୁରଙ୍କୁ ଡାକ । ଆଜି ଦାସ ସାହେବ ଯେଉଁ ପାବାର ଦେଇଛି, ସେ ମୋତେ ଭୋଗ ହେଉ ।

 

ବିବେକ—ଦୁନିଆ ଉଚ୍ଛନ୍ନ ହେଇଯିବ ।

 

ପିତାମ୍ବର—ତିନି ମାସ ହେବ ପିଲାଏ ତମର ଲୁଗା କାଚୁଛନ୍ତି, ବାସନ ମାଜୁଛନ୍ତି, ବଜାର କରୁଛନ୍ତି-। ତାଙ୍କୁ କଣ ପଠେଇଥିଲୁ…

 

ଦ କବାଟ—ଏ ଗୋଟାଏ ଟ୍ରେନିଂ ବାସୁଭାଇ ! ଏ ଯୁଗରେ ଚାକିରି ବାକିରି କରିବାକୁ ଏ ଯୋଗ୍ୟତା ଭାରି ଦରକାର । ସେ ଯାହା ହେଉ ପଛକଥା ଭୁଲିଯାଅ । ଏବେ ମତେ ବଙ୍ଗୋଲ ମିଳିଗଲାଣି । ମିଲ୍ ତରଫରୁ ଦୁଇ ତିନି ଜଣ ଅର୍ଡ଼ଲି ମିଳିବେ । କଲି ଛାଡ଼ି ପଅରଦିନ ତାଙ୍କର ସବୁ ସୁବିଧା କରି ଦେଉଚି ।

 

ବିବେକ—ବାସୁଭାଇ ! ତମ ବ୍ୟବସ୍ଥା ସବୁ ହେଇଗଲା । ହେଲେ ଗାଁ ବ୍ୟବସ୍ଥା କଣ ଟିକିଏ ବୁଝିଦିଅ ।

 

ଦ. କବାଟ—ସେ ତ ବୁଝା ହେଇଛି । ଥରେ କହିଛି ଏ ଟଙ୍କା ଭୋଟ ବାବତ ଯେଉଁ ଟଙ୍କା ଦେଇଥିଲି ମଜୁର କରିଦେବ ।

 

ବିବେକ—କଣ କହିଲ ?

 

ଦ କବାଟ—ସେଦିନ କହୁଥିଲି ପରା ! ଆଉ ଯେବେ ପାଟିତୁଣ୍ଡ କରିବ ନା ! ! ଦେଖୁଛ ନା । ସେ ଛକ ମୁଣ୍ଡରେ ନାଲିପଗଡ଼ିଆ ସରକାର ରଖିଛି ।

 

ପିତାମ୍ବର—ତମେ ପରା କହିଥିଲ……

 

ଦ. କବାଟ—ତମ ପିଲାଙ୍କ ଚାକିରି ଚାହୁନା ?

 

ବାସୁ—ସେ ତ ଯାହା ହେବାର ହେବ । ସହର ବଜାର କଥା । ରାସ୍ତାଟାରେ....

 

ବିବେକ—ମୁଁ ସେଇଦିନ କହୁଥିଲି । ସେ ଗାଁରେ କଥାଟା ଫଇସଲା ହେଇ ଯାଇଥାନ୍ତା । ନୋହିଲେ ବାବୁ ଆଜି ଆମକୁ ନାଲି ପଗଡ଼ିଆ ଦେଖେଇ ନ ଥାନ୍ତେ ।

 

ଦ କବାଟ—ଦେଖୁଛ । ଦେଖୁଛ । ରହ ରେ ପୁଅ, ତୁ ଦେଶି ଗଣ୍ଠିଆ ହେଲେ ମୁଁ କଟକି ଗଣ୍ଠିଆ ଅଛି ।

 

ବିବେକ—ହଉ ହେଲା । ଏକା ମାଘକେ ଶୀତ ଯାଉନି ମ !

 

ଦ କବାଟ—ଆଉ ଭୋଟ ପାଇଁ ତମ ଗାଁକୁ ଗଲେ ଭୋଟ ନ ଦବୁ ରେ ପୁଅ ! ମାଘ ମାସ ଆଉ ଆସିବ ନାହିଁ ବା । ଏଥର ଖାଲି ବସନ୍ତ ଘରେ କୋଇଲି ପରି ରେଡ଼ିଓ ଗାଇବ । ବେଣାଚେର ତାଟିରୁ ପାଣି ଛିଞ୍ଚାହୋଇ ମଳୟ ମନ୍ଦେ ମନ୍ଦେ ବହିବ । ଧେତେରି, ତେଣେ କେତେ କାମ ବାକି ପଡ଼ିଛି । (ଚାଲିଗଲାବେଳେ ବିପରୀତ ଦିଗରୁ ମି. ରାୟ ପ୍ରବେଶ କରିଛନ୍ତି)

 

ମି ରାୟ—ନିଶ୍ଚୟ କାର୍ଯ୍ୟବ୍ୟସ୍ତ ହୋଇଉଠିଛ ମି ଦକ୍ଷିଣ କବାଟ ! ନୋହିଲେ ମଝିରେ ମଝିରେ ଦେଖାସାକ୍ଷାତ ହେଉଥାନ୍ତା ।

 

ସମସ୍ତେ—ନମସ୍କାର ଆଜ୍ଞା !

 

ମି ରାୟ—ଓଃ ଆପଣମାନେ !

 

ବିବେକ—ଆପଣ ଯେମିତି ଥିଲେ ସେମିତି ଅଛନ୍ତି ଆଜ୍ଞା ! ହେଲେ ୟାଙ୍କୁ ଚିହ୍ନିପାରୁନୁ । ତେଣୁ ପୁଲିସ ଦେଖେଇ ଆମକୁ ସେ ଚିହ୍ନେଇ ଦେଉଛନ୍ତି । ପୁଅ ନାତିଙ୍କର ଚାକିରି ନିଶା ପାଇଁ ଏ ଦି’ ଜଣଙ୍କର ମୁହଁ ବନ୍ଦ ।

 

ବାସୁ—ବଡ଼ଲୋକଙ୍କ ଆଗରେ ସେଗୁଡ଼ାକ ଗପି ଆଉ ଲାଭ କଣ ?

 

ମି. ରାୟ—ଆପଣଙ୍କ ନିଯୁକ୍ତି ଖବର ପାଇ ବିଶେଷ ଆନନ୍ଦିତ ମି. ଦକ୍ଷିଣ କବାଟ ! ଆପଣଙ୍କର ଅଭାବ ରହିବ ନାହିଁ । ହେଲେ ଏ ଗାଁ ଲୋକଗୁଡ଼ାଙ୍କୁ ଡକେଇ ହକେଇ ହଇରାଣ କରୁଛ କାହିଁକି ?

 

ଦ. କବାଟ—ଆପଣ ଏକଥା କହୁଛନ୍ତି ?

 

ବିବେକ—ସ୍ଵାଧୀନ ହେଇ ଛିଡ଼ା ହେଇଥିଲା । ତେଣୁ ଯେମିତି ପାଞ୍ଚ ଦଶ ହଜାର ପାଇଲା ଏ ଏଣେ, ଆମେ ତେଣେ ଭାଲୁ ଧରିଛୁ । ସେମାନେ ମୋ ଜୁଜୀବନ ଖାଉଛନ୍ତି । ଠାକୁରଘର ଚାନ୍ଦା ବାବତ ଟଙ୍କା ଥିଲା ଯେ , ଦେବଦେବ ବୋଲି କହିଥିଲା । ଏଇଛୁଣା ପଞ୍ଚାୟତ ଭୋଟ ଦେବା ପାଇଁ ଯେଉଁ ଟଙ୍କା ଠାକୁର ଫଣ୍ଡକୁ ଦେଇଥିଲା, ଭୋଟ ନ ପାଇଲା ବୋଲି ସେ ଟଙ୍କା ମଜୂରା କରିଦେଉଛି ।

 

ମି. ରାୟ—ଦକ୍ଷିଣ କବାଟ, ନିର୍ବାଚନରୁ ଓହରି ଆସିଲ ଭଲ କଲ ।

 

ଦ କବାଟ—ମୋତେ ଯେଉଁ ହଲପ ଦେବ, ସେ ହଲପ କରିବି । ମୋତେ ପଦେ କଥା ବି ସେମାନେ କହି ନାହାନ୍ତି । ମୋର ସେମାନଙ୍କ ସଙ୍ଗରେ ଦେଖା ବି ହେଇନି । ଆପଣ ଟଙ୍କା ଦେବା ବନ୍ଦ କରିଦେଲେ । ମୁଁ ଦେଖିଲି ପାରିବିନି । ଅମାନତ ଟଙ୍କା ବି ଉଡ଼ିଯିବ, ତେଣୁ–

 

ମି. ରାୟ—ଭଲ କଲ । ଖୁବ ଭଲ କଲ । ଏମାନଙ୍କ ଟଙ୍କା ଦେଇଦିଅ । ସର୍ବସାଧାରଣଙ୍କ ଧନ ଠାକୁରଙ୍କ ନିର୍ମାଲ୍ୟ ସଙ୍ଗେ ସମାନ । ଭୋଟରେ ତମେ ହାରିଯାଅ ବା ନ ଯାଅ, ସେଥିପାଇଁ ଗରିବ ଲୋକ ଦାୟୀ ନୁହନ୍ତି । ସେମାନେ ତମ ପାଇଁ ପରିଶ୍ରମ କରିଥିଲେ । ତାଙ୍କ ପ୍ରାପ୍ୟ ଦେଇଦିଅ ।

 

ଦ କବାଟ—ଏଇଛୁଣା କାହୁଁ ପାଇବି ?

 

ମି.ରାୟ—ସମୁଦାୟ କେତେ ଟଙ୍କା ?

 

ବିବେକ—ଠାକୁରଘର ଫଣ୍ଡ ତିନି ଶହ ଟଙ୍କା । ଆଉ ଆମ ହିସାବରେ ଘର ଭଡ଼ା ଓ କର୍ମଚାରୀଙ୍କ ଦରମା ଦେଢ଼ ମାସର । ଏପରି ପାଞ୍ଚ ଶହ ଷାଠିଏ ଟଙ୍କା ।

 

ମି.ରାୟ—ତମକୁ ଏ ଟଙ୍କା ଦେବାକୁ ହେବ ଦକ୍ଷିଣ କବାଟ !

 

ଦ କବାଟ—ଏତେଗୁଡ଼ାଏ ଟଙ୍କା ଏକ ମୁସ୍ତରରେ କାହୁଁ ଦେବି ? ଆଜ୍ଞା, ଆଗରୁ କହିଛି ଘରେ ଦଶ ପ୍ରାଣୀ କୁଟୁମ୍ବ ।

 

ମି. ରାୟ—ଆସ ବାବୁ, ମୁଁ ସେ ଟଙ୍କା ଦଉଚି । ତମକୁ ଅନୁରୋଧ ଦକ୍ଷିଣ କବାଟ, ଏ ଟଙ୍କା ସହିତ ନିର୍ବାଚନ ପାଇଁ ଯେତେ ଟଙ୍କା ନେଇଛ, ସେ ସବୁ ଶୀଘ୍ର ପଇଠ କରିଦେବାକୁ ପଡ଼ିବ । ଆସ ବାବୁ-!

 

(ପ୍ରସ୍ଥାନ କଲାବେଳେ ବିବେକ ତା ପଛେ ପଛେ ଯାଉଚି । ବାସୁ, ପିତାମ୍ବର ବାବୁ ବାବୁ କହି ଅନୁସରଣ କଲାବେଳେ ଦକ୍ଷିଣ କବାଟ ସେମାନଙ୍କୁ ରୋକି ନେଇଛି ।)

 

ଦ.କବାଟ—କାଳସର୍ପକୁ ସାଙ୍ଗରେ ଆଣିଥିଲ ବାସୁଭାଇ ! ଶୁଣୁଛ, ସେ ପାଗଳ କଣ ଧମକ ଦେଇଗଲା ? ଦେଖ ତମ ଛୁଆଙ୍କର ଚାକିରି କରିଦେଇଛି । ବିବେକାକୁ ପାନେ ଦେବି । ତମେ ଦୁଇ ଜଣ ଖାଲି ସାକ୍ଷୀ ହେଇପଡ଼ ।

 

ପିତାମ୍ବର—ତମକୁ କୋଉ ବିଶ୍ଵାସ ?

 

ଦ କବାଟ—ଦାର୍ଢ଼୍ୟତାଭକ୍ତି ଉପାଖ୍ୟାନ ପଢ଼ିଚଟି । କାଳିଆର ଦର୍ଶନ ଦାସିଆକୁ ଜାଉ ଥାଳିଆରେ ଦେଇଗଲା । ବୋଇଲେ ବିଶ୍ଵାସ ମିଳଇ କୃଷ୍ଣ । ତମେ ଆସ । ଏତେଗୁଡ଼ାଏ ଟଙ୍କା ତାକୁ ଦେଇଦେବ ।

 

[ପିତାମ୍ବର ଓ ବାସୁକୁ ଟାଣି ନେଲାବେଳେ ପରଦା ।]

 

ତୃତୀୟ ଦୃଶ୍ୟ

 

[ରମେଶଙ୍କ କଟକସ୍ଥ ବାସଭବନ । ଘର ଆସବାବ କହିଲେ ସର୍ବନିମ୍ନବିତ୍ତ ଘରର ଖଣ୍ଡେ ଦଉଡ଼ିଆ ଖଟିଆ । ବହି ଢ଼ାବଲ । ଖଣ୍ଡେ ଟୁଲ୍ । ଡେଙ୍ଗା ଗୋଡ଼ ଥିବା ଗୋଟିଏ ଟି. ପାଏ । ରମେଶ ଢାବଲ ଭିତରୁ କେତେଖଣ୍ଡ ପାଣ୍ଡୁଲିପି ଖେଳାଉଥିଲେ । ନିକଟରୁ ନିକଟତର ହୋଇ ଉଠୁଥିଲା ଶ୍ରମିକମାନଙ୍କର ମିଳିତ କଣ୍ଠର ବେଦନାଭରା ସଙ୍ଗୀତ । ସେ ଗାନର ଶେଷ କେଇଧାଡ଼ି ଉଚ୍ଚାରିତ ହୋଇଉଠିଛି ରମେଶଙ୍କ କଣ୍ଠରେ । ଯେପରି ବିପ୍ଳବର ଅଗ୍ନିସ୍ଫୁଲିଙ୍ଗ ବିଛୁଡ଼ି ହେଇ ପଡ଼ୁଥିଲା ଆଖିରୁ । ଏତିକିବେଳେ ପ୍ରବେଶ କରିଛି ବିଶ୍ଵନାଥ । ହାତରେ ଅଧା ଲେଖା କବି ଗଙ୍ଗାଧର ଜୟନ୍ତୀର ଅଭିଭାଷଣ ।]

 

ବିଶ୍ଵନାଥ—ରମେଶ ବାବୁ, ନମସ୍କାର ।

 

ରମେଶ—ନମସ୍କାର । ଆପଣ !

 

ବିଶ୍ଵନାଥ—ଭାବିଥିଲି ଶୋଭାଯାତ୍ରାରେ ଆପଣ ଯାଇଥିବେ । ଦେଖିଲି, ସେମାନେ ଏଇ ଅତିକ୍ରମ କରିଗଲେ, ଆପଣ ସେ ଦଳରେ ନାହାନ୍ତି ?

 

ରମେଶ—କେଉଁ ଦଳରେ ରହିଛି, କିଛି ଭାବି ଠିକ୍ କରିପାରୁନି ।

 

ବିଶ୍ଵନାଥ—ବିପ୍ଳବୀ ଦୀର୍ଘଜୀବୀ ହେଉ । ଆପଣଙ୍କ ସଙ୍ଗୀତ ଶ୍ରମିକ କଣ୍ଠରେ ଜୀବନ ସୃଷ୍ଟି କରିଛି, ଅଗ୍ନିସ୍ଫୁଲିଙ୍ଗ ବିଛୁଡ଼ି ଦେଇଛି ଶ୍ରମିକ କଲୋନୀରେ ।

 

ରମେଶ—ସେଥିରେ ସେମାନେ ଜଳିପୋଡ଼ି ହୋଇ ମରିବେ ନାହିଁ ତ ?

 

ବିଶ୍ଵନାଥ—ମୁଁ ଗୋଟିଏ ଜରୁରୀ କାମରେ ଆସିଛି । କଥା ହେଲା-ମି. ଦାସଙ୍କ ପାଇଁ ଅଭିଭାଷଣଟି ଅଧାକରି ଲେଖି ଛାଡ଼ି ଆସିଥିଲେ । ଆପଣଙ୍କ ପାରିଶ୍ରମିକ ବାବଦ ଦୁଇ ଶତ ଟଙ୍କା ପଠେଇଛନ୍ତି । ଆଉ ତାଙ୍କର ଅନୁରୋଧ, ଆଜି କାଲି ଭିତରେ ଆପଣ ଅଭିଭାଷଣଟି ଶେଷ କରିଦେଲେ ପ୍ରେସ୍‍କୁ ଯିବ ।

 

(ଜବରଦସ୍ତି ଟଙ୍କା ତୋଡ଼ାଟା ହାତରେ ଗୁଞ୍ଜିଲେ)

 

ରମେଶ—(ଟଙ୍କା ଟେବୁଲ ଉପରେ ରଖିଦେଇ) ମିଷ୍ଟର ଦାସଙ୍କର ଏ ଦାନ ପାଇଁ ମୁଁ ଋଣୀ ରହିବି ଅବଶ୍ୟ । ତାଠାରୁ ବେଶୀ ଋଣୀ ହେଲି ଆପଣ ଏ ଦାନ ବହନକରି ଆଣିଛନ୍ତି ବୋଲି ।

 

ବିଶ୍ଵନାଥ—ରମେଶ ବାବୁ ! ଆପଣ ପୁଣି ବଞ୍ଚିବେ କିମିତି ? ଚାକିରି ତ ଗଲା—

 

ରମେଶ—ଚାକିରି ଗଲା ପରେ ଟିକେ ଶାନ୍ତିରେ ନିଶ୍ୱାସ ମାରୁଛି ।

 

ବିଶ୍ଵନାଥ—ମୁଁ ଅନୁରୋଧ କରୁଚି, ଆପଣ ଏ ଟଙ୍କା ରଖନ୍ତୁ ।

 

ରମେଶ—ଚପଲ ମାଡ଼ ତ ଏ ଟଙ୍କା ସାଙ୍ଗରେ ନାହିଁ । ଫେରେଇ ନିଅନ୍ତୁ ଏ ଟଙ୍କା । ଅଭିଭାଷଣଟି ଆରମ୍ଭ କରିଥିଲି ଯେତେବେଳେ, ଶେଷ ନିଶ୍ଚୟ କରିଦେବି । ଆପଣ ଆସି ପୂରା ଅଭିଭାଷଣଟି ନେଇଯିବେ ।

 

ବିଶ୍ଵନାଥ—ମୁଁ ଅନୁରୋଧ କରୁଚି, ଆପଣ ଏ ପାରିଶ୍ରମିକ ଗ୍ରହଣ କରନ୍ତୁ । ଦାସ ସାହେବ ବିଶେଷ ଅନୁରୋଧ କରି କହିଛନ୍ତି । ଆପଣଙ୍କ ସାଙ୍ଗରେ ତାଙ୍କର ମନାନ୍ତର ଥିଲେ ମଧ୍ୟ ସେ ଆପଣଙ୍କ ପ୍ରତିଭାକୁ ଅଭିନନ୍ଦନ ଜଣାନ୍ତି ।

 

ରମେଶ—ସେଥିପାଇଁ ଅବଶ୍ୟ ଅନେକ ଆତ୍ମପ୍ରସାଦ ପାଇଲି । ଆପଣ ଦୟାକରି ଦାସ ସାହେବଙ୍କୁ ଜଣାଇଦେବେ, ମୋ ପରି ଦରିଦ୍ର କ’ଣ ତାଙ୍କର ଏ ଅଯାଚିତ ଦାନରେ ଏତେ ଆତ୍ମପ୍ରସାଦ ଅନୁଭବ କରିପାରେ ? ଏ ଟଙ୍କା ନେଇ ମାନସିକ ବେଶ୍ୟାବୃତ୍ତି କରିପାରିବ ନାହିଁ ।

 

ବିଶ୍ଵନାଥ—ଏ ଯେ ଦାନ ନୁହେଁ, ଆପଣଙ୍କ ପାରିଶ୍ରମିକ ।

 

ରମେଶ—ହାଃ ହାଃ ହାଃ । ସାହିତ୍ୟିକ ବଜାରରେ ପୃଷ୍ଠା ଛ’ ଅଣା ପ୍ରକାଶକ ଦେବାକୁ ଅରାଜି । ସେ ପନ୍ଦର କୋଡ଼ିଏ ପୃଷ୍ଠା ଅଭିଭାଷଣ ପାଇଁ ଦୁଇ ଶହ ଟଙ୍କା ଦେବେ କାହିଁକି ? ଲୁହାଛଡ଼, ସିମେଣ୍ଟ ଓ ମେସିନାରୀ ଯୁଗରେ ସାହିତ୍ୟର ମୂଲ୍ୟ ଏତେ ବଢ଼ିଗଲାଣି ? ଧନ୍ୟବାଦ । ଆପଣ ଉଠନ୍ତୁ । ମତେ ଅଭିଭାଷଣଟି ଶେଷ କରିବାକୁ ହେବ ।

 

ବିଶ୍ଵନାଥ—(ଉଠି) ମୋର ଶେଷ ଅନୁରୋଧ, ଆପଣ ଗ୍ରହଣ କରନ୍ତୁ ।

 

(ରମେଶଙ୍କ ପକେଟରେ ଭର୍ତ୍ତି କରିଦେଲେ—ଟଙ୍କାକୁ ରମେଶ ଫେରେଇଦେଇ)

 

ରମେଶ—ଦାସ ସାହେବଙ୍କୁ ଏ ଟଙ୍କା ଫେରେଇ ମୋର କୃତଜ୍ଞତା ଜଣାଇଦେବେ । ଆଉ କହିବେ, ଏତିକି ଦୟା ଆଉ ବିଚାର ଯେବେ ଶ୍ରମିକମାନଙ୍କୁ ସେ ଦେଖେଇବେ, ତାଙ୍କର ଅଶେଷ ପୁଣ୍ୟ ହେବ । ଆସନ୍ତୁ ।

 

ବିଶ୍ଵନାଥ—ଏ ଟଙ୍କାଟା ମୁଁ ରଖିନେଉଚି । ଦରକାରବେଳେ ଆପଣ ମୋତେ ମାଗିପାରନ୍ତି । (ପ୍ରସ୍ଥାନ କଲା ପରେ)

 

ରମେଶ—ବିଶ୍ଵନାଥ ! ଦାସ ସାହେବଙ୍କ ଟେବୁଲ ଉପରେ ମୋର ତରଙ୍ଗ ପାଣ୍ଡୁଲିପିଟି । ଚାଲିଗଲ-। ପାଣ୍ଡୁଲିପିଟା କ’ଣ ହଜିଗଲା । (ଘର ଭିତରକୁ ଆସିଲେ ନନ୍ଦିତା ଓ ଯଦୁନାଥ)

 

ଯଦୁନାଥ—ଦକ୍ଷିଣ କବାଟ ଆଉ ବିଶ୍ଵନାଥ ସମାନ୍ତର ଶ୍ରମିକ ଅନୁଷ୍ଠାନ ଗଠନ ପାଇଁ ଆନ୍ଦୋଳନ ଆରମ୍ଭ କରିଛନ୍ତି । କରନ୍ତୁ– ଆପଣ !

 

ରମେଶ—ଧର୍ମଘଟ ନୋଟିସ ଭାବିଚିନ୍ତି ଦବାର ଥିଲା ।

 

ନନ୍ଦିତା—ଭାବିବାକୁ ସମୟ କାହିଁ ? ଆଠ ଶହ ଶ୍ରମିକଙ୍କୁ ଯେ ଛଟେଇ ନୋଟିସ ଦିଆଗଲା । ସେ ଆଠ ଶହ ପରିବାର ସହିତ ଆଉ ବଇଆଳିଶ ପରିବାର ଭୋକ ଉପାସରେ ମରିବେ ତ ମରାନ୍ତୁ ।

 

ରମେଶ—ନନ୍ଦା !

 

ଯଦୁନାଥ—ପଦାରୁ ଶ୍ରମିକ ଆଣି ମିଲ୍ ଚଳାଇବା ପାଇଁ ମସୁଧା ହେଉଚି ।

 

ରମେଶ—ଶ୍ରମିକ କମିସନ୍‍ରଙ୍କ ଦେଖାକରିବା ଦରକାର ।

 

ନନ୍ଦିତା—ଶିଳ୍ପପତି ଇଙ୍ଗିତରେ ସରକାର ଯେବେ ଗଠନ ହେଉଥାଏ, ଶିଳ୍ପର ଉନ୍ନତି ପାଇଁ ପଞ୍ଚବାର୍ଷିକ ଯୋଜନା ସଫଳହେବା ନାମରେ ବ୍ୟକ୍ତିଗତ ସ୍ୱାଧୀନତାକୁ ବଳି ଦେଇ ଯୋଉଠି ନିରାପତ୍ତା ଆଇନ୍‍ ପ୍ରଣୟନ କରିବା ପାଇଁ ମସୁଧା କରାଯାଏ, ସେଠି ଶ୍ରମିକ କେଉଁଠି ଆଉ କେଉଁ ଭାବରେ ନ୍ୟାୟ ପାଇବ ବୋଲି ଭରସା ରଖିବା ?

 

ରମେଶ—ସପ୍ତାହେ ପରେ ଧର୍ମଘଟ ହେବ । ପୁଲିସ ସାହାଯ୍ୟ ନେଇ ଶ୍ରମିକଙ୍କ ଭିତରୁ କେତେକଙ୍କୁ କରଗତ କରି ମିଲ୍ ଚଳେଇବେ ବା ମିଲ୍ ଫାଟକରେ ଚାବି ପକେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମିଲ୍ ବନ୍ଦ ରଖିବେ ।

 

ଯଦୁନାଥ—ଅନିର୍ଦ୍ଦିଷ୍ଟ କାଳ ପାଇଁ ମିଲ୍ ବନ୍ଦ ରଖିବାକୁ ଆମେ ଦେବୁ ନାହିଁ । ଆଉ ପଦାରୁ ଯେବେ ଶ୍ରମିକ ଆଣି ମିଲ୍ ଚାଲୁ କରନ୍ତି ନା–

 

ରମେଶ—ଏତେ ଭାବପ୍ରବଣ ହୋଇଉଠନା ଯଦୁନାଥ ! ଅସଂଖ୍ୟ ମଜଦୂର୍‍ର ରକ୍ତ ଢାଳିଦେଇ ଲାଭଟା କଣ ହେବ ଶୁଣେ । ଗୁଳି ଫୁଟିବ । ଚାରି ପାଞ୍ଚଟି ଶ୍ରମିକ ଢଳିପଡ଼ିଲେ ଶ୍ରମିକର ଧୈର୍ଯ୍ୟ ତୁଟିଯିବ, ସଂଗଠନ ଭାଙ୍ଗିପଡ଼ିବ । ତମ କେଇଜଣଙ୍କ ହାତରେ ଲୁହା ବେଡ଼ି ପିନ୍ଧେଇଦେଇ ଆଇନ ଆଉ ଶାନ୍ତିରକ୍ଷା ନାମରେ ଜେଲ ପଠେଇଦେବେ ।

 

ନନ୍ଦିତା—ଆଉ ଏ ହିଟ୍‍ଲରି ଶାସନ ସହି ହେଉନି । (ପ୍ରବେଶ କରିଛନ୍ତି ମି. ରାୟ ଅହେତୁକ ଧୂମକେତୁ ପରି)

 

ମି. ରାୟ—ଭୟ ହେଉଛି ଆପଣମାନଙ୍କର ? ମୁଁ ମିଲ୍ ମାଲିକର ଗୁଇନ୍ଦା ନୁହେ । ସରକାର ମୋତେ ଗୁଇନ୍ଦା ଭାବରେ ନିଯୁକ୍ତ କରିବାକୁ ଭୟ କରିବେ । ତେଣୁ ଆପଣ ନିଶ୍ଚୟ ହୁଅନ୍ତୁ ।

 

ରମେଶ—ଆପଣ !

 

ମି. ରାୟ—ମୁଁ ଆପଣଙ୍କ ଦଳର ବି ନୁହେଁ । ଗଣତନ୍ତ୍ର ବାଦ । ସାମ୍ୟବାଦ, ହିଟଲରିବାଦ–ସବୁ ବାଦବିବାଦକୁ ମୁଁ ଅସ୍ୱୀକାର କରେ । ମୋ ପରିଚୟ ତ ଆପଣଙ୍କୁ ତୃପ୍ତି ଦେବୀ ସେଦିନ ଦେଇଛନ୍ତି-

 

ନନ୍ଦିତା—ଆପଣଙ୍କର କଣ ହୋଇଛି ?

 

ମି. ରାୟ—ମୋର କିଛି ହେଇନି ନନ୍ଦିତା ଦେବୀ ! ହେଇଛି, ମିଲ୍‍ର ପାଞ୍ଚ ହଜାର ଶ୍ରମିକଙ୍କର । ଯଦୁନାଥ ! ମୁଁ ତମକୁ ଅଭିନନ୍ଦନ ଜଣାଉଛି । ହେଲେ ଗୋଟାଏ କଥା, ଅନିର୍ଦ୍ଦିଷ୍ଟ କାଳ ପାଇଁ ମିଲ୍ କାହିଁକି ବନ୍ଦ ରହିବ ?

 

ନନ୍ଦିତା—ଆମ୍ଭେମାନେ ନିରୁପାୟ ।

 

ମି. ରାୟ—ନିରୁପାୟ ଭାବରେ ଉପାୟ ଖୋଜିବସିଲେ ତମର ନେତୃତ୍ୱ ଦୁର୍ବଳ ହେଇପଡ଼ିବ । ଯେ କୌଣସିମତେ ମିଲ୍ ଚାଲୁ କରିବାକୁ ପଡ଼ିବ । ଦରକାର ପଡ଼ିଲେ ଉଭୟ ପକ୍ଷରୁ ଗୁଳି, ବନ୍ଧୁକ, ଲାଠି ପ୍ରହାରର ଉଦ୍ୟମ କରିବାକୁ ହେବ । (ପିସ୍ତଲ ବାହାର କରବା ।)

 

ରମେଶ—ଆତଙ୍କବାଦ ?

 

ମି. ରାୟ—ସେଦିନ କହିଥିଲି ଆତଙ୍କବାଦୀ ଗଛରେ ଫଳନ୍ତି ନାହିଁ ସାର୍ ! ଗାଈ, ଗୋରୁ, ଛେଳି, ମେଣ୍ଢା ଆତଙ୍କବାଦୀ ହେଇପାରନ୍ତି ନାହିଁ । ଏଇ ମଣିଷ ଗାନ୍ଧୀ, ବୁଦ୍ଧ, ଚୈତନ୍ୟ । ଏଇ ମଣିଷ ଭଗତ ସିଂ, ଖୁଦିରାମ, ସିରାଜଉଦ୍ଦୌଲ୍ଲା । ଏଇ ମଣିଷ ଶାହାଜାହାନ, ଲାଙ୍ଗୁଳା ନରସିଂହ ଦେବ, କଳାପାହାଡ଼, ମହମ୍ମଦ ଘୋରୀ, ଆଉ ଭାବବିଳାସୀ କବି ରମେଶଚନ୍ଦ୍ର । ତମେ ମଣିଷ ରମେଶଚନ୍ଦ୍ର, ଭଦ୍ରଲୋକ ଝିଅ ନାଁରେ ବ୍ୟଙ୍ଗ କବିତା ଲେଖ । ଆଉ ଏଇ ମି. ରାୟ ସେ ସବୁ ଶୁଣି ବିଶ୍ୱାସ କରନ୍ତି ନାହିଁ ।

 

ରମେଶ—ଏ ମଣିଷ ଆତତାୟୀ, ରକ୍ତପାୟୀ, ବଣର ବାଘ, ସିଂହ, ଘାସ ତଳର ପୌଷ୍ୟ ବିଷାକ୍ତ ସର୍ପ ।

 

ମି. ରାୟ—ସେଇ ମଣିଷ ରକ୍ତପାୟୀ କୋଟିପତି ମି. ଦାସ, ଆଉ ଜଙ୍ଗଲର ନିରୀହ ହରିଣ ଦଳ ପରି ମିଲ୍‍ର ଅସଂଖ୍ୟ ଶ୍ରମିକ । ଦୁଗ୍‍ଧ ଫେନନିଭ ଶଯ୍ୟାରେ ବିଳାସିତ ନାୟିକା ତୃପ୍ତି ଦେବୀ, ଆଉ ସର୍ବହରା ରମେଶଚନ୍ଦ୍ର । କିନ୍ତୁ ଏ ମଣିଷ ଗୋଟାଏ ତାଜା ମିକ୍‍ସଚର । ଚିନାବାଦାମ, ଚୁଡ଼ାଭଜା, ଲୁଣ, ଲଙ୍କା, କାଜେଜିଲେମ୍ବୁ ରସ ମିଶା ମିକ୍‍ସଚର ମଣିଷ ସାର୍ !

 

ନନ୍ଦିତା—ଆପଣଙ୍କର କଣ ହୋଇଛି ?

 

ମି. ରାୟ—ସେଇ ପ୍ରଶ୍ନ ବାରବାର କାହିଁକି ପଚାରୁଛ ନନ୍ଦିତା ଦେବୀ ? ତମେ ନିରୁପାୟ ହୋଇ ଉପାୟ ଖୋଜୁଛ । ଉପାୟ ପାଇଁ ମୁଁ ନିରୁପାୟ ହେବି ବୋଲି କାହିଁକି ଭାବୁଛ ?

 

ରମେଶ—କ୍ଷମା କରିବେ । ଆପଣ ସବୁ ଚାଲିଯାନ୍ତୁ । ମୋର ବହୁ କାମ ବାକି ଅଛି ।

 

ମି. ରାୟ—ମୋର ଆସିବା କ’ଣ ଖାଲି ପ୍ରବେଶ ଓ ପ୍ରସ୍ଥାନରେ ପର୍ଯ୍ୟବସିତ ହୋଇ ରହିବ ? ବ୍ୟଙ୍ଗ କବିତା ଲେଖିବାର ଅଛି ?

 

ରମେଶ—ବଡ଼ ସାଙ୍ଘାତିକ କଥା କହୁଛନ୍ତି !

 

ମି. ରାୟ—ଅସାଙ୍ଘାତିକ ଲୋକ ନ ହେଲେ ଏତେବଡ଼ ସାଙ୍ଘାତିକ କଥା କହନ୍ତି କିପରି ? ମିଲ୍ ବନ୍ଦ ହେଲେ ହଜାର ହଜାର ଶ୍ରମିକ ଭୋକ ଉପାସରେ ଛଟପଟ ହେବେ । ସେ କଥା କଣ ବିଚାର କରିଛ ନନ୍ଦିତା ଦେବୀ ? ସେ ମଣିଷ ଲୋକଙ୍କୁ ତତେଇବେ, ମତେଇବେ । ଯମମୁହଁକୁ ଠେଲିଦେଇ ଖାଲି ମସୁଧା, ପ୍ରେସ୍‍ ବିଜ୍ଞପତି, କମିସନରଙ୍କ ସଂଗେ ସାକ୍ଷାତ, ମନ୍ତ୍ରୀ ଆଉ ଆସେମ୍ବ୍ଲିପାଖରେ ଅନଶନ କରି ଶୋଇରହିବେ । ହେଲେ ମୁଁ ମଣିଷ ଆତଙ୍କବାଦୀ ହେବାକୁ ଭୟ କରେ ନାହିଁ । ସେ ଆତଙ୍କବାଦର ଫାଙ୍କା ଆବାଜ ଭିତରେ ମୁଁ ଚାହେଁ ଶ୍ରମିକ ବଞ୍ଚନ୍ତୁ । ଭିକ୍ଷା କରି ନୁହେଁ—ମନ୍ତ୍ରୀ, ଆସେମ୍ବ୍ଲି ସଦସ୍ୟ, ମିଲ୍ ମାଲିକଙ୍କର କୃପାପ୍ରାର୍ଥୀ ହୋଇ ନୁହେଁ, ଆଉ ପ୍ରଣୟ ପାଇଁ ବ୍ୟଙ୍ଗ କବିତା ଲେଖିକରି ନୁହେଁ ।

 

ରମେଶ—ଏ କି ଆଦର୍ଶ ? ଏ କି କଥା କହୁଛନ୍ତି ଆପଣ ?

 

ମି. ରାୟ—ଗାନ୍ଧୀ, ବୁଦ୍ଧ କୌଣସି ଆଦର୍ଶ ଦଣ୍ଡି ତରାଜୁରେ ମାପିକରି ବା କୁମ୍ଭାରଚକରେ ଗଢ଼ି ଲୋକଙ୍କ ଆଗରେ ଥୋଇଦେଇ ଯାଇ ନାହାନ୍ତି । ତାଙ୍କ କାମ ଆଦର୍ଶ ସୃଷ୍ଟି କରିଯାଇଛି । ମଣିଷକୁ ବଞ୍ଚଇବା ପାଇଁ ସେ ମହାବାଣୀ ଶୁଣେଇ ଦେଇ ଯାଇଛନ୍ତି । ସେ ବାଣୀ ଶେଷବାଣୀ ନୁହେଁ । ଅନେକ ବାଣୀ ଶୁଣିବ ଏ ପୃଥିବୀ । ମୁଁ ଚାହେ, ଶ୍ରମିକ ବିନା ସର୍ତ୍ତରେ ଧର୍ମଘଟ ପ୍ରତ୍ୟାହାର କରୁ । ଛଟେଇ ନ ହୋଇଥିବା ଶ୍ରମିକକୁ ମିଳୁଥିବା ମଜୁରୀରୁ ଛଟେଇ ହୋଇଥିବା ଆଠଶହ ପରିବାରଙ୍କର ଭରଣ ପୋଷଣ ଭାର ସାମୟିକଭାବେ ଗ୍ରହଣ କରି ସଂବିଧାନିକ ଭାବରେ ମିଲ୍ ମାଲିକକୁ ଆହ୍ୱାନ କରୁ । ନଚେତ୍‍ ମିଲ୍ ମାଲିକାକୁ ହଟାଇ ମିଲ୍‍ର ଶାସନଭାର ଶ୍ରମିକ ନିଜେ ହାତକୁ ନେଉ ।

 

ନନ୍ଦିତା—ଆପଣଙ୍କ ସାଧୁ ଉପଦେଶ ପାଇଁ ଅଶେଷ ଧନ୍ୟବାଦ । ମିଲ୍ ମାଲିକର ପରମବନ୍ଧୁ ଆପଣ । ଆସନ୍ତୁ । ଆସନ୍ତୁ ଆପଣ ।

 

ମି. ରାୟ—ଶୁଣୁଚ ଯଦୁନାଥ ! ଏ ଯୁଗରେ ନେତାଗିରି ଖୁବ୍ ଶସ୍ତା । ହେଲେ ଶ୍ରମିକମାନଙ୍କୁ ମୋର ପ୍ରଥମ ସତର୍କବାଣୀ । ଏ କୁଳ ହେଉ, ନୋହିଲେ ସେ କୁଳ ହେଉ । ଗୋଟିଏ ଶେଷ ନିଷ୍ପତ୍ତି କରିବାକୁ ହେବ । ରାମେଶବାବୁ ! ଆପଣମାନଙ୍କୁ ସାହାଯ୍ୟ କରିବାକୁ ସବୁବେଳେ ମୁଁ ପ୍ରସ୍ତୁତ । ହେଲେ ମିଲ୍ ବନ୍ଦ ହେବାକୁ ମୁଁ କଦାପି ଦେବି ନାହିଁ । ହଁ, ହଁ, ମିଲ୍ ଚାଲୁ ରହିବ । (ପ୍ରସ୍ଥାନ)

 

ନନ୍ଦିତା—ଭୟଙ୍କର ଲୋକ ଏ !

 

ଯଦୁନାଥ—ଦାସ ସାହେବଙ୍କ ପିଲାର ମାମୁଁ ନା ?

 

ରମେଶ—ନା ନା ନନ୍ଦା ! ମି. ରାୟ କିଛି ଭୁଲ କହୁ ନାହାନ୍ତି । ତମେମାନେ ଆଉଥରେ ବିଚାର କର । ହଁ ହଁ, ଆଉଥରେ ବିଚାର କର । (ପ୍ରସ୍ଥାନ)

 

ନନ୍ଦିତା—ଭାଇ !

 

ଯଦୁନାଥ—ରମେଶବାବୁ !

 

(ପରଦା)

 

ଚତୁର୍ଥ ଦୃଶ୍ୟ

 

[ରାଜପଥ ଉପର ମୁଣ୍ଡରେ ଲାଗିଥିବା ଗୋଟିଏ ଛୋଟ ଗଳି । ଅଦୂରରେ ଭୟଙ୍କର ପାଟିତୁଣ୍ଡ ହେଉଥାଏ । ସେହି ଅନ୍ଧକାର ଗଳି ଭିତରୁ ବିଶ୍ଵନାଥର ହାତଧରି ଦକ୍ଷିଣ କବାଟ ପ୍ରବେଶ କଲେ । ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଚି । ରକ୍ତ ବହି ଆସୁଥାଏ । ପାଟିତୁଣ୍ଡ ପୂର୍ବପରି ଶୁଭୁଥାଏ-। ଯେ ଯୁଆଡ଼େ ଛିନ୍ନଛତ୍ର ହୋଇ ପଳେଇ ଯାଉଥାନ୍ତି ।]

 

ଡ଼. କବାଟ—ରକ୍ଷା ହୋଇଯାଇଚି । ଦାସ ସାହେବ ଏ ସଭାକୁ ଆସି ନାହାନ୍ତି । ରକ୍ଷା ହୋଇଗଲା-। ତମେ ବୁଦ୍ଧିମାନର କାମ କରି ଟେବୁଲ ତଳେ ପଶିଗଲ ।

 

ବିଶ୍ଵନାଥ—ଆଗରୁ ଏ ବିଷୟରେ କିଛି ଜାଣି ନ ଥିଲି । ନୋହିଲେ ଲେଖାଟା ସେମିତି ପଠେଇ ଦେଇ ରହିଯାଇଥାନ୍ତି । ଆଗରୁ ଏଦଳ, ସେଦଳ, ଆମ ଦଳ ପ୍ରସ୍ତୁତ ହୋଇଛନ୍ତି ବୋଲି ମୁଁ ମୋଟେ ଜାଣିନି ।

 

ଦ. କବାଟ—ସବୁଠାରେ ସମାନ ବାବୁ ! ପଞ୍ଚାୟତ ସଭାରେ ତିନି ଫାଙ୍କ, ଆସେମ୍ବ୍ଲିରେ ସେଇଆ-। ରାଜ୍ୟସଭାରେ ଯାହା, ଏ ସାହିତ୍ୟସଭାରେ ସେଇଆ ।

 

ବିଶ୍ଵନାଥ—ସେଠି ଟେବୁଲ ବାଡ଼ିଆ, ଗାଳି ନିଆଦିଆ ହୁଏ ସିନା, ଏମିତି ହାତାହାତି କେବେ ହେଇ ନ ଥିଲେ । ହାତାହାତିରୁ ଟେକା, ପଥର, ଚୌକି ପକାପକି ଏଇ ପ୍ରଥମ ଥର ହେଲା ସାହିତ୍ୟ ସଭାରେ ।

 

ଦ. କବାଟ—ଆରଥର ବେଳକୁ ସୋଢ଼ାବୋତଲ ଯେ ଯୋଗାଡ଼ କରିବ ସେ ଜିତିଯିବ । ନୋହିଲେ ପୁରା ପୁଲିସ ଫୋର୍ସ ଚାରିଆଡ଼େ ମୁତୟନ କରି ସାହିତ୍ୟସଭା କରିବ ।

ବିଶ୍ଵନାଥ—ଅଭିଭାଷଣଟା ଆରମ୍ଭ କଲାବେଳକୁ ମୋର ମନେ ହେଉଚି ଧନଞ୍ଜୟ ପ୍ରଥମେ ପାଟିକଲା । ସେହି ପ୍ରଥମେ ଟେବୁଲ ବାଡ଼ିଆ ଆରମ୍ଭ କରିଛି । ତା ସାଙ୍ଗେ ସାଙ୍ଗେ ଆମ ଦଳ ଲୋକେ ଧନଞ୍ଜୟକୁ ବସେଇ ଦେବାକୁ ଚେଷ୍ଟା କଲେ । ଜଣେ କିଏ ଧନଞ୍ଜୟ ପାଟିରେ ରୁମାଲ ଦେଇ ମାଡ଼ିବସିଲା ।

ଦ. କବାଟ—ଯାହା ହୋଇଯିବାର ହୋଇଗଲା । ଏତେଗୁଡ଼ାଏ ଟଙ୍କା ଖର୍ଚ୍ଚକରି ଅଭିଭାଷଣଟା ଲେଖା ପ୍ରକାଶ କରିବା ଉଚିତ ।

ବିଶ୍ଵନାଥ—ଅଭିଭାଷଣଟା ବଣ୍ଟା ସରିଚି ତ ?

ଦ. କବାଟ—ବଣ୍ଟାଗଲା କେତେବେଳେ ? ମୁଁ ଭାବିଲି ଅଭିଭାଷଣ ବାଣ୍ଟିଦେଲେ ତମକଥା କେହି ଶୁଣିବେ ନାହିଁ । ତେଣୁ ଭାବିଲି, ତମେ ପଢ଼ିସାରିବା ପରେ ଅଭିଭାଷଣଟା ବାଣ୍ଟିବି ।

ବିଶ୍ଵନାଥ—ବଡ଼ ଅଦ୍ଭୁତ ଲୋକ ତମେ ! ଆରେ—(ଯାଉଥିଲା)

ଦ. କବାଟ—(ଧରିନେଇ) ଜୀବନରେ ତମର ଆଶା ଅଛି କି ନାହିଁ ? ମୁଁ ସବୁ ଜାଣେ ବିଶ୍ଵନାଥବାବୁ ! ସେ ପାଞ୍ଚ ହଜାର ଚେକ ନେଇ ସେମାନଙ୍କ ଦେୟ ଦେଇନା । ତେଣୁ ସଭାରେ ତମେ ଯେମିତି ଅଭିଭାଷଣ ପଢ଼ିବା ଆରମ୍ଭ କଲ—

ବିଶ୍ଵନାଥ—ନା ନା, ଦାସ ସାହେବଙ୍କର ନିମକ ଖାଇ ଏମିତି ନିମକ-ହାରାମ ହେଇପାରିବ ନାହିଁ । ସେଗୁଡ଼ାକ ଯେମିତି ହେଲେ ବଣ୍ଟାଯିବ ।

ଦ. କବାଟ—ଦେଖନ୍ତୁ । ସେଗୁଡ଼ାକ ଯେମିତି ବଣ୍ଟାଯିବ, ତାର ବ୍ୟବସ୍ଥା ମୁଁ କରିଛି । ଅଭିଭାଷଣର ଯେତେ ମୂଲ ଥାଉ ବା ନ ଥାଉ, ଠୁଙ୍ଗାବାଲା ନିଶ୍ଚୟ କିଲୋ ଦରରେ ସେଗୁଡ଼ାକ କିଣି ସାମ୍ୟବାଦ ନୀତିରେ ସେଗୁଡ଼ାକ ବଣ୍ଟନ କରିବା ପାଇଁ ପଛେଇବେ ନାହିଁ । ଦାସ ସାହେବଙ୍କ ସାହିତ୍ୟ ମୂଲ୍ୟ ସମାଜରେ ନିର୍ଦ୍ଧାରିତ ହୋଇଯାଇଛି । ସେ ବିଷୟରେ ବେଶି ଚିନ୍ତା ନ କରି ବର୍ତ୍ତମାନ ଯେଉଁ ଗୁରୁଦାୟିତ୍ୱ ତମେ ମିଲ୍ ରେ ନେଇଚ ସେ ବିଷୟ ବିଶେଷ ଚିନ୍ତା କର । ଧନଞ୍ଜୟ, ରସାନନ୍ଦ ପ୍ରଭୃତିଙ୍କୁ ଓ ତାଙ୍କ ଅନୁଷ୍ଠାନକୁ ତାଙ୍କ ଦେୟ ଦେଇ ସେମାନଙ୍କ ସହାନୁଭୂତି ଆମ ଅନୁଷ୍ଠାନ ପ୍ରତି ଟାଣି ଆଣିବାକୁ ହବ ।

ବିଶ୍ଵନାଥ—ଟଙ୍କା କାଇଁ ?

ଦ. କବାଟ—ଟଙ୍କା ତମ ପାଖରେ ଅଛି । ଅଭିଭାଷଣ ଟଙ୍କା ରମେଶ ନେଇନି । ଆଉ ସେ ପାଞ୍ଚ ହଜାରରୁ ତିନି ହଜାର ତମ ପାସ୍‍ ବହିରେ ଅଛି ।

ବିଶ୍ଵନାଥ—ଦକ୍ଷିଣ କବାଟ !

ଦ. କବାଟ—ତମେ ସବୁ ଖୁଚୁରା ବେପାର କରିବାକୁ ଆରମ୍ଭ କରିଚ, ହେଲେ ମୁଁ ଏ ଲାଇନରେ ପକ୍‍କା ହୋଲସେଲ୍‍ ଡିଲର୍‍ । ଏକବାରେ ମନୋପଲି କହିଲେ ଚଳେ ।

ବିଶ୍ଵନାଥ—ଦାସ ସାହେବ ଏସବୁ ଜାଣନ୍ତି ?

ଦ. କବାଟ—(ହସି) ଜଣେଇଲେ ଜାଣିବେ ସିନା ! ତମେ ଆସ । ଶୀଘ୍ର ଶ୍ରମିକ ମଙ୍ଗଳ ସମିତିରେ ଏମାନଙ୍କୁ ଅନ୍ତର୍ଭୁକ୍ତ କରି ସେମାନଙ୍କର ଆହ୍ୱାନକୁ ଜବାବ ଦେବାକୁ ହେବ । (ବିଶ୍ଵନାଥକୁ ଟାଣିନେଇ ଚାଲିଗଲେ । ବିପରୀତ ଦିଗରୁ ଆସିଛି ରସାନନ୍ଦ ତାଙ୍କ ସାଙ୍ଗରେ ମି. ରାୟ ।)

ରସାନନ୍ଦ—ଆଜ୍ଞା ! ବାପା ଏକସପାୟାର୍ଡ଼ କରି ଯାଇଛନ୍ତି ।

ମି. ରାୟ—ଏକ୍‍ସ୍‍ପାୟାର୍ଡ଼ କରି ନ ଥିଲେ ତାଙ୍କର ବୟସ ବର୍ତ୍ତମାନ କେତେ ହୋଇଥାନ୍ତା ?

ରସାନନ୍ଦ—ପଚାଶ ବର୍ଷ ହୋଇଥାନ୍ତା ?

ମି. ରାୟ—ମୋତେ କେତେ ବର୍ଷ ହେବ ବୋଲି ଭାବୁଚ ।

ରସାନନ୍ଦ—କହିପାରିବିନି ଆଜ୍ଞା ।

ମି. ରାୟ—ଅନୁମାନ କରି କୁହ ।

ରସାନନ୍ଦ—ଆପଣଙ୍କ ବୟସ ଚାଳିଶ ବର୍ଷ ହେବ ।

ମି. ରାୟ—ତା, ହେଲେ ମୁଁ ତମ ବାପାଙ୍କ ବୟସର, ନ ହେଲେ ବି ତମ ଦାଦିଙ୍କ ବୟସର । ମୋ ବାଳସବୁ ପାଚିଗଲାଣି ଦେଖୁଚ ?

ରସାନନ୍ଦ—ସବୁ ପାଚିନି ଆଜ୍ଞା !

ମି. ରାୟ—ତେବେ ଅଧା ପାଚିଗଲାଣି । ଆଚ୍ଛା କହିଲ ଦେଖି, ଏ ବାଳସବୁ ଗୋଟାଏ ଦିନରେ ପାଚିଛି ନା ଗୋଟିଏ ଗୋଟିଏ ହୋଇ ପାଚିବାକୁ ସମୟ ନେଇଚି ।

ରସାନନ୍ଦ—ନାଇଁ ଆଜ୍ଞା, ଗୋଟିଏ ଗୋଟିଏ ହୋଇ ପାଚିଥିବ, ଏକା ଦିନରେ କିମିତି ପାଚିବ ?

ମି. ରାୟ—ମୁଁ ତମ ପରି ଟୋକା ଥିଲି, ମୋ ବାଳସବୁ କଳା ଥିଲା ।

ରସାନନ୍ଦ—ଆଜ୍ଞା, ହଁ ଥିବ ।

ମି. ରାୟ—(ଚଢ଼ାଗଳାରେ) ମୁଁ କଣ ତମ ପରି ସାହିତ୍ୟସଭାରେ ଟେକା ପଥର ପକାଉଥିଲି ? ନା ଦିନରାତି ଗାର୍ଲ ସ୍କୁଲ ଗେଟ୍‍ ଆଗରେ ଯାଇ ପଇଁତରା ମାରୁଥିଲି ? ସେ ଦିନ କହିଥିଲି, ତମେ ସବୁ ବିଦ୍ରୋହ କରିଥିଲ ।

ରସାନନ୍ଦ—ସାର୍ !!!

ମି. ରାୟ—ବୁଝିଲ ? ମଦ ତମେ ଖାଅ ପଛେ, ଦେହରେ ମଦ ବୋଳି ସମାଜରେ ଦେଖେଇ ହୁଅନା । ତମମାନଙ୍କ ଉପରେ ମୋ ନଜର ସବୁବେଳେ ଅଛି ।

ରସାନନ୍ଦ—ଆପଣ ମୋତେ ଭୁଲ ବୁଝୁଛନ୍ତି।

ମି. ରାୟ—ତମେ ତେବେ ମୋତେ ଠିକ୍ ବୁଝେଇ ଦେଉନା କାହିଁକି ?

ରସାନନ୍ଦ—ମୋତେ ଯେବେ ବିଶ୍ୱାସ ନ କରୁଛନ୍ତି, ମୁଁ ଆପଣଙ୍କ ନିକଟକୁ ରଞ୍ଜନାକୁ ଡକାଇ ଆଣିବି । ରଞ୍ଜନାଠାରୁ ଏସବୁ ଖବର ନବା ପାଇଁ ତା ସାଙ୍ଗରେ ଟିକିଏ ବନ୍ଧୁତା ଜମାଇ ଦେଇଛି । ବିଶ୍ଵନାଥ ଆମକୁ ସବୁ ଯେମିତି ଭୂତେଇଦେଇ ଟଙ୍କା ନେଇଛି ।

ମି. ରାୟ—ଆଚ୍ଛା, ତମେ ସତ କହିବି ?

ରସାନନ୍ଦ—ଦରକାର ପଡ଼ିଲେ ବେଳେ ବେଳେ ମିଛ କହେ ଆଜ୍ଞା ! ନୋହିଲେ ମୁଁ ସବୁବେଳେ ସତ କହେ ।

ମି. ରାୟ—ରଞ୍ଜନା ଖବର ଦେଇପାରେ ! କି ଖବର ଦବ ?

ରସାନନ୍ଦ—ରଞ୍ଜନା ମୋତେ ସବୁ କହିଛି । ବିଶ୍ଵନାଥ ତାକୁ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ତାରି ଜରିଆରେ ତୃପ୍ତି ଦେଇଙ୍କ ନାମରେ ବ୍ୟଙ୍ଗ କବିତାସବୁ ଲେଖାଇ ଦୁର୍ନାମ କରୁଥିଲା ।

ମି. ରାୟ—ରମେଶ ଏ ସମ୍ପର୍କରେ କିଛି ଜାଣେ ?

ରସାନନ୍ଦ—କିଛି ଜାଣେନା ଆଜ୍ଞା ! କେଉଁଠି ଏସବୁ କବିତା ଲେଖା ହୋଇଥିଲା, କିଏ ଲେଖୁଥିଲା, କିପରି ଭାବରେ କଲେଜ କମନ୍‍ ରୁମ୍ ରେ ବ୍ୟଙ୍ଗକବିତା ପୋଷ୍ଟର ହୋଇ ମରାଯାଉଥିଲା, ସେ ଖବରସବୁ ରଞ୍ଜନା ଦେବ । ତୃପ୍ତି ଦେଇଙ୍କି ହାତମୁଠାରେ ଆଣିବା ପାଇଁ ବିଶ୍ଵନାଥ ଏ ଷଡ଼ଯନ୍ତ୍ର କରିଛି ।

ମି. ରାୟ—ତମେ କହୁଚ ରଞ୍ଜନା ବିଶ୍ଵନାଥକୁ ବିବାହ କରିବ । ହେଲେ ସେ କିମିତି ବିଶ୍ଵନାଥ ବିରୁଦ୍ଧରେ ସାକ୍ଷୀ ଦବ ?

ରସାନନ୍ଦ—ରଞ୍ଜନାର ନିଶା ମୁଁ ଛଡ଼େଇ ଦେଇଚି । ତାର ଦୁର୍ନାମ ହେଇ ଯାଇଥାନ୍ତା, ହେଲେ ମୁଁ ତାକୁ ବଞ୍ଚେଇ ଦେଲି ।

ମି. ରାୟ—ତମେ ତା ହେଲେ—

ରସାନନ୍ଦ—ମୁଁ ରଞ୍ଜନାକୁ ଦରକାର ପଡ଼ିଲେ ବିବାହ କରିବି । ଆଉ ମୋର ଅନୁରୋଧ, ବିଶ୍ଵନାଥ ହାତଲେଖା କାଗଜସବୁ ଅଛି, ମୋତେ ଥରେ ରଞ୍ଜନାକୁ ନେଇ ତୃପ୍ତି ଦେଇଙ୍କ ପାଖରେ ପହଞ୍ଚେଇ ଦିଅନ୍ତୁ ।

ମି. ରାୟ—ଆଛା, ମୋତେ ବିଶ୍ଵନାଥ ହାତଲେଖା କାଗଜପତ୍ର ସବୁ ଦେବ ନା ?

ରସାନନ୍ଦ—ଆଜ୍ଞା, ଆପଣ ମୋ ସାଙ୍ଗରେ ଆସନ୍ତୁ । ସେ ସବୁ କାଗଜପତ୍ର ଦେଇଦେବି । ସେ ଆମ ସମସ୍ତଙ୍କୁ ବିଟ୍ରେ କରିଛି । ହଁ ଆଜ୍ଞା, ଆଜି ସଭାରେ ପାନେ ପାଇଥାନ୍ତା, ଜୀବନ ନେଇ ପଳେଇଲା ।

ମି ରାୟ—ଆଚ୍ଛା, ତୁମେ ଆସ । ତୁମେ ଟିକିଏ ସାହାଯ୍ୟ କର । (କହୁ କହୁ ପ୍ରସ୍ଥାନ କଲେ)

 

ପଞ୍ଚମ ଦୃଶ୍ୟ

 

[ମି. ଦାସଙ୍କ ବୈଠକଖାନା, ମୀନାକ୍ଷୀ, ତୃପ୍ତି, ଚିନ୍ମୟୀ ବୈଠକ ଖାନାରେ ବସିଥିଲେ । ତୃପ୍ତି ମୀନାକ୍ଷୀର ଫିଲେଟ ବାନ୍ଧୁଥିଲେ । ରେଡିଓରେ କଟନ୍‍ ମିଲ୍‍ର ଧର୍ମଘଟ ସମ୍ବନ୍ଧରେ ଆକାଶବାଣୀ ପକ୍ଷରୁ ନିଉଜ ରିଲେ ହେଉଥିଲା ।]

 

ରେ:ନି—କଟନ ମିଲ୍‍ର ପାଞ୍ଚ ହଜାର ଶ୍ରମିକ ମିଲ୍ ମାଲିକଙ୍କୁ ସ୍ମାରକପତ୍ର ଦେବାର ତିନି ମାସ ହୋଇଗଲା । ମିଲ୍ ମାଲିକ ତରଫରୁ ସନ୍ତୋଷଜନକ ଭାବରେ ଆପୋଷ ମିଳାମିଶା ନ ହୋଇ ଶତକଡ଼ା ୧୦ ଭାଗ ହିସାବରେ ପାଞ୍ଚଶହ ଶ୍ରମିକଙ୍କୁ ଛଟେଇ କରାଯିବାରୁ ସମ୍ମିଳିତ ଭାବରେ ମିଲ୍ ମାଲିକଙ୍କୁ ନିବେଦନ କରାଗଲା । ସେମାନଙ୍କ ନିବେଦନ ବ୍ୟର୍ଥହେବା ଯୋଗୁ ଅନିଦ୍ଧିଷ୍ଟ କାଳ-ପାଇଁ ଶ୍ରମିକମାନେ ଧର୍ମଘଟରେ ଯୋଗ ଦେଲେ । ମିଲ୍ ମାଲିକ ଧର୍ମଘଟକାରୀଙ୍କର ଧୈର୍ଯ୍ୟ ତୁଟିବା ପର୍ଯ୍ୟନ୍ତ ମିଲ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ପକାଇ ଦେଇଛନ୍ତି ।

 

ତୃପ୍ତି—ରବିସ୍‍ !

 

ମୀନାକ୍ଷୀ—ଦେଇ ମ ! ମିଲ୍ ବନ୍ଦ ହେବ । ଯେଉଁମାନେ କାମ କରି ଦରମା ନେଉଥିଲେ, ସେମାନେ ଦରମା ନ ପାଇଲେ କ’ଣ କରିବେ ?

 

ଚିନ୍ମୟୀ—ତମ ଘର ଲୁଟ୍‍ କରିବେ । ତୋ ବାବା, ଦେଇକିଂ ଧରି ନେବେ । ମିଲ୍ ରେ ଜବରଦସ୍ତି ପଶି ମିଲ୍ ଚଳେଇବେ ।

 

ମୀନାକ୍ଷୀ—ଶୁଣୁଚ ଦେଇ ! ମା କ'ଣ କହୁଛନ୍ତି ଶୁଣୁଛ ? ଆମ ମିଲ୍ ସେମାନେ କାହିଁକି ନେବେ ?

 

ଚିନ୍ମୟୀ—ହଉ ହେଲା, ସ୍କୁଲ ବେଳ ଗଡ଼ିଯାଉଛି । ସ୍କୁଲକୁ ଯା । ଡ୍ରାଇଭର ! ଡ୍ରାଇଭର ! ଗାଡ଼ି ବାହାର କର ତ ! ଚାଲ । (ମି. ରାୟ ପ୍ରବେଶ କରିଛନ୍ତି)

 

ମୀନାକ୍ଷୀ—ମା ମ ! ଗୁଡ଼୍‍ ମର୍ନିଂ ।

 

ମି ରାୟ—ଗୁଡ଼୍‍ ମର୍ନିଙ୍ଗ ମାଇଁ ଲିଟଲ୍ ଗୁଡ଼୍‍ ମଦର୍ !

 

ଚିନ୍ମୟୀ—ବସ ଭାଇ ! ମୁଁ ୟାକୁ ସ୍କୁଲରେ ଛାଡ଼ି ଆସୁଛି । (ପ୍ରସ୍ଥାନ)

 

ମି. ରାୟ—ବଡ଼ ଗମ୍ଭୀର ତୃପ୍ତି ଦେବୀ !

 

ତୃପ୍ତି—ଉପାୟହୀନ ହେଲେ ମଣିଷ ଆଉ କଣ କରିବ ?

 

ମି ରାୟ—ମୋର-ବିଶ୍ୱାସ, ତୁମେ ଘଟଣାଟା ବେଶ ବୁଝିପାରିଛ !

 

ତୃପ୍ତି—ଏ ଦୁନିଆଟା ଏତେ ଘଟଣାବହୁଳ ହୋଇଉଠିଚି ଯେ—

 

ମି. ରାୟ—ରମେଶ ନିର୍ଦ୍ଦୋଷ ।

 

ତୃପ୍ତି—ଓଃ, ନନ୍ଦିତା ଦେବୀ ଆପଣଙ୍କୁ ଓକିଲାତି କରିବା ପାଇଁ ପ୍ରାୟ ପଠେଇଛନ୍ତି । ଆଉ ପ୍ରଶାନ୍ତ ଭାଇ ! ଭାଇଙ୍କର ଏ ଦୁର୍ଦ୍ଦିନରେ ଆପଣ ରମେଶ ଆଉ ନନ୍ଦିତା କଥାଏ ଘରେ ଆଲୋଚନା ନ କରିବା ଭଲ ।

 

ମି. ରାୟ—ତମେ ମତେ ସାହାଯ୍ୟ କର ତୃପ୍ତି; ତମେ ସୁବ୍ରତର ଭଉଣୀ, ମିଲ୍‍ର ଅଧା ମାଲିକ । ମୁଁ କଣ ଚିନ୍ମୟୀର ସର୍ବନାଶ କରିପାରେ ?

 

ତୃପ୍ତି—ପ୍ରଶାନ୍ତ ଭାଇ !

 

ମି. ରାୟ—ମିଲ୍ ମାଲିକର ସ୍ୱାର୍ଥ ମିଲ୍ ଚାଲୁହେଲେ କେବଳ ସାଧିତ ହେବ । ସେମାନେ କ୍ରମାଗତ ତିନି ବରଷର ବୋନସ୍ ପାଇଁ ନାହାନ୍ତି । ସେଥିପାଇଁ ସେମାନେ ଦାବିପତ୍ର ଦାଖଲ କଲେ ବୋଲି ପାଞ୍ଚ ଶହ ଶ୍ରମିକଙ୍କୁ ଛଟେଇ କରାଯାଇଛି । ଦକ୍ଷିଣ କବାଟ ପରି ଟାଉଟର, ବିଶ୍ଵନାଥ ପରି ହିପୋକ୍ରେଟ ବୁଦ୍ଧିରେ ଶ୍ରମିକ କଲ୍ୟାଣ ସମିତି ପ୍ରତିଷ୍ଠା ହୋଇ, ଶ୍ରମିକ ଅନୁଷ୍ଠାନକୁ ଭାଙ୍ଗିବା ପାଇଁ ଅପଚେଷ୍ଟା ଚାଲିଛି ।

 

ତୃପ୍ତି—ଦକ୍ଷିଣ କବାଟ, ବିଶ୍ଵନାଥ ମିଲ୍ ଚାଲୁ କରିବେ ବୋଲି ଜବାବ ଦେଇଛନ୍ତି । ମାସେ ସମୟ ଚାହିଁଛନ୍ତି ସେମାନେ ।

 

ମି. ରାୟ—ସୁବ୍ରତକୁ କହିବାକୁ ଆସିଛି–ବିଶ୍ଵନାଥକୁ ଆଜି ଚାକିରିରୁ ଦରଖାସ୍ତ କରିବାକୁ ହେବ ।

 

ତୃପ୍ତି—ଅସମ୍ଭବ । ମୁଁ ତାର ପ୍ରତିବାଦ କରିବି ।

 

ମି. ରାୟ—ତେବେ ସେ ବ୍ୟଙ୍ଗ କବିତାକୁ ତମେ ଭଲ ପାଅ !

 

ତୃପ୍ତି—ତମେ ତେବେ କହୁଚ.......

 

ମି. ରାୟ—(ପକେଟରୁ କେତେଖଣ୍ଡି କାଗଜ ବାହାରକରି ତୃପ୍ତିକୁ ଦେଲେ) ଆଉ ତୁମେ ଯଦି ପ୍ରମାଣ ଚାହୁଁଛ, ରସାନନ୍ଦ ଆଉ ରଞ୍ଜନାକୁ ତମ ଷ୍ଟଡି ରୁମ୍ ରେ ବସେଇଦେଇ ଆସିଚି । ସେମାନଙ୍କଠାରୁ ସବିଶେଷ ବିବରଣୀ ପାଇପାରିବ ।

 

ତୃପ୍ତି—ଆମ ପରିବାରରେ ତେବେ ପଞ୍ଚମବାହିନୀ ପକ୍ଷ ବେଶି ରହିଛି ପ୍ରଶାନ୍ତ ଭାଇ ! ରଞ୍ଜନା ! (ପ୍ରସ୍ଥାନ କଲେ ଅନ୍ୟ ଦିଗରୁ ପ୍ରବେଶ କରିଛନ୍ତି ମି. ଦାସ ।)

 

ମି. ଦାସ—ଆପଣ ଏତେ ସକାଳୁ ଯେ ! ଶୁଣିଲି ଆପଣ ଶ୍ରମିକମାନଙ୍କୁ ସଙ୍ଘବଦ୍ଧ ହୋଇ-

 

ମି. ରାୟ—ହଁ, ହଁ, ଧର୍ମଘଟ ଭାଙ୍ଗିଦେବାକୁ ତାଙ୍କୁ ମଧ୍ୟ ପରାମର୍ଶ ଦେଇଆସିଚି । ସେମାନଙ୍କୁ ଅଲଟିମେଟ୍‍ମ ଦେଇଚି । ଆଉ ତମକୁ ମଧ୍ୟ କହୁଚି । ମିଲ୍ ଚାଲୁ କରିବାକୁ ହେବ ।

 

ମି.ଦାସ—ଏ ଜମିଦାରୀ ସିରସ୍ତା ନୁହେ ମି. ରାୟ ! ମିଲ୍ ଚଳାଇବା ପାଇଁ ବଂଶାନୁକ୍ରମିକ ଅଭିଜ୍ଞତା ଓ ଆଭିଜାତ୍ୟ ଯେଉଁଠି ଅକୃତକାର୍ଯ୍ୟ ହେଇଚି, ଆପଣ ପାରିବେ କିମିତି ?

 

ମି. ରାୟ—ବହୁ ଶତାବ୍ଦୀ ରାଜକୀୟ ଆଭିଜାତ୍ୟ ନେଇ, ଜନ୍ମ ହେଇଥିଲେ ଶାହା ଆଲାମ । କିନ୍ତୁ ଶିବାଜୀ ! ନିପଟୀ ଜଙ୍ଗଲୀ ଶିବାଜୀର ଆଭିଜାତ୍ୟ କେଉଁଠି ଥିଲା ସୁବ୍ରତ ବାବୁ ? ପରିସ୍ଥିତିରେ ପଡ଼ି ଏଇ ମଣିଷ ସାନ ହୁଏ, ବଡ଼ ବି ହୁଏ । ଶ୍ରମିକଙ୍କୁ ବଞ୍ଚାଇବା ଲାଗି ନୁହେଁ, ଏ ବିରାଟ ଦେଶର ହିତ ପାଇଁ ସେମାନଙ୍କୁ ପରାମର୍ଶ ଦେଇଚି । ସେମାନେ ଆପୋଷ ମିଳାମିଶା ପାଇଁ ବର୍ତ୍ତମାନ ଆସିଯିବେ-। ମୋର ପ୍ରସ୍ତାବ-ଶ୍ରମିକମାନଙ୍କ ଦାବିକୁ ମାନିଯାଇ ମିଲ୍‍କୁ ଶ୍ରମିକମାନଙ୍କ ପରିଚାଳନାରେ ଛାଡ଼ିଦିଅ ବା ଦ୍ଵିତୀୟ ପ୍ରସ୍ତାବ ହେଉଚି ସ୍ୱାର୍ଥାନ୍ୱେଷୀ ନେତାମାନଙ୍କ କବଳରୁ ଶ୍ରମିକମାନଙ୍କୁ ମୁକୁଳାଇ ଆଗ ପରି ମିଲ୍ ଚାଲୁ କର । ସେମାନଙ୍କ ନିକଟରେ ପ୍ରସ୍ତାବ ଦେଇଛି-ସେମାନେ ମିଲ୍ ମାଲିକ ନିକଟରେ ଆତ୍ମସମର୍ପଣ କରନ୍ତୁ ବା ଜୋର ଜବରଦସ୍ତି ମିଲ୍ ଦଖଲ କରି ଶ୍ରମିକର ମାଲିକାନା ସ୍ଵତ୍ୟ ସାବ୍ୟସ୍ତ କରିନିଅନ୍ତୁ ।

 

ମି. ଦାସ—ତମେ ବଡ଼ ଡେଞ୍ଜରସ୍‍ କଥା କହୁଚ !

 

ତୃପ୍ତି—ଭାଇ ! ଭାଇ ! ବିଶ୍ଵନାଥ ବଡ଼ ଡେଞ୍ଜରସ୍‍ ଲୋକ । ପ୍ରଶାନ୍ତ ଭାଇ ଯାହା କହିଛନ୍ତି, ଅକ୍ଷର ଅକ୍ଷର ସତ । ଦକ୍ଷିଣ କବାଟ ଆଉ ବିଶ୍ଵନାଥ ଆମର ସର୍ବନାଶ କରିବେ ।

 

ମି .ଦାସ—ତୁ ଭିତରକୁ ଯା ତୃପ୍ତି ! ଏ ସମୟରେ ଡେଞ୍ଜରସ୍‍ ଲୋକଗୁଡ଼ାକ ହିଁ ଆମକୁ ବେଶି ସାହାଯ୍ୟ କରିପାରିବେ । ନା, ନା, ତୋର ଭୟ କରିବାର କିଛି ନାହିଁ । ତୋ ଭାଇର ମିଲ୍ ଚଳାଇବା ପାଇଁ ବିଚକ୍ଷଣ ବୁଦ୍ଧି ଅଛି । ମୋ ଉପରେ ସେମାନଙ୍କର ଆସ୍ଥା ରହିବା ଦରକାର ।

 

ତୃପ୍ତି—ନନ୍ଦିତା, ଯଦୁନାଥ ପ୍ରଭୃତି ବାହାରେ ଅପେକ୍ଷା କରି ରହିଛନ୍ତି । (ପ୍ରସ୍ଥାନ)

 

ମି. ରାୟ—ମି. ଦାସ ! ସହାନୁଭୂତିଶୀଳ ଭାବରେ ସେମାନଙ୍କ ସାଙ୍ଗରେ କଥା ହୁଅ । ଧର୍ମଘଟ ସେମାନେ ପ୍ରତ୍ୟାହାର କରିନିଅନ୍ତୁ । ହଁ, ମିଲ୍ ଚାଲୁ କରିବା ପାଇଁ ଶେଷ ଚେଷ୍ଟା କର । ତୃପ୍ତି ! ତୃପ୍ତି-! (ପ୍ରସ୍ଥାନ କଲାବେଳେ ଅପର ଦିଗରୁ ନନ୍ଦିତା ଓ ଯଦୁନାଥ ପ୍ରବେଶ କଲେ । ମି. ଦାସ୍‍ଙ୍କୁ ସମ୍ମାନ ଜଣାଇଲେ । ମି. ଦାସ ସେମାନଙ୍କୁ ଆସନ ଗ୍ରହଣ କରିବାକୁ ନିର୍ଦ୍ଧେଶ ଦେଲେ । ଏତିକିବେଳେ ଦ. କବାଟ ପ୍ରବେଶ)

 

ମି. ଦାସ—ଧର୍ମଘଟ କିପରି ଚାଲିଛି ନନ୍ଦିତା ଦେବୀ ?

 

ନନ୍ଦିତା—ସେ ଖବର ଆପଣ ବେଶ୍‍ ଭାବରେ ଜାଣିଥିବେ । କାରଣ ମିଲ୍ ଆପଣଙ୍କର ।

 

ମି. ଦାସ—ମିଲ୍ ମୋର ସିନା, ହେଲେ ଶ୍ରମିକମାନେ ଯେ ଆପଣଙ୍କର ।

 

ଯଦୁନାଥ—ଶେଷ ଥର ପାଇଁ ଗୋଟାଏ ସମାଧାନ ଆଶାରେ ଆମେମାନେ ଆସିଚୁ ।

 

ଦ. କବାଟ—ହନୁମାନ ଲଙ୍କାପୁରୀକୁ ଜାଳିପୋଡ଼ି ଧ୍ଵଂସ କଲା ପରେ ଆଉ ମୀମାଂସା କେଉଁଠି ? (ମି. ରାୟ ପ୍ରବେଶ)

 

ମି. ରାୟ—ହନୁମାନ ଲାଙ୍ଗୁଡ଼ରେ ଯେଉଁମାନେ ନିଆଁ ଧରେଇଛନ୍ତି, ସେମାନେ କ’ଣ କୈଫିୟତ ଦେଉଛନ୍ତି ଶୁଣେ ? ମି. ଦକ୍ଷିଣ କବାଟ ! ଯାହାର ଅନ୍ନ ଖାଉଚ, ସେମାନଙ୍କର ସର୍ବନାଶ କର ନାହିଁ-

 

ଦ. କବାଟ—ଆପଣ ପୁଣି ଏଇୟା କହିଲେ ?

 

ମି. ରାୟ—ଏଠୁ ତମେ ବର୍ତ୍ତମାନ ପାଇଁ ଚାଲିଯାଅ ଦକ୍ଷିଣ କବାଟ ! ପରେ ମି. ଦାସ ତମର ପରାମର୍ଶ ନେଇପାରନ୍ତି । ହଁ, ତମେ ଚାଲିଯାଅ । (ଭିତରକୁ ଚାଲିଗଲେ)

 

ଦ. କବାଟ—ହଉ ହେଲା । ଆଜ୍ଞା, ରାୟବାବୁଙ୍କ କଥା ଶୁଣିଲେଟି ? କର୍ମ ଖରାପ ପଡ଼ିଲେ ମଣିଷ ଏମିତି ସବୁ ଶୁଣିବ । (ପ୍ରସ୍ଥାନ)

 

ଯଦୁନାଥ—ଛଟେଇ ହୋଇଥିବା ଶ୍ରମିକଙ୍କୁ ପୁନରାୟ ମିଲ୍ ରେ ନିଆଯାଉ । ଆଉ ତିନି ବରଷର ବୋନସ୍ ଟଙ୍କା ପାଇଁ ପ୍ରତିଶ୍ରୁତି ମିଳିଲେ ଶ୍ରମିକମାନେ ଧର୍ମଘଟ ପ୍ରତ୍ୟାହାର କରିନେବେ ।

 

ନନ୍ଦିତା—ଧର୍ମଘଟ ଯୋଗୁ ଶ୍ରମିକ କଲୋନୀରେ ଶହ ଶହ ଛୁଆ ଡହଳବିକଳ ହେଉଛନ୍ତି ।

 

ମି. ଦାସ—ତାର କୈଫିୟତ ତମେମାନେ ଦେବ । ଭୋକ ଉପବାସରେ ଯଦି କୌଣସି ଶ୍ରମିକ ପରିବାରର କାହାରି ଜୀବନ କ୍ଷୟ ଘଟେ, ସେଥିପାଇଁ ତମେମାନେ ଦାୟୀ ହେବ । ଶ୍ରମିକକୁ ତାର ପାରିଶ୍ରମିକରୁ ବଞ୍ଚିତ କରୁଛି କିଏ ? ଏ ଭୟାବହ ପରିସ୍ଥିତି ପାଇଁ ଦାୟୀ କିଏ ?

 

ତୃପ୍ତି—(ପ୍ରବେଶ) ମିଲ୍ କେବଳ ମିଲ୍ ମାଲିକର ସ୍ୱାର୍ଥ ପାଇଁ ନୁହେ ଭାଇ ! ଶ୍ରମିକର ହକ୍‍ ଭାଗ ଆମକୁ ମାନିଯିବାକୁ ହେବ ।

 

ମି. ଦାସ—କିନ୍ତୁ କେବଳ ଶ୍ରମିକ ପାଇଁ ମିଲ୍ ନୁହେ ତୃପ୍ତି ! ଶ୍ରମିକର ସ୍ୱାର୍ଥ ବିଚାର କଲାବେଳେ ମିଲ୍ ମାଲିକ ବାଦ ଯାଇପାରିବ ନାହିଁ । ମିଲ୍ ମାଲିକ ଉପରେ ଦେଶର ବିରାଟ ଦାୟିତ୍ୱ ଅଛି । ତେଣୁ ବିନା ସର୍ତ୍ତରେ ଶ୍ରମିକ ଧର୍ମଘଟ ପ୍ରତ୍ୟାହାର କରୁ । ପରେ ବିଚାର କରାଯିବ ।

 

ଯଦୁନାଥ—ଯୁଗ ବଦଳିଯାଇଛି ଆଜ୍ଞା ! ଶ୍ରମିକ ତାର ଦାବି ହାସଲ ପାଇଁ ପନ୍ଥା ବାଛି ନେଇସାରିଛି

 

ନନ୍ଦିତା—ଆପଣ ଆହୁରି ବିଚାର କରନ୍ତୁ । ଧର୍ମଘଟ ହେଉଚି ଶ୍ରମିକର ନ୍ୟାୟସଂଗତ, ଏକମାତ୍ର ଉପାୟ । ଶାନ୍ତିପୂର୍ଣ୍ଣ ଭାବରେ ଧର୍ମଘଟ କରି ନିଜର ଦାବି ଉପସ୍ଥାପିତ କଲେ ଯେବେ ପାପ ହୁଏ, ଶ୍ରମିକର ଅଭାବ—

 

ମି.ଦାସ—ମଣିଷର କ୍ଷୁଧା ପୃଥିବୀରେ ଯେ କୌଣସି ଆଗ୍ନେୟଗିରିର ଉଦ୍‍ଗୀରଣଠାରୁ ଆହୁରି ଭୟଙ୍କର । ସବୁ ଧନକୁବେରଙ୍କର ସଞ୍ଚିତ ଧନକୁ ଶ୍ରମିକମାନଙ୍କୁ ବାଣ୍ଟିଦେଲେ ସେମାନଙ୍କର ଦରିଦ୍ରତା ନିଃଶେଷ ହେବ ନାହିଁ । ଜାଣ, ସେମାନଙ୍କ ଦରିଦ୍ରତା କିମିତି ନିଃଶେଷ ହେବ ? ଉତ୍ପାଦନ ବଢ଼ିଲେ ।

 

ଯଦୁନାଥ—ବହୁତ ଶୁଣିଲୁ ଆଜ୍ଞା ! ଉତ୍ପାଦନ ବଢ଼ିଲେ । ତିନି ମହଲା କୋଠା ଚାରି ମହଲା ହେବ, ଇଲେକ୍‍ଟ୍ରିକ୍‍ ଲିଫ୍‍ଟ୍‍ ଲାଗିବ । ଆମର ରୋକ୍‍ଠୋକ୍‍ ଜବାବ—ମିଲ୍ ଶ୍ରମିକ ଓ ମାଲିକ ଉଭୟଙ୍କ ତତ୍ତ୍ଵାବଧାନରେ ଚାଲିବ । ଶ୍ରମମୂଲ୍ୟ ବାଦ ଶ୍ରମିକ ଲାଭାଂଶରୁ ନବେ ଭାଗ ପାଇବାର ହକ୍‍ ହେଲେ ମିଲ୍ ଚାଲିବ ।

 

ମି. ଦାସ—ଲାଭାଂଶରେ ଶ୍ରମିକ କିଏ ? ବୋକାମିର ଗୋଟାଏ ସୀମା ଥାଏ ଯଦୁନାଥ ! ଲାଭାଂଶରୁ ଶ୍ରମିକ ଅଂଶ ପାଇବାକୁ କିଏ ? ଲାଭାଂଶ ଯଦି କିଛି ଦାବି କରେ, ସେ ହେଉଚି ଅଗଣିତ ଖାଉଟି, ଦେଶର ଅଗଣିତ ଜନତା ।

 

ଯଦୁନାଥ—ଜନତା, ଦେଶ, ଉତ୍ପାଦନ ବହୁତ କଥା ଶୁଣେଇଲେ । ଆମର ଚରମ ପତ୍ର ହେଉଚି—ଆମେ ବଳପୂର୍ବକ ମିଲ୍ ଦାଖଲ କରି ଚାଲୁ କରିବୁ । (ଦୁହେଁ ପ୍ରସ୍ଥାନ)

 

ମି. ଦାସ—ଶୁଣୁଚ ! ଶୁଣୁଚ ଦକ୍ଷିଣ କବାଟ ! ତାଙ୍କର ବକ୍ତୃତା, ଶୋଭାଯାତ୍ରା, ବୀରପଣିଆ ଦେଖିଲ-? ଆଉ ମିଲ୍ ଦାଖଲ କରି ଚାଲୁ କରିବା ଏ ଦିଇଟା ଏକା କଥା ନୁହେ ଯଦୁନାଥ !

 

ଦ. କବାଟ—ସଫରି ଫରଫରାଏତ୍ । ଚିଙ୍ଗୁଡ଼ି ଚିପିଲେ ମୁଣ୍ଡରେ ଘୁଅ । ଆପଣ କାହିଁକି ସେଗୁଡ଼ାକ ଶୁଣୁଛନ୍ତି ? ମିଲ୍ ଏ ଚଳେଇବେ ନା ୟାଙ୍କ ବାପ ଅଜା ଚଉଦ ପୁରୁଷ ମିଲ୍ ଫାଟକ ପାଖକୁ ଯାଇଥିଲେ ! ଶ୍ରମିକ କଲ୍ୟାଣ ସମିତିକୁ ଲେବର କମିଶନର ଅନୁମୋଦନ ପତ୍ର ମିଳିଯାଇଛି । ହାତ ଖୋଲି ଦେବାକୁ ହେବ ଆଜ୍ଞା ! ଧନଞ୍ଜୟ, ରସାନନ୍ଦ, ସମସ୍ତ ଛାତ୍ରନେତାଙ୍କ ମୁଁ ଅନୁରୋଧ କରିଚି । ସେମାନେ ଆମ ସାଙ୍ଗରେ ଯୋଗ ଦେବେ । ବିଶ୍ଵନାଥ ମନା କରୁଥିଲେ, ଏବେ ବୁଝିଗଲେଣି । ଏମାନଙ୍କୁ ଭାଙ୍ଗି ଚୂନା କରିଦେବାକୁ ଘଣ୍ଟେ ଲାଗିବନି ।

 

ମି. ଦାସ—ନୋ, ନୋ, ସିକ୍ୟୁରିଟି ଫୋର୍ସ ଯଥେଷ୍ଟ ନୁହେଁ । ତମକୁ ମିଲ୍ ତରଫରୁ ଯଥେଷ୍ଟ ବନ୍ଦୋବସ୍ତ କରିବାକୁ ହବ । ଆସ । (ପ୍ରସ୍ଥାନ)

 

ଦ. କବାଟ—ଚାଲନ୍ତୁ ଆଜ୍ଞା ! ହେଲେ ଅସଲ ହେଲା ଟଙ୍କା । (ପ୍ରସ୍ଥାନ)

 

(ତୃପ୍ତି ପ୍ରବେଶ କରିଛି । ପରେ ବିଶ୍ଵନାଥ ଆସିଛି । ହାତରେ ତରଙ୍ଗ ଉପନ୍ୟାସର କଭର)

 

ବିଶ୍ଵନାଥ—ଆପଣଙ୍କ ପାଇଁ ମୋର ବ୍ୟକ୍ତିଗତ ପ୍ରତିଷ୍ଠା ଓ ମାନସମ୍ମାନ ବଳି ଦେଇଚି ।

 

ତୃପ୍ତି—ଧନ୍ୟବାଦ । ଆପଣ ମୁନିବର ପଦାନୁସରଣ କରନ୍ତୁ ।

 

ବିଶ୍ଵନାଥ—ଆପଣଙ୍କ ପାଇଁ ଏଠି ମୁଁ ଗୋଲାମି କରିବାକୁ ଧାଇଁ ଆସିଚି ତୃପ୍ତି ଦେବି !

 

ତୃପ୍ତି—ବିଶ୍ଵନାଥ !

 

ବିଶ୍ଵନାଥ—ତୃପ୍ତି ଦେବି !

 

ତୃପ୍ତି—ବିଶ୍ଵାସଘାତକ, ଠକ, ଧପ୍‍ପାବାଜ.....

 

ବିଶ୍ଵନାଥ—କୁହ କୁହ, ଆହୁରି କୁହ । ତୁମରି ପାଇଁ ଆହୁରି ଶୁଣିବାକୁ, ସହିବାକୁ ମୁଁ ପ୍ରସ୍ତୁତ ।

 

ତୃପ୍ତି—ମୋ ନାମରେ ତୁମେ ବ୍ୟଙ୍ଗ କବିତା ଲେଖିଛ ? ପୋଷ୍ଟର କଲେଜ କାନ୍ଥରେ ମାରିଚ ?

 

ବିଶ୍ଵନାଥ—ମୋର ଉଦ୍ଦେଶ୍ୟ ତୁମେ ବୁଝିପାରିବନି ତୃପ୍ତି !

 

ତୃପ୍ତି—ଦରଓ୍ୟାନ୍ ! ଦରଓ୍ୟାନ୍ !

 

ବିଶ୍ଵନାଥ—ଆଚ୍ଛା, ମି. ଦାସଙ୍କୁ କହୁଛି । ଏ କଭରଟା ଆସିଲେ ଦେଇଦେବ । (ଟେବୁଲ ଉପରେ କଭରଟି ରଖି ଦ୍ରୁତଗତିରେ ଯାଉ ଯାଉ) ଦରୱାନ୍‍ କଣ କରିବ ? ତୁମର ସେହି ଚରଣ ଯୁଗଳରୁ ପଟେ ଚପଲ ଯେବେ ମୋ ଗାଲରେ ବାଜନ୍ତା ନା ? (ପ୍ରସ୍ଥାନ)

 

ତୃପ୍ତି—ନନସେନ୍‍ସ, ଏ ଲୋଫରଗୁଡ଼ାକ ଯୋଗୁ ଦାସ ବଂଶର ସମସ୍ତ ଇଜ୍ଜତ ମହତ ଧୂଳିସାତ୍‍ ହୋଇଯିବ । (ରାଗ ତମ ତମ ହେଇ ଗଲାବେଳକୁ ତରଙ୍ଗ କଭରଟି ଆଖିରେ ପଡ଼ିଛି । ଲେଖା ଅଛି—ଲେଖକ ଶ୍ରୀ ସୁବ୍ରତ ଦାସ ।) ଲେଖକ ସୁବ୍ରତ ଦାସ ! ପୁଞ୍ଜିପତି ଖାଲି ରକ୍ତଶୋଷକ ନୁହେ-!! ତମରି ପ୍ରତିଭା ଚୋରି କରି ସେ ଆଜି ଡକାୟତ । କବି ! କ୍ଷମା କର କବି ! ମତେ ତୁମେ କ୍ଷମା କର ।

 

[ଡ୍ରପ]

✽✽✽

 

ତୃତୀୟ ଅଙ୍କ

ପ୍ରଥମ ଦୃଶ୍ୟ

 

[ଅଦୂରରେ ମିଲ୍ ଫାଟକ ଦେଖା ଯାଉଥିଲା । ଗୋଟିଏ ପ୍ରାଙ୍ଗଣରେ ଶ୍ରମିକମାନଙ୍କର ଗୋଟିଏ ସଭା ହେବାର ପ୍ରୋଗ୍ରାମ ଅଛି । ସଭା ହେବା ପୂର୍ବରୁ ଦକ୍ଷିଣ କବାଟ, ବିଶ୍ଵନାଥ, ଧନଞ୍ଜୟ, ରସାନନ୍ଦ, ରଞ୍ଜନା ପ୍ରଭୃତି ଠୁଳ ହୋଇଥିଲେ । ମାଇକ୍‍ ଧରି ଦକ୍ଷିଣ କବାଟ କହିବାକୁ ଆରମ୍ଭ କଲାବେଳେ ରଙ୍ଗମଞ୍ଚ ପରଦା ଉନ୍ମୋଚନ ହୋଇଗଲା ।]

 

ଦ. କବାଟ—ଆଜି ଦେଶର ଯେଉଁ ସମସ୍ୟା, ଶ୍ରମିକମାନଙ୍କର ଯେଉଁ ଦୂରବସ୍ଥା, ସେ ଦୁସ୍ଥ ଅବସ୍ଥାର ସୁଯୋଗ ନେଇ ଲଙ୍କାପୋଡ଼ା ବାନର ଦଳ ଶ୍ରମିକମାନଙ୍କୁ ଭୁଲ ମାର୍ଗରେ ନେଇ ଶ୍ରମିକମାନଙ୍କର ସର୍ବନାଶ କଲେଣି । କଣ କହୁଚ ଭାଇମାନେ?

 

ଉପସ୍ଥିତ ଲୋକ—ଶ୍ରମିକର ସର୍ବନାଶ ହେଲାଣି ?

 

ଦ. କବାଟ—ଶ୍ରମିକ କଲ୍ୟାଣ ସମିତି ଆଜି ଦୃଢ଼ପ୍ରତିଜ୍ଞାକୁ । ମିଲ୍ ମାଲିକ ପ୍ରତିଶ୍ରୁତି ଦେଇଛନ୍ତି । ମିଲ୍ ତିନି ମାସ ହେଲା ତାଲା ପଡ଼ିଛି । ପାଞ୍ଚ ହଜାର ଶ୍ରମିକର ଶ୍ରମ ମୂଲ୍ୟ ଦୁଇ ତିନି ଲକ୍ଷ ଟଙ୍କା ବାଏଁ ବାଏଁ ଉଡ଼ିଯାଇଛି । ଏ ଅନୁପାତରେ ବୋନସ୍ ବା କେତେ ହୁଅନ୍ତା ? ମୁଁ ଜବାବ ଦଉଛି ପ୍ରତ୍ୟକ ଶ୍ରମିକ ନିଜର ସ୍ୱାର୍ଥ ପାଇଁ, ଭବିଷ୍ୟତ ବଂଶଧରଙ୍କ ସ୍ୱାର୍ଥ ପାଇଁ ଭୁଲ ମାର୍ଗରୁ ଫେରିଆସି ଶ୍ରମିକ କଲ୍ୟାଣ ସମିତିର ସଭ୍ୟ ହୁଅନ୍ତୁ । ସଭ୍ୟ ଚାନ୍ଦା ଚାରିଅଣା ମାତ୍ର । ଚାନ୍ଦା ଦିଅନ୍ତୁ ବା ନ ଦିଅନ୍ତୁ ଅନୁଷ୍ଠାନକୁ ମଜଭୂତ୍‍ କରନ୍ତୁ । ଦେଖିବେ ଶ୍ରମିକର ସବୁ ଅସୁବିଧା ଦୂର ହୋଇଯିବ । (ଏତିକିବେଳକୁ ରମେଶ ଗୀତ ବୋଲି ବୋଲି ଆଗରେ । ସାଙ୍ଗରେ ନନ୍ଦିତା ଓ ଯଦୁନାଥ । ଆଉ ଶ୍ରମିକମାନେ ଶୋଭା ଯାତ୍ରାରେ ଗୀତକଣ୍ଠରେ ସେଠି ପହଞ୍ଚିଗଲେ । ମଝିରେ ମଝିରେ ସ୍ଲୋଗାନ ଶୁଣା ଯାଉଥାଏ ।)

 

ଶ୍ରମିକ ମଜଦୁର—ଏକଜୁଟ୍ ହୁଅ । ଶ୍ରମିକ ମଜଦୁର–ଏକଜୁଟ୍ ହୁଅ । (ବିପରୀତ ତରଫରୁ ମଧ୍ୟ ସ୍ଲୋଗାନ ଡକା ଯାଉଥାଏ ।)

 

ଶ୍ରମିକ—ଶ୍ରମିକ କଲ୍ୟାଣ ସମିତି ପଛରେ ଛିଡ଼ା ହୁଅ ।

 

ଦ. କବାଟ—ମୁଁ କହିଦଉଛି, ଆମର ଏ ସଭାକୁ ପଣ୍ଡ କରିବା ପାଇଁ ଆପଣମାନେ ଏମିତି ବେଆଇନ ଶୋଭାଯାତ୍ରା କରି ଆସିବା ଅନ୍ୟାୟ । ଆପଣମାନଙ୍କ ପାଇଁ ଶ୍ରମିକ କଲୋନୀର ଛୁଆଗୁଡ଼ାକ ଭୋକ ଉପାସରେ ଆଉଟ ପାଉଟ ହେଉଛନ୍ତି ।

 

ଯଦୁନାଥ—ଆପଣ ଯାଆନ୍ତୁ ଅନ୍ୟଠାରେ ସଭା କରିବେ ।

 

ବିଶ୍ଵନାଥ—ଏ କଣ ତମର କିଣା ଖରିଦ ପୈତୃକ ସଂପତ୍ତି ?

 

ଯଦୁନାଥ—କିଏ ବିଶ୍ଵନାଥବାବୁ ? ତିନିମାସ ଚାକିରି ଭିତରେ ଆପଣ ମିଲ୍ ଆଉ ଶ୍ରମିକ କଲୋନୀର ସ୍ଥାବର ଅସ୍ଥାବର ସମସ୍ତ ସଂପତ୍ତିକି ପୈତୃକ ସଂପତ୍ତି କରିନେଲେଣି ବୋଲି ଆମର ଧାରଣା ନ ଥିଲା ।

 

ଦ. କବାଟ—ଆପଣମାନେ ଆପଣଙ୍କ ଅନୁଷ୍ଠାନର କଣ କରୁଛନ୍ତି ? ସମସ୍ତେ ଚାହୁଁଛନ୍ତି ଶ୍ରମିକର ମଙ୍ଗଳ ହେଉ । ସେଥିପାଇଁ ଆମ ବାପ ଅଜାର ଶ୍ରାଦ୍ଧ କାହିଁକି ପକାଉଛନ୍ତି ? ମିଲ୍ ମାଲିକ ସାଙ୍ଗରେ ଗୋଟାଏ ମିଳାମିଶା ପ୍ରସ୍ତାବ ନେଇ ଆସ । ଆମ ଅନୁଷ୍ଠାନ ତରଫରୁ ତିନି ଜଣ, ତମ ଅନୁଷ୍ଠାନ ତରଫରୁ ତିନିଜଣ । ଆଉ ମିଲ୍ ମାଲିକ ତରଫରୁ ତିନିଜଣ ପ୍ରତିନିଧି ନେଇ ଶ୍ରମିକ କମିଶନଙ୍କ ତତ୍ତ୍ଵବଧାନରେ ଗୋଟାଏ ଲେବର ଟ୍ରିବ୍ୟୁନାଲ ଗଠିତ ହେଉ । ସେମାନେ ଯାହା ନିଷ୍ପତ୍ତି କରିବେ, ଆମ୍ଭେମାନେ ମାନିଯିବା । କଣ କହୁଚ ଭାଇମାନେ ?

 

ସମସ୍ତେ—(ଦ.କ. ଦଳୀୟ) ଚମତ୍କାର ପ୍ରସ୍ତାବ ।

 

ନନ୍ଦିତା—ଆପଣଙ୍କ ତରଫରୁ ତିନି ଜଣ ପ୍ରତିନିଧିତ୍ୱ କରିବେ ?

 

ବିଶ୍ୱନାଥ—ଆଶ୍ଚଯ୍ୟ ହୋଇଉଠିଲେ ଯେ ନନ୍ଦିତା ଦେବୀ ? ଆମ ଅନୁଷ୍ଠାନ କ’ଣ ଶ୍ରମିକ ଗଠନ ନୁହେଁ ? ସରକାରୀ ସ୍ୱୀକୃତି ଆମର କଣ ନାହିଁ ?

 

ଯଦୁନାଥ—ଶ୍ରମିକ ପ୍ରତିନିଧିତ୍ୱ କରିବେ ମିଲ୍‍ମାଲିକର ଦଲାଲ ଦଳ ? ଭାଇମାନେ, ଆମ ଶ୍ରମିକ କଲୋନୀରେ ଜୟଚନ୍ଦ୍ର ଶିଖି ମନେଇ ଦଳ ଆସ୍ଥାନ ମାଡ଼ିବସିବାକୁ ଷଡ଼ଯନ୍ତ୍ର କରୁଛନ୍ତି । ଏ ଟାଉଟରୀଗୋଷ୍ଠୀକୁ ସାବଧାନ ।

 

ଦ. କବାଟ—କଣ କହିଲେ—ଟାଉଟର ! ଅଚ୍ଛା ଦେଖିବା ସଭା କିମିତି କରିବ ? ଭାଇମାନେ ! ଆପଣମାନେ ଆମ ଦଳକୁ ସମର୍ଥନ କରନ୍ତୁ ।

 

ନନ୍ଦିତା—ଆପଣମାନେ ସଭା କରିବାକୁ ଆମମାନଙ୍କୁ ସୁବିଧା ଦିଅନ୍ତୁ ।

 

ଯଦୁନାଥ—ନନ୍ଦିତା ଦେବୀ ! ସିଧା ଆଙ୍ଗୁଠିରେ ଏମାନେ ଫଳିବେ ନାହିଁ । କିଏ ଅଛିରେ ଆଣ ସେ ଠେଙ୍ଗାସବୁ । ଠେଙ୍ଗା ପୂଜା ନ ହେଲେ ଏମାନେ (ପ୍ରସ୍ଥାନ)

 

ରମେଶ—ଯଦୁନାଥ ! ଯଦୁନାଥ !

 

ଦ. କବାଟ—ଆଚ୍ଛା ବିଶ୍ୱନାଥ ବାବୁ, ଶୁଣୁଛ ? ଲୁହା କଅଂଳ ହେଲେ ବିଲେଇ ବି କାମୁଡ଼ିଦିଏ । ଆଚ୍ଛା ହେଉ । ତମେମାନେ ସବୁ ଆସ । ମୁଁ ତାର ବ୍ୟବସ୍ଥା କରୁଛି । ଶ୍ରମିକ ଏକଜୁଟ୍ ହୁଅ । (ଶ୍ରମିକ-ଶ୍ରମିକ କଲ୍ୟାଣ ସମିତିର ସଭ୍ୟ ହୁଅ । ସ୍ଲୋଗାନ ଡାକି ଡାକି ସେମାନେ ଚାଲିଗଲା ପରେ ଯଦୁନାଥ ଆଉ ଦୁଇ ତିନି ଜଣ ଶ୍ରମିକ ଲାଠି ନେଇ ପ୍ରବେଶ କଲେ ।)

 

ଯଦୁନାଥ—ମୂର୍ଖକୁ ଠେଙ୍ଗା ନ ହେଲେ ଚାଲିବ ନାହିଁ ରମେଶ ବାବୁ ।

 

ରମେଶ—ଆମର ଲାଭ ହେବ ନାହିଁ ଯଦୁନାଥ । ମିଲ୍ ମାଲିକ ହୁଏତ ଏ ସଂଘର୍ଷର ସୁବିଧା ନେଇ–

 

ନନ୍ଦିତା—ଯାହା ହେବାର ହେଇଯାଇଛି । ସେମାନେ ଶ୍ରମିକ କଲ୍ୟାଣ ସମିତି ନାମରେ କେତେ ଜଣ ଶ୍ରମିକଙ୍କୁ କିଛି କିଛି ପଇସା ଦେଇ କରାଗତ କରିବା ପାଇଁ ଲାଗିପଡ଼ିଛନ୍ତି । ଶ୍ରମିକ ମାନଙ୍କର ନୈତିକ ପତନ ଘଟିଲେ ମହା ଅସୁବିଧା ।

 

ରମେଶ—ଆମର ରୋକଠୋକ ପ୍ରସ୍ଥାବ । ଶ୍ରମିକ ବହୁତ ସହିଲାଣି । ଅସୀମ ଧୈର୍ଯ୍ୟ, ଚୂଡ଼ାନ୍ତ ତ୍ୟାଗ ନେଇ ଆପଣମାନେ ଲଢ଼ି ଆସିଛନ୍ତି । ଆମର ଶେଷ ପ୍ରସ୍ତାବ ଅତୁଟ ହୋଇ ରହିଛି । ଶ୍ରମିକ କଲ୍ୟାଣ ସମିତି ଗଢ଼ାହେଲା ବୋଲି ଆମର ଆପତ୍ତି କରିବାର ନାହିଁ । ପୁଞ୍ଜିପତି ନୂଆ ଜାଲ ମେଲେଇଛି । ମାୟା ମୃଗ ପଠେଇଛି । ଶ୍ରମିକ ନିଜେ ବୁଝୁ । ନିଜେ ଚିନ୍ତା କରୁ । ଶ୍ରମିକ ଆତ୍ମସମର୍ପଣ କରିବ କଣ ପାଞ୍ଚ ଶହ ଶ୍ରମିକ ରକ୍ତ ବିନିମୟରେ । ଦରକାର ପଡ଼ିଲେ ପାଞ୍ଚ ହଜାର ଶ୍ରମିକ ରକ୍ତ ଦେଇ ସାତ ଦିନ ପରେ ମିଲ୍‍ ଫାଟକ ଭାଙ୍ଗି ମିଲ୍‍ ଦଖଲ କରିବେ ।

 

ସମସ୍ତେ—ଶ୍ରମିକ ମିଲ୍‍ ଦଖଲ କରିବ ।

 

ଯଦୁନାଥ—ଶ୍ରମିକ ମଜଦୂର—ଦୁଇ ଥର ।

 

ସମସ୍ତେ—ଏକଜୁଟ୍‍ ହୁଅ ।

 

ଯଦୁନାଥ—ଶ୍ରମିକ କଲ୍ୟାଣ ସମିତି ଟାଉଟର ଦଳ—

 

ସମସ୍ତେ—ପଞ୍ଚମ ବାହିନୀ ।

 

ମି. ଦାସ—(ପ୍ରବେଶ କରି) ବନ୍ଦ କର ଏ ଶୋଭାଯାତ୍ରା ।

 

ଯଦୁନାଥ—ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ପାଇଁ ଲାଇସେନ୍‍ସ ପାଇଛୁ ।

 

ମି. ଦାସ—ଶାନ୍ତିର ଆଭରଣ ତଳେ ହତ୍ୟା- ଲୁଟତରାଜ- ହିଂସା ଦ୍ୱେଷ ବିଷାକ୍ତମୟ ବାୟୁମଣ୍ଡଳ ସୃଷ୍ଟି କରିଛ ତୁମେମାନେ ।

 

ଯଦୁନାଥ—କାହାରି ଧମକରେ ଆମର ଏ ଅଭିଯାନ ବନ୍ଦ ନ ହେଇ ପାରେ ।

 

ମି. ଦାସ—ଅଭିଯାନ ? ସିଂହଁ ଆଉ ଶୃଗାଳ ସଂଘର୍ଷରେ କଣ ପରିସ୍ଥିତି ଉପୁଜିବ ଜାଣିଛ ଯଦୁନାଥ-?

 

ଯଦୁନାଥ—ହିତୋପଦେଶ ବହିରେ ସିଂହ ଆଉ ଶଶକର ଉପାଖ୍ୟାନ ପଢ଼ୁଥିବେ ନିଶ୍ଚୟ ।

 

ମି. ଦାସ—ଶେଷସୀମାରେ ପହଞ୍ଚିବ ଯଦୁନାଥ । ଏହାର ଜବାବ ବର୍ତ୍ତମାନ ଚାହଁ ?

 

ନନ୍ଦିତା—ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଆପଣ ବାଧା ଦେଉଛନ୍ତି ;ତେଣୁ ଆପଣ ତା ପାଇଁ ଦାୟୀ ।

 

ମି. ଦାସ—ସିକ୍ୟୁରିଟି ବିଲ୍‍ ଆସେମ୍ବ୍ଲିରେ ପାସ ହେଇନି—ହେଲେ ଶୋଭାଯାତ୍ରା ପାଇଁ ତମେ ସବୁ ଲାଇସେନ୍‍ସ ପାଇଲା କିମିତି ?

 

ରମେଶ—ୟା'ର ଉତ୍ତର ମୁଁ ଦଉଛି ମାଲିକ ! ସେମାନେ ସିନା ଭାରତ ରକ୍ଷା ନାମରେ କଳା ଆଇନ କରିଥିଲେ—ଏବେ ଆପଣମାନେ ବ୍ୟକ୍ତିଗତ ସ୍ଵାଧିନତାକୁ ଖର୍ବ କରିବାକୁ ଏ ଅପଚେଷ୍ଟା କରୁଛନ୍ତି କାହିଁକି ? ଆଇନ୍‍ ପାସ ହେଲେ ବି ଜନତା ଲୁହ ଲହୁରେ ସେ କଳା ଆଇନ୍‍କୁ ପୋଛିଦେବ— ଶ୍ରମିକ, ପଲ୍ଲୀର ବାସିନ୍ଦା ଲାଇସେନ୍‍ସ ନ ପାଇଲେ ମଧ୍ୟ ଶୋଭାଯାତ୍ରା, ସଭା ଶାନ୍ତିପୂର୍ଣ୍ଣ ଭାବରେ କରିବା ପାଇଁ ସଂବିଧାନସମ୍ମତ ହକ୍‍ ସେମାନଙ୍କର ଅଛି । ସେ ହକ୍‍ ଦାବିକୁ ପ୍ରାଣପଣେ ପ୍ରତିଷ୍ଠା କରିବ ।

 

ମି.ଦାସ—ଧନ୍ୟବାଦ ରମେଶ ବାବୁ ! ତୁମେ ଶୁଣେଇଲ, ମୁଁ ଶୁଣିଲି । ମୋ କଥା ଶୁଣ ! ମିଲ୍‍ ଦଖଲ କରିବାକୁ ଯେ କେହି ଅଗ୍ରସର ହେଲେ ଆଇନ, ଶାସନ କିଛି ନ ମାନି ମୁଁ ନିଜ ହାତରେ ସେ ଉଦ୍ଧତ ଯୁବକ ହେଉ ବା ଯୁବତୀ ହେଉ, ତା'ରି ରକ୍ତ ନିଗାଡ଼ି ଶ୍ରମିକଙ୍କୁ ଅଭିନନ୍ଦନ ଜଣାଇବି ।

 

ସମସ୍ତେ—ଆମେ ତାହା ହିଁ ଚାହୁଁ ମାଲିକ !

 

ଦ କବାଟ—ଦେଖୁଛନ୍ତି ଆଜ୍ଞା, ଏମାନଙ୍କ ଆସ୍ପର୍ଦ୍ଧା ଦେଖୁଛନ୍ତି ।

 

ମି.ଦାସ—ଆଚ୍ଛା ! (ଶ୍ରମିକ ଦଳ ଗୀତ କଣ୍ଠରେ ପ୍ରସ୍ଥାନ କଲେ) ଲୋଫର, ଭାଗାବଣ୍ଡ ! ମୁଁ ଏହାର ଜବାବ ଦେବି । ତମେ ଆସ ଦକ୍ଷିଣ କବାଟ !

 

ଦ କବାଟ—ଆମକୁ କିଛି ବଳେଇବ ନାହିଁ ଆଜ୍ଞା ! ଗୁଳି ବନ୍ଧୁକ କ'ଣ ହେବ । ଦି ଗଣ୍ଡା ସୋଡ଼ା ବୋତଲକୁ ପୁଅଙ୍କର ବୁଦ୍ଧି ନାହିଁ । ଆସ ବିଶ୍ୱନାଥ ! (ଚାଲିଗଲାବେଳେ ସିନ୍‍ ପତନ)

 

ଦ୍ଵିତୀୟ ଦୃଶ୍ୟ

 

[କବି କୁଟୀର ନିକଟସ୍ଥ ଧାବମାନ ରାସ୍ତା । ତୃପ୍ତି ଏକ ନିଶ୍ୱାସରେ ଆଗେ ଆଗେ ଧାଇଁଛି । ପଛେ ପଛେ ମି. ରାୟ ।]

 

ମି.ରାୟ—ଭାଇ ତୁମର ପୋଲିସ ଫୋର୍ସ, ଗୁଣ୍ଡା, ଶ୍ରମିକ କଲ୍ୟାଣ ସମିତିରେ ଥିବା ଟାଉଟରଙ୍କ ପିଛା ଧରିଛନ୍ତି । ସେମାନଙ୍କୁ ମୋର ମଧ୍ୟ ସମର୍ଥନ ଅଛି । ଶ୍ରମିକମାନଙ୍କର ଏକତା ଭାଙ୍ଗି ମିଲ୍‍ ଯେବେ ଚାଲୁ ରହେ, ମୋର ଆପତ୍ତି ନାହିଁ ।

 

ତୃପ୍ତି—ପ୍ରଶାନ୍ତ ଭାଇ !

 

ମି.ରାୟ—ଏମାନଙ୍କୁ ମଧ୍ୟ ପରାମର୍ଶ ଦେଇଛି—ମିଲ୍‍ମାଲିକର ଦାମ୍ଭିକତା ଭାଙ୍ଗି ମିଲ୍ ଅଧିକାର କରିନେଇ ବୀରତ୍ୱ ଦେଖନ୍ତୁ ବା ମିଲ୍‍ମାଲିକ ପାଖରେ ଆତ୍ମସମର୍ପଣ କରି ମିଲ୍‍ ଚାଲୁ କରନ୍ତୁ ।

 

ତୃପ୍ତି—ପାଞ୍ଚ ଶହ ଶ୍ରମିକଙ୍କ ବେକରେ ଖୁର ଦେଇ ସେମାନେ କାମରେ ଯୋଗ ଦେବେ ?

 

ମି. ରାୟ—ମୋ ଉଦ୍ୟମରେ କେହି ମରିବାର ନିର୍ଦ୍ଦେଶ ନାହିଁ ତୃପ୍ତି ! ମୁଁ ମଣିଷ । ମଣିଷର କାମ ମଣିଷ ବଂଚିବାରେ ସାହାଯ୍ୟ କରୁ । ଗାନ୍ଧୀ, ବିନୋବା ଦେଶରେ ଆମ ପରି ମଣିଷ କ’ଣ ମଣିଷକୁ ପେଟ ପାଇଁ ମରିବାକୁ ଦେବ ତୃପ୍ତି ? ଶ୍ରମିକର ଶ୍ରମ ବନ୍ଦ ହେଲେ, ମିଲ୍‍ ଫାଟକ ବନ୍ଦ ହେଲେ ଦେଶର ଉତ୍ପାଦନ କମିଯିବ । ବହିବ ଦେଶରେ ଭୀମ ଭୟଙ୍କର ଭାବରେ ପ୍ରଳୟର ଝନ୍‍ଜା । ଯାହା ଅଛି ଧ୍ୱଂସ ପାଇଯିବ । ନେହେରୁ କଣ କରିବେ ? କେହି କିଛି କରିପାରିବେ ନାହିଁ । ମୋତେ ସାହାଯ୍ୟ କର ତୃପ୍ତି, ମଣିଷ ବଞ୍ଚନ୍ତୁ ।

 

ତୃପ୍ତି—ଆପଣ ମଣିଷ ବଞ୍ଚିବା ପାଇଁ ଯେଉଁ ସଂଘର୍ଷ ଉପୁଜାଇବାକୁ ଚେଷ୍ଟା କରୁଛନ୍ତି, ସେଥିରେ ମଣିଷ ବଞ୍ଚିବେ ନାହିଁ— ଖାଲି ଲହୁ ଲୁହ ସାର୍ଥକ ହେବ ।

 

ମି.ରାୟ—ମଣିଷ ମାରିବାପାଇଁ ମୁଁ ଭୟ କରେନା । ପୃଥିବୀର ପ୍ରଥମ ଦିବସରୁ ମଣିଷ ସଂଘର୍ଷ କରିଆସିଚି ବଞ୍ଚିବାପାଇଁ । ବଞ୍ଚିବା ପାଇଁ ସଂଘର୍ଷ କରୁ କରୁ ସେ ଯେବେ ମରେ, କ୍ଷତି କ’ଣ ? ଖାଇବା ପାଇଁ ନ ପାଇ ପଙ୍ଗୁ, ଅଥର୍ବ ପରି ବଞ୍ଚିରହିବାକୁ ମୁଁ ସହ୍ୟ କରିପାରେନା । ମଣିଷ ଜାତିଟାକୁ ମୁଁ ବିଶ୍ଳେଷଣ କରିଛି । କ୍ୟାପିଟାଲିଷ୍ଟ, ସର୍ବହରା, ଗଣତନ୍ତ୍ରବାଦୀ, କଂଗ୍ରେସୀ, ଆତଙ୍କବାଦୀ ସମସ୍ତେ ସମାନ । ସମସ୍ତଙ୍କ ନୀତିରେ ସ୍ଵାର୍ଥପରତା ଯିମିତି ଉଗ୍ର, ସୀମିତି ଶିଥିଳ । ସମସ୍ତେ ବଞ୍ଚିବେ । ସମସ୍ତଙ୍କ ଜୀବନ ମୋ ପାଖରେ ସମାନ ।

 

ତୃପ୍ତି—ଆଉ କବିର ଜୀବନ ?

 

ମି. ରାୟ—କବି ? ନା, ନା ସେ ଜାତିଟା ଧରାପୃଷ୍ଠରୁ ଲୋପ ପାଇଯିବା ଉଚିତ । କବିର ଭାବପ୍ରବଣତା ମଣିଷ ମନକୁ ସରସ କରେ । ବେଳେ ବେଳେ ମଧ୍ୟ ପଙ୍ଗୁ କରିପକାଏ—ଆଣେ ନିଶ୍ଚେଷ୍ଟତା । ପୁଣି କବିର ସଂଗୀତ ଶୁଣାଏ ଯୁଦ୍ଧବିଗ୍ରହର ଉତ୍ତାଳ, ଉତ୍‍ଥିତ ସଂଗୀତ । କାଲି ହୁଏତ ଶାନ୍ତି କପୋତ ଉଡ଼ାଇ ସେ କହେ ମୁଁ ବାଦର ଜନକ ।

 

ତୃପ୍ତି—କବିର ପ୍ରତିଭା ସମାଜରେ ପଣ୍ୟଦ୍ରବ୍ୟ ହୋଇଉଠିଚି ପ୍ରଶାନ୍ତ ଭାଇ ! ଅନାଦର, ଅବହେଳା ଭିତରେ କବିତାର କବର ରଚିବସିଚି ।

 

ମି.ରାୟ—କବିର ମୃତ୍ୟୁରେ ପୃଥିବୀବକ୍ଷରୁ ଯେବେ ସବୁ ବାଦ ଲୋପ ପାଇଯାଏ, ମୁଁ ସେ ମୃତ୍ୟୁକୁ ସ୍ଵାଗତ ଜଣାଇବି । କବିର ସବୁ ଦର୍ଶନକୁ ଆଟମିକ୍‍ ଶକ୍ତିରେ ଯେବେ ଧ୍ୱଂସ କରି ଦିଆଯାଆନ୍ତା ନା ହିଂସା, ଦ୍ୱେଷ , କପଟତା ଲୋପ ପାଇଯା'ନ୍ତା । କବିର ମୃତ୍ୟୁ ହେଉ ।

 

ତୃପ୍ତି—ପ୍ରଶାନ୍ତ ଭାଇ ! କବିର ମୃତ୍ୟୁ ମୁଁ ସହିପାରିବି ନାହିଁ । ତୁମେ ମୋତେ ସାହାଯ୍ୟ କରିବ ନାହିଁ ? କବି ମୋତେ କ୍ଷମା ନାହିଁ, ? ମାନ, ମହତ, ଆଭିଜାତ୍ୟ ସବୁ କିଛି ଜଳାଞ୍ଜଳି ଦେଇ କବି ପାଖକୁ ମୋତେ ନେଇ ଚାଲ ।

 

ମି. ରାୟ—ତୃପ୍ତି !

 

ତୃପ୍ତି—ମୁଁ ଅପମାନ ଦେଇଛି, ଘୃଣା କରିଛି । ସେଇ ଅପମାନରେ ନିଜେ ଜଳି ପୋଡ଼ି ମରୁଛି । କୌଣସିମତେ ଅଲଗା ହୋଇ ପାରିବି ନାହିଁ ଭାଇ ! ମୋତେ ନେଇ ଚାଲ- ଉପାୟ ବତାଅ ତାଙ୍କରି ଅନୁଗ୍ରହ ଟିକକ ପାଇଁ ।

 

ମି.ରାୟ—ହଁ, ହଁ, ମା ! କବିର ପାଗଳାମୀ ତୋତେ ବି ଘୋଟିଛି । ତା'ରି ଦର୍ଶନ ତୋତେ ବାଟବଣା କରିଛି । ମୁଁ ତୋର କଥା ବୁଝୁଛି । ହେଲେ—

 

ତୃପ୍ତି—ନା, ମୋତେ ବାଧା ଦିଅନା ।

 

ମି.ରାୟ—ନା, ନା ତୁ ଆଗେଇ ଯା । ନାରୀର ଆବେଦନ ନେଇ ତୁ କବିକୁ ପ୍ରଣତି ଜଣା । ନାରୀର ଆବେଦନ କେଉଁଠି ବ୍ୟର୍ଥ ହୁଏନି । ଆଉ ତୁମ ଦୁହିଁଙ୍କର ଚେଷ୍ଟାରେ ରକ୍ତପାତ ଦୂରେଇଯିବ । ମିଲ୍‍ ଫାଟକ ଖୋଲିଯାଇ ସାମ୍ୟ ମୈତ୍ରୀର ପତାକା ଉଡ଼ିଉଠିବ ।

 

ତୃପ୍ତି—ସେ ଯେବେ ଉପେକ୍ଷା କରନ୍ତି ?

 

ମି.ରାୟ—No, No ! ଏତେବଡ଼ ଆଶା ମୋର ଜଳିଉଠିଚି । କବି ଯେବେ ଉପେକ୍ଷା କରେନା (ପିସ୍ତଲ ଦେଖାଇ) ସବୁ ସମସ୍ୟାର ସମାଧାନ ପାଇଁ ତାକୁ କୈଫିୟତ ମାଗିବି ।

 

ତୃପ୍ତି—ପ୍ରଶାନ୍ତ ଭାଇ !

 

ମି.ରାୟ—ନା, ନା । ସମୟ କ୍ଷିପ୍ର ଭାବରେ ଗତି କରୁଛି । ଆଗେଇ ଚାଲ ତୃପ୍ତି ! ହଁ ତୁ ଚାଲ, ମୁଁ ଅଛି ।

 

ତୃପ୍ତି—ତମେ ଆସ ପ୍ରଶାନ୍ତ ଭାଇ ! (ପ୍ରସ୍ଥାନ)

 

ମି.ରାୟ—ଦିନକୁ ଦିନ ଏ ମଣିଷ ବଡ଼ ଅସୁନ୍ଦର, ହତଶ୍ରୀ ହୋଇଉଠିଛି । ତାକୁ ସୁନ୍ଦର ଓ ଶ୍ରୀମନ୍ତ କରିବାକୁ ହେବ । ତୃପ୍ତିର ଆତ୍ମନିବେଦନକୁ ରମେଶ ଅପମାନିତ କରିବ ? ନୋ, ନୋ । (କହି ଚାଲିଗଲାବେଳେ ପରଦା)

 

ତୃତୀୟ ଦୃଶ୍ୟ

 

[ରମେଶ ଘର । ଗୋଟିଏ ପାଖରେ ଷ୍ଟାଲିନ୍‍ଙ୍କ ଫଟୋ, ଏବଂ ଅନ୍ୟ ଏକ ପାଖରେ ଗାନ୍ଧୀଜୀଙ୍କର ଫଟୋ କାନ୍ଥରେ ସଜ୍ଜିତ ହୋଇଥିଲା । ନନ୍ଦିତା ଷ୍ଟାଲିନ୍‍ଙ୍କ ଫଟୋ ନିକଟରେ ‘‘ଅଗରବତୀ” ଜାଳି ପ୍ରଣତି କଲାବେଳେ ମି: ରାୟ ପ୍ରବେଶକଲେ ଏବଂ ନିଜ ପକେଟରୁ ଦିଆସିଲି ବାହାର କରି ଅଗରବତୀ ଜାଳି ଗାନ୍ଧିଜୀଙ୍କୁ ପ୍ରଣତି ଜଣାଇଛନ୍ତି ।]

ନନ୍ଦିତା—ପ୍ରଣତି ଘେନ ହେ ଲୁହାର ମାନବ ।

 

ମି.ରାୟ—ପ୍ରଣତି ଘେନ ହେ ମହାମାନବ !

 

ନନ୍ଦିତା—ଆପଣ ?

 

ମି.ରାୟ—ବିସ୍ମିତ ହେଲେ ଗାନ୍ଧୀବାଦର ଦ୍ୱାହି ଦେଇ ମିଲ୍‍ମାଲିକ, ପୁଞ୍ଜିପତିମାନେ ଉତ୍ପାଦନକ୍ଷମ ଜନତାକୁ ଲୁଣ୍ଠନ କରି ସମାଜ ବାଦର ହୁରି ପକାଉଛନ୍ତି । ଏମାନଙ୍କ ନୂଆ କୌଶଳକୁ ମାର୍କସ୍‍ ଦୁନିଆକୁ ଚିହ୍ନେଇ ଦେଇଛି—ଶ୍ରମିକର ଶ୍ରମ ହିଁ ଉତ୍ପାଦନର ଯଥାସର୍ବସ୍ଵ । ତାକୁ ଲୁଣ୍ଠିତ ହେବାକୁ ଶ୍ରମିକ ଆଉ ସହ୍ୟ କରିପାରିବ ନାହିଁ ।

 

ମି ରାୟ—ଧନ୍ୟବାଦ ନନ୍ଦିତା ଦେବୀ ! ଗଣତନ୍ତ୍ର ଆଉ ଗାନ୍ଧୀବାଦର ଅର୍ଥ ନୁହେଁ, ମଣିଷକୁ ଭାତ ମୁଠାଏ ଦେଇ ତା'ଠାରୁ ମଣିଷପଣିଆ କାଢ଼ିଆଣିବା । ମଣିଷର ସୁଖଭୋଗଠାରୁ ତାର ସ୍ନତନ୍ତ୍ରତା ଆଉ ସ୍ୱଧର୍ମପାଳନ ଅଧିକ ମୂଲ୍ୟବାନ । ଷ୍ଟାଲିନ୍‍ ଦେଶରେ ଗୁଳି ବନ୍ଧୁକର ଡର ଦେଖାଇ, ଜବରଦସ୍ତି ମଣିଷକୁ ଭଲ କରିବାକୁ ଚେଷ୍ଟା ଚାଲିଛି । ହେଲେ ଗାନ୍ଧୀ ଦେଶରେ ମଣିଷର ଭଲପଣିଆ ଅଜାଡ଼ିଦେଇ ମଣିଷକୁ ଭଲ ବାଟରେ ଆଗେଇନେବାର ଚେଷ୍ଟା ଚାଲିଛି । ଏ ଜାତିର ମହାସଂକଟ ସମୟରେ ବାପୁଜୀଙ୍କର ଅନ୍ତରତମ ପ୍ରଦେଶରୁ ଗୋଟିଏ ବାଣୀ ଝଙ୍କୃତ ହୁଏ–‘‘ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟ” । ଉତ୍ତ୍ୟକ୍ତ ହୁଅନା ନନ୍ଦିତା ଦେବୀ ! ବିନା ରକ୍ତପାତରେ ଜମିଦାରୀ ଲୋପ ପାଇଛି—ଶାନ୍ତିପୂର୍ଣ୍ଣ ଭାବରେ ନୂଆ ଦିଗ ନେଇ ଶିଳ୍ପ ଓ ଶ୍ରମିକର ସମାଧାନ ହେବ ।

 

ନନ୍ଦିତା—ଗାନ୍ଧିଜୀଙ୍କୁ ସମ୍ମାନ କରେ ଦେଶ । ହେଲେ ଗାନ୍ଧୀବାଦ— ?

 

ମି. ରାୟ—ଗାନ୍ଧୀବାଦ ! ବାପୁଜୀ ଯାହା କହିଯାଇଛନ୍ତି—ଯାହା କରିଯାଇଛନ୍ତି, ଖାଲି ମଣିଷବାଦର କଥା । ଧନକୁ ଏଡ଼େଇ, ରକ୍ତପାତକୁ ଦୂରେଇ ରଖି–ପ୍ରେମ ସ୍ନେହ ବିନିମୟରେ, ସାମ୍ୟ ମୈତ୍ରୀର ଗୋଟାଏ ନୂଆ ଦୁନିଆ ।

 

ନନ୍ଦିତା—ଗାନ୍ଧିମାର୍କା ବିଡ଼ି, ଜହରମାର୍କା ସୋରିଷତେଲ ଦେଖେଇ ଏ ମିଲ୍ ମାଲିକ ଲୋକଙ୍କୁ ଶେଷ କେଲେଣି ।

 

ମି. ରାୟ—ଠିକ୍ କହିଚ ନନ୍ଦିତା ଦେବୀ ! ମଣିଷ ସୁନ୍ଦର ହେଉ ବୋଲି ତୁମେ ଯେବେ ଚାହ, ନିଜେ ସୁନ୍ଦର ହୁଅ । ମଣିଷ ମୁକ୍ତ ହେଉ ବୋଲି ଯେବେ ଆଶା ପୋଷଣ କର, ନିଜେ ପ୍ରଥମେ ମୁକ୍ତ ହେବାକୁ ଚେଷ୍ଟା କର । ନିର୍ଭୟ ହୁଅ । ଆପଣାର ସକଳ ଆକାଂକ୍ଷ୍ୟାକୁ ପରିପୂର୍ଣ୍ଣ କରିବାକୁ ଚେଷ୍ଟା କର । ସମସ୍ତେ ଆଡ଼େଇଯିବେ ନୁଆ ବାଟ ଆଗରେ ।

 

ନନ୍ଦିତା—ଆପଣ ଏମିତି ବାଜେ କଥା କହିବେ । ଏସବୁ ଶୁଣିବାକୁ ମୋର ସମୟ ନାହିଁ । ଆପଣ ଚାଲିଯା’ନ୍ତୁ । କାଲି ସକାଳେ ଶ୍ରମିକର ମହା ବିପଦ ।

 

ମି.ରାୟ—ମହା ସଂପଦର ସଂବାଦ ଆସିଛି ନନ୍ଦୀତା ଦେବୀ ! ବାସ୍ତବରେ ତୃପ୍ତି ସୁନ୍ଦର । ସେ ସୁନ୍ଦର ହେବାକୁ ଚାହେଁ । ସେ ଆଶା ପୋଷଣ କରି ଆସିଚି । ତା’ ସମସ୍ୟାର ସମାଧାନ ହେଲେ ଆପେ ଆପେ ସବୁ ଦୂର ହୋଇଯିବ । ନୂଆ ବାଟରେ ତୁମେ ଆଗେଇଯିବ । ଶ୍ରମିକର ଜୟ ହେବ-। ସେ ସକଳ ଭୟଭ୍ରାନ୍ତି ଦୂରେଇଦେଇ ଆଗେଇଆସିଛି କବି ପାଖରେ ଆତ୍ମନିବେଦନ କରିବ-

 

ନନ୍ଦିତା—ସର୍ବନାଶ । ଭାଇ, ଭାଇ ! (ଭିତରକୁ ପ୍ରସ୍ଥାନ)

 

ମି. ରାୟ—ତମେ ନାରୀ ନନ୍ଦିତା ! ଈର୍ଷା ହେଉଛି ସହଜାତ ଧର୍ମ । ହେଲେ ତୃପ୍ତିର ଆତ୍ମନିବେଦନ ବ୍ୟର୍ଥ ହେବ ନାହିଁ । (ମି. ରାୟ ଚାଲିଯିବା ପରେ ଆଗରେ ରମେଶ, ପଛେ ପଛେ ତୃପ୍ତି ପ୍ରବେଶ କଲେ)

 

ରମେଶ—ଚପଲମାଡ଼ ଖାଇବାର ଭୟ ନାହିଁ ତେବେ ? ନା, ନା, ଲୋକେ ହସିବେ । କାଲି ମହା ବିପ୍ଳବର ଦିନ ତୃପ୍ତି, ତୁମେ ଚାଲିଯାଅ ।

 

ତୃପ୍ତି—କୁହ, କବି, ପ୍ରାୟଶ୍ଚିତ କଣ ନାହିଁ ?

 

ରମେଶ—ପ୍ରାୟଶ୍ଚିତ୍ତ କାହିଁକି ? ମୋତେ ଅନୁଗ୍ରହ କର, ଦୟା ଦେଖାଅ ।

 

ତୃପ୍ତି—କବିର ଉଦାରତା ନାହିଁ ରମେଶବାବୁ ?

 

ରମେଶ—ତୁମର ଆଘାତ ଅବଶ୍ୟ ମୋ ପରି ଦରିଦ୍ର ଚନ୍ଦନ ବୋଲି ଅନୁଭବ କରିବ ।

 

ତୃପ୍ତି—ବଡ଼ଲୋକ ଘରେ ଜନ୍ମ ହେବା କଣ ପାପ ?

 

ରମେଶ—ଗରିବ ହୋଇ ଜନ୍ମ ହେବାକୁ ଯେ ମହାପାପ ବୋଲି କୁହନ୍ତି, ତା'ର ଉତ୍ତର ସେଇମାନେ ଦେବେ ।

 

ତୃପ୍ତି—(କବିର ଚରଣତଳେ ପଡ଼ିଯିବା ବେଳେ ରମେଶ ଧରି ନେଇଛି) ରମେଶ ! ତୁମର ସେଇ ଦରିଦ୍ରତା ଭିତରେ ପବିତ୍ରତାର ଅଗ୍ନିଶିଖା ମୋତେ ଦଗ୍‍ଧୀଭୂତ କରିଛି । ଘୃଣାକରି ମୋତେ ଜଳାଅନା—ଧ୍ୱଂସ କରନା ।

 

ରମେଶ—ମୁଁ ନିଃସ୍ଵ, ସର୍ବହରା । ତୁମେ ଫେରିଯାଅ, ବିଳମ୍ବ ହେଉଛି । ମହାପରୀକ୍ଷାର ସମୟ । ନନ୍ଦିତା—ନନ୍ଦିତା—(ଯିବାବେଳେ)

 

ତୃପ୍ତି—(ବାଟ ଓଗାଳି) ଫେରିଯିବି ଆଉ କେଉଁଠିକି କବି ? ଦୁନିଆ ଜନତାର ମୁକ୍ତି ପାଇଁ ତୁମ ସାଙ୍ଗରେ ରାଜପଥର ପଥେ ପଥେ ଅନନ୍ତ ମୁକ୍ତ ଆକାଶର ସମତାର ଅନନ୍ତ ବିସ୍ତୃତି ଭିତରେ ତୁମ ପାଖେ ପାଖେ ଠିଆହୋଇ ତୁମ ବିରାଟ ଧାରଣା ନିକଟରେ ମୁଁ ହଜିଯାଏ । (ତୃପ୍ତି ରମେଶର ହାତ ଧରି ପକେଇଛି)

 

ରମେଶ—ମୁଁ ଯେ ସର୍ବହରା, ନିଃସ୍ଵ !

 

ତୃପ୍ତି—ସେଇ ନିଃସ୍ଵତା ଭିତରେ ମୋର ପୂର୍ଣ୍ଣତା ଲାଭ ପାଇଁ ତୁମର ଆଶ୍ରୟ ଚାହେଁ ରମେଶ ! (ଗୋଡ଼ତଳେ ବସିପଡ଼ିବା ବେଳେ)

 

ମି. ରାୟ— (ପ୍ରବେଶକରି) ନାରୀର ନିବେଦନ ବ୍ୟର୍ଥ ହୁଏନା ରମେଶବାବୁ ! ତୃପ୍ତି ନିବେଦିତା ।

 

ରମେଶ—ନିବେଦିତା ?

 

ମି. ରାୟ—ତୁମେ ଦାର୍ଶନିକ, ଭାବପ୍ରବଣ, ଖାମ୍‍ଖିଆଲ । ଯେତେ ବୁଝାଇଲି, ତୃପ୍ତି ବୁଝିଲା ନାହିଁ । ସେ ନିଜର ସର୍ବସ୍ୱ ହରାଇ ନିଃସ୍ୱ ହୋଇଉଠିଚି ତୁମରି ଧର୍ମରେ ।

 

ରମେଶ—ମୁଁ ଯେ ସର୍ବହରା !

 

ମି. ରାୟ—ତେଣୁ ତୁମେ ଦୁହେଁ ସମଧର୍ମ ହୋଇଉଠିଚ କବି ! ତାର ସବୁ ଥାଇ କିଛି ନାହିଁ । ତୁମେ ତାକୁ ଲୁଣ୍ଠନ କରିଚ । (ପ୍ରସ୍ଥାନ)

 

ରମେଶ—ମୁଁ ଲୁଣ୍ଠନ କରିଛି ? କି ଅଦ୍ଭୁତ ମଣିଷ ! ବୁଝି, ବୁଝିହୁଏନା । ସବୁଥିରେ ଥାଏ, ହେଲେ କେଉଁଥିରେ ନ ଥାଏ । ସବୁ କରାଏ, ହେଲେ କିଛି କରେନା ସବୁ ବାଦରେ ଥାଏ, ହେଲେ କୌଣସି ବିବାଦ ଚାହେଁନା ।

 

ମି. ରାୟ—(ପ୍ରବେଶି) ଆଗରୁ ମୁଁ କହିଛି ରମେଶ ! ମିକ୍‍ଶ୍ଚର୍ ଅଫ୍ ରାଗ, ମିଠା, ଲୁଣିଆ, ଖଟା । ତାଜା ମିକ୍‍ଶ୍ଚର୍ ସାର୍ ! ସମସ୍ତଙ୍କୁ ସମ୍ମାନ କରେ, ଦରକାର ହେଲେ କାହାକୁ ବି ନୁହେଁ । ଉଚ୍ଚ ଆଦର୍ଶମୋହରେ ପାଗଳ ହୋଇ ମଣିଷର ମଣିଷପଣିଆକୁ ନଷ୍ଟ କରିବାକୁ ଅପଚେଷ୍ଟା କେବେ କରିନି । ମୋର କହିବା କଥା, ତୃପ୍ତ ଦେଈଙ୍କି ତୁମେ ଗ୍ରହଣ କର । ତାଙ୍କୁ କ୍ଷମା ଦିଅ । ତମ ବୃହତ୍ତର ସମସ୍ୟାର ସମାଧାନ ନିଶ୍ଚୟ ହୋଇଯିବ । ଭଉଣୀ, ବର୍ତ୍ତମାନ ତୁ ବୁଝୁଛୁ—ତୁ କବି ପାଇଁ ପ୍ରଲୁବ୍‍ଧ । ହେଲେ ନନ୍ଦିତା ପାଇଁ ମୁଁ କେବେ ପାଗଳାମୀ କରିବା ଦେଖିଚୁ ? ଚିୟର ଅପ୍ ବୋଥ୍ ଅଫ୍ ୟୁ । (ପ୍ରସ୍ଥାନ)

 

ତୃପ୍ତି—ପ୍ରଶାନ୍ତ ଭାଇ !

 

ରମେଶ—ତୃପ୍ତି !

 

ତୃପ୍ତି—କବି !

 

ରମେଶ—ମୋ ପଥରେ ଖାଲି କଣ୍ଟା, କ୍ଷୁଧା, ଅନାହାର ।

 

ତୃପ୍ତି—ସେଇ କ୍ଷୁଧା, ଅନାହାର ମୋ ବୁକୁତଳେ ସୃଜିଛି ଅସଂଖ୍ୟ ସ୍ଵପ୍ନାଭ ତରଙ୍ଗ । ତୁମର ସେଇ ଅନାହାର ବିତୃଷ୍ଣା ହେବ ମୋ ଜୀବନର ଜୟମାଲ୍ୟ ।

 

ରମେଶ—କାଲି ସକାଳେ ମହା ସଂକଟ । ସେ ସଂଘର୍ଷରୁ ମଣିଷ ବଞ୍ଚିଲେ ତ ?

 

ତୃପ୍ତି—ସେସବୁ କିଛି ମୋତେ ଆଡ଼େଇଦେଇ ପାରିବ ନାହିଁ କବି ! ମୋତେ ପାଗଳ କରିଦିଅନା କବି ! (ରମେଶ ଛାତିରେ ଢଳିପଡ଼ିଛି)

 

ନନ୍ଦିତା—(ପ୍ରବେଶି) ଭାଇ, ତୃପ୍ତି ଆଜି ଏଠି କାହିଁକି ?

 

ରମେଶ—ତୃପ୍ତି, ତୃପ୍ତି ! କଣ ହେଲା ?

 

(ତୃପ୍ତି ଟଳି ଟଳି ଆସୁଥିଲା—କବି ଧରିନେଲାବେଳେ ପଟ୍ଟ ପତ୍ତନ)

 

ଚତୁର୍ଥ ଦୃଶ୍ୟ

 

[ମି: ଦାସଙ୍କର ଅଳିନ୍ଦ—ବିଶ୍ୱନାଥ ଓ ରାଧାକାନ୍ତ ଭୀତତ୍ରସ୍ତ ଭାବେ ଅପେକ୍ଷା କରିଥିଲେ ମି: ଦାସଙ୍କୁ ।]

 

ଦ. କବାଟ—କୁହୁଳି କୁହୁଳି ନିଆଁଟା ଏମିତି ହଠାତ୍ ଜଳିଉଠିବ ବୋଲି ମୁଁ ଜାଣି ନ ଥିଲି ବିଶ୍ୱନାଥ ବାବୁ ! ହୋଇପାରିଲା ନାହିଁ । ଏତେ ଟଙ୍କା ଖର୍ଚ୍ଚ ହେଲା, ହେଲେ ପ୍ରକୃତରେ ଗୋଟିଏ ହେଲେ ଶ୍ରମିକ ଆମ ସଂଗଠନକୁ ଆସିଲେ ନାହିଁ ।

 

ବିଶ୍ୱନାଥ—ମି. ଦାସଙ୍କୁ କ'ଣ ଉତ୍ତର ଦେବା ?

 

ରାଧାକାନ୍ତ—ମୁଁ କ'ଣ ସେକଥା ଚିନ୍ତା କରୁଛି ବିଶ୍ୱନାଥ ! ମୋ ପାଖରେ ଉତ୍ତର ଏତେ ଅଛି ଯେ, ତାଙ୍କର ପ୍ରଶ୍ନର ଅଭାବ ପଡ଼ିବ । ହେଲେ ତମେ ଟିକେ ପଇସାପତ୍ରର ହିସାବ ଖାତାଟା ଦେଖିନିଅ । ରେଜେଷ୍ଟ୍ରି ସଂଘ ନା ?

 

ବିଶ୍ୱନାଥ—ରାଧାକାନ୍ତ ବାବୁ !

 

ରାଧାକାନ୍ତ—ସେ ରସିଦ୍‍ଟା ଆଣିଛଟି ?

 

ବିଶ୍ୱନାଥ—କେଉଁ ରସିଦ୍ ?

 

ରାଧାକାନ୍ତ—ଆଚ୍ଛାଲୋକ ! ହେଲେ ମୁଁ ଏବେ କଣ କରେ ? ଦାସ ସାହେବ ଆସିଯିବ । ଏ ଯେଉଁ ଗୁଣ୍ଡାମାନଙ୍କୁ ବିହାର, କଲିକତାରୁ ଅଣାଗଲା, ସେ ଟଙ୍କା ଦେଈ ବ୍ଲାଙ୍କ୍ ରସିଦ ଆଣିଥିଲି । ଅଢ଼େଇ ହଜାର ଟଙ୍କା... ।

 

ବିଶ୍ୱନାଥ—ବ୍ଲାଙ୍କ୍ ରସିଦ୍ ? (ପକେଟ ଖୋଜି) କେଉଁଠି ପଡ଼ିଗଲା ନା କଣ ?

 

ରାଧାକାନ୍ତ—ସର୍ବନାଶ । ଆଚ୍ଛା, ସାଧା କାଗଜ ଅଛି ? ତମକୁ ବଙ୍ଗଳା ଲେଖିଆସେ ନା ? ବାର ସହ ଟଙ୍କାର ରସିଦ୍ ତମେ ଲେଖ । ମୋତେ ଖଣ୍ଡେ କାଗଜ ଦିଅ-ହିନ୍ଦୀ ମୋତେ ଲେଖିଆସେ । (ମି. ରାୟ ପଶି ଆସୁଥିଲେ, ଏମାନଙ୍କ କଥାବାର୍ତ୍ତା ଶୁଣି ଆତ୍ମଗୋପନ କଲେ । ବିଶ୍ୱନାଥ ଖଣ୍ଡେ କାଗଜ ଦ.କବାଟକୁ ଦେଈ ଅନ୍ୟ ଏକ କାଳରେ ନିଜେ ଲେଖିବାକୁ ଚେଷ୍ଟା କଲା ।)

 

ବିଶ୍ୱନାଥ—ଠିଆ ଠିଆ କେମିତି ଲେଖିବି, ପରେ ଲେଖିଦେଲେ ହେବ ନାହିଁ ?

 

ରାଧାକାନ୍ତ—ବଡ଼ ଓଲାଲୋକ ତୁମେ ବିଶ୍ୱନାଥ ! ଖାଲି ପର୍ ସେଣ୍ଟେଜ୍ ପାଇଲା ବେଳକୁ ହାତ ପତେଇଦେବ । ଆଜିର ଏ ଭୂତ କଣ କାଲି ଦାସ ସାହେବଙ୍କ ମୁଣ୍ଡରେ ଥିବ ? ସକାଳ ଯାଇ ସଞ୍ଜବେଳକୁ ଦୁନିଆ ଓଲଟ ପାଲଟ ହୋଇଯିବ । କେତେ ମରିବେ, କେତେ ବଞ୍ଚିବେ । ଛାଡ଼, ତମର ଅସୁବିଧା ହେଉ ପଛେ ଲେଖ । (ନଇଁପଡ଼ି) ଲେଖ, ଶୀଘ୍ର ଲେଖ ।

 

(ବିଶ୍ୱନାଥ ଦ.କବାଟ ପିଠିକୁ ଟେବୁଲ ପରି ବ୍ୟବହାର କରି ଲେଖିଲାବେଳେ)

 

ଦ. କବାଟ—ରୁହ, ପକେଟ୍ ଡାଏରୀରୁ କାର୍ବନ କାଗଜଖଣ୍ଡେ, Pencil, ଗୋଟେ ରେଭିନ୍ୟୁଷ୍ଟାମ୍ପ କାଢ଼ିଦେଲା)

 

ବିଶ୍ୱନାଥ—(ଷ୍ଟାମ୍ପ ପରୀକ୍ଷାକରି) ପଶ୍ଚିମବଙ୍ଗ ବୋଲି ଷ୍ଟାମ୍ପରେ ଲେଖା ଅଛି ?

 

ରାଧାକାନ୍ତ—ଓ ହୋ, ପରେ ବୁଝିବା ।

 

ବିଶ୍ୱନାଥ—ଧରା ପଡ଼ିଯିବା ।

 

ରାଧାକାନ୍ତ—ଧରା ପଡ଼ିଯିବା ନୁହେଁ । ଆରେ କଲିକତାରେ ପେ'ମେଣ୍ଟ ହୋଇଛି ବୋଲି ଦେଖାଇଦେବା ପାଇଁ ଏ ଷ୍ଟାମ୍ପ୍ ଯୋଗାଡ଼ କରିବା ପାଇଁ ଟ୍ୟାକ୍‍ସିରେ ଅଢ଼େଇ ଟଙ୍କା ଦେଇଛି । (ନଇଁପଡ଼ି) ଗୋଟାଏ ରସିଦ୍ ରେ ମାର ଅଢ଼େଇ ହଜାର । ହିନ୍ଦୀ ରସିଦ୍ ଦରକାର ନାହିଁ ।

 

ବିଶ୍ୱନାଥ—କଣ ଲେଖିବି ?

 

ରାଧାକାନ୍ତ—ଲେଖୁନ୍—ଆମି ରାହାସବିହାରୀ ଘୋଷ୍; ଫର୍ଟି ରାହାସବିହାରୀ ଲେନ୍—ଆଜ୍ ଶ୍ରୀମାନ୍ ରାଧାକାନ୍ତ ଦକ୍ଷିଣକବାଟ, କଟକଙ୍କ କାଚ୍ଛେ, ଅଢ଼େଇ ହଜାର ତାଙ୍କ । ଅକ୍ଷରରେ (ଉଇଦିନ୍ ବ୍ରାକେଟ) ଦୋ ହଜାର ପାଞ୍ଚଶ ନିଏ (ମି. ରାୟ କାଶିଲେ) ବିଶ୍ୱନାଥବାବୁ, ବିଷୟବସ୍ତୁ ଥାଉ । ଷ୍ଟାମ୍ପ ଲଗେଇ ମାର ଦସ୍ତଖତ । କିଏ ଆସିଗଲା ନା କ'ଣ ? (ପିଠି ସିଧାକରି ଚାହିଁ) କାହିଁ କେହି ତ ନାହିଁ । (ବିଶ୍ୱନାଥ ତରତରରେ ନିଜ ନାମ ଦସ୍ତଖତ କରିଦେଲେ) ରକ୍ଷା ହୋଇଗଲା । ବୁଝିଲ ବିଶ୍ୱନାଥ, ତମେ ପଛେ ଯାହା ଇଚ୍ଛା ତା କର ହେଲେ କାଗଜପତ୍ର ଠିକ୍ କରି ରଖିବ । (ରସିଦ୍ ପରୀକ୍ଷା କରୁ କରୁ) ଏତେ ସୁନ୍ଦର ବଙ୍ଗଳା ତୁମେ ଲେଖ ବୋଲି ମୋର ଧାରଣା ନ ଥିଲା-। ଚମତ୍କାର । ଆରେ ! ତମେ ଏ କଣ କଲ ? ବିଶ୍ୱନାଥ ବୋଲି ଦସ୍ତଖତ କରିଦେଲା ? ପୁଣି ଓଡ଼ିଆ ଦସ୍ତଖତ !

 

ବିଶ୍ୱନାଥ—ଏଁ, କଣ କଲି ?

 

ରାଧାକାନ୍ତ—ଆରେ, ବୋକା ପରି ଅନେଇଚ କ'ଣ ? ତା ଉପରକୁ ଛାଟିକରି ରାହାସବିହାରୀ ଘୋଷ୍ ବୋଲି ମାର ଦସ୍ତଖତ । (ନାଇଁ ପିଠି ଦେଖାଇ) ଲେଖ—Certified by

 

ବିଶ୍ୱନାଥ—ହଁ । Certified by—ହେଲା ।

 

ରାଧାକାନ୍ତ—ଭୁଲ୍ ରହିଗଲା ମୁଁ ତ ଟଙ୍କା ଦେଇଥିଲି, ତମେ କିମିତି—

 

ବିଶ୍ୱନାଥ—ନା, ସେ ହେବ ନାହିଁ, ପରେ ଲେଖିବା । ରାଧାକାନ୍ତ ରସିଦ ଗୁଡ଼େଇ ପକେଟ୍ ରେ ରଖିବା ପରେ ପରେ ମି. ରାୟ ପ୍ରବେଶ କଲେ)

 

ଉଭୟେ—(ଚୋର ପରି) ନମସ୍କାର ସାର୍ !

 

ମି. ରାୟ—ଭୟଙ୍କର ବିପଦ ବିଶ୍ୱନାଥ ! ସେମାନେ ଜବରଦସ୍ତି ମିଲ୍ ଫାଟକ ପାଖରେ ଗୋଟାଏ ବିରାଟ ସଭା କରୁଛନ୍ତି । ମି. ଦାସ କାହାନ୍ତି ?

 

ଦ. କବାଟ—ଆପଣ ସାହାଯ୍ୟ ନ କଲେ ଦାସ ସାହେବଙ୍କୁ ସେମାନେ ତଳିତଳାନ୍ତ କରିଦେବେ । ଏ କ'ଣ କମ ଅପମାନ ?

 

ମି. ରାୟ—ଧନ୍ୟବାଦ ଦକ୍ଷିଣ କବାଟ ! ମିଷ୍ଟର ଦାସଙ୍କ ପାଇଁ ତମର ଦରଦ ଟିକକ ଅଛି । ତମେ ଅଛ, ତମକୁ ଅଶେଷ ଧନ୍ୟବାଦ । ପୋଲିସ୍, ଗୁଣ୍ଡା ଆଉ ବିଶ୍ୱନାଥ, ଦକ୍ଷିଣ କବାଟ ଥାଉଁ ଥାଉଁ ଦାସ ସାହେବଙ୍କର କିଏ କଣ କ୍ଷତି କରିବ ?

 

ଦ. କବାଟ—ଆମେ କଣ ସହଜରେ ଛାଡ଼ି ଦେଉଚୁ ? ଦାସ ସାହେବଙ୍କୁ ଅପେକ୍ଷା କରିଚୁ-ତାଙ୍କ ଆଦେଶ ପାଇଲେ କିଛି ଅସୁବିଧା ହେବ ନାହିଁ ।

 

ମି. ରାୟ—ତମେ ଅପେକ୍ଷା କରିବ, କର । ହେଲେ ତୁମମାନଙ୍କର ଆଜି ଶେଷ ଦିନ । ଆଉ ଏ ଯେଉଁ ରସିଦ୍ ଲେଖିଲ, ସେ ହେଉଛି ଶେଷ ରସିଦ । (ପ୍ରସ୍ଥାନ)

 

ରାଧାକାନ୍ତ—କଣ କହିଲେ ବାବୁ ?

 

ବିଶ୍ୱନାଥ—ରାଧାକାନ୍ତ ବାବୁ !

 

ରାଧାକାନ୍ତ—ଠିକ୍ ଅଛି ବିଶ୍ୱନାଥ ! ମି. ରାୟ ଧର୍ମଘଟ ତେଜେଇଛନ୍ତି ବୋଲି ସେ ପ୍ରମାଣ ସାହେବଙ୍କୁ ଯୋଗାଇ ସାରିଛି । ଦାସ୍ ସାହେବ ମି. ରାୟଙ୍କୁ ବେଶ୍ କରି ଜାଣନ୍ତି ।

 

ମି. ଦାସ—(ପ୍ରବେଶି) ମି. ରାୟଙ୍କୁ ଚିହ୍ନିଚି, ତମକୁ ଚିହ୍ନିଚି, ବିଶ୍ୱନାଥକୁ ମଧ୍ୟ ଚିହ୍ନିଚି । ହେଲେ ସୁବ୍ରତ ଦାସ ତମର ସବୁ ସାହାଯ୍ୟ ନ ପାଇଲେ ମଧ୍ୟ ତାର ମିଲ୍‍କୁ ଓ ମିଲ୍ ମାଲିକର ସ୍ୱାର୍ଥକୁ ଅତୁଟ ରଖିପାରିବ ।

 

ଦ. କବାଟ—ମୁଁ କୁକୁରଠାରୁ ହୀନ ନୁହେଁ ଦାସ ସାହେବ ! ମଣିଷ ମୁଁ—ଯାହାର ନିମକ ଖାଇ ବଞ୍ଚିଛୁଁ, ତାହାର ସ୍ୱାର୍ଥ ପାଇଁ ଆମେ ଜୀବନ ଦେବାକୁ ତିଆରି ହୋଇ ଆସିଛୁଁ । ହାଉଡ଼ା ଷ୍ଟେସନ୍‍ରୁ ପଚାଶ ଗୁଣ୍ଡା ଆଣି ଠିକ୍ ଜାଗାରେ ସେମାନଙ୍କୁ ମୃତୟନ କରି ଆପଣଙ୍କ ଆଦେଶ ପାଇବା ପାଇଁ ଧାଇଁଆସିଚୁ । ସମୁଦାୟ ପାଞ୍ଚ ହଜାର ଟଙ୍କା ଖର୍ଚ୍ଚ ହୋଇଛି ।

 

ବିଶ୍ୱନାଥ—ସେମାନେ ବେଆଇନ୍ ଭାବରେ ଆଜି ସନ୍ଧ୍ୟା ୬ଟା ବେଳେ ମିଲ୍ ସାମନାରେ ମିଟିଂ କରିବେ ବୋଲି ଶୁଣି ଦଉଡ଼ି ଆସିଚୁ ସାର୍ ! ଆଉ ନନ୍ଦିତା ଦେବୀ ସେ ସଭାରେ ହେବେ ସଭାନେତ୍ରୀ ।

 

ମି. ଦାସ—କାଲି ସକାଳୁ ମିଲ୍ ଦଖଲ କରିବେ, ତା ପୂର୍ବରୁ ଏ ଅଭିଯାନ କାହିଁକି ? ନୋ, ନୋ, ଏସବୁ ମୁଁ ବରଦାସ୍ତ କରିପାରିବିନି । ମୁଁ କିଛି ଶୁଣିବି ନାହିଁ ଦକ୍ଷିଣ କବାଟ ! ତମେ ଗାଡ଼ି ନେଇ ବର୍ତ୍ତମାନ ଯାଅ । ଲକ୍ଷେ, ଦୁଇ ଲକ୍ଷ ଟଙ୍କା ଦରକାର ହେଲେ ମୁଁ ଦେବି । ଗୁଣ୍ଡାମାନଙ୍କ ଭିତରୁ ଯେ କେହି ହେଲେ ମୋର ଏ ଦାନ ଗ୍ରହଣ କରିପାରନ୍ତି । ମୁଁ ଚାହେଁ ନେତୃତ୍ୱ ନେଇ ଯେ ଆଗୁସାର୍ ହୋଇ ଆସିବ, ତାର–

 

ଦ. କବାଟ—ମୋତେ ବଳେଇ ଯିବ ନାହିଁ ଆଜ୍ଞା ! ହେଲେ ବର୍ତ୍ତମାନ ସେ ଗୁଣ୍ଡାମାନଙ୍କ ପାଇଁ ପାଞ୍ଚ ହଜାର ଟଙ୍କା ଦରକାର । (ପକେଟରୁ ରସିଦ୍ ବାହାର କରି)

 

ମି. ଦାସ—ମୋର ବର୍ତ୍ତମାନ ରସିଦ୍ ତନଖି କରିବାର ସମୟ ନାହିଁ । ଫୋନ୍ ରେ ମୁଁ କହିଦଉଚି । କ୍ୟାସିୟର୍‍ଙ୍କଠାରୁ ସେ ଟଙ୍କାଟା ନେଇଯିବ । ତୁମେ ଯାଅ ।

 

ଦ. କବାଟ—ଆପଣ ପ୍ରତିଶ୍ରୁତି ଦେଇଛନ୍ତି—ଶରୀରଂ ପାତୟେତ...। ହଁ ଆଜ୍ଞା, ଏ ଅଧୀନ ଆପଣଙ୍କୁ ପ୍ରତିଶ୍ରୁତି ଦେଇଯାଉଚି—ଯେ ନେତୃତ୍ୱ ନେଇ ଆସିବ, ତା'ର ଶବ ଆପଣଙ୍କୁ ମୁଁ ପୁରସ୍କାର ଦେବି । ମୋ ପିଲାପିଲି ଲାଗିଲେ—

 

ମି. ଦାସ—ବିଶ୍ୱନାଥ, ମୁଁ ବି ତୁମକୁ ସୁଖୀ କରିବି । ତୁମେ ଦକ୍ଷିଣ କବାଟକୁ ସାହାଯ୍ୟ କର । ଯାଅ... । ଡ୍ରାଇଭର୍, ଡ୍ରାଇଭର୍ ! ଜୀପ୍ ଗାଡ଼ିରେ ଶୀଘ୍ର ଏମାନଙ୍କୁ ନେଇଯା ।

 

ଦ. କବାଟ—ନମସ୍କାର ସାର୍ ! ଆସ ବିଶ୍ୱନାଥ ! ହେଲେ ଆପଣ ଫୋନ୍ କରିଦିଅନ୍ତୁ । (ବିଶ୍ୱନାଥ, ଦକ୍ଷିଣ କବାଟ ପ୍ରସ୍ଥାନ)

 

ମି. ଦାସ—ସୁନ୍ଦର, ସୁନ୍ଦର ପ୍ରସ୍ତାବ । ତୁମଙ୍କୁ ହିଁ ପରିଚାଳନାର ଭାର ଦେଇ ନିଶ୍ଚିନ୍ତ ରହିଲି । ମୁଁ ଚାହେଁ ନନ୍ଦିତାର ରକ୍ତାକ୍ତ ଶବ । ଆଉ ତା ସଙ୍ଗେ ରମେଶର ଶବ । ହାଃ, ହାଃ, ହାଃ, ହାଃ (ଆଗେ ଆଗେ ଚିନ୍ମୟୀ. ପଛେ ପଛେ ମି. ରାୟ ପ୍ରବେଶ କଲେ)

 

ଚିନ୍ମୟୀ—ହେ, ତମେ ପାଗଳ ପରି ଏମିତି ହସୁଚ କାହିଁକି ? ହେ, କଣ ହେଲା ? ଶୁଣୁଚ ?

 

ମି. ଦାସ—ମୋର ଶୁଣିବାକୁ ସମୟ ନାହିଁ ଚିନ୍ମୟୀ ! ମୁଁ ସେ ଶୁଭ ମୁହୂର୍ତ୍ତକୁ ଚାହିଁ ବସିଚି-ନନ୍ଦିତା ଆଉ ରମେଶର ଶବକୁ ପୁଷ୍ପମାଲ୍ୟରେ ମଣ୍ଡିତ କରି ଯେତେବେଳେ ଶ୍ରମିକମାନେ ଶୋଭାଯାତ୍ରା କରି ନେବେ... ।

ମି. ରାୟ—ଏଥିରୁ ତୁମେ କ୍ଷାନ୍ତ ହୁଅ ସୁବ୍ରତ ! ମହାବିପଦ ।

ମି. ଦାସ—ବନ୍ଧୁ ହୋଇ ତୁମେ ଯେଉଁସବୁ ସଂପଦର ସଂବାଦ ଦେଇଛ, ସେଥିପାଇଁ ଧନ୍ୟବାଦ ।

ମି. ରାୟ—ନୋ, ନୋ, ତମକୁ ମିଲ୍ ଶ୍ରମିକଙ୍କ ପାଖରେ ମିଲ୍ ସମର୍ପଣ କରିବାକୁ ହେବ । ମୋର ଅନୁରୋଧ, ତୁମେ ନେତୃତ୍ୱ ନିଅ ।

ଚିନ୍ମୟୀ—ଭାଇ ଯାହା କହୁଚନ୍ତି ଶୁଣୁଚ ?

ମି. ଦାସ—ସଭାମଣ୍ଡପରେ ତୁମର ବହୁ ଆବଶ୍ୟକତା ଥିବ । ତୁମେ ଚାଲିଯାଅ । ଟ୍ରେଚରସ୍ । ନିଜର ଏତେ ଆପଣାର ହୋଇ...ନା, ନା, ଚାଲିଯାଅ ତୁମେ ।

ମି. ରାୟ—ମିଲ୍‍ଟା କେବଳ ସୁବ୍ରତ ଦାସଙ୍କର ନୁହେଁ, ତୃପ୍ତି ଦେବୀ ମଧ୍ୟ ଆଠଣା ମାଲିକ ।

ମି. ଦାସ—ଭାଗବଣ୍ଟରା ବା ମଧ୍ୟସ୍ଥ କରିବାକୁ ପ୍ରଶାନ୍ତ ରାୟଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ ।

ମି. ରାୟ—ମଧ୍ୟସ୍ଥ କରିବା ପାଇଁ ଯେଉଁମାନେ ମୋ ଉପରେ ନିର୍ଭର କରିଛନ୍ତି, ସେମାନେ ନିର୍ଭୟ ହୁଅନ୍ତୁ । ତମେ ମୋର ଭଗ୍ନୀପତି । ଭଉଣୀର ସ୍ୱାର୍ଥ ଦୃଷ୍ଟିରୁ ମୁଁ ଅନୁରୋଧ କରୁଛି...

ମି. ଦାସ—ବେଶ୍ ସ୍ୱାର୍ଥ ଦେଖୁଚ ମୋର ! ତା ନୋହିଲେ ତୃପ୍ତି, ମୋ ଭିତରେ ଭାଗବଣ୍ଟରା ପାଇଁ ପ୍ରଶ୍ନ ଉଠାଇ ନ ଥାନ୍ତ ।

ମି. ରାୟ—ବିଳମ୍ବ କରିବା ବିଜ୍ଞତାର କାମ ନୁହେଁ ସୁବ୍ରତ ! ଯେ ଅକାତରରେ ଲକ୍ଷ ଲକ୍ଷ ଟଙ୍କା ନିର୍ବାଚନ ଲଢ଼ିବା ପାଇଁ ଖର୍ଚ୍ଚ କରେ, ସାହିତ୍ୟିକ ହେବା ପାଇଁ ପାଇଁ ପାଣି ପରି ପଇସା ଖର୍ଚ୍ଚ କରେ, ଦକ୍ଷିଣ କବାଟ ମିଛ ରସିଦ୍ ଲେଖି ତୋଡ଼ା ତୋଡ଼ା ଟଙ୍କା ନିଏ—

ମି. ଦାସ—ପ୍ରଶାନ୍ତ ଭାଇ !

ମି. ରାୟ—ତୃପ୍ତି ରମେଶ ପାଖରେ ଆତ୍ମସମର୍ପଣ କରିଛି ।

ଚିନ୍ମୟୀ—ଭାଇ ଯାହା କହୁଛନ୍ତି ତୁମେ ମାନ । ତୃପ୍ତି ଯେବେ ଚାହେଁ, ତୁମେ କାହିଁକି ପ୍ରତିବନ୍ଧକ ହେବ ?

ମି. ଦାସ—ତୁମେ କହୁଚ ଚିନ୍ମୟୀ, ତୃପ୍ତି ରମେଶକୁ...

ମି. ରାୟ—ଚିନୁ କାହିଁକି କହିବ ! ମୁଁ ନିଜ ଆଖିରେ ଦେଖିଆସିଲି ତୃପ୍ତି ଜାନୁପାତପୂର୍ବକ ରମେଶ ପାଖରୁ କ୍ଷମାଭିକ୍ଷା ଚାହିଁଛି । ଯେତେ ବୁଝେଇଲି, ସେ ବୁଝିଲା ନାହିଁ ।

ମି. ଦାସ—ଶୁଣୁଚ ଚିନ୍ମୟୀ ! ସୁବ୍ରତ ଦ୍ଵାରା ଭଉଣୀ ବିବାହ କରିବ ସମାଜରେ ବ୍ୟାଧିଗ୍ରସ୍ତ, ଗୋଟାଏ ଅପଗଣ୍ଡ ପାଗଳକୁ ! ଆଉ ସେ ବାବତ ମିଲ୍‍କୁ ମୁଁ ଶ୍ରମିକମାନଙ୍କୁ ଛାଡ଼ିଦେବି । ବାପା ଥିଲେ ସେ ନିଜ ହାତରେ ତୃପ୍ତିର ତଣ୍ଟି କଣାକରି ରକ୍ତ ପିଇଥାନ୍ତେ ।

ଚିନ୍ମୟୀ—ବାପା ନାହାନ୍ତି; ତେଣୁ ଭାଇ ଯାହା କହୁଚନ୍ତି—

ମି. ଦାସ—ନୋ, ନୋ, ସବୁ ମୂଳରେ ନନ୍ଦିତା, ରମେଶ, ଆଉ ତୁମେ ପ୍ରଶାନ୍ତ ଭାଇ । ଚିନ୍ମୟୀ ! ମିଲ୍ ଧୂଳିସାତ ହେଉ—ମୋର ଆପତ୍ତି ନାହିଁ । ହେଲେ ତୃପ୍ତି ବୁଝିବ, ପ୍ରକୃତରେ ମା ପେଟରେ ଶତ୍ରୁ ଜନ୍ମ ହୁଏ । ନଚେତ୍ ତୃପ୍ତି ଭାବିବ—ମୁଁ ଦୁର୍ବଳ, ପଙ୍ଗୁ....ଅଥର୍ବ । (ଦ୍ରୁତ ପ୍ରସ୍ଥାନ)

ଚିନ୍ମୟୀ—ଭାଇ, ତୁମେ ଦେଖ ! ସେ କେବେ ରାଗନ୍ତି ନାହିଁ । ଥରେ ରାଗିଲେ କିଛି ଆଉ ବାକି ରଖିବେ ନାହିଁ ।

ମି. ରାୟ—ଏତେ ବଡ଼ ସମସ୍ୟାର ସମାଧାନ ପାଇଁ ଶ୍ରମିକ, ରମେଶ ଆଉ ନନ୍ଦିତା ଏମାନଙ୍କ ଭିତରୁ କାହାକୁ ହେଲେ କିଛି ଦାନ ଦେବାକୁ ହେବ । ମୋର ଆଶା, ତୃପ୍ତି ପାଖରେ ସବୁ ଜଟିଳ ସମସ୍ୟା । ପାଣିଫୋଟକା ପରି ଶେଷ ହୋଇଯିବ । (ପ୍ରସ୍ଥାନ)

ଚିନ୍ମୟୀ—ନା, ଭାଇ ! ତୁମେ ତାଙ୍କୁ ଭଲ ଭାବରେ ଚିହ୍ନିନା । କଣ ବୋଲି କଣ କରିବସିବେ ! ହେ ଭଗବାନ ! (ପ୍ରସ୍ଥାନ)

—ପରଦା—

 

ପଞ୍ଚମ ଦୃଶ୍ୟ

 

[ମି. ଦାସଙ୍କର ବୈଠକଖାନା । ଅଦୂରରେ ସମବେତ ଶ୍ରମିକମାନଙ୍କର ପାଟିତୁଣ୍ଡ ଶୁଭୁଥାଏ । ରକ୍ତାକ୍ତ ହସ୍ତରେ ମି: ଦାସ ଭୟ ଓ ବିସ୍ମୟରେ ପ୍ରବେଶ କରିଛନ୍ତି । ପଛେ ପଛେ ଦକ୍ଷିଣ କବାଟ ଆସିଛି ।]

 

ମି. ଦାସ—ଅତୀତରେ ସେମାନଙ୍କୁ ଖୁବ୍ ସମ୍ମାନ ଦେଖାଇ ଆସିଥିଲି । ତାକୁ ସମ୍ବଳ କରି ଗୋଟିକ ପରେ ଗୋଟିଏ ଆଘାତ ସେମାନେ ଦେଇ ଦେଇ ଚାଲିଛନ୍ତି । ଗୋଟିଏ ଫଇସଲା ହୋଇଗଲା ।

 

ଡ଼. କବାଟ—ମହା ବିପଦ ଆଜ୍ଞା ! ଆପଣ ଶୀଘ୍ର ଶୀଘ୍ର ପୋଷାକପତ୍ର ବଦଳେଇ ପକାନ୍ତୁ ।

 

ମି. ଦାସ—ନୋ ! ମୋର ଭୟ କରିବାର ନାହିଁ । ସବୁ ବିପଦ ମାନିଯିବାକୁ ମୁଁ ପ୍ରସ୍ତୁତ ହୋଇଯାଇଛି । ରମେଶ ବୁଝୁ—ସେ ବଞ୍ଚିରହି ଅନୁଭବ କରୁ—ଦାସ ସାହେବ କିପରି ଦୁର୍ଦ୍ଦାନ୍ତ ।

 

ଦ. କବାଟ—ମିଲ୍ ରେ କଣ ଘଟିଲା କହି ହେବ ନାହିଁ ଆଜ୍ଞା ! ଆପଣଙ୍କୁ ଅନୁରୋଧ କରୁଛି, ଉପରକୁ ଯାଇ ପୋଷାକଟା ବଦଳେଇ ଆସନ୍ତୁ ।

 

ମି. ଦାସ—ତୁମେ ଅପେକ୍ଷା କର ଦକ୍ଷିଣ କବାଟ ! ପୋଷାକ ବଦଳେଇ ଆସିବାକୁ ମୋତେ ସମୟ ଲାଗିବ ନାହିଁ । ବର୍ତ୍ତମାନ ମୋତେ ମିଲ୍‍କୁ ଯିବାକୁ ହେବ । (ଉପରକୁ ଉଠିଗଲେ)

 

ଦ. କବାଟ—ଭଗବାନ, ତୁମେ ଦିନରାତି କରୁଚ ! ମି. ରାୟ, ମି. ଦାସ ଆଉ ଏ ଦକ୍ଷିଣ କବାଟ ସମସ୍ତେ ତୁମରି ସୃଷ୍ଟିର ମଣିଷ । ମାରୁ ମାରୁ ଏକବାରେ ଜୀବନରେ ମାରିଦେଲା !

 

ଚିନ୍ମୟୀ—(ପାଗଳିନୀ ପରି ଧାଇଁଆସି) ଦକ୍ଷିଣ କବାଟ ! କୁହ କଣ ହୋଇଛି ? ଦାସ ସାହେବଙ୍କ ଜାମାପଟା ଏମିତି ରକ୍ତାକ୍ତ ହେଲା କିମିତି ? କୁହ ?

 

ଦ. କବାଟ—କିଛି ନୁହେଁ ଆଜ୍ଞା ! ବଡ଼ ବିପଦ ଘୋଟିଆସିବ । ବିଶ୍ୱନାଥ ଏପର୍ଯ୍ୟନ୍ତ ମିଲ୍‍ର କିଛି ଖବର ଦେଇନି ।

 

ଚିନ୍ମୟୀ—ତୁମେ ତା'ହେଲେ ବାଟରେ କି କାଣ୍ଡ ଘଟେଇ ବସିଲ ?

 

ଦ. କବାଟ—କିଛି ନୁହେଁ ଆଜ୍ଞା ! ଗାଡ଼ିଟା ଆକ୍‍ସିଡେଣ୍ଟ ହୋଇଗଲା । ଯାହା ଘଟିବାର ଥିଲା ଘଟିଯାଇଛି ।

 

ଚିନ୍ମୟୀ—ଦକ୍ଷିଣ କବାଟ ?

 

ଦ. କବାଟ—ଦୋ,ରେଇ ତୋ'ରେଇ ପ୍ରଶ୍ନ କରି ନିଜର ବିପଦକୁ ଆମନ୍ତ୍ରଣ କରନ୍ତୁ ନାହିଁ । ଦାସ ସାହେବ ବଡ଼ଲୋକ, ତାଙ୍କର କେହି କିଛି କରିପାରିବେ ନାହିଁ । ଆପଣ ନିଶ୍ଚିନ୍ତ ରହନ୍ତୁ । ଘରେ ନ ରହି ବର୍ତ୍ତମାନ ମିଲ୍‍କୁ ଶୀଘ୍ର ଯିବା ନିତାନ୍ତ ଦରକାର ।

 

ଚିନ୍ମୟୀ—ଏଁ, ବର୍ତ୍ତମାନ ପୁଣି ସେ ମିଲ୍ କୁ ଯିବେ ! ନା, ନା, ମୁଁ ତାଙ୍କୁ କେଉଁଠାକୁ ଯିବାକୁ ଦେବି ନାହିଁ । (ସିଡ଼ି ଉପରକୁ ଚିନ୍ମୟୀ ଉଠି ଯାଉଥିଲେ—ବାହାରୁ ‘‘ଶ୍ରମିକର ଜୟ, ତୃପ୍ତି ଦେବୀ—ଜିନ୍ଦାବାଦ’’ ପ୍ରଭୃତି ସ୍ଲୋଗାନ ଶ୍ରମିକମାନେ ଡାକୁଥାନ୍ତି । ବାରମ୍ବାର ଜିପ୍ ଗାଡ଼ିର ହର୍ଣ୍ଣ ସ୍ଫୁରିତ ହେଉଥିଲା । ବିଶ୍ୱନାଥ, ଆଉ ଜଣେ ଦି ଜଣ ଶ୍ରମିକ ରକ୍ତାକ୍ତ ତୃପ୍ତି ଦେବୀଙ୍କୁ ବହିନେଇ ଆସିଲେ । ସିଡ଼ି ଉପରେ ଦେଖାଗଲେ ମି. ଦାସ, ଆଉ ପଛେ ପଛେ ଚିନ୍ମୟୀ ।)

 

ମି. ଦାସ—କଣ ହେଲା ?

 

ବିଶ୍ୱନାଥ—ସେମାନେ ମିଲ୍ ଦଖଲ କରିଗଲେ । ତୃପ୍ତି ଦେବୀ ନିଜେ ଯାଇ ଆଦେଶ ଦେଲେ । ପ୍ରସେସନ୍‍ର ନେତୃତ୍ୱ ନେଇଥିଲେ ସେ ନିଜେ ।

 

ମି. ଦାସ—ସେମାନେ ମିଲ୍ ଦଖଲ କରିଗଲେ ତୃପ୍ତି ରକ୍ତର ବିନିମୟରେ ? ନୋ, ନୋ, ତୃପ୍ତିର ମୃତଦେହ ମୁଁ ଚାହିଁଥିଲି । ହେଲେ ସେ ବଞ୍ଚିଛି ? ଚିନୁ ! ତୁମେ ତାକୁ ଉପରକୁ ନେଇଯାଅ । ଡାକ୍ତରକୁ ଫୋନ୍ କର । ମିଲ୍ ସେମାନେ ଏମିତି ଦଖଲ କରିଯିବେ ?

 

(ଯିବାବେଳେ ଚିନ୍ମୟୀ ବାଧା ଦେଇ)

 

ଚିନ୍ମୟୀ—ନା, ନା, ତୁମକୁ ମୁଁ ଯିବାକୁ ଦେବି ନାହିଁ ।

 

ମି. ଦାସ—ମୋର ଆଉ କିଛି ବାକି ନାହିଁ ଚିନୁ ! ଦୀପ ଲିଭିଯିବା ବେଳେ ତା'ର ଶେଷ ଶିଖା କିପରି ପ୍ରଜ୍ଜ୍ଵଳିତ ହୋଇ ଜଳି ଉଠେ ସେମାନେ ଦେଖନ୍ତୁ । (ଯିବାକୁ ବସିଲେ—ତୃପ୍ତି ବାଧା ଦେଲା)

 

ତୃପ୍ତି—ନା ଭାଇ, ମୁଁ ରକ୍ତ ନିଗାଡ଼ି ଶ୍ରମିକର ଅଭିନନ୍ଦନ ଜଣାଇଛି । ବାହାରେ ଅତୁଟ ଶ୍ରମିକବାହିନୀ-। ତୁମେ ଯାଇପାରିବ ନାହିଁ । ମି. ଦାସ-ତୃପ୍ତି ! ତୁ କଣ କଲୁ ?

 

ତୃପ୍ତି—ଭାଇ ! (ଢଳିପଡ଼ିଲା ମି. ଦାସଙ୍କ ଛାତି ଉପରେ । ମି. ଦାସ ଚିତ୍କାର କରିଉଠିଲେ)

 

ମି. ଦାସ—ତୃପ୍ତି !!!

 

(ରଙ୍ଗମଞ୍ଚ କିଛି ସମୟ ପାଇଁ ଅନ୍ଧକାର ହୋଇଗଲା । ଶୁଣା ଯାଉଥିଲା ନିକଟରେ ସମ୍ମିଳିତ ଜୟ ଗାନ । ଫୁଲମାଳ ନେଇ ଶ୍ରମିକନେତା ରଘୁନାଥ ପ୍ରବେଶ କରିଛନ୍ତି । ତୃପ୍ତି କ୍ଷତ ଦେହରେ ଢଳି ଢଳି ସିଡ଼ି ଉପରୁ ଓହ୍ଲାଇ ଆସୁଥିଲା ।)

 

ତୃପ୍ତି—ମୋତେ ଅଭିନନ୍ଦିତ କରିବାକୁ ଆସିଚ ? ଫୁଲମାଳ ଆଣିଚ ମୋତେ ସମ୍ବର୍ଦ୍ଧନା କରିବ ? ହେଲେ ଶ୍ରମିକର ସ୍ୱାର୍ଥ ପାଇଁ ଯେଉଁ ବିରାଟ ପ୍ରତିଭା ସଳିତାର ଧର୍ମ ନେଇ ଜଳି ଜଳି ଆସିଚି, ତାକୁ ସମ୍ମାନ କେବେ କରିଚ ? ଶୁଣୁଚ ? ବିଦ୍ରୋହ କଣ୍ଠରେ ଶ୍ରମିକଙ୍କୁ ତାର ଦାବି ପୂରଣ କରିବା ପାଇଁ କାହାର କଣ୍ଠ ଆର୍ଦ୍ର ହୋଇଉଠୁଚି ? ଶୁଣି ପାରୁନା ? ଗାଅ—ରମେଶର ଜୟ—କବିର ଜୟ । ଚାଲ ମୁଁ ତୁମ ସାଙ୍ଗରେ ମିଳି କବିଙ୍କି ଅଭ୍ୟର୍ଥନା କରିବି । (ଢଳି ଢଳି ତୃପ୍ତି ଶ୍ରମିକ ନେତାଙ୍କ ସାଙ୍ଗରେ ଚାଲିଗଲା—ପଛେ ପଛେ ଛୁଟିଆସିଛି ଚିନ୍ମୟୀ)

 

ଚିନ୍ମୟୀ—ଏ କଣ କଲ ତୃପ୍ତି ? ଡାକ୍ତର ମନା କରିଥିଲେ ବିଛଣାରୁ ଉଠିବାକୁ ! ଦି ଘଣ୍ଟା ହୋଇନି । କି ସର୍ବନାଶ ଘଟିବ ଲୋ ମୋ ମା' ! ତୃପ୍ତି ! ମୋ ରାଣ, ଶୁଣିଯାଅ—ତୃପ୍ତି, ତୃପ୍ତି !! (ପ୍ରସ୍ଥାନ)

 

ମି. ଦାସ— (ପ୍ରବେଶି) ସେ ଚାଲିଯାଇଚି ଚିନୁ ! ମୁଁ ଆଉ କାହାରିକୁ ବରଦାସ୍ତ କରିପାରିବି ନାହିଁ । Yes, ସେ ଚାଲିଯାଉ ।

 

ମି. ରାୟ— (ଭୀମବେଗରେ ପ୍ରବେଶ କରି) କହିଦିଅ ଦାସ ସାହେବ, ନନ୍ଦିତା କେଉଁଠି ଅଛି ?

 

ମି. ଦାସ—ଓଃ ଆପଣ !

 

ମି. ରାୟ—ଭୟଙ୍କର ବିପଦ । ଦକ୍ଷିଣ କବାଟ ପୁଲିସ୍ ରେ ଖବର ଦେଇଛି—ତୁମରି ଗୁଳିମାଡ଼ରେ... ।

 

ମି. ଦାସ—ମିଛ କଥା । ଖାଲି ପୋଲିସରେ କହିଦେଲେ ହେବ ନାହିଁ, ପ୍ରମାଣ ଦରକାର । ମୁଁ ଯଦି କହେ—ତୁମେ ନନ୍ଦିତାକୁ ଗାଡ଼ିରେ ନେଇଯାଇ ତାକୁ—

 

ମି. ରାୟ—ମୁଁ ସେଇଆ ଚାହେଁ ସୁବ୍ରତ ! ତୁମେ ପୋଲିସ୍‍କୁ ସେଇଆ କୁହ । (ପ୍ରସ୍ଥାନ)

 

ମି. ଦାସ—ମୁଁ ଜାଣେ । ନିଜକୁ ନିରାପଦ ରଖିବା ପାଇଁ ଦକ୍ଷିଣ କବାଟ ଏଇଆ ହିଁ କରିବ । ଏସ୍ ଦି ଡେଭିଲ୍ ମଷ୍ଟ ଗେଟ୍ ହିଜ୍ ଓନ୍ ସେୟାର୍ ଆଣ୍ଡ ହିଁ ସୁଡ୍ ବି ପେଡ୍ ଇନ୍ ହିଜ ଓନ୍ କଏନ୍‍ସ । କୋଇ ହେ ? (ଉପରକୁ ଉଠିଯିବା ବେଳେ)

 

ପୋ. ସ. ଇ.—(ପ୍ରବେଶି) ମି. ଦାସ !

 

ମି. ଦାସ—Yes go on.

 

ପୋ. ସ. ଇ.—ନନ୍ଦିତା ଦେବୀଙ୍କୁ ଆପଣ—

 

ମି. ଦାସ—No, No, ମୋର ଶଳା ମି. ରାୟ, ଗାଡ଼ିରେ ତାଙ୍କୁ ନେଇ ଆସୁଥିଲେ ସାଲିସ୍ ପାଇଁ । ଆକ୍‍ସିଡେଣ୍ଟ କରି ଗୋଟାଏ ନାଳରେ ସେ ଗାଡ଼ି ପଡ଼ିଛି । ସେ ବର୍ତ୍ତମାନ ଗାଡ଼ି ନେଇ ଯାଇଛନ୍ତି । ଯା'ନ୍ତୁ, ତାଙ୍କୁ ଅନୁଧାବନ କରନ୍ତୁ । Policeର କାମ କଣ ନୁହେଁ ମରିଯାଉଥିବା ଲୋକଙ୍କୁ ଉଦ୍ଧାର କରିବା ? ଆକ୍‍ସିଡେଣ୍ଟରେ କାହାର ହାତ ଅଛି ?

 

ପୋ. ସ. ଇ.—Yes, ଦକ୍ଷିଣ କବାଟ ଏତଲା ଦେଇଛି—ମି. ରାୟଙ୍କ ନାମ ସେ ପ୍ରଥମେ ରହିଥିଲା; କିନ୍ତୁ ପରେ ସେ ଆପଣଙ୍କ ନାମ କହିଛି ।

 

ମି. ଦାସ—No ! ଆପଣ ଠିକ୍ ଖବର ପାଇପାରିବେ ନିଶ୍ଚୟ । ଆଜି ଦେଖନ୍ତୁ, ନନ୍ଦିତା ଜୀବନରେ ଅଛି କି ନା ? ଗାଡ଼ି ଚାହାନ୍ତି ? ମି. ରାୟ ଗାଡ଼ିରେ ଯାଇଛନ୍ତି ।

 

ପୋ. ସ. ଇ.—ଧନ୍ୟବାଦ, ଗାଡ଼ି ଦରକାର ନାହିଁ । ମୋର ମୋଟର ସାଇକଲ ଅଛି । (ପ୍ରସ୍ଥାନ)

 

ମି. ଦାସ—ଆରେ, ସମସ୍ତେ ଚାଲିଗଲେ ? ଏତେ ବଡ଼ ଘରଟାରେ କେହି ନାହାନ୍ତି ? ଚିନୁ ! ତୃପ୍ତି-!! ସମସ୍ତେ ଚାଲିଗଲେ ! No, No, ମୁଁ ଦେଖିବି ତମେ ସବୁ ମିଶି ମୋର କଣ କରିବ-? ଦରଓ୍ୟାନ, ଦରଓ୍ୟାନ !! କେହି କଣ ନାହାନ୍ତି ? କିଏ ଅଛି ଗେଟ୍ ବନ୍ଦ କରିଦିଅ । Light of କରିଦିଅ । ଅନ୍ଧକାର ଘୋଟିଆସୁ । ମୁଁ ଅନ୍ଧକାରକୁ ଆଜି ଭୟ କରେନା । ଭଲ ପାଏ । ଅନ୍ଧକାର ଭଲ । ମୋ ପାଇଁ ଘନ ଅନ୍ଧକାର ଲୋଡ଼ା । (ଧନଞ୍ଜୟ, ରସାନନ୍ଦ ହାତରେ ଫୁଲମାଳ ନେଇ ପ୍ରବେଶ କଲେ)

କଣ ଚନ୍ଦା ପାଇବାର ଅଛି ? ଟ୍ରେଜେରୀ ମୋର ଖୋଲା ଅଛି । ନା, ନା, Bankରେ ମୋର କଣ ଆଉ Balance କିଛି ଥିବ ? ତୃପ୍ତିତ ତାର ଅଧା ଭାଗ ଚାହୁଁଛି । ଆଜି ତୁମକୁ ନିରାଶ ହୋଇ ଫେରିବାକୁ ହେବ ।

ଧନଞ୍ଜୟ—ତରଙ୍ଗ ଉପନ୍ୟାସ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଶ୍ରେଷ୍ଠ ବିବେଚିତ ହୋଇଛି-ଦୁନିଆରେ ନୂଆ ଆଲୋକପାତ କରିଛି ।

ମି. ଦାସ—ହାଃ, ହାଃ, ହାଃ, ହାଃ, ମୁଁ କବି, ଔପନାସିକ, ଐତିହାସିକ, ଅଭିନେତା ! ସାବାସ । ତରଙ୍ଗ ଉପନ୍ୟାସ ଲେଖକ ସାହିତ୍ୟ ଏକାଡେମୀ ପ୍ରାଇଜ୍ ପାଇବ ସୁବ୍ରତ ଦାସ ? ହାଃ, ହାଃ, ହାଃ, ହାଃ !

ଧନଞ୍ଜୟ—ଆପଣଙ୍କର କଣ ହୋଇଛି ?

ମି. ଦାସ—ଯାହାସବୁ କରିଆସିଚ ସେସବୁ ଜାଲ୍ । ଭଣ୍ଡାମୀ । ହେଲେ ତମେ କେବେ ପ୍ରତିଭାର ସଂଧାନ କରିଛ ? ତୃପ୍ତି ସେ ସନ୍ଧାନ ପାଇଁ ନିଜ ବାଟ ଖୋଜି ଚାଲିଯାଇଛି । ଆସ, ମୋ ସାଙ୍ଗରେ ଆସ । ତରଙ୍ଗ ଉପନ୍ୟାସ ଳେଖକକୁ ଛାତ୍ରସମାଜ ଯେବେ ସମ୍ମାନ ଦେବାକୁ ଚାହଁ, ମୋ ପଛେ ଆସ ।

(ସମସ୍ତେ ଚାଲିଯିବାବେଳେ ସିନ୍ ପତନ)

 

ଷଷ୍ଠ ଦୃଶ୍ୟ

 

[ଦକ୍ଷିଣ କବାଟ ଆଉ ବିଶ୍ୱନାଥକୁ ଯଦୁନାଥ ପ୍ରଭୃତି କେତେଜଣ ଶ୍ରମିକ ଦଉଡ଼ିରେ ବାନ୍ଧି ପକେଇଛନ୍ତି । ସେମାନଙ୍କୁ ଟାଣି ଟାଣି ନେଉଥିବା ବେଳେ]

 

ଯଦୁନାଥ—ଯେଉଁଠି ଶାସନ ତମ ପରି ଟାଉଟର, ଧପ୍‍ପାବାଜଙ୍କୁ ଶାସନ କରିବାକୁ ଅସମର୍ଥ, ସେଠି ଜନତା ରାୟ ଦେବ । ହଁ ତମମାନଙ୍କର ବିଚାର କୋର୍ଟ କଚେରୀକୁ ଛାଡ଼ିଦିଆଯିବ ନାହିଁ ।

 

ଦ. କବାଟ—ମୁଁ ନିର୍ଦ୍ଦୋଷ ଯଦୁଭାଇ ! ତୁମରି ପରି ମୁଁ ଶ୍ରମଜୀବୀ । ପେଟ ପୋଷ, ନାହିଁ ଦୋଷ-ବଡ଼ ବଡ଼ରେ କହିଯାଇଛନ୍ତି ।

 

ବିଶ୍ୱନାଥ—ମୁଁ ନିମିତ୍ତ ମାତ୍ର ଯଦୁବାବୁ ! ଦକ୍ଷିଣ କବାଟ ସବୁ ଜାଣନ୍ତି । ତ୍ରିଗୁଣ ରଜ୍ଜୁ ହସ୍ତେ ଧରି, ସେ ଆଜ୍ଞା— !

 

ଯଦୁନାଥ—ଚୁପ୍ କର । ଗୋଟାଏ ଉତ୍ତର ମୁଁ ଚାହେଁ, ନନ୍ଦିତା କେଉଁଠି ?

 

ଦ. କବାଟ—ପୁଲିସରେ ସତ କହିଦେଇଛି । ତୁମ ରାୟବାବୁ ଠିକ୍ ଖବର ଦେବେ । ତାଙ୍କୁ ତ ଡାକି ଆଣିଥିଲି ଜିପ୍ ରେ ଗୋଟାଏ ମିଳାମିଶା ପାଇଁ କଥା ହେବାକୁ ।

 

ଯଦୁନାଥ—ହଁ, ସତକଥା କୁହ ।

 

ଦ. କବାଟ—ମିଛ କଥା କହିବାର କେବେ ଶୁଣିଚ ? ମୋ ଘରେ ଦଶପ୍ରାଣୀ କୁଟୁମ୍ବ । ମୋତେ ବାନ୍ଧି ପୁଲିସ୍ ଜିମା ଦେଇଦେବା କଥା ତ ଦେଇଦିଅ । ହେଲେ ଜୀବନରେ ରଖି ଏତେ ହନ୍ତସନ୍ତ କରନା ।

 

ବିଶ୍ୱନାଥ—ଧରମ ହେବ—ତୁମେ ଦକ୍ଷିଣ କବାଟ, ସତ କହିଦିଅ । ନିଜ ଜୀବନ ବଳିଦେଇ, ଶ୍ରମିକମାନଙ୍କର ସେବା କରି ଆସିଚନ୍ତି ନନ୍ଦିତା ଦେବୀ । କୁହ—

 

ଦ. କବାଟ—କହିବି କଣ ଆଉ—

 

ଯଦୁନାଥ—ସେ ଜୀବନରେ ଅଛନ୍ତି କି ନା ତମେ କୁହ ଦକ୍ଷିଣକବାଟ ?

 

ଦ. କବାଟ—ମୁଁ କେମିତି କହିପାରିବି ଯଦୁଭାଇ ? ସାଙ୍ଘାତିକ ଭାବେ ଧକ୍କା ଲାଗିଚି । ଆକ୍‍ସିଡେଣ୍ଟକୁ ବଳ କାହାର ? ଆଞ୍ଜୁଳା ଆଞ୍ଜୁଳା ରକ୍ତ ପାଟିବାଟେ ବୋହିପଡ଼ିଲା । ତା'ପରେ ମୋର ଚେତା ନାହିଁ ଯଦୁଭାଇ !

 

ଯଦୁନାଥ—ପିଶାଚ ! ତୁମେ ସବୁ ଶେଷରେ ଏଇଆ କଲ !

 

ଦ. କବାଟ—ପାଣି ଟୋପାଏ ହେଲେ ତା ପାଟିରେ ଦେବାକୁ ଲୋକ ନ ଥିବେ । ଦାସ ସାହେବ କେନାଲପାଖ ଝାଡ଼ଜଙ୍ଗଲରେ ଫୋପାଡିଦେଇ ପଳେଇ ଆସିଲା । ହେଲେ ପୁଲିସରେ ମୁଁ ଓଲଟା ଖବର ଦେଇଛି । ରାୟବାବୁ ଆମ ସାଙ୍ଗରେ ନ ଥିଲେ ।

 

ଯଦୁନାଥ—ଠିକ୍ ସେମିତି ଭାବରେ ଶ୍ରମିକ ତୁମ ଜୀବନ ନେବ ରାଧାକାନ୍ତ ! ହଁ, ହଁ, ନନ୍ଦିତା କଣ ସତେ ଜୀବନରେ ଥିବେ ? (ଦ୍ରୁତଗତିରେ ଟାଣି ଟାଣି ନେଇଗଲାବେଳେ ପରଦା)

 

ଶେଷ ଦୃଶ୍ୟ

 

[ରମେଶର ଘର—କ୍ଷତବିକ୍ଷତ ହୋଇ ରମେଶ ଶର୍ଯ୍ୟାଶାୟୀ । ଭିତରେ ଭିତରେ ଚିତ୍କାର କରୁଥାଏ—‘‘ନନ୍ଦିତା, ନନ୍ଦିତା !’’ ତୃପ୍ତି ଆଗେଇଯାଇ ବିଛଣା ପାଖରେ ଆସ୍ତେ ହଲେଇ ଦେଇଛି ।]

 

ତୃପ୍ତି—କବି !

 

ରମେଶ—କିଏ ? ତୃପ୍ତି ! ତୁମେ ?

 

ତୃପ୍ତି—କବି ! (ଫୁଲମାଳ ପିନ୍ଧେଇଦେଇ)

 

ରମେଶ—ଏ କଣ ? ଜୟମାଲ୍ୟ ପାଇଁ ନନ୍ଦିତା ହକ୍‍ଦାର । ନନ୍ଦା ? ଓଃ, ତୁମେ ପୁଣି କାହିଁକି ଆସିଲ ? ଆସି କଣ ଭଲ କରିଚ ?

 

ତୃପ୍ତି—ଶ୍ରମିକ ତୁମର ଜୟଗାନ କରୁଚି—ତୁମେ ଏମିତି ଶୋଇ ରହିବ ? ଏଇ ସେଇ ଅନନ୍ତ ବୁଭୁକ୍ଷୁ ଦଳ ତୁମର ଯଶଗାନ କରୁଛନ୍ତି । (ଶ୍ରମିକର ଗାନ ଶୁଣା ଯାଉଥିଲା) ଶୁଣୁଚ ? ଉଠ-ସେମାନଙ୍କର ସମ୍ବର୍ଦ୍ଧନାର ଉତ୍ତର ଦେବେନି ?

 

ରମେଶ—ନନ୍ଦିତାକୁ ଡାକ—ସେମାନଙ୍କୁ କହି ବୋଲି କଲୋନିକୁ ଫେରେଇଦେଉ । ମୁଁ ବିଶ୍ରାମ ଚାହେଁ । ସେମାନେ ବିଶ୍ରାମ ନିଅନ୍ତୁ । ନନ୍ଦା ! ନନ୍ଦା କାହିଁ ଗଲା ତୃପ୍ତି ?

 

ତୃପ୍ତି—ନନ୍ଦା, ନନ୍ଦା !

 

(ମି. ଦାସ ଫୁଲମାଳ ହାତରେ ଧରି ପ୍ରବେଶ କରିଛନ୍ତି–କବିଙ୍କୁ ପିନ୍ଧେଇଦେଇ)

 

ମି. ଦାସ—କ୍ଷମା କର ରମେଶ ! ତରଙ୍ଗ ଉପନ୍ୟାସର ଲେଖକ ରମେଶକୁ କେବଳ ଶ୍ରମିକ ନୁହେଁ, ଓଡ଼ିଶାର ସୁଧୀବୃନ୍ଦ ଅଭ୍ୟର୍ଥନା ଜଣାଉଛନ୍ତି ।

 

ରମେଶ—(ଥରି ଥରି ଉଠିପଡ଼ି) ଦାସ ସାହେବ ! ଆପଣ ?

 

ମି. ଦାସ—ସବୁ ଲୁଣ୍ଠନ କରି ତୁମକୁ ନିଃସ୍ୱ କରିଦେଇଛି କବି । ମୁଁ ଅନୁତପ୍ତ, ଖୁଣୀ ।

 

ରମେଶ—ନିତି ପ୍ରତି ପୁଞ୍ଜିପତି ଯେପରି ଗରୀବର ରକ୍ତ ନିଗାଡ଼ି ନିଜର ସୁଖସମ୍ଭୋଗ ପାଇଁ ଉପାଦାନ ଯୋଗାଡ଼ କରେ, ଏ ଗୋଟାଏ ମାତ୍ର ଉଦାହରଣ । ଆପଣ ଆଗେଇ ଆସିଚନ୍ତି—ଆପଣ ଚିତ୍ତ ପରିବର୍ତ୍ତନରେ ଆମେ ଦୁନିଆକୁ ଗୋଟିଏ ନୂଆ ବାଟ ଦେଖାଇଦେବୁ । ନନ୍ଦିତା ! ଡାକ ତୃପ୍ତି ! ନୋହିଲେ ତୁମେ ତିନି ଚାରି କପ ଚା' ତିଆରି କରିପାରିବ ?

 

ପୋ.ସ.ଇ—(ପ୍ରବେଶ କରି) ଡାକ୍ତରଖାନାରେ ମୃତ୍ୟୁକାଳୀନ ଜମାନବନ୍ଦୀରେ ନନ୍ଦିତା କହିଛନ୍ତି-ସାଲିସ୍ କରିବା ପାଇଁ କଥାବାର୍ତ୍ତା କରିବା ନାମରେ ଦକ୍ଷିଣ କବାଟ ଜିପ୍ ଗାଡ଼ିରେ ବସାଇ ନେଇ ଆସିଲେ, ଆଉ ଆପଣ ମି. ଦାସ...

 

ରମେଶ—ନନ୍ଦିତା ଆଉ ଜୀବନରେ ନାହିଁ ?

 

ମି. ଦାସ—ଗୋଟାଏ ମହାପାପରୁ ମୁଁ ଉଦ୍ଧାର ପାଇଗଲି ଇନସ୍‍ପେକ୍ଟର ବାବୁ ! ନନ୍ଦିତା ମୃତ୍ୟୁକାଳୀନ ଜମାନବନ୍ଦୀ ଦେବା ପର୍ଯ୍ୟନ୍ତ ବଞ୍ଚିଛି ? ସେଇ ମୋର ଯଥେଷ୍ଟ । ଚାଲନ୍ତୁ ଇନସ୍‍ପେକ୍ଟର ବାବୁ ! (ହାତ ବଢ଼ାଇ ଦେବାବେଳେ ରଘୁନାଥ ଓ ମି. ରାୟ ପ୍ରବେଶ କରିଛନ୍ତି)

 

ମି. ରାୟ—No, No, Inspector ବାବୁ, ଖୁଣୀ ମୁଁ । ନନ୍ଦିତା ଏବେ ବି ଜୀବିତା ।

 

ରମେଶ—ନନ୍ଦିତା ବଞ୍ଚିଛି ? (ଉଠିଯିବାବେଳେ)

 

ତୃପ୍ତି—ବଡ଼ ଦୁର୍ବଳ ତୁମେ କବି ! କବି !

 

ମି. ରାୟ—ନୋ, ନୋ, ସେମାନଙ୍କୁ ଫେରେଇଆଣ ଯଦୁନାଥ ! ସେମାନେ ସମସ୍ତେ ଦୁର୍ବଳ ।

 

ମି. ଦାସ—ଚାଲନ୍ତୁ Inspector ବାବୁ ।

 

ମି. ରାୟ—ନୋ, ନୋ, ଖୁଣୀ ଅଭିଯୋଗରେ ଯେବେ କେହି ଅଭିଯୁକ୍ତ ହୁଏ, ସେ ହେଉଛି ରାୟ । ତୁମେ ବିପ୍ଳବନିର୍ଦ୍ଦେଶିତ ପଥରେ ଆଗେଇଚାଲ ସୁବ୍ରତ ବାବୁ ! ମିଲ୍ ଶ୍ରମିକର ନୁହେଁ, ମିଲ୍ ମାଲିକର ନୁହେଁ । ଶ୍ରମିକ, ମିଲ୍ ମାଲିକ ଉଭୟଙ୍କୁ ନେଇ ମିଲ୍ ଚାଲୁରହିବ । ଅଗଣିତ ଜନତାର ସ୍ୱାର୍ଥ ପାଇଁ ମିଲ୍ ଚାଲୁ ରହିବ ଅନାଦି ଅନନ୍ତକାଳ ପାଇଁ । ସରକାରୀ ମିଲ୍ ହେଲେ ଜନତା ବାଦ୍ ପଡ଼ିଯାଇ କେତେ ଜଣ କର୍ମଚାରୀ ମିଲ୍-ମାଲିକର ସୁଖସ୍ଵାଚ୍ଛନ୍ଦ୍ୟ ଉପଭୋଗ କରିବେ । Inspector ବାବୁ, ମୁଁ ଖୁଣୀ ।

 

ମି. ଦାସ—ନା, ନା, ଇନ୍‍ସପେକ୍ଟର ବାବୁ ମୁଁ ଖୁଣୀ ।

 

ମି. ରାୟ—ନୋ, ନୋ, ନନ୍ଦିତା ଜମାନବନ୍ଦୀ ଦେବ । ଆପଣ Hospital ଚାଲନ୍ତୁ । ଦୋଷୀ ମୁଁ । ଏ ନୂଆ ବାଟରେ ମିଲ୍ ଚାଲିବା ପାଇଁ ମି. ଦାସଙ୍କର ନେତୃତ୍ୱ ନିତାନ୍ତ ଆବଶ୍ୟକ ।

 

ଚିନ୍ମୟୀ—(ପାଗଳିନୀ ପରି ଆସି) ଭାଇ, ସୁବ୍ରତ ବାବୁ ଖୁଣୀ ! ପୋଲିସ ତାଙ୍କୁ ଗିରଫ୍ କରିନେବ-? ଭାଇ !

 

ମି. ରାୟ—କିଏ କହିଲା ଚିନୁ ? ସକଳ ଗୁଣବିମଣ୍ଡିତ ସୁବ୍ରତ ଦାସ କେବେ ଖୁଣ୍ କରିପାରେ-? ଖୁଣୀ ତୋ ଭାଇ ।

 

ଚିନ୍ମୟୀ—ଭାଇ !

 

ମି. ରାୟ—ଭଉଣୀର ସ୍ୱାର୍ଥ ପାଇଁ ନୁହେଁ, ତୋ ପାଖରେ ତୋ ଭାଇର ଜୀବନ ଯେତିକି ମୂଲ୍ୟବାନ, ତୋ ସ୍ୱାମୀର ଜୀବନ ଆହୁରି ମୂଲ୍ୟବାନ । ହେଲେ ତୋ ଭାଇ କଣ ଚାହେଁ ଜାଣୁ ଚିନୁ ? ମିଲ୍ ଗୋଟାଏ ନୂଆ ଆଦର୍ଶ ନେଇ ଚଳିବ । ନୂଆ ଦୁନିଆର ଧର୍ମ ହେବ ତୃଣ ଧର୍ମ । ଦୀକ୍ଷା ହେବ ତାରକାର ଦୀକ୍ଷା । ଏ ଧରଣୀ ହେବ ବୃକ୍ଷହୀନ, ଆକାଶ ହେବ ଚନ୍ଦ୍ର, ସୂର୍ଯ୍ୟହୀନ । ଆକାଶରେ ଜଳିଉଠିବ ଲକ୍ଷ ଲକ୍ଷ ତାରକା । ସେଇ ଆଲୋକ ସ୍ନିଗ୍‍ଧତାର ତଳେ କୋଟି କୋଟି ତୃଣ ରାଜି ଭାତୃବନ୍ଧନରେ ଛାତିକି ଛାତି ମିଶାଇ ସୃଷ୍ଟି କରିବେ ଶ୍ୟାମାଳିମାର ମହାମହୋତ୍ସବ । ଏ ମଣିଷ ହେବ ସାମ୍ୟ, ମୈତ୍ରୀର ପ୍ରତୀକ । ମିଲ୍ ମାଲିକ ଆଉ ରହିବେ ନାହିଁ । ସେ ହେବ ଜଣେ ଶ୍ରମିକ—ମଜଦୂର ।

 

(ଅଳ୍ପ ସମୟ ପାଇଁ ମଞ୍ଚ ଅନ୍ଧକାର ଭିତରେ ବୁଡ଼ିରହି ପୁଣି ଆଲୋକିତ ହେଲାବେଳକୁ ଦେଖାଗଲା ମିଲ୍ ଫାଟକ ଖୋଲିଯାଇଛି—ପରେ ପରେ ମିଲ୍ ଚାଲିବାର ଶବ୍ଦ ଭାସିଆସିଛି । ନନ୍ଦିତା, ତୃପ୍ତି, ମି. ଦାସ, ମି. ରାୟ ଗୀତକଣ୍ଠରେ ମିଲ୍‍ ରେ ପ୍ରବେଶ କରୁଛନ୍ତି ।)

Image